Monday, March 29, 2021

ଓଡ଼ିଆ ଗପ (ODIA STORY)-5



  


ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି ।


ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି । ଦୂରରେ ଗୋଟିଏ ଗୃହ ଓ ତନ୍ମଧ୍ୟରୁ ଆସୁଥିବା ଆଲୋକ ରେଖା ଦେଖାଗଲା । ତେଣୁ ସେହି ଦିଗରେ ସେ ଘୋଡା ଛୁଟାଇ ଦେଲେ । ଅନ୍ତତଃ ରାତିକ ତ ଆଶ୍ରୟ ମିଳିଯିବ । ସେ ଘୋଡାରୁ ଓହ୍ଲାଇ ଦେଖିଲେ ଯେ ଘର ଭିତରେ ଦୀପ ଆଲୁଅରେ ବୁଢୀଟିଏ ବସି ସୁତା କାଟୁଛି । ସେ ମଧ୍ୟ ଘୋଡା ଟାପୁର ଶବ୍ଦ ଶୁଣି ବାହାରକୁ ଆସିଲା ଓ ପଚାରିଲା, “ତମେ କିଏ? କୁଆଡେ ଆସିଛ?”


ବୁଢୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚ୍ୟାଙ୍ଗ କହିଲେ “ମା, ମୁଁ ରାସ୍ତା ଭୁଲି ଏଠାକୁ ଆସିଛି । ମୋତେ ଯଦି ରାତିଟିଏ ଆଶ୍ରୟ ଦିଅନ୍ତ ତେବେ ତୁମର ବହୁତ ଉପକାର ହୁଅନ୍ତା ।”


ତାଙ୍କ କଥା ଶୁଣି ଗୃହକର୍ତ୍ତା କହିଲେ “ପୁଅ ଏ ଘରେ କାହାକୁ ଆଶ୍ରୟ ଦେବା ବା ନ ଦେବା ମୋ ହାତର କଥା ନୁହେଁ ।”


ଏପରି କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଚ୍ୟାଙ୍ଗ ପଚାରିଲେ “ଏ ଘରେ କ’ଣ ତମେ ଏକା ରହୁଛ?”


ଏହା ଶୁଣି ସେ ବୁଢୀ ଅତମତ ହୋଇ କହିଲା “ପୁଅ, ବହୁ ଦିନରୁ ମୋର ସ୍ୱାମୀ ମରି ଯାଇଛନ୍ତି । ମୋର ଗୋଟିଏ ବୋଲି ପୁଅ ବ୍ୟବସାୟ କରି ଦୂରରେ ରହେ ।”


ଚ୍ୟାଙ୍ଗ ପଚାରିଲେ “ତୁମ ବୋହୁ କାହିଁ?”


ବୋହୁ ନାମ ଶୁଣିହିଁ ବୁଢୀର ଦେହ କମ୍ପି ଉଠିଲା, ବୁଢୀ କହିଲା “ପୁଅ, ତମେ ଏ ପ୍ରଶ୍ନ କାହିଁକି ପଚାରିଲ? ମୋ ବୋହୁ ତ ଭୁଲରେ ବୋଧହୁଏ ଝିଅଜନ୍ମ ପାଇଛି । ସେ ତ ଜଣେ ପେହଲବାନ୍ । ବଡ ବଡ ବୀରପୁରୁଷ ମଧ୍ୟ ତା’ ଆଗରେ ମଥା ନତ କରି ଚାଲିଯା’ନ୍ତି । ସେ ଇଚ୍ଛା କଲେ ମୋତେ ତା’ର କନିଷ୍ଠ ଆଙ୍ଗୁଳି ଦ୍ୱାରା ଏକ ମୁହୂର୍ତ୍ତରେ ମାରି ଦେଇ ପାରିବ । ବିଲେଇର ପଞ୍ଝା ତଳେ ମୂଷା ରହିଲା ପରି ମୁଁ ତା’ ପାଖରେ ଥାଏ । ଟିକିଏ ଭୁଲ୍ ହୋଇଗଲେ ସେ ମୋତେ ଗାଳିଗୁଲଜ କରେ ଓ ପିଟେ । ସେଥିପାଇଁ କହୁଛି, ପୁଅ! ତୁମକୁ ଆଶ୍ରୟ ଦେବାର ଅଧିକାର ଏ ଘରେ ମୋର ନାହିଁ ।”


ବୁଢୀର ସମସ୍ତ ଦୁଃଖ କାହାଣୀ ଶୁଣି ଚ୍ୟାଙ୍ଗଙ୍କର ବୁଢୀର ବୋହୁ ଉପରେ ଭାରି ରାଗ ଆସିଲା । ସେ କହିଲେ, “ମା’, ତୁମ ବୋହୁ କାହିଁ, ଯିଏ କି ବୁଢୀ ଶାଶୁ ଉପରେ ଏତେ ଅତ୍ୟାଚାର କରୁଛି? ଏ ସମସ୍ୟାର ସମାଧାନ ମୁଁ ଆଜିହିଁ କରିବି ।”


ତା’ପରେ ଚ୍ୟାଙ୍ଗ ତାଙ୍କ ଘୋଡାକୁ ଗଛରେ ବାନ୍ଧିଦେଇ ଦୁଆରବନ୍ଧ ଆଗରେ ବସିଲେ ।


ବୁଢୀ କହିଲା “ପୁଅ, ତୁମେ ଏ ଗୋଳମାଳରେ ଆଦୌ ମୁଣ୍ଡ ପୁରାଅ ନାହିଁ । ପ୍ରତିଦିନ ଜଙ୍ଗଲକୁ ଯାଇ ନିଜ ହାତରେ ବାଡିଖଣ୍ଡକର ବି ସାହାଯ୍ୟ ନ ନେଇ ଜନ୍ତୁ ଜାନୁଆର ସବୁ ସେ ମାରି ଧରି ଚାଲି ଆସୁଛି । ସେଇଆକୁ ବିକି ଆମେ ଏଠାରେ ଚଳୁ । ପୁଅ ବହୁତ ଦିନ ଅନ୍ତରରେ ଥରେ ଥରେ ଆସି କିଛି ପଇସାପତ୍ର ଦେଇ ପୁଣି ଚାଲିଯାଏ । ଯେତେ ଯାହା ହେଲେ ବି ମୋତେ ତ ପୁଣି ତା’ରି ପାଖରେ ହିଁ ଚଳିବାକୁ ହେବ, ସେଥିପାଇଁ ମୁଁ ତାକୁ କିଛି ବି ନ କହି ସବୁ ସହିଯାଏ ।”


ବୁଢୀ ମୁହଁରୁ ସବୁକଥା ଶୁଣି, ଚ୍ୟାଙ୍ଗ କହିଲେ, “ମା’, ମୁଁ ଏପର୍ଯ୍ୟନ୍ତ ସର୍ବଦା ଦୁର୍ବଳକୁ ହିଁ ରକ୍ଷାକରି ଆସିଛି । ଏଠାରେ ମଧ୍ୟ ମୁଁ ତାକୁ ଠିକ୍ ଶିକ୍ଷା ଦେବି ।”


କିଛି ସମୟ ପରେ ସେଠାରେ ବୋହୁ ଆସି ପହଁଚିଲା । ପିଠିରେ ଗୋଟାଏ ମୃତ ବାଘ ବୋହି ଆଣି ତଳେ କଚାଡି ଦେଇ ସେ କହିଲା, “ଦୀପଟା ଟିକିଏ ବାହାରକୁ ଆଣିବ ତ!”


ବୋହୁ କଥା ଶୁଣି ବୁଢୀ ବିକଳରେ ଦୌଡି ଦୌଡି ଦୀପ ଆଣି ଠିଆ ହୋଇଗଲା । ଚ୍ୟାଙ୍ଗଙ୍କର କ୍ରୋଧ ମଧ୍ୟ ମୃତ ବାଘକୁ ଦେଖି ଟିକିଏ ଥଣ୍ଡା ପଡିଗଲା ।

ବୋହୁ ଚ୍ୟାଙ୍ଗଙ୍କୁ ନ ଦେଖି ସେ ପଚାରିଲା “ଏ ଘୋଡା କୁଆଡୁ ଆସିଲା?”


ଚ୍ୟାଙ୍ଗ ସମ୍ମୁଖକୁ ଆସି କହିଲେ, “ଏ ଘୋଡା ମୋର । ମୁଁ ରାଜଧାନୀ ଦିଗରେ ଯାଉ ଯାଉ ରାସ୍ତା ଭୁଲି ଏଠାରେ ପହଁଚିଛି । ରାତି ହୋଇଗଲା । ଏଣୁ ଆଲୁଅ ଦେଖି ଆଶ୍ରୟ ପାଇଁ ମୁଁ ଏଠାକୁ ଆସିଲି ।”


ବୋହୁ ଏକଥା ଶୁଣି ଶାଶୁଙ୍କୁ ଅନାଇ କହିଲା, “ଆରେ, ଅତିଥି ଜଣେ ଘରକୁ ଆସିଛନ୍ତି, ତମେ ତାଙ୍କୁ ବାହାରେ ଠିଆ କରି ରଖାଇଛ?” ପୁଣି ଚ୍ୟାଙ୍ଗଙ୍କୁ ସେ କହିଲା, “ଭାଇ ଏ ବୁଢୀର ଦୋଷ କ୍ଷମା କରନ୍ତୁ । ମୁଁ ଏଇ ବାଘ ସହିତ ଲଢି ତାକୁ ମାରିବାକୁ ଟିକିଏ ସମୟ ଲାଗିଲା, ତେଣୁ ଫେରୁ ଫେରୁ ଡେରି ହେଲା । ଏପର୍ଯ୍ୟନ୍ତ ଯେ ଆପଣଙ୍କର କୌଣସି ଆଦର ସତ୍କାର ହୋଇ ପାରିନାହିଁ ସେଥିପାଇଁ ମୁଁ ବଡ ଦୁଃଖିତ ।”


ତା’ପରେ ଚ୍ୟାଙ୍ଗ କହିଲା “ଆପଣ ଏପରି କୁହନ୍ତୁ ନାହିଁ । ମୋତେ ଆଶ୍ରୟ ଦେଉଛନ୍ତି ସେଇ ଯଥେଷ୍ଟ ।” ଏହାପରେ ସେ ମନେ ମନେ ଭାବିଲା ଯେ ବୋହୁର ତ ବେଶ୍ ଶିଷ୍ଟାଚାର ଜ୍ଞାନ ଅଛି ।


କିଛି ସମୟ ପରେ ବୋହୁ ବାଘ ମାଂସର ତରକାରୀ ଓ ଅନ୍ୟାନ୍ୟ କିଛି ଖାଦ୍ୟ ଆଣି ଚ୍ୟାଙ୍ଗଙ୍କୁ ଦେଲା । ଖାଦ୍ୟ ଦେଖି ଚ୍ୟାଙ୍ଗ ବ୍ୟସ୍ତ । ତେବେ ଭଦ୍ରତା ରକ୍ଷା କରି ସେ କିଛି ଖାଇଲେ । ତା’ପରେ ସେ ବୋହୁ ବିନମ୍ର ସ୍ୱରରେ କହିଲା, “ଆମେ ତ ଗରୀବ ଲୋକ । ଆମ ଖାଦ୍ୟ ଆପଣଙ୍କୁ ଭଲ ନ ଲାଗିପାରେ । ତେଣୁ କିଛି ବି ଭାବିବେ ନାହିଁ ।”


ଚ୍ୟାଙ୍ଗ କହିଲେ “ଆପଣ ଏ କ’ଣ କହୁଛନ୍ତି? ଖାଦ୍ୟ ତ ବେଶ୍ ବଢିଆ ଥିଲା ।”


କିଛି ସମୟ ଚୁପ୍ ରହିବା ପରେ ଚ୍ୟାଙ୍ଗ କହିଲେ, “ଭଉଣୀ, ତମେ ଏତେ ଶକ୍ତିଶାଳୀ ଓ ବୁଦ୍ଧିମତୀ ହୋଇ ମଧ୍ୟ ଗୁରୁଜନମାନଙ୍କର ଅବମାନନା କିପରି କରୁଛ? ଏହାର କାରଣ କ’ଣ?


