*🌹" ଲୀନାର ବାହାଘର"🌹*
*· · • • • • • • ✤ • • • • • • · ·*
*ତାରିଖ : ୧୦/୦୫/୨୦୨୧,ସୋମବାର !!*
*ରଚନା : ଅଜୟ ମହାଲ୍ଲା !!
ପରଦିନ ସକାଳୁ ଅଭିନବ ଲ୍ୟାପଟପ ଖୋଲି ଗୁଗଲ ଆର୍ଥରେ ଉତେଇ ନଦୀକୁ ଦେଖିବାକୁ ଚେଷ୍ଟା କଲା। ଏହି ନଦୀ କୂଳରେ ତ ମଦନପୁର ରାମପୁର ସହର ଯେଉଁଠି ଲୀନାର ପିଲାଦିନ କଟିଛି । ଯେଉଁଠି ଭଲ ପାଇବାରେ ନିବିଡ଼ତା ଥାଏ, ସେଠି ନିଜ ପ୍ରିୟାର ବାଲ୍ୟକାଳ ସହିତ ଜଡିତ ସ୍ଥାନ, ବସ୍ତୁ ସବୁ କିଛି ସୁନ୍ଦର ଲାଗେ ।
ଗୁଗଲ ଆର୍ଥରେ ଆହୁରି ଜୀବନ୍ତ ଆଉ ସୁନ୍ଦର ଦିଶୁଥିଲା ଉତେଇ ନଦୀର ଚିତ୍ର । ସେ ପାର୍ବତ୍ୟ ଶଯ୍ୟାରୁ ଓହ୍ଲେଇ ଆସି ତେଲ ନଦୀ ସହ ମିଶିଥିଲା । ତେଲ ନିଜେ ଉତ୍ଶୃଙ୍ଖଳ ଥିଲା - କିନ୍ତୁ ଗୋଟିଏ ବଡ଼ ନଦୀର ଗାରିମା ନେଇ । ସେ ବିଶାଳ ମହାନଦୀର ବଡ଼ ସହଚରୀ ଥିଲା ଯାହା । ତାର ତଟବର୍ତ୍ତୀ ପ୍ଲାବନ ଭୂମି ପ୍ରଶସ୍ତ ଥିଲା । ନୀଳ ଜଳରାଶି ବିଶାଳ ପ୍ରସ୍ତର ଚଟାଣ ଦ୍ୱାରା କେବେ ସଙ୍କୁଚିତ ହୋଇ କ୍ଷିପ୍ର ଗତିରେ ବହି ଯାଉଥିଲା ତ କେବେ ଓସରେଇ ଯାଉଥିଲା ସୁବିଧା ଦେଖି । ସେତିକିବେଳେ ନିଜର କ୍ଷିପ୍ରତା ହରାଇ ହସି ହସି ଆଗକୁ ବଢି ଯାଉଥିଲା । ସ୍ଥାନୀୟ ବାସିନ୍ଦା ବନଭୂମି ସଫାକରି ଯେଉଁ କୃଷିଭୂମି ସବୁ ତିଆରି କରିଥିଲେ, ସେଗୁଡିକ ସୋପାନ ସୋପାନ ହୋଇ ଓହ୍ଲେଇ ଆସୁଥିଲେ ନଦୀର କୂଳ ଛୁଇଁବା ପାଇଁ । ଜଳକୁ ଛୁଇଁବା ଲାଗି ମାଟିର ବି କି ଆକୁଳତା !
