Thursday, March 25, 2021

ODIA STORY-03

 



ସୁରଜ ବାପା ମାଆଙ୍କର ଏକମାତ୍ର ପୁଅ ଥିଲା। ସେ ସର୍ବଦା ଗେହ୍ଲାରେ ବଢି଼ଥିଲା ତ ଅଳ୍ପ ବୟସରୁ ବିପଥଗାମୀ ହୋଇଗଲା। ସେ ଯଦିଓ ଭଲ ପାଠ ପଢୁଥିଲା ଓ ଭଲ ସଫଳତାର ସହ ପରୀକ୍ଷାରେ ପାଶ୍ ହୋଇଥିଲା ହେଲେ ନୀଚ୍ଚ ସାଙ୍ଗଙ୍କ ଗହଣରେ ରହି ନିଜ ଜୀବନକୁ ପୂରା ବ୍ଯର୍ଥ କରିଦେଲା। ବାପାମାଆ ବହୁତ ବୁଝାଇଲେ ଓ ଭଲ ମଣିଷ କରିବାକୁ ଶପଥ କରେଇଲେ। ସେ ଅଳ୍ପକେଇ ଦିନ ବାପାମାଆଙ୍କର କଥାକୁ ରକ୍ଷା କଲା। ନୀଚ୍ଚ ଓ ଧିଟ ସାଙ୍ଗଙ୍କ ପାଖରୁ ଦୂରରେ ରହିଲା। ଏହି ଦୂରତା ରକ୍ଷା ସୁରଜକୁ ଆଣିଦେଲା ଅପୂର୍ବ ସଫଳତା। ସେ ବିଭିନ୍ନ ପରୀକ୍ଷା ଦେଇ କିରାଣି ଚାକିରିଟିଏ ପାଇଗଲା। ତା'ର ଏହି ସଫଳତା ପାଇଁ ବାପା ଓ ମାଆଙ୍କୁ ଯଦିଓ ସବୁ ଶ୍ରେୟ ଦେଉଥିଲା ହେଲେ ଚାକିରି ଜୀବନ କାଳରେ ସେ ଲାଞ୍ଚଘୋଷ ପରି କର୍ମକୁ ହାତେଇଲା।


        ଲୋକେ ବି ଯଥାଶୀଘ୍ର କାମକୁ ହାତେଇବା ପାଇଁ ଅର୍ଥର ମୋହରେ ମୋହିତ କଲେ ତ ସୁରଜ ହାତଛଡା଼ କରନ୍ତା ବା କାହିଁକି? ସେ ଭରପୂର ଆନନ୍ଦର ସହ ଲାଞ୍ଚଘୋଷକୁ  ହାତେଇଲା। ତା'ର ଦେହ ଓ ମନ ଆକାଶରେ ଉଡୁଛି। ପାଖରେ ଅଟକେଇବାକୁ ଜଣେ ହେଲେ କେହି ନାହିଁ ତ ମଦରେ ଭାସିଲା। ସେ ଯେବେ ଘରକୁ ଆସେ ସାଙ୍ଗ ଭାଇମାନେ ଗୁଡ଼ ମାଠିଆ ଚାରିପଟେ ପିମ୍ପୁଡି଼ ପରି ଘୂରି ବୁଲନ୍ତି। କିଏ କେତେ ପ୍ରକାର ହାତଉ ଥିଲେ ହେଲେ ତା'ର ବାପା ଓ ମାଆଙ୍କୁ ଏ ସବୁ ଭଲ ଲାଗୁ ନ ଥାଏ। ସେମାନେ ବଢି଼ଲା ପୁଅକୁ ଅଟକେଇବା କାଠିକର ପାଠ ହେଲା। ଲୁହ ଓ କୋହରେ ସିନା ଭିଜିଲେ ହେଲେ କହିବାକୁ ଜୁ ହିଁ ନ ଥାଏ। ଯଦି ଖୋଲି କି କହିଦେବେ କିଏ ଜାଣେ ହିତାହିତ ଜ୍ଞାନକୁ ହରେଇ ଯଦି କିଛି ଅପକର୍ମ କରି ବସେ। ସେମାନଙ୍କ ହୃଦୟରେ ଛନକା। କହିବାକୁ ସାହସ ଆସେନି ତ ଚୁପ ରହିବା ଛଡା଼ ଅନ୍ଯ କିଛି ରାହା ହିଁ ନ ଥାଏ।