ଏଭଳି ପ୍ରଶ୍ନ ଶୁଣିହିଁ ବୋହୁ ରାଗିଯାଇ କହିଲା, “କ’ଣ ହେଲା? ଏ ବୁଢୀ ମୋ ବିରୁଦ୍ଧରେ ତୁମକୁ ତାହେଲେ କିଛି କହିଛି ।”


ଚ୍ୟାଙ୍ଗ କହିଲେ “ଭଉଣୀ ତୁମେ ଭୁଲ୍ ଭାବ ନାହିଁ । ସେ ବୁଢୀ ମୋତେ କିଛି ବି କହି ନାହାଁନ୍ତି । କିନ୍ତୁ ତୁମର ତାଙ୍କ ପ୍ରତି ବ୍ୟବହାରରୁ ମନେହୁଏ ତମର ବୁଦ୍ଧି ଓ ବଳ ଅନୁସାରେ ଶାଶୁଙ୍କ ପ୍ରତି ବ୍ୟବହାର ବେଶି ଭଲ ନୁହେଁ । ଏଇକଥା ଭାବି ତୁମକୁ ମୁଁ ଏହା ପଚାରିଲି ।”


ତା’ପରେ ବୋହୁ ଗୋଟିଏ ହାତରେ ଦୀପ ଧରି ଅନ୍ୟ ହାତରେ ଯୋଦ୍ଧା ବୀର ଚ୍ୟାଙ୍ଗଙ୍କର ପୋଷାକ ଧରି କିଛି ବାଟ ଘୋଷାରି ଆଣି କହିଲା, “ଏଇଠି ଠିଆ ହୁଅ । ତୁମକୁ ମୋର କିଛି କଥା କହିବାର ଅଛି ।”


ବୋହୁ ଚଟାଣ ଉପରେ ଗୋଟିଏ ହାତ ରଖି ତା’ର ଆଙ୍ଗୁଳିରେ ଗାର କାଟି କହିଲା, “ଦେଖ, ଦିନେ ଏପରି ହେଲା, ଅନ୍ୟ ଦିନ ଅନ୍ୟ ଏକ ଘଟଣା ହେଲା, ତୃତୀୟ ଦିନ ଏପରି ହେଲା, ତା’ପରେ କୁହ ମୋର ଦୋଷ ନା ବୁଢୀର ଦୋଷ?” ଇତିମଧ୍ୟରେ ଆଙ୍ଗୁଳି ବୁଲାଇବା ଦ୍ୱାରା ପଥର ଚଟାଣରେ ଗଭୀର ରେଖା କାଟି ହୋଇ ଯାଇଛି ।


ସେଇ ସବୁ ରେଖା ଦେଖିହିଁ ଚ୍ୟାଙ୍ଗଙ୍କର ମନ ଭୟରେ କମ୍ପି ଉଠିଲା – ସେ ତରବର ହୋଇ କହିଲେ, “ଭଉଣୀ, ଏଥିରେ ମତଦୈଧର କୌଣସି ଅବକାଶ ନାହିଁ । ବୁଢୀରହିଁ ସବୁ ଭୁଲ୍ ।”


ବୋହୁ କହିଲା “ବାସ୍ ଏତିକିହିଁ ମୁଁ ଶୁଣିବାକୁ ଚାହିଁଥିଲି ।” ତା’ପରେ ସେ ଚ୍ୟାଙ୍ଗଙ୍କର ଶୋଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଲା ।


ଏ ଘଟଣା ଦେଖିବା ପରେ ବୀର ଚ୍ୟାଙ୍ଗଙ୍କ ମନରେ ବୁଢୀକୁ ରକ୍ଷା କରିବାର ଇଚ୍ଛା କୁଆଡେ ଉଭେଇ ଗଲା । ସେ ଭଗବାନ୍ଙ୍କୁ ଧନ୍ୟବାଦ ଦେଲେ ଯେ ନିଜେ କୌଣସି ମତେ ବଂଚି ଯାଇଛନ୍ତି । ରାତିରେ ତାଙ୍କୁ ଆଉ କି ନିଦ ହୁଏ? ରାତି ପାହିବାର ବହୁ ପୂର୍ବରୁ ସେ ସେ ସ୍ଥାନ ଛାଡି ପଳେଇଥିଲେ ।



                     *ଶୁଭରାତ୍ରୀ*

Friday, March 26, 2021

ଓଡିଆ ଗପ (ODIA STORY)- 4





ପ୍ରତିଭା ଦେବୀଙ୍କ ଘର ଦୀର୍ଘ ୧୫ ଦିନ ହେବ ବେଶ୍ ଚଳଚଞ୍ଚଳ ହୋଇପଡିଛି। ଅଦିନରେ ଚାହୁଁନଥିବା ଲୋକମାନେ କୁଣିଆଁ ମାନଙ୍କର ମାନ୍ୟତା ପାଇ ଘରେ ଭର୍ତ୍ତି।ଅନ୍ଧାରୁଆ ଘରଟି ତାଙ୍କର ଆଲୋକମାଳା ଆଉ ରଙ୍ଗବେରଙ୍ଗ ଫୁଲରେ କୁନି ରାଜପ୍ରସାଦର ରୂପ ନେଇଛି।ସ୍ବାମୀ ତାଙ୍କର ଫୋନ୍ ରେ ବ୍ୟସ୍ତ ,କାରଣ ଗୋଟିଏ ବୋଲି ଝିଅର ଆଉ ଦୁଇ ଦିନ ପରେ ବାହାଘର।ଝିଅ ଉଚ୍ଚଶିକ୍ଷିତା ଆଉ ବ୍ୟାଙ୍କ୍ରେ କାର୍ଯ୍ୟରତ କିରାଣୀ।ଆଉ ପୁଅ ତାଙ୍କର ଜଣେ ଡ଼ାକ୍ତର।ଝିଅ ବାହାଘରର ସବୁ କାମ ସିଏ ଆଉ ତାଙ୍କ ବଡ଼ ଭଉଣୀ କରୁଛନ୍ତି । ଅବଶ୍ୟ ଝିଅର ବିବାହ ପାଇଁ ଲୁଗାପଟା ସବୁକୁ ଛାଡ଼ିଦେଲେ ବାକି ସୁନାଗହଣା ଆଉ ସବୁକିଛି ସିଏ ଆଉ ତାଙ୍କ ଭଉଣୀ ସବିତା କିଣୁଛନ୍ତି ।


      ଏ ବାହାଘରରେ ସେ କାହିଁକି ବେଶି ଖୁସି ହେଇପାରୁନାହାନ୍ତି।ଝିଅ ର ଚପଳତା ଆଉ ନିରୀହପଣତାକୁ ଦେଖି ତାଙ୍କର ନିଜ କୁଆଁରୀ ସମୟର ପୃଷ୍ଠା ସବୁ ଓଲଟିଯାଉଛି।ଯାହା ସେ ସମୟର ରଙ୍ଗୀନ ପୃଷ୍ଠା ସବୁଥିଲା ହେଲେ ସମୟର ଅତିକ୍ରାନ୍ତରେ କର୍ତ୍ତବ୍ୟ ଆଉ ଦାୟିତ୍ଵ ର ଶୃଙ୍ଖଳରେ ସେ ଅବଶ୍ୟ ଆଜୀବନ ବନ୍ଦୀ ହୋଇଯାଇଛନ୍ତି ଯେମିତି ରଙ୍ଗୀନ ପୃଷ୍ଠା ସବୁର ଉପରେ ଧୂଳି ର ପାହାଡ ଗଦା ହେଇଯାଇଛି।ଝିଅ ନିଜ ଲେହେଙ୍ଗା ଆଉ ମ୍ୟାଚିଂ ଗହଣା ସବୁ ପିନ୍ଧି ବାରମ୍ବାର ଆଇନା ସାମ୍ନାରେ ଦେଖିହେଉଛି ନିଜକୁ।କୁଆଁରୀ ସୁଲଭ ସ୍ବପ୍ନ ସବୁ ହିଁ ଏମିତି ,ପ୍ରଥମେ ଖୁସିର ଦସ୍ତାବିଜ୍ ଆଉ ତାପରେ ଗୋଟେ ମାୟା ମରୀଚିକା ଆଉ ମୃଗତୃଷ୍ଣା ପରି।ଅଳ୍ପ ଟିକିଏ ଖୁସିକୁ ସାଉଁଟି କିଛି କ୍ଷଣ ପାଇଁ ଅନ୍ୟର ଖୁସିରେ ଖୁସି ହେବାକୁ ପଡ଼େ।ଅନ୍ୟ ସ୍ବପ୍ନକୁ ପୁରା କରିବାର ଆଶାରେ ନିଜର ସ୍ବପ୍ନକୁ ବଳିଦେବାକୁ ହୁଏ।ବାଟ ଭୁଲା ଜଳପରୀ ଟିଏ ପରି ସଂସାର ରୂପକ ମାୟା ନଗରୀର ବାହ୍ୟ ଚାକଚକ୍ୟତାକୁ ଦେଖି ଟାଣି ହୋଇଯାଏ ଝିଅଟିଏ।ହେଲେ ତାପରେ ସଂସାରର ସଂଘର୍ଷରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଏ ଆଉ ଅଣଦେଖା କରେ ମଧ୍ୟ।ଆଉ ଯିଏ ଟିକିଏ ମନରେ ସାହାସ ସଞ୍ଚରି କିଛି କରିବାର ଆଶାରେ ଗୋଡ଼ କାଢି ବାହାରକୁ ଆସିବା ପାଇଁ ଚେଷ୍ଟା କରେ ତାକୁ ସବୁଦିନ ପାଇଁ ସଂସ୍କାରର ଦ୍ୱାହି ଦେଇ ଅଟକେଇ ଦିଆହୁଏ।ହେଲେ ଏ ସବୁର କିଛି କରାଯାଇପାରିବ ନାହିଁ।ଝିଅ ଜନ୍ମ ହିଁ ଏମିତି, ଭଗବାନଙ୍କ ସୁନ୍ଦର ସୃଷ୍ଟିରେ ସବୁଠୁ ସୁନ୍ଦର ହେଉଛି ନାରୀ।ହେଲେ ତାର ଯେ କେତେ ଦୁଃଖ ,ସେ ସବୁକୁ ବୁଝିବା ଏତେ ସହଜ ନୁହେଁ।ବେଳେ ବେଳେ କେହି କେହି ହସିଦିଅନ୍ତି ଆଉ ତାଶ୍ଚଲ୍ୟ କରି କୁହନ୍ତି ଇଏ କୋଉ ବଡ଼ କଥା ଯେ।ହେଲେ ସହିବା ଲୋକ ନିଜ କଷଣର ଭାରକୁ ବେଶ୍ ଅନୁଭବ କରିପାରେ।ଆଖିରୁ ଅମାନିଆ ଲୁହ ଦୁଇ ଧାର ବହିଗଲା ଏ ସବୁକୁ ଭାବି।


ଆଉ ଝିଅର କଥାରେ ସେ ଭାବନା ରାଜ୍ୟରୁ ଫେରିଆସିଲେ। ଓହୋ ମାଆ ମୁଁ ଯିବାକୁ ଆହୁରି ୨ଦିନ ବାକି ଅଛି,ତୁମେ ଏବେଠୁ କାନ୍ଦିବା ଆରମ୍ଭ କରିଦେଲଣି।(ପ୍ରତିଭା ଦେବୀଙ୍କୁ ଜୋରରେ ଜାବୁଡି ଧରି)ମାଆ ଜାଣିଛୁ ତୋ ଜ୍ବାଇଁ କହୁଥିଲେ ଆମେ ସବୁ ସପ୍ତାହ ଅନ୍ତରେ ବୁଲିଆସିବୁ ଆମ ଘରକୁ। ମାଆ ତାର ମନେ ମନେ ଭାବୁଥିଲେ ତୋ ପାପା ବି ମୋ ମାଆକୁ ବହୁ ବର୍ଷ ପୂର୍ବରୁ ଏମିତି କଥା ଦେଇଥିଲେ।ହେଲେ ସେସବୁ କଥା କେବଳ କଥାରେ ହିଁ ରହିଗଲା।ଶେଷ ସମୟରେ ବି ଯାଇ ଠିକ୍ ସମୟରେ ପହଞ୍ଚିପାରିନଥିଲି ।ଆଉ ମାଆକୁ ଦାହ କରିବା ପାଇଁ ଶ୍ମଶାନକୁ ନେଇ ସାରିଥିଲେ ଭାଇମାନେ।ଏତିକି ବେଳେ ସ୍ଵାମୀ ଡାକୁଥିଲେ ଚାଆ କରିବା ପାଇଁ,କୁଣିଆ ମାନଙ୍କ ପାଇଁ।ସେ ନିଜ ଆଖିକୁ ଲୁଗା କାନିରେ ପୋଛିଦେଇ ଦଉଡ଼ିଗଲେ ଯନ୍ତ୍ରମାନବ ପରି ଚାଆ ଆଉ ଜଳଖିଆ ତିଆରି କରିବା ପାଇଁ।

         -*-*#@@- ସମାପ୍ତ-*@$@-*-*-

Thursday, March 25, 2021

ODIA STORY-03

 



ସୁରଜ ବାପା ମାଆଙ୍କର ଏକମାତ୍ର ପୁଅ ଥିଲା। ସେ ସର୍ବଦା ଗେହ୍ଲାରେ ବଢି଼ଥିଲା ତ ଅଳ୍ପ ବୟସରୁ ବିପଥଗାମୀ ହୋଇଗଲା। ସେ ଯଦିଓ ଭଲ ପାଠ ପଢୁଥିଲା ଓ ଭଲ ସଫଳତାର ସହ ପରୀକ୍ଷାରେ ପାଶ୍ ହୋଇଥିଲା ହେଲେ ନୀଚ୍ଚ ସାଙ୍ଗଙ୍କ ଗହଣରେ ରହି ନିଜ ଜୀବନକୁ ପୂରା ବ୍ଯର୍ଥ କରିଦେଲା। ବାପାମାଆ ବହୁତ ବୁଝାଇଲେ ଓ ଭଲ ମଣିଷ କରିବାକୁ ଶପଥ କରେଇଲେ। ସେ ଅଳ୍ପକେଇ ଦିନ ବାପାମାଆଙ୍କର କଥାକୁ ରକ୍ଷା କଲା। ନୀଚ୍ଚ ଓ ଧିଟ ସାଙ୍ଗଙ୍କ ପାଖରୁ ଦୂରରେ ରହିଲା। ଏହି ଦୂରତା ରକ୍ଷା ସୁରଜକୁ ଆଣିଦେଲା ଅପୂର୍ବ ସଫଳତା। ସେ ବିଭିନ୍ନ ପରୀକ୍ଷା ଦେଇ କିରାଣି ଚାକିରିଟିଏ ପାଇଗଲା। ତା'ର ଏହି ସଫଳତା ପାଇଁ ବାପା ଓ ମାଆଙ୍କୁ ଯଦିଓ ସବୁ ଶ୍ରେୟ ଦେଉଥିଲା ହେଲେ ଚାକିରି ଜୀବନ କାଳରେ ସେ ଲାଞ୍ଚଘୋଷ ପରି କର୍ମକୁ ହାତେଇଲା।


