Monday, April 18, 2022

ବିଶ୍ୱ ଐତିହ୍ୟ ଦିବସ

 


ବିଶ୍ୱ ଐତିହ୍ୟ ଦିବସ

ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏





ମୋ ଓଡିଶା
                      ଐତିହ୍ୟର ଗନ୍ତାଘର,
ସଂସ୍କୃତି, ସାହିତ୍ୟ କଳା   
                       ସ୍ଥାପତ୍ୟର ସମାହାର ।।
    
ଓଡ଼ିଶାର ଐତିହ୍ୟରେ
                           ଜଗନ୍ନାଥ ଚେତନା,
ସ୍ନେହ, ପ୍ରେମ, ଭାତୃଭାବ
                          ସନାତନୀ ଭାବନା ।।

କେତେ ମିଠା ଭାଷା ମୋର
                             ତେର ଶହ ବର୍ଷର,
ପ୍ରାଚୀନତମ ଭାଷାଟି
                       ସ୍ୱତନ୍ତ୍ର, ଉଚ୍ଚ କୋଟିର ।।

 ସ୍ଥାପତ୍ୟ,ଭାସ୍କର୍ଯ୍ୟଆଉ 
                           ଚିତ୍ର କଳାରେ,
ରାଜ୍ୟ ମୋ ଭରପୁର
                           ନାନା ରୂପ ରେ ।।

ବୌଦ୍ଧ ସ୍ତୁପ, ଚୈତ୍ୟ ଗୃହ
                           ଦୁର୍ଗ ମଠ ମନ୍ଦିର,
କୋଣାର୍କର କୀର୍ତ୍ତିରାଜି
                         ଭବ୍ୟତା କି ସୁନ୍ଦର    !!

ଓଡ଼ିଶାର ଗୀତ, ନୃତ୍ୟ 
                     ବାଦ୍ୟ ତାଳେ ତାଳେ,
ଚକୁରିଆ ପଣ୍ଡା ସୁରେ
                     ଜିଇଁବାର ସ୍ରୋତ ମିଳେ ।।

ମୋ ରାଇଜ ହାତ କାମ
                        ନାହିଁ ଯା'ର ତୁଳନା,
ବୟନ କଳା କୁ କୁହ
                      କି ଦେବା ଗୋ ଉପମା ?

କଟକ ରୂପା ତ।ରକସି
                          ପିପିଲିର ଚାନ୍ଦୁଆ,
ସମ୍ବଲପୁରୀ ପାଟ ସହ
                      ବୋମକେଇ ସୋନପୁରିଆ ।।

ଖୋର୍ଦ୍ଧା ଜିଲ୍ଲା ନାଲି ଗାମୁଛା
                           ବୀରତ୍ୱର ଚି଼ହ୍ନଟିଏ,
ବ୍ରହ୍ଣପୁର ମଠା ଶାଢ଼ୀ
                        ପବିତ୍ରର ଗୀତ ଗାଏ ।।

କଳିଙ୍ଗର ପୁତ୍ର ଗଣ
                     ମେଲାନ୍ତି ଯେବେ ବୋଇତ,
ଜାଭା, ବାଲି,ସୁମିତ୍ରା କୁ ଯାଇ
                  ହୀରା ନୀଳା ଆଣନ୍ତି ବହୁତ ।।

ମୁଣ୍ଡ ଝାଳ ତୁଣ୍ଡେ ମାରି
                         ମୋ କୃଷକ ଭାଇ,
ଆହାର ଯୋଗାଇ ଥାଏ
                           ଖରା ତରା ସହି ।।

ବିଜ୍ଞାନ ପ୍ରଜ୍ଞାନ କ୍ଷେତ୍ର
                       ଆଧ୍ୟାତ୍ମିକ ପୀଠ ଟିଏ 
ଭକ୍ତି, ଭାବ ଆବେଗ ଭରା
                      ପ୍ରେରଣାର ସ୍ରୋତ ଟିଏ ।।

ବାର ମାସେ ତେର ପର୍ବ
                            ପାଳନ ହୁଅଇ,
ଗଣ ଦେବ ଜଗନ୍ନାଥ
                      ନିଜେ ପାଳୁଥାଇ ।।

ମୋ ମାଆ ବୀର ପ୍ରସବିନୀ 
                        ଯୋଦ୍ଧା ଙ୍କ ଜନ୍ମଭୂମି,
କ୍ରାନ୍ତି ବିପ୍ଳବର  ଧାମ
                        ତ୍ୟାଗ ଓ ତପୋଭୂମି ।।

ଏପରି ସୁନା ରାଇଜ
                        ଅନ୍ୟତ୍ର କି ଅଛି ?
ତୁ,କେତେ ଜନମର ପୁଣ୍ୟ
                 (ମାଆ )ତୋତେ ମୁଁ ଲଭିଛି ।।

Wednesday, June 2, 2021

କେଉଁ କ୍ୟାରିୟର ରେ ମୋଟା ଅଙ୍କର ଦରମା ?



ଗୋଟିଏ ଜିନିଷ ଯାହା ମୁଁ କେବେ ମଧ୍ୟ ବୁଝି ପାରୁନଥିଲି |ଏହି ଚଳଚ୍ଚିତ୍ର ଅଭିନେତାମାନେ (କିମ୍ବା ଅଭିନେତ୍ରୀମାନେ) ଏମିତି କ’ଣ କରନ୍ତି ଯେ ଏକ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ 50 କୋଟି କିମ୍ବା 100 କୋଟି ଟଙ୍କା ପାଇଥାନ୍ତି ?ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ

ଏହାକୁ ନେଇ ଆଲୋଚନା ହୋଇଥିଲା , ଯେତେ ବେଳେ ସେ ଏକ ଇଞ୍ଜିନିୟରିଂ ଟପ୍ପର ଥିଲେ ସେ କାହିଁକି ଫିଲ୍ମ ଫିଲ୍ଡ ବାଛିଲେ ? ଯେଉଁ ଦେଶରେ ବିଶିଷ୍ଟ ବୈଜ୍ଞାନିକ,ଡାକ୍ତର,ଇଞ୍ଜିନିୟର, ପ୍ରଫେସର ଓ ଅଧିକାରୀ ମାନଙ୍କୁ ବର୍ଷକୁ 10 ଲକ୍ଷରୁ 20 ଲକ୍ଷ ଟଙ୍କା ମିଳିଥାଏ,ଯେଉଁ ଦେଶର ରାଷ୍ଟ୍ରପତି ବାର୍ଷିକ 1 କୋଟିରୁ କମ୍ ରୋଜଗାର କରିଥାନ୍ତି ।ସେହି ଦେଶରେ ଜଣେ ଚଳଚ୍ଚିତ୍ର ଅଭିନେତା ପ୍ରତି ବର୍ଷ10 କୋଟିରୁ 100 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିଥାନ୍ତି | ବାସ୍ତବରେ, ସେମାନେ କ’ଣ କରନ୍ତି ?ଦେଶର ବିକାଶରେ ସେମାନଙ୍କର ଅବଦାନ କ’ଣ ? ଶେଷରେ, ସେମାନେ ଏପରି ଭାବରେ କ’ଣ କରିଥାନ୍ତି ଯେ ବର୍ଷଟିଏ ରେ ଏତେ କମେଇ ଥାନ୍ତି ଯାହାକୁ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ସେତିକି ରୋଜଗାର କରିବାକୁ ହୁଏତ100ବର୍ଷ ଲାଗିପାରେ ? ଆଜି ଦେଶର ନୂତନ ପିଢି କୁ ଆକର୍ଷିତ କରିରଖିଥିବା ତିନୋଟି କ୍ଷେତ୍ର ହେଉଛି ସିନେମା, କ୍ରିକେଟ୍ ଏବଂ ରାଜନୀତି।ଏହି ତିନୋଟି କ୍ଷେତ୍ରର ଲୋକଙ୍କର ରୋଜଗାର ଏବଂ ପ୍ରତିଷ୍ଠା ସବୁ ସୀମାରୁ ବାହାରେ |ଏହି ତିନୋଟି କ୍ଷେତ୍ର ହେଉଛି ଆଧୁନିକ ଯୁବକମାନଙ୍କର ଆଦର୍ଶ।ବର୍ତ୍ତମାନ ସେମାନଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ମନେ ରଖିବା ଉଚିତ୍ ଯେ ବିଶ୍ୱସନୀୟତାର ଅନୁପସ୍ଥିତିରେ  ଜିନିଷଗୁଡ଼ିକ ପ୍ରାସଙ୍ଗିକ ରହେ ନାହିଁ |ଯେତେବେଳେ ଜିନିଷ ମହଙ୍ଗା ହୁଏ, ଅବିଶ୍ୱାସନୀୟ ହୁଏ, ଅପ୍ରାସଙ୍ଗିକ ହୁଏ,ସେତେବେଳେ ତାହା ଦେଶ ଏବଂ ସମାଜ ପାଇଁ  ଅର୍ଥହୀନ ତଥା ବେଳେବେଳେ ଆତ୍ମଘାତୀ ମଧ୍ୟ ହୋଇଥାଏ |ଭାବନ୍ତୁ ସୁଶାନ୍ତ କିମ୍ବା ଅନ୍ୟ କୌଣସି ଯୁବକ କିମ୍ବା ଯୁବତୀ ଏହି କ୍ଷେତ୍ର ପ୍ରତି ଆକର୍ଷିତ ହୁଅନ୍ତି,ତେବେ ଏହା ସମ୍ପୂର୍ଣ୍ଣ ଅସ୍ୱାଭାବିକ କି ? ମୁଁ ସେପରି ଭାବୁନାହିଁ |ଯେ କୌଣସି ସାଧାରଣ ବ୍ୟକ୍ତି ଧନ, ଲୋକପ୍ରିୟତା ଏବଂ ଥାଟବାଟ ପ୍ରତି ପ୍ରଭାବିତ ହୋଇ ଯାଇଥାନ୍ତି |

ବଲିଉଡରେ ଡ୍ରଗସ୍ କିମ୍ବା ବେଶ୍ୟାବୃତ୍ତି |କ୍ରିକେଟ୍ ରେ ମ୍ୟାଚ୍ ଫିକ୍ସିଂ |ରାଜନୀତିରେ ଗୁଣ୍ଡାଗର୍ଦି - ଦୁର୍ନୀତି |

ଏସବୁ ପଛରେ ମୁଖ୍ୟ କାରଣ ହେଉଛି ଅର୍ଥ |

ଏବଂ ଏହି ସମ୍ପତ୍ତିକୁ ସେମାନଙ୍କ ନିକଟକୁ ଆମେ ହିଁ ପହୁଞ୍ଚାଇ ଥାଉ ।ଆମରି ଟଙ୍କା କୁ ଆମେ ହିଁ ନିଆଁ 🔥 ଲଗାଉଛୁ ଓ ଆମର କ୍ଷତି କରୁଛୁ | ଏହା ହେଉଛି ମୂର୍ଖତାର ପରାକାଷ୍ଠା |* 70-80 ବର୍ଷ ପୂର୍ବେ ପ୍ରସିଦ୍ଧ ଅଭିନେତାମାନଙ୍କୁ ସାଧାରଣ ଦରମା ମିଳୁଥିଲା|