      ଏକଦା ଜଣେ ସାଧୁ ମହାତ୍ମା ତାଙ୍କ ଘରକୁ ଆସିଲେ। ସାଧୁ ମହାତ୍ମାଙ୍କୁ ଦେଖି ସୁରଜର ବାପା ଓ ମାଆ ଘରକୁ ପାଛୋଟି ନେଇ ପାଣି,ପ୍ରଣାମ ଓ ଆସନ ସହ ଭୁରି ଭୋଜନ ଖୁଆଇବାକୁ ଗଲାବେଳେ ସାଧୁ ମହାତ୍ମା ଖାଇବାକୁ ଅଟକାଇ ସୁରଜକୁ ପାଖକୁ ଡାକି କହିଲେ,"ବାପା ! କେମିତି ଅଛ। ନୂଆନୂଆ ଚାକିରି ସହ ଛୋଟ ପରିବାର ସମ୍ଭାଳିବାକୁ କେମିତି ଲାଗୁଛି।?" ସୁରଜ ଏ ସବୁର ମହତ୍ତ୍ବ ବୁଝିଗଲା। ଆଜକୁ ଆଠମାସ ସହରରେ ରହି ସେ ଘରକୁ ଫେରିଛି। ଦରମାକୁ ଛାଡି଼ଦେଲେ ଉପୁରି ଅର୍ଥରେ ସେ ବେଶ ଆରାମ କରୁଛି ହେଲେ ଟଙ୍କାଟିଏ ସୁଦ୍ଧା ବାପା କି ମାଆଙ୍କୁ ଏଯାଏଁ ଦେଇ ନାହିଁ କି ତାଙ୍କ ପିଛା ଖର୍ଚ୍ଚ କରିନାହିଁ। ତେବେ ଏ ସାଧୁ ମହାତ୍ମାଙ୍କୁ ଉତ୍ତର ଦେବ କ'ଣ? ସେ କେବଳ ବଲବଲ କରି ଅନେଇ ରହିଲା। ଆଖିରୁ ବୋହି ଯାଉଥାଏ ଗଙ୍ଗା ଓ ଯମୁନାର ଧାର। ସେ ଧାରରେ ଯେମିତି ସବୁ ଅପକର୍ମ ଧୋଇ ହୋଇ ଯାଉଥାଏ। ସାଧୁ ମହାତ୍ମା ସାମାନ୍ଯ ଧାରେ ହସ ମେଲି ପୁଣି କହିଲେ,"ବାପା ! ମୁଁ କିଛି କହୁଛି ମନଦେଇ ଶୁଣ ହୁଏତ କେତେବେଳେ କାମରେ ଆସିପାରେ। କୌଣସି ମଣିଷର ଅସଲ ଚରିତ୍ର ସେତେବେଳେ ସାମ୍ନାକୁ ଆସିଥାଏ ଯେତେବେଳେ ଜଣେ ନିଶାରେ ଥାଏ। ସେ ନିଶା  ଅର୍ଥର ହେଉ ଅବା ପଦର,ମଦର ହେଉ ଅବା ବେଧର। ନିଶା ତ ନିଶା ହୋଇଥାଏ। ଏ ନିଶାରେ ସେ କ'ଣ ସବୁ କରି ବସେ ନିଜକୁ ବି ଅଜଣା।" ଟିକିଏ ରହି ପୁଣି କହିଲେ,"ବାପା ! ତୁମେ ଭଲ ଛାତ୍ର ଓ ପୁଣି ଭଲ ପଦବୀ ପାଇ ବି ଭ୍ରମିତ ହେଉଛ? ଲୋକ କଲ୍ଯାଣ ଉଦ୍ଦେଶ୍ଯରେ ନିଜକୁ ସମର୍ପଣ ନ କଲ ନାହିଁ ଅନ୍ତତଃ ପକ୍ଷେ ନିଜକୁ ତ ସୁଧାର ଆଣ। ମଦ ନିଶାରେ ଚୁର ହୋଇ ବାଟରେ ଘାଟରେ ପଡି଼ବା କ'ଣ ଠିକ୍? ମୁଁ ଗତକାଲି ତୁମକୁ ଦେଖିଛି ଘଟଗାଁରୁ ଫେରିବା ବାଟରେ ରାଜପାଟ୍ ଛକରେ ଅଟକି ଗଲି। ଯେଉଁଠି ମଦର ହାଟ ବସିଥିଲା। କେଇଜଣ ସାଙ୍ଗଙ୍କ ଗହଣରେ ମଦ ଖାଇ ରାସ୍ତାରେ ପଡି଼ ଗଡି଼ଲ। ତୁମର ବାଇକ୍ ସେହି ଦୋକାନୀ ସହୃଦୟତା ସହ ପାଖରେ ରଖି ତୁମକୁ ଆଣି ସମର୍ପଣ କଲା। ତୁମେ ପ୍ରାୟତଃ ଦିନ ଦୁଇଟାରେ ପଡି଼ଛ ଯେ ରାତି ଏଗାର ଯାଏ ଶୋଇ ରହିଥିଲ। କିଏ ଜାଣେ ତୁମର ଦେହରେ ବୁଲା କୁକୁରମାନେ ଏକ କରି ଦେଇ ନ ଥିବେ? ତୁମର ବାପାମାଆ ଆଜି ନିଜକୁ ସହି ପାରୁଛନ୍ତି ନା କହି ପାରୁଛନ୍ତି?" ସୁରଜର ବାପା ମାଆଙ୍କୁ ଅନେଇ ପୁଣି କହିଲେ,"ବାପା ! କ'ଣ ମୁଁ ମିଛ କହୁଛି କି? ଗତକାଲି ତୁମର ଏ ବାପା ଓ ମାଆ ଅଟୋ ଗାଡି଼ ନେଇ ତୁମକୁ ବୋହି ଆଣିଛନ୍ତି। ସାରା ଦେହଟା କି ଗନ୍ଧ? ବୁଲା କୁକୁରଙ୍କ ଏକ ସହିତ ନିଜର ଏକ,ଦୁଇ ସହିତ ବାନ୍ତିର ମହକରେ ଏ ଘରଟା ଜାଣ ଫାଟି ପଡୁଥିଲା।