        ଲୋକେ ବି ଯଥାଶୀଘ୍ର କାମକୁ ହାତେଇବା ପାଇଁ ଅର୍ଥର ମୋହରେ ମୋହିତ କଲେ ତ ସୁରଜ ହାତଛଡା଼ କରନ୍ତା ବା କାହିଁକି? ସେ ଭରପୂର ଆନନ୍ଦର ସହ ଲାଞ୍ଚଘୋଷକୁ  ହାତେଇଲା। ତା'ର ଦେହ ଓ ମନ ଆକାଶରେ ଉଡୁଛି। ପାଖରେ ଅଟକେଇବାକୁ ଜଣେ ହେଲେ କେହି ନାହିଁ ତ ମଦରେ ଭାସିଲା। ସେ ଯେବେ ଘରକୁ ଆସେ ସାଙ୍ଗ ଭାଇମାନେ ଗୁଡ଼ ମାଠିଆ ଚାରିପଟେ ପିମ୍ପୁଡି଼ ପରି ଘୂରି ବୁଲନ୍ତି। କିଏ କେତେ ପ୍ରକାର ହାତଉ ଥିଲେ ହେଲେ ତା'ର ବାପା ଓ ମାଆଙ୍କୁ ଏ ସବୁ ଭଲ ଲାଗୁ ନ ଥାଏ। ସେମାନେ ବଢି଼ଲା ପୁଅକୁ ଅଟକେଇବା କାଠିକର ପାଠ ହେଲା। ଲୁହ ଓ କୋହରେ ସିନା ଭିଜିଲେ ହେଲେ କହିବାକୁ ଜୁ ହିଁ ନ ଥାଏ। ଯଦି ଖୋଲି କି କହିଦେବେ କିଏ ଜାଣେ ହିତାହିତ ଜ୍ଞାନକୁ ହରେଇ ଯଦି କିଛି ଅପକର୍ମ କରି ବସେ। ସେମାନଙ୍କ ହୃଦୟରେ ଛନକା। କହିବାକୁ ସାହସ ଆସେନି ତ ଚୁପ ରହିବା ଛଡା଼ ଅନ୍ଯ କିଛି ରାହା ହିଁ ନ ଥାଏ।


      ଏକଦା ଜଣେ ସାଧୁ ମହାତ୍ମା ତାଙ୍କ ଘରକୁ ଆସିଲେ। ସାଧୁ ମହାତ୍ମାଙ୍କୁ ଦେଖି ସୁରଜର ବାପା ଓ ମାଆ ଘରକୁ ପାଛୋଟି ନେଇ ପାଣି,ପ୍ରଣାମ ଓ ଆସନ ସହ ଭୁରି ଭୋଜନ ଖୁଆଇବାକୁ ଗଲାବେଳେ ସାଧୁ ମହାତ୍ମା ଖାଇବାକୁ ଅଟକାଇ ସୁରଜକୁ ପାଖକୁ ଡାକି କହିଲେ,"ବାପା ! କେମିତି ଅଛ। ନୂଆନୂଆ ଚାକିରି ସହ ଛୋଟ ପରିବାର ସମ୍ଭାଳିବାକୁ କେମିତି ଲାଗୁଛି।?" ସୁରଜ ଏ ସବୁର ମହତ୍ତ୍ବ ବୁଝିଗଲା। ଆଜକୁ ଆଠମାସ ସହରରେ ରହି ସେ ଘରକୁ ଫେରିଛି। ଦରମାକୁ ଛାଡି଼ଦେଲେ ଉପୁରି ଅର୍ଥରେ ସେ ବେଶ ଆରାମ କରୁଛି ହେଲେ ଟଙ୍କାଟିଏ ସୁଦ୍ଧା ବାପା କି ମାଆଙ୍କୁ ଏଯାଏଁ ଦେଇ ନାହିଁ କି ତାଙ୍କ ପିଛା ଖର୍ଚ୍ଚ କରିନାହିଁ। ତେବେ ଏ ସାଧୁ ମହାତ୍ମାଙ୍କୁ ଉତ୍ତର ଦେବ କ'ଣ? ସେ କେବଳ ବଲବଲ କରି ଅନେଇ ରହିଲା। ଆଖିରୁ ବୋହି ଯାଉଥାଏ ଗଙ୍ଗା ଓ ଯମୁନାର ଧାର। ସେ ଧାରରେ ଯେମିତି ସବୁ ଅପକର୍ମ ଧୋଇ ହୋଇ ଯାଉଥାଏ। ସାଧୁ ମହାତ୍ମା ସାମାନ୍ଯ ଧାରେ ହସ ମେଲି ପୁଣି କହିଲେ,"ବାପା ! ମୁଁ କିଛି କହୁଛି ମନଦେଇ ଶୁଣ ହୁଏତ କେତେବେଳେ କାମରେ ଆସିପାରେ। କୌଣସି ମଣିଷର ଅସଲ ଚରିତ୍ର ସେତେବେଳେ ସାମ୍ନାକୁ ଆସିଥାଏ ଯେତେବେଳେ ଜଣେ ନିଶାରେ ଥାଏ। ସେ ନିଶା  ଅର୍ଥର ହେଉ ଅବା ପଦର,ମଦର ହେଉ ଅବା ବେଧର। ନିଶା ତ ନିଶା ହୋଇଥାଏ। ଏ ନିଶାରେ ସେ କ'ଣ ସବୁ କରି ବସେ ନିଜକୁ ବି ଅଜଣା।" ଟିକିଏ ରହି ପୁଣି କହିଲେ,"ବାପା ! ତୁମେ ଭଲ ଛାତ୍ର ଓ ପୁଣି ଭଲ ପଦବୀ ପାଇ ବି ଭ୍ରମିତ ହେଉଛ? ଲୋକ କଲ୍ଯାଣ ଉଦ୍ଦେଶ୍ଯରେ ନିଜକୁ ସମର୍ପଣ ନ କଲ ନାହିଁ ଅନ୍ତତଃ ପକ୍ଷେ ନିଜକୁ ତ ସୁଧାର ଆଣ। ମଦ ନିଶାରେ ଚୁର ହୋଇ ବାଟରେ ଘାଟରେ ପଡି଼ବା କ'ଣ ଠିକ୍? ମୁଁ ଗତକାଲି ତୁମକୁ ଦେଖିଛି ଘଟଗାଁରୁ ଫେରିବା ବାଟରେ ରାଜପାଟ୍ ଛକରେ ଅଟକି ଗଲି। ଯେଉଁଠି ମଦର ହାଟ ବସିଥିଲା। କେଇଜଣ ସାଙ୍ଗଙ୍କ ଗହଣରେ ମଦ ଖାଇ ରାସ୍ତାରେ ପଡି଼ ଗଡି଼ଲ। ତୁମର ବାଇକ୍ ସେହି ଦୋକାନୀ ସହୃଦୟତା ସହ ପାଖରେ ରଖି ତୁମକୁ ଆଣି ସମର୍ପଣ କଲା। ତୁମେ ପ୍ରାୟତଃ ଦିନ ଦୁଇଟାରେ ପଡି଼ଛ ଯେ ରାତି ଏଗାର ଯାଏ ଶୋଇ ରହିଥିଲ। କିଏ ଜାଣେ ତୁମର ଦେହରେ ବୁଲା କୁକୁରମାନେ ଏକ କରି ଦେଇ ନ ଥିବେ? ତୁମର ବାପାମାଆ ଆଜି ନିଜକୁ ସହି ପାରୁଛନ୍ତି ନା କହି ପାରୁଛନ୍ତି?" ସୁରଜର ବାପା ମାଆଙ୍କୁ ଅନେଇ ପୁଣି କହିଲେ,"ବାପା ! କ'ଣ ମୁଁ ମିଛ କହୁଛି କି? ଗତକାଲି ତୁମର ଏ ବାପା ଓ ମାଆ ଅଟୋ ଗାଡି଼ ନେଇ ତୁମକୁ ବୋହି ଆଣିଛନ୍ତି। ସାରା ଦେହଟା କି ଗନ୍ଧ? ବୁଲା କୁକୁରଙ୍କ ଏକ ସହିତ ନିଜର ଏକ,ଦୁଇ ସହିତ ବାନ୍ତିର ମହକରେ ଏ ଘରଟା ଜାଣ ଫାଟି ପଡୁଥିଲା।


            ଏ କଥା ଶୁଣି ସୁରଜର ଚେତା ପଶିଲା। ସେ ସେହି ସାଧୁ ମହାତ୍ମାଙ୍କ ନିକଟରେ ନିଜ କୁକର୍ମ ପାଇଁ କ୍ଷମା ଭିକ୍ଷା କଲା। ଆଉ ଶପଥ ନେଲା କି ଆଉ ଜୀବନରେ ମଦର ଆଶ୍ରୟ ନେବ ନାହିଁ। ଭଲ କାମ କରି  ଭଲ ମଣିଷ ହୋଇ ଜୀବନକୁ ସରସ ସୁନ୍ଦର ସହ ଏ ସଂସାରର ସୌନ୍ଦର୍ଯ୍ଯକୁ ଉପଭୋଗ କରିବ। ସୁରଜ ସାଧୁ ମହାତ୍ମାଙ୍କ ଗୋଡ଼ତଳେ ପଡି଼ଗଲା। ସାଧୁ ମହାତ୍ମା ସୁରଜକୁ ଆଶୀର୍ବାଦ ଓ କଲ୍ଯାଣ କରି ଫେରିଗଲେ। ଦୁଇ ବାପା ଓ ମାଆ ପୁଅକୁ ଉଠେଇ କୁଣ୍ଢାଇ ଧରିଲେ ଓ ସାଧୁ ମହାତ୍ମାଙ୍କୁ ପ୍ରଣାମ ଓ ଶତକୋଟି ଧନ୍ଯବାଦ ଦେଇ ଆନନ୍ଦର ଅଶ୍ରୁ ବୁହାଇ ଦେଲେ।


                 -ସମାପ୍ତ-

Wednesday, March 24, 2021

Odia story-02

 COLLEGE-LOVE -OBSTACLE- SUSPENCE

_*👉ଆସନ୍ତୁ ପଢ଼ିବା ଆଜିର କାହାଣୀ👈*_


                   

          




କାର୍ତ୍ତିକ ମାସ ଶେଷ ହେବାର ଅଳ୍ପ କେତେ ଦିନ ହେବ। କଲେଜପାର୍ଶ୍ଵ ଶିବମନ୍ଦିର ବେଢାରେ ଆଜି ପ୍ରବଳ ଭିଡ । ତୃତୀୟ ବର୍ଷ କଲେଜର ଛାତ୍ର ଜୟନ୍ତ ର ବାହାଘର । ଛାତ୍ରବାସର ସମସ୍ତ ପୁଅମାନେ ବରଯାତ୍ରୀ ଓ ଛାତ୍ରୀବାସର ସମସ୍ତ ଝିଅ କନ୍ୟାଯାତ୍ରୀ । କ୍ୟାମ୍ପସରେ ରହୁଥିବା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅତିଥି  । ଜୟନ୍ତର ବାପା ଓ ଭାଇମାନେ ଏ ମଙ୍ଗଳ କାର୍ଯ୍ୟରେ ଉପସ୍ଥିତ କିନ୍ତୁ ବଧୁର ପରିବାର ରାଗରେ କିଏ ବି ଉପସ୍ଥିତ ନାହାନ୍ତି । ହଠାତ ଝିଅ ପ୍ରେମ ବିବାହ କଲା ବୋଲି ସେମାନଙ୍କୁ ଅପମାନ ହୋଇଛି ।


            ଏ ପ୍ରକାର ବିବାହ କଲେଜର ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି । ସମସ୍ତିଙ୍କ ମୁହଁରେ ସେହି ଗୋଟିଏ କଥା –ଜୟନ୍ତ ଓ ଅନୀତାର ଯୋଡି ଯେମିତି ସ୍ଵପ୍ନ । ମେଳ ନଥିବା ଗୋଟେ ସମ୍ପର୍କ । କେହିବି ଜଣେ ସେମାନଙ୍କୁ ଏକା ସାଙ୍ଗରେ କଥା ହେବାର ଦେଖି ନାହାନ୍ତି । ପ୍ରେମ ତ ଦୂରର କଥା । ଯଦି ଆରେଞ୍ଜ ମ୍ୟାରେଜ ହୋଇଥାନ୍ତା ତେବେ କଥାଟା ସ୍ଵୀକାର କରି ହୋଇଥାନ୍ତା ।


            ଦୁଇ ତିନିଦିନ ଭିତରେ ସବୁ ଆୟୋଜନ ହୋଇଥିଲା । ପଣ୍ଡିତ, ପ୍ରାଙ୍ଗଣ, ମଣ୍ଡପ, ଛାମୁଣ୍ଡା, ଓ ଅତିଥିମାନଙ୍କ  ପାଇଁ ନିମନ୍ତ୍ରଣ ଏବଂ ଭୋଜି । ସମସ୍ତେ ବାରମ୍ବାର ଜୟନ୍ତକୁ ମନା କଲେ । କିନ୍ତୁ ଜୟନ୍ତର ସେହି ଗୋଟେ ଜିଦ । କିଏ ଆସୁ କି ନ ଆସୁ । ତା ପ୍ରାଣପ୍ରିୟା  ଅନୀତାକୁ ସେ ଦୁଇଦିନପରେ ମନ୍ଦିରରେ ବାହାହେବ । ଛାତ୍ରମାନଙ୍କଠାରୁ ହଷ୍ଟେଲ ୱାର୍ଡେନ ଓ ପ୍ରିନ୍ସିପାଲ । ସମସ୍ତେ ଜାଣିଲେ, ହସିଲେ, ଚର୍ଚ୍ଚାକଲେ । କିନ୍ତୁ ଜୟନ୍ତର ଜିଦ ଆଗରେ ହାର ମାନିଲେ ।