* 30-40 ବର୍ଷ ପୂର୍ବେ କ୍ରିକେଟରଙ୍କ ରୋଜଗାର ମଧ୍ୟ 

  ବିଶେଷ କିଛି ନଥିଲା |

* 30-40 ବର୍ଷ ପୂର୍ବେ ମଧ୍ୟ ରାଜନୀତି ଏତେ ଅଶାନ୍ତ ନଥିଲା। ଧୀରେ ଧୀରେ ସେମାନେ ଆମକୁ ଲୁଟିବା ଆରମ୍ଭ କଲେ ଏବଂ ଆମେ ମଧ୍ୟ ଖୁସିରେ  ଲୁଣ୍ଠିତ ହୋଇ ଚାଲିଲୁ । ଆମେ ଏହି ମାଫିଆର କବଳରେ ଫସି ରହି ଆମ ପିଲାମାନଙ୍କର ଭବିଷ୍ୟତ, ଆମ

ଦେଶର ଭବିଷ୍ୟତ କୁ ନଷ୍ଟ କରି ଚାଲିଲେ | 50 ବର୍ଷ ପୂର୍ବେ, ଚଳଚ୍ଚିତ୍ରଗୁଡିକ ଏତେ ଅଶ୍ଳୀଳ ଏବଂ ବାଜେ ନଥିଲା | କ୍ରିକେଟର ଏବଂ ରାଜନେତାମାନେ ଏତେ ଅହଂକାରୀ ନଥିଲେ । ଆଜି ତ ଏମାନେ ଆମର ଭଗବାନ ହୋଇଯାଇଛନ୍ତି |ବର୍ତ୍ତମାନ ସେମାନଙ୍କୁ ମୁଣ୍ଡରୁ ଉଠାଇ କଚାଡି ଦେବାର ଆବଶ୍ୟକତା ଅଛି । ଯାହା ଦ୍ଵାରା ସେମାନେ ନିଜର ସ୍ଥିତିକୁ ଚିହ୍ନି ପାରିବେ।

ଥରେ ଭିଏତନାମ ରାଷ୍ଟ୍ରପତି ହୋ-ଚି-ମିନି ଭାରତକୁ ଆସିଥିଲେ। ଭାରତୀୟ ମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ସେ ପଚାରିଥିଲେ -"ତୁମେମାନେ କଣ କର ?"ସେମାନେ କହିଥିଲେ - "ଆମ୍ଭେମାନେ ରାଜନୀତି କରୁଛୁ।" ସେ ଏହି ଉତ୍ତର କୁ ବୁଝିପାରିଲେ ନାହିଁ |ସେ ପୁଣି ପଚାରିଲେ-" ତୁମର ବୃତ୍ତି କ’ଣ ?"

ମନ୍ତ୍ରୀ ମାନେ କହିଥିଲେ "ରାଜନୀତି ଆମର ବୃତ୍ତି।"

ଟିକିଏ ବିରକ୍ତ ହୋଇ ହୋ ଚି ମିନ୍ କହିଲେ -

"ବୋଧହୁଏ ଆପଣ ମାନେ ମୋର ପଚାରିବାର ଅର୍ଥ ବୁଝିଲେ ନାହିଁ , ମୁଁ କଣ ଜାଣିବାକୁ ଚାହୁଁଥିଲି।

ରାଜନୀତି ତ ମୁଁ ମଧ୍ୟ କରେ;କିନ୍ତୁ ମୁଁ ବୃତ୍ତି ରେ ଜଣେ କୃଷକ,ମୁଁ ଚାଷ କରେ,ଚାଷ କରି ମୋର ଜୀବିକା ନିର୍ବାହ କରେ |ସକାଳ ଓ ସନ୍ଧ୍ୟାରେ ମୁଁ ଆମର କ୍ଷେତରେ କାମ କରେ। ଦିନରେ ଦେଶର ରାଷ୍ଟ୍ରପତି ଭାବରେ ମୁଁ ମୋର କର୍ତ୍ତବ୍ୟ କରେ। "ଭାରତୀୟ ପ୍ରତିନିଧି ମାନେ ଚୁପ୍ ଥିଲେ,ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା।ଯେତେବେଳେ ହୋ-ଚି-ମିନ୍ ପୁନର୍ବାର ସମାନ କଥା ପଚାରିଲେ, ପ୍ରତିନିଧିମଣ୍ଡଳର ଜଣେ ସଦସ୍ୟ ଲଜ୍ଜିତ ଭାବରେ କହିଲେ- “ରାଜନୀତି କରିବା ହିଁ ଆମ ସମସ୍ତଙ୍କର ବୃତ୍ତି |”ଏଥିରୁ ସ୍ପଷ୍ଟ ଯେ ଭାରତୀୟ ନେତାଙ୍କ ପାଖରେ ଏହାର କୌଣସି ଉତ୍ତର ନ ଥିଲା। ପରେ ଏକ ସର୍ଭେରୁ ଜଣାପଡିଲା ଯେ ଭାରତରେ 6 ଲକ୍ଷରୁ ଅଧିକ ଲୋକ ରାଜନୀତି କରି ଜୀବିକା ନିର୍ବାହ କରନ୍ତି । ଆଜି ଏହି ସଂଖ୍ୟା ଏକ କୋଟିରେ ଯାଇ ପହଞ୍ଚିଯାଇଛି।କିଛି ମାସ

ପୂର୍ବରୁ, ଯେତେବେଳେ ୟୁରୋପ କରୋନା ଦ୍ୱାରା ଧ୍ୱଂସ ହେଉଥିଲା, ଡାକ୍ତରମାନଙ୍କୁ ଲଗାତାର ଅନେକ ମାସ ପର୍ଯ୍ୟନ୍ତ ଟିକେ ମଧ୍ୟ ବିରତି ମିଳୁନଥିଲା,

ତା’ପରେ ପର୍ତ୍ତୁଗାଲର ଜଣେ ଡାକ୍ତରାଣୀ ବିତସ୍ପୃହ ହୋଇ କହିଲେ ,"ଏବେ ରୋନାଲଡୋ ପାଖକୁ ଯାଅନା,ଯାହାକୁ ତୁମେ ଲକ୍ଷ ଲକ୍ଷ ଟଙ୍କା ଦିଅ ।

ମୁଁ ତ କେବଳ କିଛି ହଜାର ଟଙ୍କା ପାଏ। "ମୁଁ ଦୃଢ ଭାବରେ ବିଶ୍ଵାସ କରେ ଯେ ଯେଉଁ ଦେଶରେ ଯୁବ ପିଢି , ଛାତ୍ରମାନଙ୍କର ଆଦର୍ଶ ବୈଜ୍ଞାନିକ,ଡାକ୍ତର, ଗବେଷଣାକାରୀ, ଏକାଡେମିସିଆନ୍ ଇତ୍ୟାଦି ନ  ହୋଇ,ଅଭିନେତା, ରାଜନେତା ଏବଂ କ୍ରୀଡ଼ାବିତ୍ ହେବେ,ସେତେବେଳେ ଯଦିଓ ସେମାନଙ୍କର ଆର୍ଥିକ ପ୍ରଗତି ହେବ,ଦେଶ କଦାପି ଅଗ୍ରଗତି କରିବ ନାହିଁ। ସାମାଜିକ, ବୌଦ୍ଧିକ,ସାଂସ୍କୃତିକ,ରଣନୀତି ଅନୁଯାୟୀ ଦେଶ ସର୍ବଦା ପଛୁଆ ରହିବ | ଏପରିକି  ଦେଶର ଏକତା ଏବଂ ଅଖଣ୍ଡତା ସର୍ବଦା ବିପଦରେ ରହିବ।ଯେଉଁ ଦେଶରେ ଅନାବଶ୍ୟକ ଏବଂ ଅପ୍ରାସଙ୍ଗିକ କ୍ଷେତ୍ରର ପ୍ରାଧାନ୍ୟତା ବୃଦ୍ଧି ପାଇବ , ସେହି ଦେଶ ଦିନକୁ ଦିନ ଦୁର୍ବଳ ହୋଇଯିବ।ଦେଶରେ ଦୁର୍ନୀତିଗ୍ରସ୍ତ ତଥା ଦେଶଦ୍ରୋହୀ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ, ସଚ୍ଚୋଟ ବ୍ୟକ୍ତିମାନେ ଧରାଶାୟୀ ହେବେ ଏବଂ ଜାତୀୟତାବାଦୀ ଲୋକମାନେ ଅତି କଷ୍ଟଦାୟକ  ଜୀବନଯାପନ କରିବାକୁ ବାଧ୍ୟ ହେବେ।

ସବୁ କ୍ଷେତ୍ରରେ କିଛି ଭଲ ଲୋକ ମଧ୍ୟ ରହିଥାନ୍ତି |

ସେମାନଙ୍କଙ୍କ ବ୍ୟକ୍ତିତ୍ୱ ପାଇଁ ସର୍ବଦା ସମ୍ମାନ ରହିବ |

ପ୍ରତିଭାବାନ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ସମାଜସେବୀ, ଦେଶପ୍ରେମୀ,ଜାତୀୟତାବାଦୀ,ଲଢୁଆ ତଥା ସାହସୀ ଲୋକଙ୍କୁ ଆମର ଆଦର୍ଶ କରିବା ଆବଶ୍ୟକ |ଆମକୁ ନାଟୁଆ ,ନାଟୁଆଣୀ,ମଦୁଆ, ବେଧୁଆ,ଗୁଣ୍ଡା, ବଂଶବାଦୀ,ଜାତିବାଦୀ ତଥା ଦୁର୍ଦ୍ଦାନ୍ତ ଦେଶଦ୍ରୋହୀଙ୍କୁ ଭୂଲୁଣ୍ଠିତ ଅପମାନିତ କରି ତଥା ସାମାଜିକ, ଅର୍ଥନୀତିକ ଏବଂ ରାଜନୈତିକ ଦୃଷ୍ଟିରୁ ବଏକଟ୍ କରିବାର ପ୍ରବୃତ୍ତି କୁ ବିକାଶ କରିବାକୁ ପଡିବ |

ଯଦି ଆମେ ଏହା କରିପାରିବା ତେବେ ଏହା ଠିକ୍ ଅଛି, ନଚେତ୍ ଦେଶର ଅଧୋଗତି ମଧ୍ୟ ନିଶ୍ଚିତ। ଆପଣ ନିଜେ ସ୍ଥିର କରନ୍ତୁ ଯେ ସଲମାନ୍  ଖାନ୍ , ଆମୀର ଖାନ୍, ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜିତେନ୍ଦ୍ର, ହେମା, ରେଖା, ଜୟା ଆମ ଦେଶର ବିକାଶରେ କ’ଣ ସହଯୋଗ କରିଛନ୍ତି? ଆମର ପିଲାମାନେ ମୂର୍ଖ ପରି, ସେମାନଙ୍କୁ ଆଦର୍ଶ କରି ରଖିଛନ୍ତି |

                     ***ଜୟ ଜଗନ୍ନାଥ  ***

Sunday, May 30, 2021

LOCKDOWN ରେ ଘରଣୀ l

 .  