ଉତେଇ ନଦୀର ମହିମା କିଛି କମ୍ ନ ଥିଲା । ଆକାଶରୁ କଳା ବାଲିର ଶଯ୍ୟା ସଫା ଦିଶୁଥିଲା । କେତେବେଳେ ବଙ୍କେଇ ଯାଇ ସର୍ପିଳ ଠାଣିରେ ସେ ଚାଲୁଥିଲା ତ କେତେବେଳେ ସିଧା ବହୁ ଥିଲା । ସେ ନିଜେ ତେଲର ଉପନଦୀ ଥିଲା ଆଉ ତାର ବି ଉପନଦୀ ଥିଲେ । ବାସ୍ତୁ ପୁରୁଷର ଦୁଇ ଗୋଡ଼ ପରି ଆସି ମିଳିଥିଲେ ଦୁଇଟି ଉପନଦୀ ଏକତାରା ପାଖରେ । ମଝିରେ ପାହାଡ଼ଟିଏ ରଖି ଦୁଇପଟେ ବହୁଥିଲେ ନଦୀ ଦୁଇଟି । ପାହାଡ଼ ସରିଯିବା ମାତ୍ରକେ ଏକାଠି ହୋଇ ଗୋଟିଏ ଧାରାରେ ପରିଣତ ହୋଇଥିଲେ । ଏହି ଉପନଦୀ ଦୁଇଟି ମିଛଟାରେ ବହୁତ ଜାଗା ବୁଲି ବୁଲି ଆସିଥିଲେ ଘନ ବନାନୀ ଆଉ ପାହାଡ଼ ଭିତରେ । ମୁଁ ଜାଣିଥିଲି, ଲୀନା ଏସବୁ କେବେ ବି ଦେଖି ନ ଥିବ । କାରଣ କୌଣସି ସଡକ ଏପରି ସର୍ପିଳ ନଦୀକୁ ଅନୁସରଣ କରି ତିଆରି କରାଯାଇ ପାରେନା ।
ବାସ୍ତୁପୁରୁଷର ସେହି ବାଆଁ ଜଙ୍ଘ ଆଉ ପ୍ରକୃତ ଉତେଇ ନଈ ଯାହା ନାମରେ ମିଳିତ ନଦୀଟି ନାମିତ, ସେହି ଗୋଡ଼କୁ ଯଦି ଅନୁସରଣ କରି ତାର ଉତ୍ପତ୍ତି ସ୍ଥଳ ଆଡେ ଚାଲିଯାଏ, ତେବେ ସେ ହରିହର ସାଗର ପାଖରେ ପହଞ୍ଚିବ । ଯାହା କୂଳରେ ଲୀନାର ପିଲାଦିନର ଛୋଟ ଟାଉନ ମଦନପୁର ରାମପୁର ଅବସ୍ଥିତ ।
ଅଭିନବ ଯେତେବେଳେ ତାକୁ ଉତେଇ ନଦୀର କେଉଁ କେଉଁ ବିନ୍ଦୁ ସେ ସ୍ପର୍ଶ କରିଛି ବୋଲି ପଚାରିଲା, ସେ କେବଳ ଗୋଟିଏ ଶିବ ମନ୍ଦିରର ନାଆଁ ନେଲା । ସେହି ମନ୍ଦିରକୁ ତା ବାପା ତାକୁ ଛୁଟି ଦିନ ମାନଙ୍କରେ ନେଇ ଥାଆନ୍ତି । ଗୁଗଲ ଆର୍ଥ ଖୋଜି ମୁଁ ଶିବ ମନ୍ଦିରଟିଏ ପାଇଲି । ନଦୀ କୂଳରୁ ଟିକିଏ ଭିତରକୁ । କଳା କଳା ସିଆର ପଡିଥିବା କିଛି ପ୍ୟାଟର୍ନ ଲକ୍ଷ୍ୟ କରି ହେଉଥିଲା । ସେ ସବୁକୁ ଲୀନା ପକ୍ଷରେ ବୁଝିବା ଆଉ ବୁଝେଇବା କଷ୍ଟକର ଥିଲା । ସେ ବି କେଉଁ ଅଧିକ ଜାଣିଥିଲା ତା ଚାରି ପଟର ବଣ ଜଙ୍ଗଲକୁ ।