            ବିବାହ ମୂହୁର୍ତ୍ତ ଗଡି ଯାଉଛି । ଝିଅ ବସିଛି ବେଦୀରେ । କିନ୍ତୁ ଏ କଣ ? ଜୟନ୍ତ କାହିଁକି ଏପଟ ସେପଟ ହେଉଛି ? ମଣ୍ଡପକୁ କାହିଁକି ଆସୁନି ? ସେ ବୋଧେ କାହାର ପ୍ରତୀକ୍ଷା କରୁଛି। ସମସ୍ତେ ଭୁଟୁଭାଟ ହେବା ଆରମ୍ଭ କଲେ । ସମସ୍ତେ ତ ଆସିଗଲେଣି । ତେବେ ଆଉ ଏମିତି କିଏ ନ ଆସିଛି  ଯେ ଯାହାପାଇଁ ବାହାଘର ଅସମ୍ଭବ ।


            ଏପଟ ସେପଟ ହେଉ ହେଉ ଅନୀତା ପାଖରେ ବସିଲା ଜୟନ୍ତ । ତା ହାତକୁ ନିଜ ପାପୁଲିକୁ ନେଇ ଆଶ୍ଵାସନା ଦେଲା  ଅନୀତାକୁ ।


            “ଜୟନ୍ତ ! ଆଉ ଥରେ ଭାବିନିଅ । ଏମିତି କରିବାଟା ମୋତେ କାହିଁକି ଠିକ ଲାଗୁନି ।“ ଅନୁରୋଧ କଲା ଅନୀତା ।


            “ତମେ ମୋଟେ ବ୍ୟସ୍ତ ହୁଅନା ଅନୀତା । ତମେବି ତ ଏଇଆ ଚାହଁ । ସତ୍ୟର ସାମନା କେବଳ ତମେ ଆଉ ମୁଁ କାହିଁକି କରିବା ? ଦୁନିଆ ନଜାଣିଲେ ମଧ୍ୟ ତମେ ଜାଣିଛ ଯେ ତମ ପେଟରେ ଥିବା ଛୁଆ ତା’ର । ଏଇଟା ବି ସତ୍ୟ ଯେ ପିଲାଟା ମୋର ନ ହେଲେବି ମୁଁ ତୁମକୁ ଆପଣେଉଛି । ଏ ନଗ୍ନସତ୍ୟ ପାଇଁ ଆମେ ସାରା ଜୀବନ ଜଳିବାକୁ ଯାଉଛେ । ତାକୁ ମଧ୍ୟ ଜୀବନଟାଯାକ ଜଳିବାକୁ ଦିଆଯାଉ ।“


            ଜୟନ୍ତର ଏ ପ୍ରକାର କଥା ଶୁଣି ଚୁପ ହେଇଗଲା ଅନୀତା । ସେ ମଧ୍ୟ ଚାହୁଁଛି ପାପିଟା ଦଣ୍ଡ ପାଉ । ଏମିତି ଏକ ଦଣ୍ଡ ପାଉ ଯାହାଦ୍ୱାରା ସେ ନିଜ ଆଖି ଆଗରେ ନିଜେ ଖସିଯାଉ  ।


            ଅନୀତାର ମୁହଁକୁ ଜୟନ୍ତ ଆଉ ଚାହିଁ ପାରିଲାନି । ରାସ୍ତାଆଡକୁ ତା’ର ନଜର । ଯେ ପର୍ଯ୍ୟନ୍ତ କନ୍ୟାଦାନ ନ ହୋଇଛି  ସେପର୍ଯ୍ୟନ୍ତ  ବାହଘରଟା ସଂପୂର୍ଣ୍ଣ ହେବ କେମିତି? । ରାସ୍ତାକୁ ଅନେଇ ଅନେଇ ହଜିଗଲା ସେ ଅତୀତର ନିଭୃତ କୋଣରେ ..............।  


            ବୈଶାଖୀ ଖରା । ଧୁ ଧୁ ତାତିରେ ଖରାଛାଇର ଖେଳ । କଲେଜ ଯିବା ରାସ୍ତାରେ ସାମନାରେ ଭେଟ ହେଇଗଲା ଅନୀତା ।


            ନ ଦେଖିଲା ପରି ରାସ୍ତା କାଟିଲା ଜୟନ୍ତ । ଅନୀତା ଆଖିରେ ଆଖି ମିଶେଇବାର ସାହସ ନଥିଲା ତା’ର । ଯାହାହେଉ , କିଛି ପାଦ ଆଗେଇଗଲା ସେ । ଆସନ୍ନ ପରିସ୍ଥିତି କେତେ ସହଜରେ ଚାଲିଯାଏ ମଣିଷର- ଏକଥା ଭାବିଲା ସେ ।


            “ଜୟନ୍ତ !”


            ଅଟକିଗଲା ଜୟନ୍ତ । ବୋଧେ ଅନୀତା ପଛରୁ ଡାକିଲା । ଅଟକିଯିବ କି ? ନ ଅଟକି ସେ ଆଗକୁ ପାଦ ବଢାଇଲା ।


            “ଜୟନ୍ତ ! କିଛି କଥା ଅଛି ।“


            ଏଥର ଆଶ୍ଵସ୍ତ ହେଲା ସେ । ନିଶ୍ଚୟ ଅନୀତା ଡାକୁଛି ତାକୁ । ହୃଦୟର ବହୁଥିବା ରକ୍ତ ସବୁ ନିଜର ଗତି ବଢେଇଲେ । ପଛକୁ ଫେରି ଚାହିଁଲା ବେଳକୁ ଅତି ନିକଟରେ ଅନୀତା । କିଛି କହିବ କହିବ ହେଇ କହି ପାରିଲାନି ସେ ।


            -“ନ ଜାଣିଲା ପରି ଚାଲିଯାଉଛ ଯେ ?”


            ବାପରେ ! ଧରା ପଡିଗଲା ମନର ଚୋରଟା । ଏକ୍ସରେଠାରୁ ଅଧିକ ଶକ୍ତିଶାଳୀ ନାରୀମାନଙ୍କ ଆଖି । କେତେ ସହଜେରେ ଧରା ପଡିଯାନ୍ତି ପୁରୁଷଗୁଡାକ କାପୁରୁଷ ଭଳି ।  


            “ଯଦି ସମୟ ଅଛି ,ଚାଲ ସେ କଦମ୍ବମୂଳକୁ । ଘଡିଏ ବସିବା । “


            କଦମ୍ବମୂଳ କଥା ଶୁଣି ତା ଚାରିପଟ ପୃଥିବୀଟା ଯେମିତି ଘୁରି ବୁଲିଲା । ଦୀର୍ଘ ଛଅ ମାସ ଧରି ଯେମିତ କଦମ୍ବମୂଳଟା କଲେଜ କ୍ୟାମ୍ପସରେ ସବୁଠୁ ବଡଶତ୍ରୁ । ପୁଅମାନଙ୍କ ହଷ୍ଟେଲ ଓ କଲେଜର ଏକାଡେମୀ ବ୍ଲକର ଠିକ ମଝିଭାଗରେ ଅବସ୍ଥିତ କଦମ୍ବଗଛ । ଠିକ ସେ ଗଛର ପୂର୍ବମୁଖା ହୋଇ ଯାଇଥିବା ରାସ୍ତା ଝିଅମାନଙ୍କ ହଷ୍ଟେଲରେ ନିଜଯାତ୍ରା ଶେଷ କରିଛି । ଠିକ ରାସ୍ତାପରି ନିଜ ଭଲ ପାଇବାର ଯାତ୍ରାକୁ ଶେଷ କରିଥିଲା ଜୟନ୍ତ ସେଇ କଦମ୍ବମୂଳରେ ।


            ଆଗକୁ ବଢିଲା ଅନୀତା । ଚୁପଚାପ ଗୁମସୁମ । ତା ପଛେପଛେ ଚାଲିଲା ସେ କଦମ୍ବମୂଳକୁ କେମିତି ଏକ ଅଜଣା ଆକର୍ଷଣରେ । ବିରୋଧ କରିବାର  ପ୍ରଶ୍ନ ହିଁ ନଥିଲା । ମନ୍ତମୁଗ୍ଧ ତା’ ଶରୀର କିନ୍ତୁ ସମ୍ଭାବିତ ଝଡର ପରିକଳ୍ପନାରେ ଥର ଥର ଥରି ଉଠିଲା ।


            ଶୀତଋତୁର ଏମିତି ଏକ ଉଦୁଉଦିଆ ଖରାବେଳଟାରେ ସେ ଅପେକ୍ଷା କରିଥିଲା ତା’ ହୃଦୟର ପ୍ରାଣପ୍ରିୟାକୁ । ଦୀର୍ଘ ଦୁଇବର୍ଷ ମନେ ମନେ ଭଲପାଇଲା ପରେ ଅପେକ୍ଷାର ଅସହ୍ୟ ଯନ୍ତ୍ରଣା ଯେମିତି ମନଟାକୁ ଘାଣ୍ଟି ଚକଟି ଦେଉଥିଲା । କଲେଜରେ ତୃତୀୟ ବର୍ଷରେ ପହଞ୍ଚିଲା ମାତ୍ରେ ପ୍ରାଣପ୍ରିୟାକୁ ମନର ମାନସୀରୂପେ ନପାଇବାର ଭୟ ତା’ ହୃଦୟରେ ଘର ବାନ୍ଧିଥିଲା । କଲେଜ ଜଏନର ପ୍ରଥମ ବର୍ଷରୁ ନିଜ ଶ୍ରେଣୀରେ ପଢୁଥିବା ସାବନା ବର୍ଣ୍ଣର ହସକୁରୀ ଝିଅଟା ତା’ ପାଖରୁ ତା’କୁ ଚୋରେଇ ନେଇଛି । ଦୁନିଆ ଜାଣିଲେ ଉପହାସର ପାତ୍ର ହେଇଯିବ ବୋଲି କୃଷ୍ଣକଳା ବର୍ଣ୍ଣର ଜୟନ୍ତ କେବଳ ପ୍ରେମିକାକୁ ଥରେ ଦେଖିବା ପାଇଁ ଲେକ୍ଚର ପରେ ଲେକ୍ଚର ବସି ରହୁଥିଲା । ଯେମିତି ତା’କୁ ଆଉ କିଏ ତାଠୁଁ ଛଡେଇ ନ ନେଇଯାଉ । ସେଥିପାଇଁ ତା’ ନାଁ ରେ ଗଦା ଗଦା କବିତା ଲେଖୁଥିଲା । ସବୁଦିନେ ନିଜ ମନର ମଇନା ଆଖିରେ ଲାଖି ରହିଯିବା ପାଇଁ ନିଜ ସାଜସଜାରେ ମଳି ଟିକେ ଲାଗିବାକୁ ଦେଇ ନଥିଲା ।


            ଝିଅମାନଙ୍କୁ ଫସେଇ ନିଜକୁ ସବୁଠୁ ସଫଳ ପ୍ରେମିକ ଭାବେ ପ୍ରତିପାଦିତ କରିବାକୁ ହଷ୍ଟେଲରେ ଏକ ପ୍ରକାର ପ୍ରତିଯୋଗୀତା ହେଉଥିଲା । ସେପଟେ କଦମ୍ବ ଗଛରୁ ଝିଅ ପିଲାଙ୍କ ହଷ୍ଟେଲ ଯାଏଁ ପିମ୍ପୁଡି ଧାଡି ପରି ସଫଳ ଓ ଅସଫଳ ପ୍ରେମିକା ପ୍ରେମିକମାନଙ୍କର ସଂଘର୍ଷ ଲାଗିରହିଥିଲା । କିନ୍ତୁ ଏ ସଙ୍ଘର୍ଷର ମଝାମଝି ଉବୁଟୁବୁ ହେଉଥିବା ଜୟନ୍ତକୁ ଲାଗିଥିଲା, ଡେରି ହେଇଗଲେ ସବୁଦିନ ପାଇଁ ସେ ହରେଇବ ତା ଈପ୍ସିତ ନାୟିକାକୁ । ଜଣେ ଝିଅ ହାତରେ ଖବର ପଠାଇଥିଲା ମନର ନାୟିକା ପାଖକୁ ଏବଂ କଦମ୍ବ ବନରେ ଅପେକ୍ଷାରତ ଥିଲା ।


            ଦୀର୍ଘ ଦୁଇ ଘଣ୍ଟା ପରେ ସେ ତାର ସମଗ୍ର ସତ୍ତାକୁ ସାଉଣ୍ଟି କହିଥିଲା –“ଅନୀତା ! ମୁଁ ତୁମକୁ ଭାରି ଭଲ ପାଏ । ତମେ ମୋତେ ଭଲ ପାଅ କି ?”