     *🌸🌻🌹"ଓଡ଼ିଆ କବିତା"🌹🌻🌸*


         *🌹" ଲକ୍ ଡାଉନ୍ ରେ ଘରଣୀ "🌹*


ବୁଢୀ ବୁଢୀ ଦିଶେ ଘରଣୀଟା ମୋର  

       ଲକ୍ ଡାଉନ୍ ରେ ସଢି

ପିନ୍ଧୁ ନାହିଁ ଜମା ଭଲ ଭଲ ଶାଢୀ

      ଖୋଲୁନି ମେକପ ପେଡି 

     ବେଳେ ବେଳେ ମାରେ ରଡି

ଅଣ୍ଟା ପିଠି ତାର ଡାକେ କଟକଟ

       ବିଛଣାରେ ଗଡିଗଡି |


ମାଷ୍ଟର ସେଏଫ୍ ବନିଅଛି ଏବେ

     ରୋଷେଇର ଧନ୍ଦା ଛାଡି

ଶିଖୋଉଛି ମୋତେ ରୁଟିବେଲା କାମ

      ଧରେଇ ବେଲଣା ପେଡି

        ଚିହିଁକି ଆସଇ ମାଡି

ରୁଟି ମୋର ଯେବେ ବୃତ୍ତରୁ ପଳେଇ

       ଚତୁର୍ଭୁଜେ ଯାଏ ମାଡି |


ଅନ୍ ଲାଇନ୍ ରେ ଶିଖୁଛି ରୋଷେଇ

    ଯେତେ ସବୁ ଟେଷ୍ଟି ଟେଷ୍ଟି

ମୋତେ ନେଇ ଚାଲେ ପରୀକ୍ଷା,ନିରୀକ୍ଷା

         ମସଲା ମସଲି ଘାଣ୍ଟି

       ଖେଳୁଛି ମୁଁ ଟ୍ବୋଣ୍ଟି ଟ୍ବୋଣ୍ଟି

ଭାଗ୍ୟ ମୋ ଖରାପ ଆଜି କରିବି ମୁଁ

         ସୁଇଟି ଚିକେନ୍ ସିକ୍ସଟି |


କହିଲି ପତ୍ନୀଙ୍କୁ ଆଗୋ ପ୍ରୀୟତମା

       ଦେହ ଗଲାଣି ବିଗିଡି

କଷି ଭେଣ୍ଡି ପରି ଶରୀର ତୁମର

      ହେଲାଣି ପୋଟଳ ପରି

      ଯୋଗ,ପ୍ରାଣାୟମ କରି

ସ୍ଲିମ ରଖୁନା ଚେହେରାକୁ ଟିକେ

      ଦୀପିକା,ପ୍ରିୟଙ୍କା ପରି |


ମମ ବାକ୍ଯ ଶୁଣି ଆମ୍ଭ ଘରମଣି

      ଚିହିଁକି ଆସିଲେ ମାଡି

କହିଲେ ସମ୍ଭାଳି କଥାବାର୍ତ୍ତା କର

      ଭାବିଲକି କର୍ମକୋଢି

      ତୁମେ ସାଥେ ମୋର ଯୋଡି

ଲକ୍ ଡାଉନ୍ ର ମଜା ନେଲି ବୋଲି

       ନଜର ଯାଉଛି ପଡି ?


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Friday, May 14, 2021

କରୋନାରୋଗୀ କେଉଁଦଳର ?

 .

       *🔥କରୋନାରୋଗୀ କେଉଁଦଳର ?🔥*

                    *✍ଅରବିନ୍ଦଦାସ*

➖➖➖➖➖➖➖➖➖➖➖

*-ଆରେ ନାରଣ,କରୋନା ରୋଗୀ ସବୁ କେଉଁ ଦଳ'ର?"ପଚାରିଲେ ସୁରେନ୍ଦ୍ରବାବୁ।*


*ବାପାଙ୍କ କଥାଶୁଣି ନାରଣ ବାବୁ ଟିକେ ଆଶ୍ଚର୍ଯ୍ୟ ହୋଇ ଅନାଇ କହିଲେ,*


*-କେଉଁ ଦଳର ମାନେ ?"ପାନ ଚୋବାଉ ଚୋବାଉ ସୁରେନ୍ଦ୍ର ବାବୁ କହିଲେ,*


*-ଏତିକି ବୁଝି ପାରୁନୁ ?କିରେ ନିର୍ବାଚନ ରାଲି,ସଭାରେ ବିଭିନ୍ନ ଦଳ ନିଜ ସମର୍ଥକ ଲୋକଙ୍କୁ ଗାଡି,ମଟର, ଟ୍ରକ,ବସ ରେ ବୁହାଇ ବଡ଼ ନେତାଙ୍କ ସଭାକୁ ବୋହି ନିଅନ୍ତି।ଖାଇବା ସହ ଟଙ୍କା ବି କାଳେ ଦିଅନ୍ତି।"*


*-ହଁ,ତେବେ ଏଥିରେ ନୂଆ କଥା କଣ ?ଆପଣ କଣ କହିବାକୁ ଚାହାନ୍ତି ?"*


*-ଏଇନା କରୋନା ଆକ୍ରାନ୍ତ ଲୋକେ ନିଜ ଟେଷ୍ଟ ପାଇଁ,ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ପାଇଁ ଯିବାପାଇଁ କେତେ ଅସୁବିଧା ଭୋଗୁଛନ୍ତି।ଏମିତିକି ପୋକ ମାଛି ଭଳି କରୋନାରେ ଲୋକେ ମଲାପରେ ତା ଶବ ମଶାଣୀକୁ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ବା ଶେଷଯାତ୍ରା ଗାଡି ଭଡା ଦେବାକୁ ଟଙ୍କା ଯୋଗାଡ କରିପାରୁନାହାନ୍ତି।ତେଣୁ ସେଇ କରୋନା ଆକ୍ରାନ୍ତ ରୋଗୀମାନେ ଯେଉଁ ରାଜନୈତିକ ଦଳର ସମର୍ଥକ,ସେଇ ଦଳର କର୍ମକର୍ତ୍ତା ମାନେ ରୋଗୀ ବା ଶବଙ୍କୁ ବୋହିବା ପାଇଁ ଗାଡି ଯୋଗାଡ଼ କରନ୍ତେନି ?ଆରେ ଭବିଷ୍ୟତରେ ଭୋଟ ପାଇଁ ଏ ଭଲ କାମ ପ୍ରଚାର ପାଇଁ ବି କାମରେ ଆସନ୍ତା।"*


*ଦୀର୍ଘନିଶ୍ବାସ ନେଇ ନାରଣ ବାବୁ କହିଲେ,*


*-ଏଇନା କେଉଁ ନେତାଙ୍କୁ,ଦଳୀୟ କର୍ମକର୍ତ୍ତାଙ୍କୁ ରୋଗୀଙ୍କ ଘରକୁ ,ସାହାଯ୍ୟ କରିବାରେ ଦେଖୁଛ ?ଯିଏ ମଲା ସିଏ ଗଲା।ମୃତ୍ୟ ପାଇଁ ଗୋଟେ ଦଳ ଅନ୍ୟ ଦଳକୁ ଦୋଷ ଦେବ।ଆଉ ଆମ ନିର୍ଲଜ ଲୋକଙ୍କ ଆକାଉଣ୍ଟକୁ କିଛି ଯୋଜନା ଟଙ୍କା ଆସିଗଲେ ସବୁ ଭୁଲି ଯାଆନ୍ତି।ତେବେ ହଁ,କରୋନା ରୋଗୀ କେଉଁ ଦଳର ନୁହେଁ।*


➖➖➖➖➖➖➖➖➖➖➖

Monday, May 10, 2021

ଲୀନାର ବାହାଘର




             *🌹" ଲୀନାର ବାହାଘର"🌹*

            *· · • • • • • • ✤ • • • • • • · ·*     

      

                    


*ତାରିଖ : ୧୦/୦୫/୨୦୨୧,ସୋମବାର  !!*

*ରଚନା : ଅଜୟ ମହାଲ୍ଲା !!


         ପରଦିନ ସକାଳୁ ଅଭିନବ ଲ୍ୟାପଟପ ଖୋଲି ଗୁଗଲ ଆର୍ଥରେ ଉତେଇ ନଦୀକୁ ଦେଖିବାକୁ ଚେଷ୍ଟା କଲା।  ଏହି ନଦୀ କୂଳରେ ତ ମଦନପୁର ରାମପୁର ସହର ଯେଉଁଠି ଲୀନାର ପିଲାଦିନ କଟିଛି । ଯେଉଁଠି ଭଲ ପାଇବାରେ ନିବିଡ଼ତା ଥାଏ, ସେଠି ନିଜ ପ୍ରିୟାର ବାଲ୍ୟକାଳ ସହିତ ଜଡିତ ସ୍ଥାନ, ବସ୍ତୁ ସବୁ କିଛି ସୁନ୍ଦର ଲାଗେ ।


           ଗୁଗଲ ଆର୍ଥରେ ଆହୁରି ଜୀବନ୍ତ ଆଉ ସୁନ୍ଦର ଦିଶୁଥିଲା ଉତେଇ ନଦୀର ଚିତ୍ର । ସେ ପାର୍ବତ୍ୟ ଶଯ୍ୟାରୁ ଓହ୍ଲେଇ ଆସି ତେଲ ନଦୀ ସହ ମିଶିଥିଲା । ତେଲ ନିଜେ ଉତ୍ଶୃଙ୍ଖଳ ଥିଲା - କିନ୍ତୁ ଗୋଟିଏ ବଡ଼ ନଦୀର ଗାରିମା ନେଇ । ସେ ବିଶାଳ ମହାନଦୀର ବଡ଼ ସହଚରୀ ଥିଲା ଯାହା । ତାର ତଟବର୍ତ୍ତୀ ପ୍ଲାବନ ଭୂମି ପ୍ରଶସ୍ତ ଥିଲା । ନୀଳ ଜଳରାଶି ବିଶାଳ ପ୍ରସ୍ତର ଚଟାଣ ଦ୍ୱାରା କେବେ ସଙ୍କୁଚିତ ହୋଇ କ୍ଷିପ୍ର ଗତିରେ ବହି ଯାଉଥିଲା ତ କେବେ ଓସରେଇ ଯାଉଥିଲା ସୁବିଧା ଦେଖି । ସେତିକିବେଳେ ନିଜର କ୍ଷିପ୍ରତା ହରାଇ ହସି ହସି ଆଗକୁ ବଢି ଯାଉଥିଲା । ସ୍ଥାନୀୟ ବାସିନ୍ଦା ବନଭୂମି ସଫାକରି ଯେଉଁ କୃଷିଭୂମି ସବୁ ତିଆରି କରିଥିଲେ, ସେଗୁଡିକ ସୋପାନ ସୋପାନ ହୋଇ ଓହ୍ଲେଇ ଆସୁଥିଲେ ନଦୀର କୂଳ ଛୁଇଁବା ପାଇଁ । ଜଳକୁ ଛୁଇଁବା ଲାଗି ମାଟିର ବି କି ଆକୁଳତା !