ଅଭିନବ ଲ୍ୟାପଟପ୍ ନେଇ ଲୀନାକୁ ଦେଖାଇଲା । ଲୀନାର ପିଲାଦିନର ସ୍ମୃତି ଆହୁରି ଜାଗି ଯାଇଥିଲା । ସେ ମୋତେ ସହରର ଗୋଟେ ଜାଗା ଦେଖାଇଲା । ତା ବାପାଙ୍କ ଅଫିସ, ପୋଲିସ ଥାନା ଆଉ ବଜାର ଇତ୍ୟାଦି। ହରିହର ସାଗର କୂଳରେ ମନ୍ଦିର ଆଉ ପାର୍କଟିଏ । ପାର୍କରେ ଥିବା ବରଗଛର ଓହଳରେ ଦୋଳିରେ ଝୁଲି ପୁଅ ପିଲା ମାନେ ହରିହର ସାଗରର ଜଳପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲେ । ଲୀନା ନିଜେ ଝିଅଟିଏ ହୋଇଥିବାରୁ ଏ ସବୁ କରି ପାରୁ ନ ଥିଲା । ତା ଦେହରେ ଏତେ ବଳ ବି ନ ଥିଲା । କିନ୍ତୁ ଅନ୍ୟ ମାନଙ୍କୁ ଓହଳି ମଜା ନେଉଥିବାର ଦେଖି ବଡ଼ ଦୁଃଖୀ ହୋଇଯାଏ ସେ ।
ସେ ତା ପିଲାଦିନ ମନେ ପକେଇ କଥାଟିଏ କହିଲା । ଥରେ ସେ କୂଳରେ ବନ୍ଧା ଥିବା ଡଙ୍ଗା ଉପରେ ଖୁସିରେ ଖୁସିରେ ଚଢି ଯାଇଥିଲା । ତା ପରେ ପବନ ବହିବାରୁ ବୋଟଟି ତାକୁ ନେଇ କୂଳରୁ ଧୀରେ ଧୀରେ ଦୂରକୁ ଚାଲି ଯାଉଥିଲା । ତା ପରେ ବହୁତ ଚିତ୍କାର କରି କୂଳରେ ଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲା ଲୀନା। ଲୋକମାନେ ଗୋଟିଏ ବୋଟ ନେଇ ତାକୁ କୂଳକୁ ଆଣିଥିଲେ ।
ତା ବାପା କାମ କରୁଥିବା କାର୍ଯ୍ୟାଳୟକୁ ଲାଗି କ୍ୱାର୍ଟର ଟିଏ ଥିଲା ଯେଉଁଠି ସେମାନେ ରହୁଥିଲେ । ସେଇଠି ଗୋଟିଏ ସ୍ଥାନୀୟ ବ୍ୟବସାୟୀର ଘର ଥିଲା ଯିଏ ତେଜରାତି ଦୋକାନଟିଏ ଚଳାଉଥିଲେ । ଯେତେବେଳେ ଲୀନା କୌଣସି ଜିନିଷ ପାଇଁ ତାଙ୍କ ଦୋକାନକୁ ଯାଏ, ଦୋକାନୀ ତାକୁ ଧରି ତା ଗାଲରେ ଚୁମ୍ବନ ଟିଏ ଦେଇ ଦିଅନ୍ତି । ଗରାଖ ନ ଥିଲା ବେଳେ ସେମିତି ପ୍ରାୟ ସବୁ ଥର । ଲୋକଟିର କର୍କଶ ଦାଢ଼ି ତା କଅଁଳ ଗାଲରେ ବାଜି ବହୁତ କାଟେ - ଏ କଥା ସେ କାହାରିକୁ କହି ପାରେନା ।
ମୁଁ ଲୀନାର ମୁହଁକୁ ଦେଖିଲି । ସେ ବୁଡି ଯାଇଥିଲା ଦୂର ସେହି ସ୍ମୃତି ଗୁଡିକରେ । ମୁଁ ତାକୁ ବର୍ତ୍ତମାନକୁ ଆଣିବାକୁ ଚେଷ୍ଟା କଲି । ତା ମୁହଁକୁ ଦୁଇହାତ ମଝିରେ ରଖି କହିଲି,
"ଯିବି ମୁଁ ମଦନ ରାମପୁର ତୁମ ସହ । ମଞ୍ଜୁଳା ଦିଦିକୁ ଖୋଜିବା ସେଠି । ଯେଉଁ ବର ଓହଳରେ ଓହଳି ପିଲା ମାନେ ହରିହର ସାଗର ଜଳ ଭଣ୍ଡାର ଭିତରକୁ ଝୁଲି ଯାଉଥିଲେ, ସେଠିକି ବି ଯିବା । ମୁଁ ଓହଳିବି ସେ ବର ଓହଳରେ - ତୁମେ ଦେଖିବ ।"
*କ୍ରମଶଃ...............*
*=============================*
*☘️🌸🌼🙏 ସମାପ୍ତ 🙏🌼🌸☘️*
*=============================*