            ଏତିକି କହି କଦମ୍ବ ଫୁଲ ଆଡକୁ ଅନାଇଲା ସେ । ନିଜ ପ୍ରିୟତମାକୁ ସିଧା ସିଧା ଦେଖିବାର ସାହସ ଯେମିତି ଆତ୍ମହତ୍ୟା କରିଛି । ହେ ଇଶ୍ଵର ! କିଛି ନା କିଛି କହିଦେଉ ଅନୀତା । କିଏ ଯେମିତି ଦୁହିଙ୍କୁ ଏକାଠି ନଦେଖୁ । ଯଦି ଅନୀତା ତା’ ପ୍ରେମକୁ ସ୍ଵୀକାର କରୁଛି, ତେବେ ସେ ବି ଦେଖେଇଦେବ କଳାବର୍ଣ୍ଣର ଶରୀରରେ ଲୋହିତ ରଙ୍ଗର ହୃଦୟର ସ୍ପନ୍ଦନ । ଏ କଦମ୍ବ ଗଛ ଦେଖିବ ସମ୍ପୂର୍ଣ୍ଣ କଲେଜରେ ସେମାନଙ୍କ ଯୋଡି ।


            ଆଉ ଯଦି ଅସ୍ଵୀକାର କରେ, ତେବେ ଏକୁଟିଆ ସେ ଅପମାନର ବିଷ ଅନ୍ୟମାନଙ୍କ ଅଜାଣତରେ ପଈଯିବ । କିନ୍ତୁ ଅନୀତା ତା ଭଲ ପାଇବାକୁ ଅସ୍ଵୀକାର କରିବ କାହିଁକି ? ଅନୀତା ଅନ୍ୟ ଝିଅ ମାନଙ୍କଠୁ ଭିନ୍ନ । ତା ଆଗରେ ସୁନ୍ଦର ଅସୁନ୍ଦର ,କଳାଗୋରା ,ଧନୀଗରିବ ଆଦି କୌଣସିର ମୂଲ୍ୟ ନାହିଂ । ଅନୀତା କେବଳ ଚାହେଁ ନିଚ୍ଛୁକ ଭଲପାଇବା । ଆବିଳତାଭରା ହୃଦୟ ।


            “ତୁମେ କିଛି ଉତ୍ତର ଦେଲନି ଯେ ଅନୀତା ?” ଅନେକ ସମୟର ନୀରବତା ପରେ ପଚାରିଲା ଜୟନ୍ତ ।


            “କଣ ଉତ୍ତର ଦେବି । ତୁମକୁ ମୁଁ ଭଲ ପାଇବି ବୋଲି ତୁମେ ଭାବି ନେଲ କେମିତି ? ମୋତେ ନେଇ ସ୍ଵପ୍ନ ଦେଖିବା ପୂର୍ବରୁ ନିଜକୁ ପରଖି ନେବାର ଥିଲା ତୁମକୁ । ଥରେ ଭାବିବାର ଥିଲା ତୁମେ ମୋ ପାଇଁ ଯୋଗ୍ୟ କି ଅଯୋଗ୍ୟ । “


            ଏ ପ୍ରକାର କଟାକ୍ଷରେ ରକ୍ତରଞ୍ଜିତ ହେଲା ଜୟନ୍ତର ହୃଦୟ ଓ ମନ । ସେ ଜାଣି ପାରିଲା ମାଟି ଉପରେ ବଢୁଥିବା କଇଁଫୁଲ କେବେବି ଚନ୍ଦ୍ରମାକୁ ପାଇ ପାରେନା । ପାଇବାର ତ ଦୂରର କଥା , ତା ଶୀତଳତା ପାଇଁ ବଞ୍ଚି ରହିପାରେନା । ସତ କଥା ! ଅନୀତା ତାକୁ ଅସ୍ଵୀକାର କରି ଠିକ କରିଛି । ନା ସେ ସୁନ୍ଦର ! ନା ତା ପାଖରେ କାହାର ପ୍ରେମିକା ସାଜିବାର ଭଳି ଯୋଗ୍ୟତା ଅଛି ।     


            “ତେବେ କଣ ଅନ୍ୟ କାହାକୁ ଭଲ ପାଅ?” ଥର ଥର କଣ୍ଠରେ ପଚାରିଲା ସେ ।


            “ମୁଁ କାହାକୁ ଭଲପାଇଲା ଭଳି ଯୋଗ୍ୟତା ଏଠି କାହାର ନାହିଂ । ଯଦି କିଏ ଅଛି, ସିଏ ହେଲେ ଅଧ୍ୟାପକ ସୁମିତ ରଞ୍ଜନ । ମୋ ଆଗରେ ସେ ପ୍ରେମଭିକ୍ଷା କରିଛନ୍ତି । ଜଣେ ସୁନ୍ଦର, ତେଜବନ୍ତ ବ୍ୟକ୍ତିତ୍ଵ, ପପୁଲାର ଓ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ପୁରୁଷ ହିଁ ମୋ ପାଇଁ ଯୋଗ୍ୟ । ଆଜିଠୁ ତମେ ଯେମିତି ମୋ ପାଖ ମାଡିବନି । ନଚେତ ହେଇପାରେ ମୁଁ ତାଙ୍କୁ ହରେଈ ଦେବି । ଗର୍ବ ଅହଂକାରରେ ଏତିକି କହି  ଚାଲିଗଲା ଅନୀତା । ଶୀତଦିନର ଖରାବେଳଟା ଯେମିତି କାଳବୈଶାଖୀ ଭଳି ଲାଗିଥିଲା । କୁରୂପା ଭଳି ଲାଗିଥିଲା କଦମ୍ବଫୁଲ । ଯେମିତି ଶତ ଶତ ନାଗୁଣୀ ଫେଣା ଟେକି ଗୁଡେଇ ତୁଡେଇ ହେଉଥିଲେ ତାରି  ମୂଳରେ ।


            ତେବେ ଆଜି ଛଅ ମାସ ପରେ ସେଇ ଅନୀତା କ’ଣକହିବାକୁ ଡାକୁଛି ? କିଛି ଗୋଟେ ଭୁଲ ହୋଇ ଯାଇନିତ କେଉଁଠି ?ଇଆଡେ ସିଆଡେ ଦେଖିଲ ସେ । କାଳେ କିଏ ଆସୁଥିବ । ଯଦି ଅଧ୍ୟାପକ ସୁମିତ ରଞ୍ଜନ ଆସିଯାନ୍ତି ତେବେ କଥା ସାରିଲା । ପ୍ରାକ୍ଟିକାଲ ପରୀକ୍ଷାରେ ସେ ନିଶ୍ଚୟ ଫେଲ ହେବ । ଅବଶ୍ୟ ଯେବେଠୁଁ ଅନୀତା ଅଧ୍ୟାପକଙ୍କୁ ନିଜର ପ୍ରେମିକ ଭାବେ ସ୍ଵୀକାରୋକ୍ତି କରିଛି ସେଇ ଦିନଠୁଁ ସେ ନିଜେ ନିଜକୁ ଅଧ୍ୟାପକଠୁଁ ଦୂରରେ ରଖିଛି । ଅଧ୍ୟାପକ ସୁମିତ ଜଣେ ଆଦର୍ଶ ଅଧ୍ୟାପକ । ଆମାୟିକ, ଛାତ୍ରବତ୍ସଳ ଗୁରୁ । ଦେଖିବାକୁ କନ୍ଦର୍ପ ପରି । ଧନଧାନ୍ୟରେ ଭରପୁର । ଏଭଳି ପୁରୁଷ ସମସ୍ତ ନାରୀଙ୍କ ପାଇଁ କାମନାର ଉତ୍ସ ହେଇପାରେ ଏଥିରେ ସନ୍ଦେହ କରିବାର ନାହିଂ । ଗୁରୁ ଭକ୍ତିରେ କୌଣସି ଦିନ ଊଣା କରିନି ସେ । ବରଂ ଗୁରୁଙ୍କ ସମ୍ପତ୍ତି ଭାବି ଅନୀତାକୁ ସବୁବେଳେ ବଞ୍ଚେଇ ଆସିଛି ଦିଲଫେକ ଆଶିକ ମାନଙ୍କ ଡାହାଣା ଆଖିରୁ । ଅନୀତା ସିନା ତାକୁ ଗ୍ରହଣ କଲା  ନାହିଂ, କିନ୍ତୁ ତା ପ୍ରତି ଭଲପାଇବା କେବେ କମ ହେଇନି । ବରଂ ସବୁ ବେଳେ ଭଗବାନଙ୍କୁ ଡାକିଛି –ହେ ଭଗବାନ ! ମୁଁ ମୋ ପ୍ରିୟାର ପ୍ରିୟ ନହେଲେ କଣ ହେଲା । କିନ୍ତୁ ମୋ ପ୍ରିୟାର ସମସ୍ତ ଇଚ୍ଛିତ କାମନାର ସୁଫଳ ତା ଆଞ୍ଜୁଳିରେ ଭରିଦି । ଏବେବି ଅନୀତାକୁ ଦେଖିଲେ ତା ହୃଦୟର ସ୍ପନ୍ଦନ ବଢିଯାଉଛି । ଏବେବି ଅନୀତାକୁ ନେଇ ସେ ଅନେକ ବିଦଗ୍ଧ କାବ୍ୟ ସୃଷ୍ଟି କରିଛି । ଏବେବି ସେ ତା ଯୁବ ବୟସର ପ୍ରଥମ ପ୍ରେମ ବନୀତାକୁ ଭୁଲି ପାରୁନି କି ଭୁଲି ଯିବାକୁ ଚାହୁଁନି । କେତେ ଭାଗ୍ୟବାନ ଅଧ୍ୟାପକ ସୁମିତ ରଞ୍ଜନ । ପ୍ରେମଭିକ୍ଷାରେ ତା ଭଳି ତାଙ୍କୁ ଅପଦସ୍ଥ ହେବାକୁ ପଡିଲା ନାହିଂ ।


            “ମୁଁ କଥାଟିଏ ପଚାରିବି । ସତ କହିବ ?” ତା ଆଖିରେ ଆଖି ମିଶେଇ ପଚାରିଲା ଅନୀତା ।


            ମୋଟେ ପରିବର୍ତ୍ତନ ହେଇ ନାହିଂ ଅନୀତା । ସେଇ ଚାହାଣୀ । କିନ୍ତୁ ସେ ଚାହାଣୀରେ ଆଗ ଭଳି ତେଜ , ଗର୍ବ ଓ ଦମ୍ଭ ନାହିଂ । ସବୁବେଳ ପରି ଆଖି ଚୋରେଇ ମୁଣ୍ଡ ଟୁଙ୍ଗାରିଲା ସେ ।


            “ଏବେବି ମୋତେ ଭଲପାଅ ?” ଅନୀତା ପଚାରିଲା ।


            ଏ କଥା ଶୁଣି ଉତଫୁଲିତ ହେଲା ଜୟନ୍ତ ଏବଂ କୁରୁଳି ଉଠିଲା ଭିତରେ ଭିତରେ । ଅନେଇଲା କଦମ୍ବଫୁଲକୁ । ଏ କାଳ ବୈଶାଖୀ ଖରା ମଧ୍ୟ ତା ସୁନ୍ଦରତାକୁ ନଷ୍ଟ କରିବାରେ ବିଫଳ ହେଇଛି । ଆକାଶସାରା ପ୍ରେମର ରଙ୍ଗ । ମାଟି ଉପରେ ଭଲପାଇବାର ବୀଜ ଅଙ୍କୁରିତ ହେବାର ଆରମ୍ଭ ହେଲା ଯେମିତି । ନିଶ୍ଚୟ ସେ ଏବେବି ଭଲ ପାଉଛି ଅନୀତାକୁ । ଅନୀତା ସିନା ତା’ର ରଙ୍ଗରୁପ ଦେଖି ତାକୁ ପ୍ରତ୍ୟାଖ୍ୟାନ  କଲା । କିନ୍ତୁ ସେ ବିନା ସର୍ତ୍ତରେ ତାକୁ ଆପଣାର ଭାବିଛି ।


            “ମୋ ପ୍ରଶ୍ନର ଉତ୍ତର ଦେଲନି ଯେ ?”                  


            “ଯଦି ମୁଁ କହେ -ହଁ  ?”


            “ଯଦିର ପ୍ରଶ୍ନ ନାହିଂ ଜୟନ୍ତ । ମୋତେ ସତକଥା ଦରକାର ।“ କାନ୍ଦ କାନ୍ଦ ହେଲା ଅନୀତା । 


            “ମୁଁ ତୁମକୁ ମୋ ପ୍ରାଣଠୁ ଅଧିକ ଭଲପାଏ ଅନୀତା“ ସାଙ୍ଗେ ସାଙ୍ଗେ ଜୟନ୍ତର ପାଟିକୁ ହୁଦୟର କଥା ଆସିଗଲା ଅନୀତାର କାନ୍ଦ କାନ୍ଦ ଆଖି ଦେଖି ।


            “ତମେ ମୋତେ ବାହା ହୋଇ ପାରିବ ?”


            ଆଁ କରି ଅନାଇଲା ସେ । ଏ ପ୍ରକାର ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥିଲା ସେ । ମୁଣ୍ଡ ତା’ର ବୁଲେଇଲା ଭଳି ଲାଗିଲା । କ’ଣ ଉତ୍ତର ଦେବ ସେ ? କ୍ଷଣକରେ କେବେ କିଏ ଜୀବନର ଏତେ ବଡ ନିର୍ଣ୍ଣୟ ନେଇ ପାରେ । ବଡ ଅଜବ ଏ ଝିଅଗୁଡା ।


            “ଏ କ’ଣ କହୁଛ ଅନୀତା ? ତୁମକୁ ଏ ଯାଏଁ ଭୁଲି ପାରିନି । ତମେ ସେଇ ଅନୀତା ଯିଏ ଏଇ କଦମ୍ବ ମୂଳେ ମୋ ପ୍ରେମଭିକ୍ଷା କୁ  ପ୍ରତ୍ୟାଖ୍ୟାନ କରିଥିଲ କିନ୍ତୁ ଆଜି ହଠାତ ବାହାଘର ପ୍ରସ୍ତାବ ଦେଉଛ ? “  


            “ତା ମାନେ ତୁମେ ମୋତେ ଭଲପାଅ ନାହିଂ । ଘୃଣା ଆସୁଛି ଏ ପୁରୁଷ ଜାତି ପ୍ରତି । ନାରୀମାନଙ୍କୁ କେବଳ ବିଳାସର ସାଧନ ମାତ୍ର ଭାବୁଛନ୍ତି ।“  ରାଗରେ ତା ନାକପୁଡା ଫଁ ଫଁ ହେଲା । ଯିବା ପାଇଁ ଠିଆ ହେଲା ଅନୀତା ।


            ଆଉ ନିଜକୁ ଆକଟ କରି ପାରିଲା ନାହିଂ ଜୟନ୍ତ । ଅନୀତାର ହାତଧରି ପାଖରେ ବସାଇଲା । ଆଖିରେ ତାର ଧାର ଧାର ଲୁହ । ଧୂ ଧୂ ଖରା ବେଳଟାରେ ଯେମିତି ସେ ଶୁଖି ଶୁଖି ଯାଉଛି ।