           ଉତେଇ ନଦୀର ମହିମା କିଛି କମ୍ ନ ଥିଲା । ଆକାଶରୁ କଳା ବାଲିର ଶଯ୍ୟା ସଫା ଦିଶୁଥିଲା । କେତେବେଳେ ବଙ୍କେଇ ଯାଇ ସର୍ପିଳ ଠାଣିରେ ସେ ଚାଲୁଥିଲା ତ କେତେବେଳେ ସିଧା ବହୁ ଥିଲା । ସେ ନିଜେ ତେଲର ଉପନଦୀ ଥିଲା ଆଉ ତାର ବି ଉପନଦୀ ଥିଲେ । ବାସ୍ତୁ ପୁରୁଷର ଦୁଇ ଗୋଡ଼ ପରି ଆସି ମିଳିଥିଲେ ଦୁଇଟି ଉପନଦୀ ଏକତାରା ପାଖରେ । ମଝିରେ ପାହାଡ଼ଟିଏ ରଖି ଦୁଇପଟେ ବହୁଥିଲେ ନଦୀ ଦୁଇଟି । ପାହାଡ଼ ସରିଯିବା ମାତ୍ରକେ ଏକାଠି ହୋଇ ଗୋଟିଏ ଧାରାରେ ପରିଣତ ହୋଇଥିଲେ ।  ଏହି ଉପନଦୀ ଦୁଇଟି ମିଛଟାରେ ବହୁତ ଜାଗା ବୁଲି ବୁଲି ଆସିଥିଲେ ଘନ ବନାନୀ ଆଉ ପାହାଡ଼ ଭିତରେ । ମୁଁ ଜାଣିଥିଲି, ଲୀନା ଏସବୁ କେବେ ବି ଦେଖି ନ ଥିବ । କାରଣ କୌଣସି ସଡକ ଏପରି ସର୍ପିଳ ନଦୀକୁ ଅନୁସରଣ କରି ତିଆରି କରାଯାଇ ପାରେନା ।


         ବାସ୍ତୁପୁରୁଷର ସେହି ବାଆଁ ଜଙ୍ଘ ଆଉ ପ୍ରକୃତ ଉତେଇ ନଈ ଯାହା ନାମରେ ମିଳିତ ନଦୀଟି ନାମିତ, ସେହି ଗୋଡ଼କୁ ଯଦି ଅନୁସରଣ କରି ତାର ଉତ୍ପତ୍ତି ସ୍ଥଳ ଆଡେ ଚାଲିଯାଏ, ତେବେ ସେ ହରିହର ସାଗର ପାଖରେ ପହଞ୍ଚିବ । ଯାହା କୂଳରେ ଲୀନାର ପିଲାଦିନର ଛୋଟ ଟାଉନ ମଦନପୁର ରାମପୁର ଅବସ୍ଥିତ ।


       ଅଭିନବ  ଯେତେବେଳେ ତାକୁ ଉତେଇ ନଦୀର କେଉଁ କେଉଁ ବିନ୍ଦୁ ସେ ସ୍ପର୍ଶ କରିଛି ବୋଲି ପଚାରିଲା,  ସେ କେବଳ ଗୋଟିଏ ଶିବ ମନ୍ଦିରର ନାଆଁ ନେଲା । ସେହି ମନ୍ଦିରକୁ ତା ବାପା ତାକୁ ଛୁଟି ଦିନ ମାନଙ୍କରେ ନେଇ ଥାଆନ୍ତି । ଗୁଗଲ ଆର୍ଥ ଖୋଜି ମୁଁ ଶିବ ମନ୍ଦିରଟିଏ ପାଇଲି । ନଦୀ କୂଳରୁ ଟିକିଏ ଭିତରକୁ । କଳା କଳା ସିଆର ପଡିଥିବା କିଛି ପ୍ୟାଟର୍ନ ଲକ୍ଷ୍ୟ କରି ହେଉଥିଲା । ସେ ସବୁକୁ ଲୀନା ପକ୍ଷରେ ବୁଝିବା ଆଉ ବୁଝେଇବା କଷ୍ଟକର ଥିଲା । ସେ ବି କେଉଁ ଅଧିକ ଜାଣିଥିଲା ତା ଚାରି ପଟର ବଣ ଜଙ୍ଗଲକୁ ।


       ଅଭିନବ ଲ୍ୟାପଟପ୍ ନେଇ ଲୀନାକୁ ଦେଖାଇଲା । ଲୀନାର ପିଲାଦିନର ସ୍ମୃତି ଆହୁରି ଜାଗି ଯାଇଥିଲା । ସେ ମୋତେ ସହରର ଗୋଟେ ଜାଗା ଦେଖାଇଲା । ତା ବାପାଙ୍କ ଅଫିସ, ପୋଲିସ ଥାନା ଆଉ ବଜାର ଇତ୍ୟାଦି।  ହରିହର ସାଗର କୂଳରେ ମନ୍ଦିର  ଆଉ ପାର୍କଟିଏ । ପାର୍କରେ ଥିବା ବରଗଛର ଓହଳରେ ଦୋଳିରେ ଝୁଲି ପୁଅ ପିଲା ମାନେ ହରିହର ସାଗରର ଜଳପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲେ । ଲୀନା ନିଜେ ଝିଅଟିଏ ହୋଇଥିବାରୁ ଏ ସବୁ କରି ପାରୁ ନ ଥିଲା । ତା ଦେହରେ ଏତେ ବଳ ବି ନ ଥିଲା । କିନ୍ତୁ ଅନ୍ୟ ମାନଙ୍କୁ ଓହଳି ମଜା ନେଉଥିବାର ଦେଖି ବଡ଼ ଦୁଃଖୀ ହୋଇଯାଏ ସେ ।


      ସେ ତା ପିଲାଦିନ ମନେ ପକେଇ କଥାଟିଏ କହିଲା । ଥରେ ସେ କୂଳରେ ବନ୍ଧା ଥିବା ଡଙ୍ଗା ଉପରେ  ଖୁସିରେ ଖୁସିରେ ଚଢି ଯାଇଥିଲା । ତା ପରେ ପବନ ବହିବାରୁ ବୋଟଟି  ତାକୁ ନେଇ କୂଳରୁ ଧୀରେ ଧୀରେ ଦୂରକୁ ଚାଲି ଯାଉଥିଲା । ତା ପରେ ବହୁତ ଚିତ୍କାର କରି କୂଳରେ ଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲା ଲୀନା।  ଲୋକମାନେ  ଗୋଟିଏ ବୋଟ ନେଇ ତାକୁ କୂଳକୁ ଆଣିଥିଲେ  ।


ତା ବାପା କାମ କରୁଥିବା କାର୍ଯ୍ୟାଳୟକୁ ଲାଗି କ୍ୱାର୍ଟର ଟିଏ ଥିଲା ଯେଉଁଠି ସେମାନେ ରହୁଥିଲେ । ସେଇଠି ଗୋଟିଏ ସ୍ଥାନୀୟ ବ୍ୟବସାୟୀର ଘର ଥିଲା ଯିଏ ତେଜରାତି ଦୋକାନଟିଏ ଚଳାଉଥିଲେ । ଯେତେବେଳେ ଲୀନା କୌଣସି ଜିନିଷ ପାଇଁ ତାଙ୍କ ଦୋକାନକୁ ଯାଏ, ଦୋକାନୀ ତାକୁ ଧରି ତା ଗାଲରେ ଚୁମ୍ବନ ଟିଏ ଦେଇ ଦିଅନ୍ତି । ଗରାଖ ନ ଥିଲା ବେଳେ ସେମିତି ପ୍ରାୟ ସବୁ ଥର । ଲୋକଟିର କର୍କଶ ଦାଢ଼ି ତା କଅଁଳ ଗାଲରେ ବାଜି ବହୁତ କାଟେ - ଏ କଥା ସେ କାହାରିକୁ କହି ପାରେନା ।


    ମୁଁ ଲୀନାର ମୁହଁକୁ ଦେଖିଲି । ସେ ବୁଡି ଯାଇଥିଲା ଦୂର ସେହି ସ୍ମୃତି ଗୁଡିକରେ । ମୁଁ ତାକୁ ବର୍ତ୍ତମାନକୁ ଆଣିବାକୁ ଚେଷ୍ଟା କଲି । ତା ମୁହଁକୁ ଦୁଇହାତ ମଝିରେ ରଖି କହିଲି,


       "ଯିବି ମୁଁ ମଦନ ରାମପୁର ତୁମ ସହ । ମଞ୍ଜୁଳା ଦିଦିକୁ ଖୋଜିବା ସେଠି । ଯେଉଁ ବର ଓହଳରେ ଓହଳି ପିଲା ମାନେ ହରିହର ସାଗର ଜଳ ଭଣ୍ଡାର ଭିତରକୁ ଝୁଲି ଯାଉଥିଲେ, ସେଠିକି ବି ଯିବା । ମୁଁ ଓହଳିବି ସେ ବର ଓହଳରେ - ତୁମେ ଦେଖିବ ।"


          *କ୍ରମଶଃ...............*


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Friday, April 30, 2021

ODIA STORY (ଓଡ଼ିଆ ଗପ)-25

 . 