            ଏ କଥା ଶୁଣି ସୁରଜର ଚେତା ପଶିଲା। ସେ ସେହି ସାଧୁ ମହାତ୍ମାଙ୍କ ନିକଟରେ ନିଜ କୁକର୍ମ ପାଇଁ କ୍ଷମା ଭିକ୍ଷା କଲା। ଆଉ ଶପଥ ନେଲା କି ଆଉ ଜୀବନରେ ମଦର ଆଶ୍ରୟ ନେବ ନାହିଁ। ଭଲ କାମ କରି  ଭଲ ମଣିଷ ହୋଇ ଜୀବନକୁ ସରସ ସୁନ୍ଦର ସହ ଏ ସଂସାରର ସୌନ୍ଦର୍ଯ୍ଯକୁ ଉପଭୋଗ କରିବ। ସୁରଜ ସାଧୁ ମହାତ୍ମାଙ୍କ ଗୋଡ଼ତଳେ ପଡି଼ଗଲା। ସାଧୁ ମହାତ୍ମା ସୁରଜକୁ ଆଶୀର୍ବାଦ ଓ କଲ୍ଯାଣ କରି ଫେରିଗଲେ। ଦୁଇ ବାପା ଓ ମାଆ ପୁଅକୁ ଉଠେଇ କୁଣ୍ଢାଇ ଧରିଲେ ଓ ସାଧୁ ମହାତ୍ମାଙ୍କୁ ପ୍ରଣାମ ଓ ଶତକୋଟି ଧନ୍ଯବାଦ ଦେଇ ଆନନ୍ଦର ଅଶ୍ରୁ ବୁହାଇ ଦେଲେ।


                 -ସମାପ୍ତ-

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...