            “ଠିକ ଅଛି । ମୁଁ ତୁମକୁ ବାହା ହେବି ।“


            ଜୟନ୍ତର କଥା ଶୁଣି ଅନୀତାର ଆଖିରେ ବିଶ୍ଵାସର ଝଲକ ଦେଖାଗଲା ।


            “କିନ୍ତୁ ମୋ ପେଟରେ ଅଧ୍ୟାପକ ସୁମିତ ରଞ୍ଜନର ପିଲା ।“   


             ଏ କଥା ଶୁଣି ଜୟନ୍ତର ସାରା ସଂସାର ଯେମିତି ସେମିତି ମୂର୍ତ୍ତିପରି ଅଟକି ଗଲା । ତାକୁ ଲାଗିଲା ଚାରିଆଡେ ମରୁଡ଼ିର ତାଣ୍ଡବ ଲୀଳା ଓ ମରୁଭୂମିର ଡହଳ ବିକଳ ଖରା । ତଣ୍ଟି ତା’ର ଶୁଖିଗଲା । ଚାରିଆଡେ ଏକ ଶୂନଶାନ ନୀରବତା । ଅନେକ ସମୟର ନୀରବତା ଓ ନିଷବ୍ଦତା । ଅଧିକରୁ ଅଧିକ ଘୃଣା କଲା କଦମ୍ବମୂଳକୁ ଜୟନ୍ତ ।


             ଯିବା ପାଇଁ ଠିଆ ହେଲା ଅନୀତା ।


            “ମୋତେ କ୍ଷମାକର ଜୟନ୍ତ ଏମିତି ଏକ ଅପ୍ରୀତିକର ପରିସ୍ଥିତିରେ ତୁମକୁ ଆଣିଥିବାରୁ । ବୋଧେ ତୁମର ହୃଦୟ ଭାଙ୍ଗିବାର ଦଣ୍ଡ ମୋତେ ମିଳିଛି । ଯେଉଁ ସ୍ଵପ୍ନ ନେଇ ମୋ ଭବିଷ୍ୟତର ତାଜମହଲ ଗଢିବାକୁ ଯାଉଥିଲି, ସେ ସବୁକୁ ଭାଙ୍ଗି ଚୁରମାର କରିଦେଲା ସଇତାନ ଅଧ୍ୟାପକ ସୁମିତ ରଞ୍ଜନ । ଦୀର୍ଘ ଛଅ ମାସ ମୋ ଦେହମନ ସହ ଖେଳିଲା ପରେ ଏବେ କହୁଛି ପିଲାଟା ତା’ର ନୁହଁ । ମଣିଷ ଚମଡା ଭିତରେ ସେ ଜଣେ ନରଭକ୍ଷୀ ଶୃଗାଳ । ଗୁରୁର ମୁଖା ପିନ୍ଧିଥିବା ସେ ଜଣେ ଶଠ । ପଦ୍ମକୁ ତୋଳିବାକୁ ଯାଇ ମୁଁ ଫସିଛି ଗଭୀର ପଙ୍କରେ । ଏ ସତ୍ୟକୁ ମୁଁ ଆଉ କାହା ଆଗରେ କହିଥାନ୍ତି ? କାହା କାନ୍ଧରେ ମୁଣ୍ଡ ରଖି କାନ୍ଦିଥାନ୍ତି ? କିଏ ମୋତେ ସାନ୍ତ୍ଵନା ଓ ସହାନୁଭୁତି ଦେଇଥାନ୍ତା ? ଏତେ ବଡ ଦୁନିଆରେ ଏ ସବୁ ଭାବୁ ଭାବୁ ତୁମର ମୁହଁଟା ଜଳଜଳ ହୋଇ ମୋତେ ଦେଖାଗଲା । ତମେ ଲଗିଲା କଦମ୍ବବନର କୃଷ୍ଣ ।  ଆଉ ମୁଁ ନିଜକୁ ନିଜେ ଭାବିଲି ମଥୁରା ଦାଣ୍ଡର କୁରୂପା ସ୍ତ୍ରୀ । ତମେ ମୋତେ ଏବେବି ଭଲପାଇଛ ବୋଲି କହିଦେଲା ପରେ ମୁଁ ନିଜ ଆଗରେ ନିଜେ ଛୋଟ ହେଇଗଲି । ତଥାପି ତୁମ ସହାନୁଭୂତିର ସ୍ପର୍ଶରେ ନିଜକୁ ସମ୍ଭାଳି ପାରିଛି ଯେ କିଏ ଏବେବି ମୋତେ ଭଲ ପାଉଛି । କିନ୍ତୁ ତୁମେ କାହିଁକି ବାସୀ ଫୁଲକୁ ନେଇ ନିଜ ଗଳାରେ ଧାରଣ କରିବ ? ମୋତେ ମୋ ରାସ୍ତାରେ ଛାଡିଦିଅ ମୋ ପାପର ପ୍ରାୟଶ୍ଚିତ ପାଇଁ । ଦେଖାଯାଉ,  କେଉଁ ନାଳ, ନଦୀ, ପାହାଡ, ସମୁଦ୍ର ମୋତେ କୋଳାଗ୍ରତ କରୁଛି ।“


            ଏତିକି କହି ଚାଲିଯାଉଛି ଅନୀତା ଜୟନ୍ତ ଆଗରୁ । ସେ ଭାବିପାରୁନି କ’ଣ କରିବ ? ଘୃଣାଭାବ ଜାତ ହେଲା ଅଧ୍ୟାପକ ସୁମିତ ରଞ୍ଜନ ପ୍ରତି । କେମିତି ସେ ଗ୍ରହଣ କରିବ ଅନ୍ୟର ସନ୍ତାନକୁ ? ସେ ଜଣେ ସାଧାରଣ ମଣିଷ । ମହାପୁରୁଷ ହେଇଥାନ୍ତା କି ! ଅତି ନିର୍ମମ ଭାବରେ ତା ପ୍ରେମକୁ ହତ୍ୟା କଲାପରେ କେଉଁ ମୁହଁ ନେଇ ଟା ପାଖକୁ ଆଶ୍ରୟ ପାଇଁ ଆସିଛି ଅନୀତା ? କୁଆଡେ ସେ ଆତ୍ମହତ୍ୟା କରି ଦେବନି ତ ? ଆତ୍ମହତ୍ୟା କଥା ଭାବୁ ଭାବୁ ତା ଦେହ ଶିହିରୀ ଉଠିଲା ।


            ଧାଇଁ ଯାଇ ଫେରେଇ ଆଣିଲା ଅନୀତାକୁ ସେଇ କଦମ୍ବମୂଳକୁ । ତା’ ମନରେ ଅନେକ ଭାବନା ଉବୁଟୁବୁ ହେଉଛି । କ’ଣ ଗୋଟେ ନିର୍ଣ୍ଣୟ ନେବାକୁ ପଡିବ ତା’କୁ ଏଇ କ୍ଷଣି । ନଚେତ ଜୀବନ ଯାକ କିଛି ନ କରିପାରିବାର ଯନ୍ତ୍ରଣାରେ  ଛଟପଟ ହେବ ।


            “ତମେ ମୋ ରାଣ ଖାଇ କୁହ ଯେ ତମେ ଗର୍ଭବତୀ ଏବଂ ଛୁଆର ବାପା ଅଧ୍ୟାପକ ସୁମିତ ରଞ୍ଜନ ବୋଲି । କାରଣ ମୁଁ ଚାହୁଁ ନି ଜଣେ ଗୁରୁଙ୍କୁ ମିଛରେ ବଦନାମ କରିବାର ପାପ ମୁଣ୍ଡେଇବାକୁ । ଅନୀତା ଜୟନ୍ତର ମଥା ଛୁଇଂଲା ।


            “ମୁଁ ଯଦି କହେ ତୁମେ ପିଲାଟାକୁ ନଷ୍ଟ କରିଦିଅ .......”


            “ମୁଁ ପାରିବିନି । ତମେ ମୋତେ ଗ୍ରହଣ କର କି ନ କର । କିନ୍ତୁ ଭ୍ରୁଣହତ୍ୟାର ପାପ ମୁଁ କରି ପାରିବିନି । “


            “ତାହା ହେଲେ ଆଜି ତୁମ ପିଲାର ପରିଚୟ ଦେବାକୁ ଯାଇ ମୋତେ ବାହା ହେବାକୁ ଚାହିଞ୍ଛ । କିନ୍ତୁ ତୁମ ହୃଦୟରେ ମୋ ପାଇଁ କାଣିଚାଟିଏ ଭଲପାଇବା ନାହିଂ । ମୁଁ ତୁମର ଆବଶ୍ୟକତା କିନ୍ତୁ ପ୍ରେମ ନୁହଁ ।“


            “ସେମିତି କୁହନା ଜୟନ୍ତ । ଯେବେଠୁ ସେ ରାକ୍ଷସଟା ପୁରୁଷ ପଣିଆ ହରେଇଛି, ତୁମେ ହିଁ ମୋତେ ନିଜର ଲାଗିଛ । ମୋତେ କାହିଁକି ଲାଗୁଛି ମୋର ଦେହ, ମୋର ପାପରୁ ଉର୍ଦ୍ଧରେ ତୁମେ ମୋ ମନକୁ ,ମୋ ହୃଦୟକୁ ଭଲପାଇଛି । ତୁମେ ମୋ ପାପଠାରୁ ଢେର ଭଲ କାରଣ ସଂପୂର୍ଣ୍ଣ ସତ୍ୟକୁ ବୁଝିବାକୁ ଚେଷ୍ଟା କରିଛ ।“


            କିଛି ସମୟ ନୀରବ ରହିଲା ଜୟନ୍ତ । ହୃଦୟ ପାଖରେ ସେ ହାରି ଯାଇଛି । ଅଧ୍ୟାପକ ସୁମିତ ରଞ୍ଜନ ଏମିତି କେମିତି କରି ପାରିଲା ? ଏ କଥା ଭାବୁ ଭାବୁ ତା ମନରେ ପ୍ରତିଶୋଧର ନିଆଁ ଲାଗିଛି । ଆଜି ଯେଉଁ ନଗ୍ନସତ୍ୟକୁ ସେ ସାମ୍ନା କରୁଛି, କେବଳ ଅଧ୍ୟାପକ ହିଁ ଦାୟୀ । ତାକୁ ତା କର୍ମର ଫଳ ମିଳିବା ଦରକାର । ତା ହୃଦୟଶ୍ଵରୀର କଷ୍ଟରେ ସେ ଆଜି ମର୍ମାହତ ।


            “ବନୀତା ! ମୁଁ ତୁମକୁ ବାହାହେବାକୁ ରାଜି ଅଛି । ଦୟାରେ ନୁହଁ ବରଂ ପ୍ରେମରେ । ମହାପୁରୁଷ ହେବାର ଇଚ୍ଛାରେ ନୁହଁ ବରଂ ମନ ହୃଦୟ ଥିବା ସାଧାରଣ ପ୍ରେମିକ ରୂପରେ । ତମେ ତାକୁ ଭୁଲି ପାରିବତ ?”


            “ମୁଁ କେବଳ ଘୃଣା କରେ ସେ କାପୁରୁଷକୁ ।“


            “ଆମେ ଦୁଇ ଦିନ ଭିତରେ ବାହାହେବା । ତମେ ରାଜି ତ ?


            ଏ କଥା ଶୁଣି ଜୟନ୍ତର ପାଦ ତଳେ ପଡିଗଲା ଅନୀତା । ତା’କୁ କୋଳକୁ ନେଲା ସେ ।


            “ଯଦି ତମ ପରିବାର ରାଜି ନ ହୁଅନ୍ତି ?” ଜୟନ୍ତ ପଚାରିଲା ।


            “ମୋ ପରିବାର ତମେ ଜାଣିବା ପୂର୍ବରୁ ମୋତେ ପର କରି ସାରିଲେଣି । କିନ୍ତୁ ତୁମ ପରିବାର ?“


            “ମୁଁ କହିଦେବି ମୋ ପ୍ରେମର ସନ୍ତକ ବାହାଘର ପୂର୍ବରୁ ତୁମ ପେଟରେ ବଢୁଛି । ମୁଁ ଜାଣିଛି ,ମୋ ଘରେ ସ୍ନେହ ଶ୍ରଦ୍ଧା, ମାନସମାନ ଓ ମଧୁର ସମ୍ପର୍କର ଅଭାବ ନାହିଂ । ରୂପବତୀ ଓ ଗୁଣବତୀ ବୋହୁଟିଏ ପାଇଲେ ସେମାନଙ୍କ ପାଦ ତଳେ ଲାଗିବନି । କିନ୍ତୁ ଆମକୁ ଶପଥ ନେବାକୁ ହେବ ଯେ ଆମ ଭିତର ସତ ଯେମିତି ମୃତ୍ୟୁ ହେଲାଯାଏଁ ବାହାରେ ପ୍ରକାଶ ନ ହୁଏ । ହଁ , ଆଉ ଗୋଟେ କଥା ମନେ ରଖ । ଆମ ବାହାଘରେ ଅଧ୍ୟାପକ ସୁମିତ ରଞ୍ଜନର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ । କାରଣ ମୁଁ ଜଣେ ଛାତ୍ର ହୋଇ ମୋ ଗୁରୁକୁ ଜୀବନର ଏ ନଗ୍ନସତ୍ୟ ସହ ପରିଚୟ କରାଇବି । ତୁମେ ସାମ୍ନା କରି ପାରିବ ତ ? “


            ଆଉ କିଛି କହିଲାନି ଅନୀତା । ଦୁହେଁ ଦୁହିଙ୍କର ହାତ ଧରି କଦମ୍ବମୂଳରୁ ବିଦାୟ ନେଲେ ନିଜନିଜର ହଷ୍ଟେଲ ଆଡକୁ………..  ।