    *🌸🌻🌹"ଓଡ଼ିଆ କାହାଣୀ"🌹🌻🌸*


                  *🌹" କଖାରୁ ଡଙ୍କ "🌹*

  

     

*ତାରିଖ : ୩୦/୦୪/୨୦୨୧,ଶୁକ୍ରବାର !!*

*ରଚନା : ପ୍ରିୟରଞ୍ଜନ ସାହୁ !!*


ପୁଅ ବିଦେଶରୁ ଫେରୁଚି ଆଜି..l ବୋଉ..ବୋଉ..କଣ କରିଚୁ ମୋ ପାଇଁ? ଏତେ ତିଅଣ ନାଁ ଶୁଣି ବି ମନଟା ଟିକେ ଊଣା ହେଇଗଲା l ବୋଉଲୋ ଡଙ୍କ ଦିଟା ପକେଇ ଟିକେ ରାଇ କରିଦିଅନ୍ତୁନି..!! ଏତେ ଦିନେ କୋଟିନିଧି ଫେରିଚି ଯେତେବେଳେ ତା'କଥା ତ ନିଶ୍ଚୟ ପୂରଣ ହବ l ଆରମ୍ଭ ହେଇଗଲା 'ଡଙ୍କରାଇ'ମିଶନ... ଯା ହଉ ମିଶନ ବି ସଫଳ ହେଲା ପୁଅର ଆତ୍ମତୃପ୍ତିରେ... ଅଗଣାଟାରେ ପତର ପକେଇ ଗାଉଁ ଗାଉଁ ଗିଳିଯାଉଥିଲା ତା'ବୋଉର ହାତରନ୍ଧାସବୁ.... l


ଅଦୂରରେ ଲଟେଇଥିବା କଖାରୁ ଗଛଟା ଆଜିକାଲି ଗାଁରେ ଉଙ୍କିମାରୁଥିବା ବିଚିତ୍ର ସଭ୍ୟତାକୁ ଛିଗୁଲେଇ କହୁଥିଲା...ଆରେ ଡାଡି ମମି ଘରଛୁଆ ! ଦେଖରେ...ତମର ସେ ଚାଓମିନ-ପିଜା-ବର୍ଗର ଜମାନାରେ ମୋର ଚାହିଦା ଏବେବି ରହିଛି... ବଞ୍ଚିଛି ଏଇ ମାଟିର ଭିଜା ବାସ୍ନାକୁ ନେଇ... l ଏବେବି ମୋ ଫୁଲପାଇଁ ପିଠଉ ବଟା ହଉଚି.. ତେଲ ପରସ୍ତରେ ଚଡ଼ଚଡ଼ ହୋଇ ଭଜା ହଉଚି...!


ଦେଖ ଆମ ପୁଅ କେମିତି ମନଖୁସିରେ ଡଙ୍କ ଚୋବେଇ ଖାଉଚି... କେବଳ ତା'ରି ପାଇଁ ମୁଁ ଏଇ ମାଟି ଅରାକକୁ ଜାବୁଡ଼ି ଧରିଚି l ମୋ ପାଇଁ କେହି ଲିଜର ଟାଇମ ବାହାର କରି ଜଳସେଚନ କରୁନାହାନ୍ତି.. କେବେ କିଏ ମୋ ଉପରେ ହାତ ଧୋଇ ମେଞ୍ଚେ ପାଣି ଫୋପାଡ଼ିଦିଏ... କିଏ ମତେ ପଚାରୁ ନ ପଚାରୁ ମୁଁ କିନ୍ତୁ ବଞ୍ଚିବି ମୋ ଧନ ପାଇଁ... ମୋ ଲଟେଇ ସାଙ୍ଗରେ ମଥାନ ଉପରକୁ ଛୁଇଁ.......!!!


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Thursday, April 29, 2021

ODIA STORY (ଓଡ଼ିଆ ଗପ)-24


LOVE LETTER


       *🌹" ଅବିର ବାସ୍ନାବୋଳା ଲଫାପା "🌹*

             *· · • • • • • • ✤ • • • • • • · ·*     

      

*ତାରିଖ : ୨୯/୦୪/୨୦୨୧,ଗୁରୁବାର !!*

*ରଚନା : କ୍ଷୀରୋଦ କୁମାର ସାହୁ !!


"'ମୁଁ ତୋତେ ଭଲ ପାଏ' ବାକ୍ୟଟିକୁ ଯଦି ହଜାର ବାର ବି ଜଣକୁ ଲକ୍ଷ୍ୟ କରି କୁହାଯାଏ, ଏଥିରେ ବିଶେଷ କିଛି ଫଳାଫଳ ଆସେନା । କାରଣ ଏହି ପ୍ରିୟ ବାକ୍ୟଟି ପ୍ରକୃତରେ ମୃତବତ୍ । ସତରେ ଯଦି ଜଣେ ଜଣକୁ ଭଲ ପାଉଛି, ତେବେ ମୂଳକଥା ହେଲା, ସେ ସମ୍ବେଦନା ତ ବିନା କୌଣସି ଶବ୍ଦରେ ପହଞ୍ଚିଯାଏ ପ୍ରିୟ ମଣିଷଟି ପାଖରେ, ଏଥିରେ ଶବ୍ଦର କିବା ପ୍ରୟୋଜନ ?"


ବନ୍ଧୁ ବିଜିତ ପାଖରୁ ଏମିତି ଗୋଟିଏ ଦାର୍ଶନିକ ତତ୍ତ୍ଵ ସମ୍ବଳିତ କଥାଟିଏ ଶୁଣି କ୍ଷିତିଶ ଟିକେ ଅପ୍ରତିଭ ହୋଇ ପଡିଲା ।


"ବୁଝିଲୁ ସାଙ୍ଗ ! ତୋର ଏମିତି ଅଖାଡୁଆ କଥା ମୁଁ ବହୁତ ସମୟରେ ବୁଝି ପାରେନା । ହଠାତ୍ କଣ ହେଲା କି ତୋ'ର, ଏମିତି ବସି ବସି ସିନେମା ଡାଏଲଗ୍ ମାରୁଛୁ ?"


ଦୁଇ ବନ୍ଧୁ ଏକା ସାଙ୍ଗରେ ଫୁଲବାଣୀ ଜିଲ୍ଲାରେ ଗୋଟିଏ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥାନ୍ତି । ଗୋଟିଏ ସରକାରୀ କ୍ଵାର୍ଟରରେ ଦୁହେଁ ସାଙ୍ଗ ହୋଇ ରହୁଥାନ୍ତି । ସନ୍ଧ୍ୟାପରେ ଅନ୍ୟ କୌଣସି କାର୍ଯ୍ୟ ପ୍ରାୟ ନଥାଏ । ରାତି ଆଠ କି ନଅଟା ବେଳକୁ ଦୁହେଁ ମିଶି ରୋଷେଇ କରି ଖାଇଦେଲେ ସେଦିନର କାମଦାମ ସରିଲା ଜାଣ । ସେଦିନ ଖାଇ ସାରିବା ପରେ ଦୁହେଁ ନିଜ ନିଜ ଖଟରେ ବସି ଇଆଡୁ ସିଆଡୁ କଥାବାର୍ତ୍ତା ହେଉଥାନ୍ତି । ଦୁହିଁଙ୍କୁ ଦୁହେଁ ଥିଲେ ଅବିବାହିତ । କ୍ଷିତିଶର ବାହାଘର ବିଷୟରେ କଥାବାର୍ତ୍ତା ଚାଲିଥାଏ ତାଙ୍କ ଘରେ । ବିଜିତର ବାହାଘର କଥା ଉଠିନଥିଲା, କାରଣ ତା'ର ସାନ ଭଉଣୀର ବାହାଘର ହେବାକୁ ଥିଲା । ବିଜିତ ଥିଲା ମନୋବିଜ୍ଞାନରେ ସ୍ନାତକ ଛାତ୍ର । ତେଣୁ କଥା ଭିତରେ ସେ ବେଳେବେଳେ ଏମିତି କିଛି କହିଦିଏ ଯେ, ଯାହା କ୍ଷିତିଶ ମୁଣ୍ଡରେ ହଠାତ୍ ପଶେନା ।


କ୍ଷିତିଶ କହିଲା, "ବୁଝିଲୁ ବିନୁ  ! ମୁଁ ସତରେ ଏହି ସବୁକଥାର କିଛି ମାନେ ଥିବ ବୋଲି ବିଶ୍ବାସ କରେ ନାହିଁ । ଭଲପାଇବା ମାନେ ବୁଝେନା ଜମା । ତୁ ଭାବିପାରୁ, ମୁଁ ଗୋଟିଏ ଶୁଖିଲା କାଠ ବୋଲି । କିନ୍ତୁ ଏବେକାର ପ୍ରେମବିବାହ ମୋର ଆଦୌ ପସନ୍ଦ ହୁଏ ନାହିଁ ।"


ବିଜିତ ହସିଲା ଚୁପ୍ ଚାପ୍ । ଟିକେ ପରେ କହିଲା, "ବୁଝିଲୁ କ୍ଷିତି ! ତୋତେ କିଏ ବାଧ୍ୟ କରୁଛି କି ଭଲପାଇ ବାହାହେବାକୁ । କିନ୍ତୁ ଗୋଟିଏ କଥା, ତୁ ବାହାହେବା ପରେ ତୋ ଗୃହିଣୀକୁ ଭଲ ପାଇବୁ କି ନାହିଁ ? ମାନେ, ଯାହାକୁ କୁହନ୍ତି ଦାମ୍ପତ୍ୟ ପ୍ରେମ ।"


କ୍ଷିତିଶ ହସିଲା ଜୋର୍ କରି । ହସ ଥମିଲା ପରେ କହିଲା, "ବୁଝିଲୁ, ସେତେବେଳେ ଦେଖାଯିବ !"


ବିଜିତ ଟିକେ ଗମ୍ଭୀର ହୋଇ କହିଲା, "ମୁଁ ପ୍ରାୟ ସେତେବେଳକୁ ଏଗାରବାର ବର୍ଷର ହୋଇଥିଲି, ଦିନେ ଗୋଟିଏ ଅଜବ ଚିନ୍ତା ଆସି ମୋ ମୁଣ୍ଡରେ ପଶିଗଲା । ସେତେବେଳକୁ ମୋ କଣ୍ଠସ୍ଵର ଝିଅମାନଙ୍କ ଭଳି ସରୁ ଆଉ ନିଶ ବି ଉଠିବାକୁ ଆଉ ବହୁତ ଡେରି ଥିଲା । ମୋ ମନର ନିଭୃତ କୋଣରେ ମୁଁ ଭାବିବସିଲି ମୋ ଭାବୀପତ୍ନୀ କଥା । ମାନେ, ସେ ଝିଅଟି କେତେ ବୟସର ହୋଇଥିବ ? କେଉଁ କ୍ଲାସ୍ ରେ ପଢୁଥିବ ? କେମିତି ଦେଖିବାକୁ ହୋଇଥିବ ? ତା' ନାଁ କଣ ହୋଇଥିବ ? ତା' ଘର କେଉଁଠି ହୋଇଥିବ ? ଏମିତି ସବୁ କଥା । "


ଏକଥା ଶୁଣି କ୍ଷିତିଶ ତାର ସ୍ଵଭାବସୁଲଭ ଢଙ୍ଗରେ ହୋ ହୋ ହୋଇ ହସିଉଠିଲା ଆଉ କହିଲା, "ଆରେ ହେଇ ! ତୁ ତ ବଡ ଛୁପା ରୁସ୍ତମ୍ ! ସେଇଠୁ ତୁ ନିହାତି ଖୋଜିଥିବୁ ସେଇ......

ବିଜିତ ଯଥାରୀତି ଗମ୍ଭୀର ହୋଇ କହିଲା, "ଏ କଥାକୁ କେହି ମୋ ମୁଣ୍ଡରେ ପୁରେଇ ଦେଇନଥିଲା । ମନକୁମନ ମୋ ଭିତରେ ଏହି ପ୍ରଶ୍ନ ଉଠିଥିଲା । ମୁଁ କାହାକୁ ବି ପଚାରି ନାହିଁ ଏ ବିଷୟରେ । ଆଉ ଗୋଟିଏ ମଜାର କଥା କହୁଛି ତୋତେ । ମୁଁ ସେ ଝିଅର ନାଁକୁ ବି ଅନୁମାନ କରି ମୋର ଗୋଟିଏ ଖାତାରେ ଲେଖିଦେଇଥିଲି । ମୋ ମନକୁ ଗୋଟିଏ ଅକ୍ଷର ବାରମ୍ବାର ଆସେ । ଆଉ ସେ ଅକ୍ଷର ହେଲା, 'ପ' । 'ପ' ଅକ୍ଷରରେ ଆରମ୍ଭ ଯେତେ ଝିଅ ନାଁ, ମୁଁ ଗୋଟିଏ ତାଲିକା କରିଦେଇଥିଲି । ଯେମିତି କି ପଦ୍ମା, ପଲ୍ଲବୀ, ପରିଣିତା, ପାରମିତା, ପ୍ରତୀକ୍ଷା, ପ୍ରତିମା, ପ୍ରୀତି, ପ୍ରଣତି, ପ୍ରାଚୀ, ପିଆଲି, ପୂର୍ଣ୍ଣିମା ଇତ୍ୟାଦି ଇତ୍ୟାଦି । ଏବେ ବି ଅପେକ୍ଷାରେ ଅଛି । ଦେଖାଯାଉ, ମୋ ବାହାଘର ସ୍ଥିର ହୋଇଗଲା ପରେ ମୁଁ ଦେଖିବି, ମୋ ଭିତରେ ଯେଉଁ ସବୁ କଥା ଉଠୁଥିଲା, ସେ କେତେ ଠିକ୍ !"


-"ମାନେ ତୁ ରୀତିମତ ଗୋଟିଏ ବିସ୍ତୃତ ଯୋଜନା କରିଛୁ ତା'ହେଲେ ?"


-"ନା ରେ କ୍ଷିତି ! ଠିକ୍ ସେଇଆ ନୁହେଁ । କିନ୍ତୁ ମୋ ମନରେ ଉଠିଥିବା ଏହି ଛୋଟ ଛୋଟ କଥାର ନିଶ୍ଚୟ କିଛି କାରଣ ଥିବ ବୋଲି ମୋର ଧାରଣା । ଧରି ନେ ଇଏ ଗୋଟିଏ ଏକ୍ସପେରିମେଣ୍ଟ୍ ! କିମ୍ବା ଗୋଟିଏ ହାଇପୋଥେସିସ୍ ବି । ଯଦି ଏହାର ଉତ୍ତର ଠିକ୍ ଆସିଗଲା, ଜାଣିବୁ ମୋ ଭିତରେ ଉଠିଥିବା କଥା ଠିକ୍, ନହେଲେ ଏ ସବୁ ବେକାର କଥା !"


- "ଆଚ୍ଛା କଥା କହିଲୁରେ ଭାଇ ! ଇଏ କି ପ୍ରକାର କଥା ? ନଦେଖିଲା ଓଉ ଛଅ ଫଡା ଭଳି କଥା । ମୁଁ କିନ୍ତୁ ସତରେ ଶୁଖିଲା କାଠ । ମୁଁ ଏତେ ଭାବପ୍ରବଣ ହୋଇ ପାରେନି । ଯିଏ ମୋ ଜୀବନ ଭିତରକୁ ଆସିବ ଆସୁ , ମୁଁ ସ୍ଵାଗତ କରିବି । ଆଗରୁ ସେ ବିଷୟରେ ମୁଁ ଅନ୍ୟ କିଛିକଥା ଭାବି ପାରୁନାହିଁ ।"


- "ହଁ, ସିଏ ବି ଗୋଟିଏ ରାସ୍ତା । ମୁଁ ଏବେ ବି ବେଳେବେଳେ ବିଭୋର ହୁଏ ସେ ସବୁ କଥା ଭାବି । ଦେଖାଯାଉ ଆଗକୁ କଣ ସବୁ ଅଛି ମୋ ରାସ୍ତାରେ ।"


- "ଆଚ୍ଛା ବିନୁ, ତୁ କେବେ ଖୋଜିନୁ ସେ ଝିଅକୁ ?"


- "ଆରେ ! ଖୋଜିନି କାହିଁକି ? ବହୁତ ଖୋଜିଛି । ମୋ ଭିତରେ ତିଆରି ହୋଇଥିବା ମାନଦଣ୍ଡ ଅନୁଯାୟୀ କେଉଁ ଝିଅ ବି ଖାପ ଖାଇନାହାନ୍ତି ମୋ ଆଖିରେ । ଆଚ୍ଛା ତୁ କହ ତ, ମୋ ଠାରୁ ସେ ଝିଅଟି ବୟସରେ କେତେ ସାନ ହୋଇଥିବ ?"


- "ହଁ, ନିହାତି ତ ଚାରି ପାଞ୍ଚ ବର୍ଷ ସାନ ହୋଇଥିବ କିମ୍ବା ଆଉ ଟିକେ ଅଧିକ ସାନ ହୋଇଥିବ ।"


- "ମୁଁ ଯେତେବେଳେ ଷଷ୍ଠ ସପ୍ତମ ପଢୁଥିଲି, ସେତେବେଳେ ମୁଁ ଭାବେ ସେ ଝିଅ ନିଶ୍ଚୟ ତୃତୀୟ କି ଚତୁର୍ଥରେ ପଢୁଥିବ । କେଉଁ ସ୍କୁଲ୍ ରେ କେଜାଣି !"


- "ଆମେ ସବୁ ବିଜ୍ଞାନ ଛାତ୍ରମାନେ ଗୋଟିଏ ବିଷୟ ପଢୁଥିଲୁ ଗଣିତରେ । ଯାହାକୁ କୁହନ୍ତି ପ୍ରୋବାବିଲିଟି ବା ସମ୍ଭାବନା । ଯେମିତି ଗୋଟିଏ ଲୁଡୋ ଗୋଟିକୁ ଥରେ ପକେଇ ଛଅ ଦାନ ପାଇବାର ସମ୍ଭାବନା କେତେ ବୋଲି ଯଦି ଜାଣିବାକୁ ଚାହିଁବୁ, ତାହେଲେ ଏହାର ଗାଣିତିକ ସୂତ୍ର ଦ୍ଵାରା ସମାଧାନ କରାଯାଇପାରେ । କିନ୍ତୁ ତୁ ତୋ ମନରେ ଯେଉଁ ସବୁ ସମ୍ଭାବନାର ଚିତ୍ର ଆଙ୍କିଛୁ, ସେଥିରେ ସେମିତି ଝିଅଟେ ମିଳିବାର କୌଣସି ଗାଣିତିକ ସୂତ୍ର ବୋଧେ କେଉଁ ଗଣିତଜ୍ଞ ବାହାର କରିନାହିଁ ଏ ପର୍ଯ୍ୟନ୍ତ ।"


- "ହଁ ରେ କ୍ଷିତି, ମୁଁ ବି ଚାହୁଁନାହିଁ ଯେ ମୋ ପାଇଁ ଏ ପ୍ରହେଳିକାର ସମାଧାନ କିଏ ଆସି କରିଦେଉ । ସମୟକୁ ଅପେକ୍ଷା କରାଯାଉ । କାରଣ ମୋ ଜୀବନକୁ କେଉଁ ଝିଅଟି ଆସିବ, ସେ ସବୁ ଆଗରୁ ସ୍ଥିରିକୃତ ହୋଇସାରିଛି ଏବଂ ସେ ବିଷୟରେ ଆମେ ସଂପୂର୍ଣ୍ଣ ଭାବରେ ଅଜ୍ଞ ।"


- "ଏ ଶୁଖିଲା କାଠର ମନ ଭିତରେ ତୋ କଥା ଗୋଟିଏ ଅଲଗା ଶିହରଣ ଆଣିବା ଭଳି ମୋତେ ଲାଗୁଛି ।"


- "ମୁଁ କୌଣସି ରୋମାଣ୍ଟିକ୍ ନଭେଲ୍ ବିଷୟରେ ତୋତେ କହୁନି । ମୋର ଗୋଟିଏ ପର୍ସନାଲ୍ ଫିଲିଙ୍ଗ୍ ହିଁ କହୁଛି । ଏଥିରେ ଏମିତି କିଛି ନାହିଁ ଯେ, ତୋ' ଭିତରେ ଶିହରଣ ଆଣିବ । ମୁଁ କେବଳ ସମୟର କଥା ବିଷୟରେ ତୋତେ କହୁଛି ।"


- "ହଁ, ମୋ ବାପା ବି ଏଇ କଥା କୁହନ୍ତି । ତାଙ୍କ ମତରେ ସମୟ ହେଉଛି ସବୁ କିଛିର ଔଷଧ । ସମୟ ହିଁ ତୁମକୁ ତୁମ ଜାଗାରେ ଥୋଇବ । ନହେଲେ ତୁମକୁ ତୁମ ଜାଗାରୁ ବାହାର କରିଦେବ ।"


ବିଜିତ ଚୁପ୍ ହୋଇଯାଇଥିଲା । କ୍ଷିତିଶ ଅନେଇଲା ବିଜିତକୁ । କିଛି ସମୟ ପରେ ପଚାରିଲା, "ଏବେ ପୁଣି କେଉଁ ଭାବନାରେ ବୁଡିଗଲୁ କି ?"


ବିଜିତ ଗୋଟିଏ ଦୀର୍ଘ ନିଶ୍ଵାସ ନେଇ କହିଲା, "ହଁ ରେ କ୍ଷିତି, ସତରେ ସମୟର ମାୟା କିଏ ବୁଝିବ ? ମୋର ଗୋଟିଏ ଘନିଷ୍ଠ ବନ୍ଧୁ କଥା ମୋର ମନେ ପଡିଗଲା ତୋ କଥା ଶୁଣି । ତାହାରି କଥା ମନେ ମନେ ଭାବୁଥିଲି ।" ବିଜିତର ମୁହଁ କରୁଣ ଦେଖାଯାଉଥିଲା ।


କ୍ଷିତିଶକୁ ଏ କଥା ଅଜଣା ରହିଲା ନାହିଁ । "ଆରେ କହ କେଉଁ ସାଙ୍ଗ ?"