            ଅତ୍ୟଧିକ କୋଳାହଳରୁ ଅତୀତରୁ ବର୍ତ୍ତମାନକୁ ଫେରି ଆସିଲା ଜୟନ୍ତ । ସମସ୍ତିଙ୍କର ଅତିପ୍ରିୟ ଅଧ୍ୟାପକ ପହଞ୍ଚିଛନ୍ତି ଶିବ ମନ୍ଦିରରେ । ଅଧ୍ୟାପକ ସୁମିତ ରଞ୍ଜନ ଦାଶ ଦିନଧରି ଚାଲୁଥିବା ସେମିନାର ସାରି ଫେରିଛନ୍ତି କଲେଜକୁ । ସବୁ ଛାତ୍ରଛାତ୍ରୀ ଅଧ୍ୟାପକଙ୍କୁ  ଅନେଇଲେ । ତାହା ହେଲେ  ଅଧ୍ୟାପକ ହିଁ ବିଶିଷ୍ଟ ଅତିଥୀ ଯାହା ପାଇଁ ଜୟନ୍ତ ଏ ଯାଏ ମଣ୍ଡପ ଉପରେ ବସିପାରିନି । ସମସ୍ତେ ଗଦଗଦ ହେଲେ ଗୁରୁଙ୍କ ପ୍ରତି ଶିଷ୍ୟର ଏ ପ୍ରକାର ମାନସମ୍ମାନ ଦେଖି ।


            ଅଧ୍ୟାପକ ସୁମିତ ରଞ୍ଜନ ଆଗେଇ ଆସିଲେ ମଣ୍ଡପ ପାଖକୁ । ଜୟନ୍ତର ବାହାଘର ବିଷୟରେ କେହି ମଧ୍ୟ ତାଙ୍କୁ ଅବଗତ କରାଇ ନଥିଲେ । କିଏ ସେ ଝିଅ ଯିଏ ଓଢଣୀ ଦେଇ ବସିଛି ଜୟନ୍ତ ଭଳି କଳା ମାଙ୍କଡଟାକୁ ବରଣମାଳା  ପକେଇବା ପାଇଁ । ତାଙ୍କୁ ପାଛୋଟି ନେଲା ଜୟନ୍ତ ଅତି ଆଦରରେ ।


            ଜୟନ୍ତ ସମସ୍ତ ଅତିଥୀଗଣଙ୍କୁ  ଜଣାଇଦେଲା ଯେ, ବଧୂର ଜିଦ ଅଧ୍ୟାପାକ ସୁମିତ ରଞ୍ଜନ ହିଁ କନ୍ୟଦାନ କରିବେ । କାରଣ ସେ ଜଣେ ଭଦ୍ର, ଅମାୟିକ, ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ । ଜୟନ୍ତର କଥାରେ ପ୍ରବଳ ତାଳି ଓ ହୁଳହୁଳିର ସମର୍ଥନ ମିଳିଲା । ଅଧ୍ୟାପକଙ୍କ ଛାତି  ଗର୍ବରେ ଆହୁରି ଚଉଡା ହେଲା । ପୁଷ୍ପ ବର୍ଷା ହେଲା । ମନ୍ତ୍ର ଉଚ୍ଚାରଣ ହେଲା । ହସ୍ତଗଣ୍ଠି ପରେ ବରଣମାଳା ବି ସରିଲା । ମଣ୍ଡପଉପରୁ ଉଠି ଦୁହେଁ ଅଧ୍ୟାପକଙ୍କ ଆଶୀର୍ବାଦ ନେବାକୁ ଯିବା ପୂର୍ବରୁ ଅଧ୍ୟାପକଙ୍କ ଅନୁରୋଧ ବୋହୁ ପିଲା ଓଢଣୀ କାଢି ମୁହଁ ଦେଖାଉ ।


            ଏ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ।ଅନୀତାକୁ କିଏ ବା ନ ଜାଣିଛି ଯେ ଅଧ୍ୟାପକ ଏ ପ୍ରକାର ଅନୁରୋଧ କରୁଛନ୍ତି । ସମସ୍ତ କଲେଜ ଜାଣିଛି ଅନୀତା ଅଧ୍ୟାପକଙ୍କ ଛାଇ ଭଳି ରହିଥାଏ ।


            ମୁଣ୍ଡରୁ ଓଢଣୀ ବାହାର କଲା  ଅନୀତା । ଓଢଣୀ ଭିତରେ ବଧୁ ରୂପରେ ବନୀତାକୁ ଦେଖି କାଠଗଣ୍ଡ ପରି ନିର୍ବାକ ଓ ନିସ୍ପନ୍ଦ  ହେଲେ ଅଧ୍ୟାପକ ସୁମିତ ରଞ୍ଜନ ।  ଯେମିତ କିଏ ଗୋଟେ ତାଙ୍କର ପୁରୁଷ ହେବାର ଅହଂଭାବକୁ ଚୋଟ ମାରିଛି । ଯେମିତିକି ଅନୀତା ନିଜ ପେଟରେ ଥିବା ପିଲାର ବୀର୍ଯ୍ୟକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ନିଜ ଶିଷ୍ୟର ମହାନ ବଳିଦାନ ଆଗରେ ତଳକୁ ଖସିଯିବାର ସତ୍ୟତା ଓ ନିଜ ପିଲାଟା ତାଙ୍କୁ ପିତା ଭାବରେ ଅସ୍ଵୀକାର କରିବାର ନଗ୍ନସତ୍ୟ ଆଗରେ ସେ ମୁହଁ ଗୁଞ୍ଜି ଫିଟିଯିବାକୁ ବାଟ ଖୋଜୁଥିଲେ । କିନ୍ତୁ ଅନୀତାର ଉପହାସ ଭରା ଚାହାଣୀ ଏବଂ ଜୟନ୍ତ ଆଗରେ ଅପରାଧ ଧରା ପଡିଯିବାର ଡର ତାଙ୍କୁ ଫିଟିବାର ବାଟ ଦେଉନଥିଲେ । ବେଶୀ ସମୟ ଠିଆ ହୋଇ ନପାରି ପାଖରେ ଥିବା ଚୌକିରେ ବସି ପଡିଲେ ସେ ମୁଣ୍ଡଟାକୁ ତଳକୁ କରି ।


            ଯିଏ ଯାହା ରାସ୍ତାରେ ଫେରିଲେ  ବର ଓ ବଧୂକୁ ଆଶୀର୍ବାଦ କରି । ଜୟନ୍ତ ଓ ଅନୀତା ଫେରିଲେ ସେହି କଦମ୍ବମୂଳକୁ ସମସ୍ତ ପୀଡାମୟ ଅତୀତର ସତ୍ୟତାକୁ ବିବାହ ମଣ୍ଡପର ଯଜ୍ଞ କୁଣ୍ଡରେ ଆହୁତି ଦେଇ।


     ମୋ କଥାଟି ସରିଲା,ଫୁଲ ଗଛଟି ମରିଲା ।


ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି.......ଅପେକ୍ଷା କରିଥାଅ l

Monday, March 22, 2021

ODIA STORY-01

                      🙏 ଜୟ ଜଗନ୍ନାଥ 🙏

 

                    " ଜୀବନ ଦର୍ଶନ "


         ଅନ୍ତରରେ ଅନୁରାଗ ଥାଇ ମଧ୍ୟ ଚିତ୍ତ ଏକାଗ୍ର ଓ ନିରୁଦ୍ଧ ହେଲେ ସେହି ଅନୁରାଗ ଯୋଗୁଁ ଅନେକ ସିଦ୍ଧି ପ୍ରକଟିତ ହୁଏ, କୌଣସି ନା କୌଣସି ସିଦ୍ଧି ନିମନ୍ତେ ସଂଯମ କରାଯାଏ, ଯେଉଁଠି ସିଦ୍ଧି ପ୍ରାପ୍ତିର ଉଦ୍ଧେଶ୍ୟ ରହିଛି, ସେଠାରେ ଅନୁରାଗର ଅଭାବ କିପରି ହେବ ? ମାତ୍ର ଯେଉଁ ଠାରେ କେବଳ ପରମାତ୍ମ ପ୍ରାପ୍ତିର ଉଦ୍ଧେଶ୍ୟ ରହିଛି, ସେଠାରେ ଏହି ଧାରଣା, ଧ୍ଯାନ ଓ ସମାଧି ବି ପରମାତ୍ମତତ୍ତ୍ବ  ପ୍ରାପ୍ତିରେ ସହାୟକ ହେବ 



             " ମହାପୁରୁଷଙ୍କ ବାଣୀ "

         

"ଆମେ ଆଇନକୁ ସମ୍ମାନ ଦେବା ଉଚିତ ଯାହା ଦ୍ୱାରା ଆମର ଗଣତନ୍ତ୍ରର ମୂଳ ଦୃଢ଼ ରହିବ। - ଲାଲ ବାହାଦୂର ଶାସ୍ତ୍ରୀ"



                  ଓଡ଼ିଆ କ୍ଷୁଦ୍ର କାହାଣୀ


                 " ମୋ ପରିବାର "

             *· · • • • • • • ✤ • • • • • • · ·*      

           ___________________________


               ପରିବାର ସମାଜର ଏକ ସାମାଜିକ ଅନୁଷ୍ଠାନ  l ମନୁଷ୍ୟ ଏକ ସାମାଜିକ ପ୍ରାଣୀ  l  ଏହା ପରିବାରର ରକ୍ତଗତ ସମ୍ପର୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ନିବିଡ଼ ଘନିଷ୍ଠତା ସୃଷ୍ଟି କରି ଥାଏ  l ମାନବ ଶିଶୁ ଜନ୍ମରେ ଖୁବ ଅସହାୟ ଥାଏ  l ଶିଶୁଟି ପରିବାରର ପିତା ମାତା ଓ ଅନ୍ୟ ମାନଙ୍କର ସ୍ନେହ, ଶ୍ରଦ୍ଧା ଓ ଯତ୍ନରେ କ୍ରମଶଃ ବଢେ  l କଥା କହିବl ଶିଖେ  l ନୀତି, ନିୟମ, ଶୃଙ୍ଖଳା ଶିଖେ l ସୁନ୍ଦର ପୁର ଗ୍ରାମରେ କାଶୀନାଥ ନlୟକର  ଝାଟି ମାଟିର ନଡା ଛପର ଘର  l  କୃଷକ ସେ  l ପତ୍ନୀ ରାଧିକା l ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ l ଦୁଃଖେ ସୁଖେ ପରିବାରଟି ଚଳି ଯାଉ ଥିଲା  l କାଶି ନାଥକୁ ଦୀର୍ଘ ଦିନ ଧରି କାଶ ହେଉ ଥାଏ l ପତ୍ନୀ ରାଧିକା ବହୁ ଥର କହିଲେଣି ଡାକ୍ତର ଦେଖାଇ ଔଷଧ ଆଣି ଖାଇବାକୁ l କlଶଟା  ଦିନକୁ ଦିନ ବଢୁଛି  l ହେଳା  କରୁଛ କହିଁକି  ?


           କାଶିନାଥ କହନ୍ତି  ! ଥଣ୍ଡାରୁ କାଶ ହେଉଛି ବୋଧେ  l ତୁମେ ଟିକେ ଅଦା, ତୁଳସୀ ପତ୍ର, ଗୋଲମରିଚ, ତେଜ ପତ୍ର, ମହୁ ମିଶାଇ କlଢ଼ା କରି ଦିଅ l ୨/୩ ଥର ପିଇ ଦେଲେ ଛାଡି ଯିବ  l  କାଶିନାଥ ଭାବେ କାହିଁକି ଡାକ୍ତରଖାନା ଯାଇ ଅଯଥା ପଇସା ଖର୍ଚ୍ଚ କରିବି   ?  ସେଇ ପଇସା ଥିଲେ ମୋ ପିଲାଙ୍କର ପାଠ ପଢା ଖର୍ଚ୍ଚରେ ଲାଗିବ  l ଏମିତି ଭାବି ସେ ହେଳା କରି ଦେଲେ  l  ଅଜଣା ରୋଗ ମାଡି ବସିଲା ତାଙ୍କୁ l  ଯେତେବେଳେ ତାଙ୍କର ଅବସ୍ଥା ଖରାପ ହେଲା ସେତେବେଳେ ତାଙ୍କର ପୁଅମାନେ ତାଙ୍କୁ ଡାକ୍ତର ଖାନା ନେଇଗଲେ l ଡାକ୍ତର ରକ୍ତ ପରୀକ୍ଷା କରି କହିଲେ ତାଙ୍କୁ ଟି.ବି. ହୋଇଛି  l ଛାତିରେ କଫ ଜମି ଯାଇଛି  l  ତୁମେ ଆଣିବା ଡେରି କରି ଦେଲ  l ହଉ "ମୁଁ ଚେଷ୍ଟା କରୁଛି  l ତୁମେ ଭଗବାନଙ୍କୁ ଡାକ , ସବୁ ଠିକ ହୋଇ ଯିବ  l