ବିଜିତ ଆଖି ବୁଝି ବସିଥିଲା । ବିଜିତ ଆଖି କୋଣରୁ ଲୁହ ଜକେଇ ଆସିଥିଲା । କ୍ଷିତିଶ ବି ଅସହାୟ ବୋଧ କରୁଥିଲା ନିଜକୁ ।


- "ହଉ । ତୁ ଯଦି ନ ଚାହୁଁଛୁ, ତୋତେ ମୁଁ ବାଧ୍ୟ କରୁନି ।"


ବିଜିତ ଆଖି ଖୋଲି ଅନେଇଲା କ୍ଷିତିଶକୁ ।


ଏବେ ବିଜିତ ଆରମ୍ଭ କଲା ଗୋଟିଏ ଶେଷ ହୋଇନଥିବା କଥାଟିଏ । ଯେଉଁ କଥାର ଶେଷ ଆସିବା ଆଗରୁ ଯବନିକା ପତନ ହୋଇଥିଲା ।


"ଆମେ ଦୁହେଁ ଥିଲୁ ଏକା ଗାଁର ଦୁଇ ହାଇସ୍କୁଲ ସାଙ୍ଗ । ସାଙ୍ଗ କହିଲେ ଏମିତି ସେମିତି ନୁହେଁ । ଯାହାକୁ କୁହନ୍ତି ଅନ୍ତରଙ୍ଗ ସାଙ୍ଗ । ଏକ ଥାଳିରେ ଖାଇବା, ଗୋଟିଏ ଗାମୁଛାରେ ଦୁହେଁ ଗାଧୋଇବା, ଗୋଟିଏ ସାବୁନ ଦୁହେଁ ବ୍ୟବହାର କରିବା ଭଳି ସାଙ୍ଗ । ସେ ସାଙ୍ଗ ନାଁ ଥିଲା ବିଭୁପ୍ରସାଦ । ଜାତିରେ ଗୁଡିଆ । ମୁଁ  ଯଦିଓ କରଣଘର ପୁଅ ଥିଲି, ଆମ ଭିତରେ ଯାହା କୁହନ୍ତି ପାଣି ଗଳୁନଥିଲା । ମୁଁ ତାଙ୍କ ଘରକୁ ଯାଏ । ତା' ବାପାବୋଉ ମୋତେ ନିଜ ପୁଅ ଭଳି ଆଦର କରୁଥିଲେ । ସେ ବି ଆମ ଘରକୁ ଆସିଲେ, ମୋ ବାପାବୋଉ ତାକୁ ନିଜ ପୁଅ ଭଳି ଆଦର କରୁଥିଲେ । ମୋର ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ ଭଲ ହେଉଥିଲା, ବିଭୁର ବିଜ୍ଞାନ ଆଉ ଗଣିତ । କିନ୍ତୁ ଆମ ଭିତରେ ପାଠ ଦିଆନିଆ ଏମିତି ହେଉଥିଲା ଯେ, ଦୁହେଁ ଆମ ଶ୍ରେଣୀରେ ସବୁଠାରୁ ଭଲ ଛାତ୍ର ଥିଲୁ । ସେଭଳି ସାଙ୍ଗଟିଏ ପାଇ ମୁଁ ନିଜକୁ ଧନ୍ୟ ମନେକରୁଥିଲି ନିଜକୁ । ଖାଲି ପାଠ ନୁହେଁ, ଗୁଡିଆ ଘର କାରିଗରୀ ବି ତାକୁ ବେଶ ମାଲୁମ୍ ଥିଲା । ଆମେ ଯଦି ଭୋଜି କରୁ, ସେ ଆମପାଇଁ  ନିଶ୍ଚୟ ରୋଷେଇ କରିଦେବ । ବେଳେବେଳେ ଆମର ତେଲଭାଜି ଖାଇବାକୁ ଇଚ୍ଛା ହେଲେ, ନିଜେ ସାଙ୍ଗେ ସାଙ୍ଗେ ସବୁ ଜିନିଷ ଯୋଗାଡ କରି ଆମକୁ ଖୁଆଇବ । ଆମେ ଦୁହେଁ ମାଟ୍ରିକ୍ ପାସ୍ କରି ଗୋଟିଏ କଳେଜ୍ ରେ ନାମ ଲେଖାଇଲୁ । ସେ ବିଜ୍ଞାନ ନେଇ ପଢିଲା ଏବଂ ମୁଁ କଳା ନେଇ ପଢିଲି । ଗୋଟିଏ ମେସ୍ ରେ ଦୁହେଁ ରହୁଥିଲୁ । ଦିନେ ବିଭୁ ମୋତେ ଗୋଟିଏ ଅପୂର୍ବ କଥାଟିଏ କହିଲା । ସେ କୁଆଡେ ଆମ ଗାଁର ଗୋଟିଏ ଝିଅକୁ ଭଲ ପାଉଛି । ରୀତିମତ ଚିଠି ଦିଆନିଆ ଚାଲିଛି ସେ ଝିଅ ସହ । ମୁଁ ଡରିଗଲି ସେ ସବୁ କଥା ଶୁଣି । ସେଦିନ ବିଭୁ ମୋତେ ଗୋଟିଏ ଅଲଗା ଜାଗାକୁ ଡାକି ନେଇ ସେ ଭଲ ପାଉଥିବା ଝିଅ ପାଖରୁ ଆସିଥିବା ଖଣ୍ଡେ ଚିଠି ପଢେଇଲା । ମୋତେ ଯଦିଓ ଭାରି ଲାଜ ଲାଗୁଥିଲା, କିନ୍ତୁ ମନରେ ମୋର ମଧ୍ୟ ଖୁବ୍ ଉତ୍ସୁକତା ଥିଲା ସେମିତି ଚିଠି ଖଣ୍ଡେ ପଢିବାକୁ । ଝିଅଟି ସେତେବେଳକୁ ଅଷ୍ଟମ ପଢୁଥିଲା । ଗାଁ ଝିଅ ହିସାବରେ ନିଜର ଭଲ ପାଇବାକୁ ସେ ଚିଠିରେ ପ୍ରକାଶ କରିବାକୁ ସେ ଯେମିତି ଭାଷା ପାଉନଥିଲା, ମୋତେ ସେମିତି ଲାଗିଲା । ମୋର ସେ ଝିଅ ନାଁ ବି ମନେ ଅଛି । ତା ନାଁ ଥିଲା ନମିତା । ମୁଁ ଯେତିକି ରୋମାଞ୍ଚିତ ହୋଇଥିଲି ସେ ଚିଠି ପଢି, ସେତିକି ଭୟଭୀତ ବି ହୋଇଥିଲି । ମୁଁ ବିଭୁକୁ ବହୁତ ବୁଝାଇଲି ସେଦିନ । ଭଲ ପାଠ ପଢି ଭଲ ଚାକିରୀ ଖଣ୍ଡେ କରିବା ବଦଳରେ ଏ ସବୁ ଶସ୍ତା ଧନ୍ଦାରେ କାହିଁକି ମୁଣ୍ଡ ପୁରୋଉଛୁ ବୋଲି ତାକୁ କହିଲି । ସେ ମୋତେ କଣ କହିଲା ଜାଣିଛୁ ?"


କ୍ଷିତିଶ ମନଧ୍ୟାନ ଦେଇ ଶୁଣୁଥିଲା ବିଜିତର କଥା । "କଣ କହିଲା ତୋ ସାଙ୍ଗ ?"


- "ଆରେ ସେ କହିଲା ଯେ ନମିତାର ଭଲ ପାଇବା ତା'କୁ ନିଶ୍ଚୟ ଭଲ ରାସ୍ତାରେ ନେବ । ତେଣୁ ମୋର ବ୍ୟସ୍ତ ହେବା ଉଚିତ ନୁହେଁ । ମୁଁ ଅଗତ୍ୟା ଚୁପ୍ ରହିଲି । ଆମର ବନ୍ଧୁତା ସେମିତି ଅତୁଟ ରହିଥିଲା । ନମିତାର ପ୍ରତ୍ଯେକ ଚିଠି ଆସିଲା ପରେ ମୋ ଉପସ୍ଥିତିରେ ହିଁ ଖୋଲାଯିବ ଏବଂ ସେ ପଢି ମୋତେ ଶୁଣେଇବ । ଆଉ ଗୋଟିଏ ଦିନ କଥା କହୁଛି । ସେଦିନ ଥାଏ ହୋଲି । ଆମେ ଘରକୁ ଯାଇଥାଉ l ହଠାତ ସେଦିନ ରାତିରେ ମୋ ପାଖକୁ ବିଭୁ ଆସି ପହଞ୍ଚିଲା ଏବଂ ମୋତେ ତା' ସହ ଯିବାକୁ କହିଲା । ଆମେ ଦୁହେଁ ସାଇକେଲ ମାରି ଆମ ଗାଁ ଠାରୁ କିଛି ଦୂରରେ ଥିବା ଗୋଟିଏ ବ୍ରିଟିଶ ଅମଳର ପଥର ଫେନ୍ଦଦିଆ କୂଅ ପାଖରେ ପହଞ୍ଚିଲୁ । କୂଅଟିର ଫେନ୍ଦ ବେଶ୍ ଚଉଡା ।  ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ବିଭୁକୁ ପଚାରିଲି, "କେଉଁ କାରଣ ପାଇଁ ଏଠାକୁ ଡାକିଲୁ ମୋତେ  ?"


ବିଭୁ ମୋତେ ମୁରୁକି ହସି କହିଲା, "ଆଜି ସକାଳେ ନମିତା ଆମ ଘରକୁ ଆସିଥିଲା । ମୁଠାଏ ଅବିର ମୋ ମୁହଁରେ ବୋଳି ମୋ ହାତରେ ଲଫାପାଟିଏ ଧରେଇ ଦେଇ ଦୌଡି ଚାଲିଗଲା । ମୁହଁରୁ ଅବିର ତ ମୁଁ ଧୋଇଦେଇଛି । ହେଲେ ଲଫାପା ଖୋଲିନି ଏ ପର୍ଯ୍ୟନ୍ତ । ତୋ ସାଙ୍ଗରେ ପଢିବାକୁ ଏଠାକୁ ଡ଼ାକିଥିଲି ।"


ଦୋଳ ପୂର୍ଣ୍ଣିମା ପର ଦିନ । ଆକାଶରେ ଜହ୍ନ ତୋଫା ହୋଇ ଦିଶୁଥାଏ । ସେହି ଆଲୁଅରେ ସେ ଚିଠିଟିକୁ ପଢିବା ଥିଲା ବିଭୁର ଲକ୍ଷ୍ୟ ।


ମୁଁ ପଚାରିଲି, "ଆରେ ଚିଠି କାହିଁ ?"