            କାଶିନାଥ ଆଉ ଡାକ୍ତର ଖାନରୁ ଫେରିଲେ ନାହିଁ  l  ସେ ହେଲେ ଅମର ଧାମର ଯାତ୍ରୀ  l  ବଡ଼ ପୁଅ ମହେନ୍ଦ୍ର ଓ ସାନ ପୁଅ ଧର୍ମେନ୍ଦ୍ର ବାପାଙ୍କର ଶବ ଘରକୁ ଆଣି କ୍ରିୟା କର୍ମ ସାରି ଦେଲେ  l ବଡ଼ ପୁଅ ମହେନ୍ଦ୍ର +୨ ପରେ ପିଅନ ଚାକିରୀ ପାଇଁ ଆବେଦନ କରିଥିଲା  l ଯାହା ହେଉ ଗୋଟିଏ ଅଫିସରେ ତାଙ୍କୁ ଚାକିରୀ ମିଳିଗଲା  l ମହେନ୍ଦ୍ର ଘରର ଦାୟିତ୍ୱ ନେଲା  l ସାନ ଭାଇ ଭଉଣୀଙ୍କୁ ପାଠ ପଢ଼ାଇଲା  l ନିଜ ବାପାଙ୍କର କିଛି ଚାଷ ଜମି ଥିଲା  l ତାକୁ ଦେଖାଦେଖି କଲା  l  ଦୁଇ ବର୍ଷ ପରେ ସାନ ଭଉଣୀ  ସୁଦୀପ୍ତlକୁ ବିବାହ କରି ଦେଲା l ସାନ ଭାଇ ଧର୍ମେନ୍ଦ୍ରକୁ ଇଞ୍ଜିନିୟରିଂରେ ଆଡମିଶନ କରି ଦେଲା  l ସବୁ ବେଳେ ମହେନ୍ଦ୍ର, ଧର୍ମେନ୍ଦ୍ରକୁ କହେ ତୁ ପାଠ ପଢି ଚାକିରୀ କଲେ ଆମ ଦୁଃଖ ଯିବ  l ଆମ ପରିବାରରେ ହସ ଖୁସି ଭରି ଉଠିବ  l ମହେନ୍ଦ୍ର ଓ ଧର୍ମେନ୍ଦ୍ର ମଧ୍ୟରେ ବହୁତ ସ୍ନେହ, ପ୍ରେମ ଥିଲା  l ଯେତେବେଳେ ଛୁଟିରେ ଧର୍ମେନ୍ଦ୍ର ଘରକୁ ଆସେ ଦୁଇ ଭାଇ ମିଶି ଖାଆନ୍ତି, ଏକାଠି ବସନ୍ତି, ଏକାଠି ଶୋଅନ୍ତି  l  ମା  ' ରାଧିକା ଦୁଇ ଭାଇଙ୍କର ସ୍ନେହ ଦେଖି ଖୁସି ହୁଅନ୍ତି  l ମହେନ୍ଦ୍ର ସେଇ ଗାଁର ପ୍ରତାପ ରାଉତଙ୍କ ଝିଅକୁ ବିବାହ କଲେ  l ଧର୍ମେନ୍ଦ୍ର ବହୁତ ଖୁସି ଥିଲା  l ବାହାଘର କାମ ସରିଲା ପରେ ଧର୍ମେନ୍ଦ୍ର କଲେଜ ଚାଲି ଗଲା l


           ଏବେ ଧର୍ମେନ୍ଦ୍ରର ତୃତୀୟ ବର୍ଷ  l ଆଡମିଶନ ହେବାକୁ ପଡିବ  l କଲେଜରୁ ଚିଠି ଆସିଛି ମହେନ୍ଦ୍ର ପାଖକୁ  l ବାର୍ଷିକ ୬୦ ହଜାର ଟଙ୍କା ଲାଗିବ  l ତାପରେ ହଷ୍ଟେଲ ଖର୍ଚ୍ଚ  l ଏତେ ଟଙ୍କା ମହେନ୍ଦ୍ର ପାଖରେ ନାହିଁ l ସେ ଆଣିବ କୁଆଡୁ  ? ବହୁ ଚିନ୍ତାରେ ରହିଲା  l ରାତିରେ ଶୋଇ ପାରିଲା ନାହିଁ  l ଛଟପଟ ହେଲା  l ଟଙ୍କା ପାଇଁ କଣ ମୋ ଭାଇର ପାଠ ପଢା ଅଟକି ଯିବ  ?  ଏମିତି କେତେ କଣ ଭାବିଲା  l ମହେନ୍ଦ୍ରର ପତ୍ନୀ ପ୍ରତିମା ତାର ସବୁ ଗହଣା  ( ଅଳଙ୍କାର ) କୁ  ଗୋଟିଏ ରୁମାଲରେ ରଖି  ସକାଳେ ସକାଳେ ମହେନ୍ଦ୍ରକୁ ଦେଲା  l ଏକୁ ନେଇଯାଅ  l ବିକି ଦେଇ ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାଇ ଦେବ  l ଧର୍ମେନ୍ଦ୍ର ବିକିବାକୁ ରାଜି ହେଲେନି  l ପ୍ରତିମା ବୁଝାଇଲା  l ଧର୍ମେନ୍ଦ୍ର ଚାକିରୀ କଲେ ମୋତେ ଗହଣା କଣ କରି ଦେବନି  !  ତୁମେ ମନ ଦୁଃଖ କରୁଛ କାହିଁକି  ?  ନିଅ  l ଯାଇ ବିକି ଦିଅ  l


           ଅନିଚ୍ଛା ସତ୍ତ୍ୱେ ମହେନ୍ଦ୍ର ପ୍ରତିମାର ଅଳଙ୍କାର ବିକି ଟଙ୍କା ପଠାଇଲା ଧର୍ମେନ୍ଦ୍ର ପାଖକୁ  l ଧର୍ମେନ୍ଦ୍ର ପଚାରିଲା, ଭାଇ ! ଏତେ ଟଙ୍କା ଆଣିଲ କେଉଁଠୁ  ?  ମହେନ୍ଦ୍ର କିଛି କହି ପାରିଲା ନାହିଁ  l ଏଣୁ ତେଣୁ କିଛି କହି ଦେଲା l ଧର୍ମେନ୍ଦ୍ର ଜିଦ ଧରିବାରୁ ପ୍ରତିମା କହିଲେ ଏ ଟଙ୍କା ମୋର ଗହଣା ବିକ୍ରି ତାଙ୍କା  l  ତୁମେ ଚାକିରୀ ପାଇଲେ ସବୁ ଠିକ ହୋଇ ଯିବ  l ଧର୍ମେନ୍ଦ୍ର ମନରେ ଆଘାତ ଲାଗିଲା  l  ଭାଇ !  ମୋ ପାଇଁ ମୋ ଭାଉଜର ଗହଣା ବିକି ଦେଲ  ?  ଏ କଥା ମୁଁ କେବେ ଭୁଲି ପାରିବିନି ଭାଉଜ  l ତୁମେ ମୋ ଭାଉଜ ନୁହଁ , ତୁମେ ମୋ ମା  l କାନ୍ଦି ପକାଇଲା ଧର୍ମେନ୍ଦ୍ର  l ଭାଉଜ ପ୍ରତିମା ଶାନ୍ତ୍ୱନା ଦେଇ ଆଖିରୁ ଲୁହ ପୋଛି ଦେଲେ  l


       ମହେନ୍ଦ୍ରର ପୁଅଟିଏ ହୋଇଛି  l

ଅଭାବୀ ପରିବାରରେ ଖୁସିର ଲହରୀ l  ଜେଜେମା ରାଧିକାର ପାଦ ତଳେ ଲାଗୁନି  l ରାଧିକା, ମହେନ୍ଦ୍ର, ପ୍ରତିମା ଦୁଃଖ କଷ୍ଟେ ଚଳି ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାନ୍ତି  l ଏଥର ଶେଷ ବର୍ଷ  l

ପୁଣି ୬୦ ହଜାର ଟଙ୍କା ଦରକାର  ଆଡମିଶନ ପାଇଁ  l ମା  ରାଧିକାର ପରାମର୍ଶ ଅନୁଯାଇ ମହେନ୍ଦ୍ର  ଗୋଟିଏ ଏକର ଜମି ବିକି ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାଇ ଦେଲା  l ଧର୍ମେନ୍ଦ୍ରର ଅନ୍ତିମ ପରୀକ୍ଷା ନ ସରୁଣୁ କ୍ୟାମ୍ପସରେ ତାକୁ କମ୍ପାନୀ ଜବ ମିଳିଗଲା  l ସମସ୍ତେ ଖୁସିରେ ଅଧୀର ହୋଇ ପଡିଲେ  l ଶାଶୁ ବହୂ ମନ୍ଦିର ଯାଇ ଭୋଗ ଲଗାଇଲେ  l ସାହି ପଡିଶାରେ ମିଠା ବାଣ୍ଟିଲେ  l ପ୍ରତିମା କହିଲା, ଅlମର ଆଉ ଅଭାବ ଆସିବ ନାହିଁ l ସମସ୍ତେ ଆମେ ଖୁସିରେ ରହିବା  l କିନ୍ତୁ ଏ ସବୁ ବେଶୀ ଦିନ ଗଲା ନାହିଁ  l ଧର୍ମେନ୍ଦ୍ର  ମା, ଭାଇ ଓ ଭାଉଜଙ୍କୁ ନ କହି ନୀଳିମାକୁ ବିବାହ କଲା  l ସେ ଜଣେ ଏ କ୍ଲାସ କଣ୍ଟ୍ରାକ୍ଟର ଝିଅ  l ଭଲ ପାଇ ବିବାହ କଲା  l ମୁମ୍ବାଇରେ ରହିଲା  l ଘରକୁ କେତେବେଳେ କେମତି ଆସେ   l  ବାହାରେ ଭଡା ଘରେ ରହିଲା  l ସ୍ତ୍ରୀ କଥାରେ ପଡ଼ି ଧର୍ମେନ୍ଦ୍ର ଜମି କାହିଁକି ବିକିଲ ବୋଲି ପ୍ରଶ୍ନ କଲା  l ମୋତେ ଜମି ବିକ୍ରିର ଏକ ଏକ ହିସାବ ଦିଅ ବୋଲି କହିଲା  l ମହେନ୍ଦ୍ରର ପାଦ ତଳୁ ମାଟି ଖସି ଗଲା  l  କି ଉତ୍ତର ଦେବ ତାର ପ୍ରିୟ ସାନ ଭାଇକୁ  l  ସବୁତ ସେ ଜାଣିଛି  l ଆଜି ଏ କଥା କାହିଁକି  ?


          ମଝିରେ ଧର୍ମେନ୍ଦ୍ର ତାର ସ୍ତ୍ରୀକୁ ନେଇ ଘରକୁ ଆସେ l କିନ୍ତୁ ନୀଳିମା ଏ ମାଟି ଘରେ ରହିବାଳୁ ପସନ୍ଦ କରେନି  l ନିଜ ବଡ଼ ଯା'କୁ ଚାକରାଣୀ ଭଳି ବ୍ୟବହାର କରନ୍ତି  l ପ୍ରତିମା ସବୁ ସହିନିଏ l ମୋ ପରିବାର ମୋ ଘର, ମୋ ଦେବର କହି ଯେଉଁ ପ୍ରତିମାର ପାଦ ତଳେ ଲାଗୁ ନ ଥିଲା l ସେ ଆଜି ଅଶ୍ରୁ ଜଳରେ ଭାସୁଛି  l ତା ହୃଦୟଟା  ଧର୍ମେନ୍ଦ୍ର ଓ ନୀଳିମାର କଡା କଥାରେ ଖଣ୍ଡ ଖଣ୍ଡ ହୋଇ ଯାଇଛି l ଆଜି ଫେବୃଆରୀ ୧୪ ତାରିଖ  l ଭେଲେନଣ୍ଟାଇନ ଡେ l ପିତୃ ମାତୃ ଦିବସ ପାଳନ l ଯେଉଁ ଦେବର ଦିନେ ମୋତେ ମା କହି ମାତୃ ସ୍ଥାନରେ ବସାଇ  ପୂଜା କରୁଥିଲା ସେ ଆଜି ବଦଳୀ  ଗଲା କେମିତି ? ଭାବନାରେ ବୁଡିଗଲା ପ୍ରତିମା  l  ପୁଅ କୁନାର ଡାକରେ ତାର ହୋସ ଫେରିଲା   l  ଦୁଇ ବର୍ଷର ପୁଅ କୁନା  l ତାକୁ ଜ୍ୱର l ପାଖରେ ପଇସା ନାହିଁ ଡାକ୍ତର ଦେଖାଇବାକୁ l ବାଧ୍ୟ ହୋଇ ସେ ଧର୍ମେନ୍ଦ୍ରକୁ ସେ କିଛି ପଇସା ମାଗିଲା  l ଧର୍ମେନ୍ଦ୍ର ତାର ଭାଉଜକୁ ୫୦୦ /- ଦେଲା  l ଆଖିରେ ପଡ଼ି  ଗଲା ନୀଳିମାର l ସେ ସଙ୍ଗେ ସଙ୍ଗେ ଆସି ପ୍ରତିମା ଠାରୁ ଟଙ୍କା ଛଡାଇ ନେଲା l ଧର୍ମେନ୍ଦ୍ରକୁ ମନ ଇଛା ଗାଳି କଲା l ତୁମେ ଏ ଘରକୁ ଆସୁଛ କାହିଁକି  ? ଏଠି କଣ ଅଛି ?  ଏ ଭିକାରି ଗୁଡ଼ାଙ୍କୁ ଦାନ କରି କରି ନିଜେ ଭିକାରି ହୋଇ ଯିବ  l ତେଣୁ ଆଜି ଠାରୁ ଏ ସବୁ ବନ୍ଦ କର  l ଏକଥା ଶୁଣି ରେଣୁକା, ମହେନ୍ଦ୍ର, ପ୍ରତିମାର ଚକ୍ଷୁ ଲୋତକରେ ଭରି ଗଲା  l ଘର ହୁଏ ସ୍ନେହ, ପ୍ରେମର, ସହଯୋଗ - ସହାନୁଭୂତିର, ଆଦର, ଯତ୍ନ, ସେବାର  l ଏହା କଣ ମୋ ପରିବାର ? ଏହା କଣ ମୁଁ ଚାହିଁଥିଲି  l ଅନେକ କଥା ଭାବିବାକୁ ଲାଗିଲା ପ୍ରତିମା  l ଆଖିରେ ତାର ଅଜସ୍ର ଅଶ୍ରୁ....... l


  

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...