ବିଭୁ ତରତରରେ ତା' ପ୍ଯାଣ୍ଟ ପକେଟରୁ ଲଫାପାଟିକୁ ବାହାର କରୁ କରୁ ଗୋଟିଏ ଅଘଟଣ ଘଟିଗଲା । ବିଭୁ ହାତରୁ ଲଫାପାଟି ଖସି ଯାଇ ସିଧା ପଡିଲା କୂଅ ଭିତରେ । ଆମେ ଦୁହେଁ କିଂକର୍ତ୍ତବ୍ୟବିମୁଢ ହୋଇ ପରସ୍ପରକୁ କେବଳ ଅନେଇ ରହିଲୁ । ହଠାତ୍ ବିଭୁ ସାଇକେଲ ମାରି ପାଖ  ବଜାରକୁ ଚାଲିଗଲା ଏବଂ ଖୁବ୍ କମ୍ ସମୟ ଭିତରେ ଗୋଟିଏ ଟର୍ଚ୍ଚ ଧରି ପହଞ୍ଚିଲା ସେଠାରେ । ମୋତେ କୂଅ ଭିତରକୁ ଟର୍ଚ୍ଚ ମାରିବାକୁ କହିଲା ଏବଂ ନିଜେ ବୀରଦର୍ପରେ କୂଅ ଭିତରେ ଥିବା ଲୁହା କଡାକୁ ଧରି ତଳକୁ ଓହ୍ଲାଇଲା । ମୋ ପିଣ୍ଡରେ ସତେ ଯେମିତି ପ୍ରାଣ ନଥାଏ । ମୁଁ ବିଭୁ ପାଇଁ ଭଗବାନଙ୍କୁ ଡାକୁଥାଏ କେବଳ । ସେ କିନ୍ତୁ ବିନା କୌଣସି ଅସୁବିଧାରେ ପାଣି ପର୍ଯ୍ୟନ୍ତ ଓହ୍ଲାଇ ଭାସୁଥିବା ସେ ଲଫାପାଟିକୁ ଉଦ୍ଧାର କରି ଉଠି ଆସିଲା ଉପରକୁ । ମୁଁ କୁଣ୍ଢେଇ ପକେଇଲି ବିଭୁକୁ । ମନେ ମନେ ଭାବୁଥିଲି, ସତରେ ଭଲ ପାଇବା ଭିତରେ ବି ଗୋଟିଏ ଅପୂର୍ବ ଶକ୍ତି ଅଛି । ନହେଲେ ଏ ନହନହକା ଟୋକା ଏମିତି ରାତିଟାରେ କୂଅ ଭିତରେ ପଶି କେମିତି ଗୋଟିଏ ଚିଠି ଉଦ୍ଧାର କରିଥାନ୍ତା ।


ଏବେ ସେହି ଟର୍ଚ୍ଚ ଆଲୁଅରେ ସେ ଲଫାପାଟିକୁ ଖୋଲାଗଲା । ନମିତାର ସେହି ଅବିର ବୋଳା ଚିଠିଟିକୁ ବଡ ପାଟିରେ ବିଭୁ ପଢିଲା ଆଉ ମୁଁ ଶୁଣିଲି । ହୋଲିରଙ୍ଗରେ ଆମେ ଦୁହେଁ ଯେମିତି ଗାଧୋଇଥିଲୁ ସେ ଜହ୍ନରାତିରେ । ବିଭୁ ଓ ମୁଁ ସେହି କୂଅର ବାଡ ଉପରେ ବସିଥାଉ ବହୁତ ସମୟ । ନମିତାର ଅବିରବୋଳା ଚିଠିର ବାସ୍ନା ଯେମିତି ଆମକୁ ଜ୍ୟୋତ୍ସ୍ନାମଗ୍ନ କରି ରଖିଥିଲା ।


ମୋତେ ବୋଧେ ସେଇଦିନ ଅନୁଭବ ହୋଇଥିଲା ପ୍ରେମର ଶକ୍ତି । ମୁଁ ବିଭୁ ପାଇଁ ବହୁତ ଖୁସି ହୋଇଥିଲି ସେଦିନ । ବିଭୁ ବି ମୋତେ ନିରାଶ କରି ନଥିଲା । ବିଜ୍ଞାନ ଇଣ୍ଟରମିଡିଏଟ୍ ଭଲ ମାର୍କରେ ପାସ କଲାପରେ ଏଣ୍ଟ୍ରାନ୍ସ ଦେଇ ଇଞ୍ଜିନିୟରିଂ ପଢିବାକୁ ଯାଏ ରାଉରକେଲା । ମୁଁ ରେଭେନ୍ସାରେ ବି.ଏ. ସାରି ଉତ୍କଳ ୟୁନିଭରସିଟିରୁ ଏମ.ଏ. ପାସ କଲା ବେଳକୁ ସିଏ ନାଲକୋରେ ଟ୍ରେନି ଇଞ୍ଜିନିୟର ହିସାବରେ ଯୋଗ ଦିଏ । ଆମ ଭିତରେ ଯୋଗାଯୋଗ ସବୁବେଳେ ରହିଥାଏ । କେବଳ ଗୋଟିଏ କଥା ବାକି ଥିଲା । ବିଭୁ ଆଉ ନମିତାର ବାହାଘର ।"


ଏତିକି କହି ଚୁପ୍ ହୋଇଯାଇଥିଲା ବିଜିତ । କ୍ଷିତିଶ ଅନେଇଲା ବିଜିତକୁ । "ସେଇଠୁ କଣ ହେଲା କହୁନୁ ?" କ୍ଷିତିଶ କଣ୍ଠରେ ଥିଲା ଉଦଗ୍ରୀବ ଭାବ ।"


ବିଜିତ ତଥାପି କିଛି କହୁ ନଥିଲା । ତା' ଆଖିରେ ଏବେ କରୁଣ ଭାବ ସ୍ପଷ୍ଟ ଭାବରେ ଦେଖି ପାରୁଥିଲା କ୍ଷିତିଶ । "ଆରେ କଣ ହେଲା ତା'ପରେ ?"


ବିଜିତ ଏଥର ପାଟି ଖୋଲିଲା, " ଆଉ କଣ ହେବ ? ସମୟ କିନ୍ତୁ ଆମେ ଚାହୁଁଥିବା ଘଟଣାଟିକୁ ସଂପୂର୍ଣ୍ଣ ଭାବରେ ବଦଳେଇ ଦେଇଥିଲା ଗୋଟିଏ ମୁହୂର୍ତ୍ତରେ । ମୋର ସେ ପ୍ରିୟ ସାଙ୍ଗ ଗୋଟିଏ ରାସ୍ତା ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଆରପାରିକୁ । ଘରକୁ ଆସୁଥିଲା ରଜ ଛୁଟିରେ । ଜୁଲାଇ ମାସରେ ହିଁ ସେ ନମିତାକୁ ବାହା ହୋଇଥାଆନ୍ତା ।ଆପଣ ମାନେ କାହାଣୀ ପଢ଼ୁଛନ୍ତି l କିନ୍ତୁ ସମୟ ସବୁ କିଛି ଓଲଟପାଲଟ କରିଦେଲା । ମୋ ଭିତରେ ଯେମିତି ମୁଁ ମରିଗଲି ସେଦିନ, ଏମିତି ଲାଗିଥିଲା ମୋତେ ।" ଏତିକିରେ କଥା ସାରି ବିଜିତ କାନ୍ଦୁଥିଲା ଏବଂ ପ୍ରଥମ ଥର ପାଇଁ ଗୋଟିଏ ଅଠେଇଶି ବର୍ଷର ଯୁବକକୁ ଏମିତି କାନ୍ଦିବାର ଦେଖିଥିଲା କ୍ଷିତିଶ ।


କ୍ଷିତିଶ ଉଠି ଆସିଲା ନିଜ ଖଟ ଉପରୁ ଆଉ ବିଜିତ ପାଖରେ ବସି ତା' କାନ୍ଧରେ ହାତ ପକେଇଲା । ବିଜିତ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଉଥିଲା । ଦୁହେଁ କିଛି ସମୟ ଚୁପଚାପ୍ ବସିଥିଲେ ନୀରବ ହୋଇ ।


ରାତି ବାରଟା ଟପି ସାରିଥିଲା ସେତେବେଳକୁ । ଦୁହେଁ ଏଥର ନିଜ ନିଜ ଖଟରେ ଶୋଇବା ପାଇଁ ବାହାରିଲେ । କ୍ଷିତିଶ ଏଥର ତା' ମଶାରୀ ଭିତରେ ଥାଇ କହିଲା, "ବୁଝିଲୁ ବିନୁ, ତୋ ସାଙ୍ଗ ବିଭୁ କଥା ଶୁଣି ଏବେ କାହିଁକି ମୋର ମନେ ହେଉଛି, ଏମିତି ଭଲପାଇ ବାହା ହୋଇଥିଲେ ବୋଧେ ଖୁବ୍ ଭଲ ହୋଇଥାନ୍ତା ?"


ବିଜିତ ଟିକେ ହସିଲା କ୍ଷିତିଶ କଥା ଶୁଣି ।


ଏହାର ତିନିବର୍ଷ ପରର କଥା । ସେତେବେଳକୁ କ୍ଷିତିଶ ଆଉ ବିଜିତ ଦୁହେଁ ଭିନ୍ନ ସ୍ଥାନରେ ଅବସ୍ଥାପିତ ଥିଲେ । କ୍ଷିତିଶ ଘର ସଂସାର ଆରମ୍ଭ କରି ସାରିଥିଲା । ତା' ଦାମ୍ପତ୍ୟ ଜୀବନ ଖୁବ୍ ସୁନ୍ଦର ଥିଲା । ଦିନେ ବନ୍ଧୁ ବିଜିତ ଠାରୁ ସେ ପାଇଲା ଗୋଟିଏ ନିମନ୍ତ୍ରଣ ପତ୍ର  । ଉପରେ ଲେଖାଥିଲା "ବିଜିତ ୱେଡ୍ସ୍ ପଦ୍ମଜା" । କ୍ଷିତିଶ ପାଟିରୁ ବାହାରିପଡିଲା ହଠାତ୍ "ହ୍ଵାଟ୍ ଏ ମାଗ୍ନିଫିସିଏଣ୍ଟ୍ ସରପ୍ରାଇଜ୍ ୟାର୍ ! ୟୁ ଆର୍ ରିଏଲି ପରଫେକ୍ଟ ୱିଥ୍ ୟୋର୍ ହାଇପୋଥେସିସ୍ !"


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...