Wednesday, April 7, 2021

Odia Story (ଓଡ଼ିଆ ଗପ)- 08

        


...ସକାଳ ଟା କାହିଁ ଆଜି ପୁରା ଅଳସ ଅଳସ ଲାଗୁଛି... ବାହାର ବେଞ୍ଚ ଉପରେ ବସି ଖବର କାଗଜ ଟା ଓଲଟାଉ ଓଲଟାଉ ଟିକେ ଦୂର କୃଷ୍ଣଚୁଡା ଗଛ ଆଡେ ନଜର ପଡ଼ିଲାରୁ କଢ଼ ଧରିଲାଣିକି ନାହିଁ ଦେଖିବାକୁ ନଜର ବୁଲି ଆସିଲା ତା ସହିତ ପାଖରେ ଥିବା ନିମ ଗଛରେ ପତ୍ର କଅଁଳିବା ତାଙ୍କ ନଜର ପଡିଲା....

କଢ଼ ଆଉ କଅଁଳିଆ ପତ୍ର କୁ ନିରୀକ୍ଷଣ କରୁ କରୁ ହାତରୁ ଖବର କାଗଜର ଭିତର ପୃଷ୍ଠା ଦୁଇଟା ତଳେ ଖସି ପଡ଼ିଲାରୁ ପୁଣି ପ୍ରକୃତିସ୍ଥ ହେଇ ଧ୍ୟାନ ଖବରକାଗଜ କୁ ଆଣିଲେ ସତ୍ୟଜିତ ବାବୁ......

ଅବସର ପରେ ଦୁଇ ବର୍ଷର ଧାଁ ଦୌଡ଼ରେ କିଞ୍ଚିତ ରିହାତି ମିଳିବା ପରେ କେତେବେଳେ କେମିତି ଟିକେ ଖାଲିରେ ବସି ରହିବାକୁ ଇଛା ହଉଛି ତାଙ୍କୁ...........ଦୁଇ ବର୍ଷ ଭିତରେ ପୁଅ ବାହାଘର,ଘର ତିଆରି ଆଉ ଅଲଗା କିଛି ବାକି କାମ ସାରିଦେଇ ଏବେ ଫୁରସତ ରେ ନିଜ ସାଙ୍ଗରେ କେବଳ ନିଜକୁହିଁ ସାଙ୍ଗ କରିବାକୁ ପସନ୍ଦ କରୁଛନ୍ତି....

ସେଇ ସମୟରେ' ମଲ୍ଲି' ଘର ଭିତରର ବାସନ ମଜା ସାରି ଚାରି ବଖରା ଘର ବାରଣ୍ଡା ମିଶେଇକି ଗ୍ୟାରେଜ ର ଚଟାଣ ମଧ୍ୟ ବାଲ୍ଟିରେ ଫିନାଇଲ ମିଶା ପାଣିରେ ବସି ବସି ନିଠେଇ  କନା ଚିପୁଡି ଚିପୁଡି ପୋଛି ସାରି ବାହାର ଢଳେଇ ରାସ୍ତା ଟା ଝାଡୁ ମାରିବାକୁ ଆସିଲା.....

".....ତତେ ହାଲିଆ ଲାଗୁନି କିଲୋ,ସକାଳୁ ତିନିଟା ଯାକ ଘରର କାମ ବୁଲି ବୁଲି ସାରିଦେଲୁଣି,ଆହୁରି କାହା ଘରକୁ ଯିବୁ କାମ କରିବାକୁ....."ସତ୍ୟଜିତ ବାବୁ ତାଙ୍କ ଆଗରେ ଝାଡୁ ମାରୁଥିବା ମଲ୍ଲି କୁ ଦେଖି ଏ କଥା ପଚାରିଲେ..

".....ଆଉ ହାଲିଆ ପଡିଲେ ହବକି ଭାଇନା...ଏଇ ତମ ମାନଙ୍କଠୁ ଯାହା ପାଉଛି ସେଥିରେ ତ ଦିନୁ ବାପାର ଔଷଧ ପତ୍ର ଆଉ ଅନ୍ୟାନ୍ୟ ଖର୍ଚ୍ଚ ହଉଛି..... ନହେଲେ କୁଆଡୁ ଆଣିବି....."ମଲ୍ଲି କାମ କରିବା ଭିତରେ ଉତ୍ତର ଦଉଥିଲା....

ସତ୍ୟଜିତ ବାବୁ ପିଲାବେଳୁ ଦେଖି ଆସୁଛନ୍ତି ଏ ମଲ୍ଲିକୁ ଯେବଠୁ ତାଙ୍କ ବାପା ଏ ଜାଗା କିଣି ଏଠି ରହିବାକୁ ଆସିଥିଲେ ସେବେଠୁ...

...  ନୂଆ ବାହା ହେଇ ଆସି ପଛ ପଟ ବସ୍ତିରେ ରହୁଥିଲା....ବାପା ବୋଉ ଥିଲାବେଳେ ଘର ର ଯାବତୀୟ କାମ କରୁଥିଲା ମଲ୍ଲି....

ଏବେ ସତ୍ୟଜିତ ବାବୁ ନିଜେ ରିଟାର କରି ସେଇ ଜାଗା ଭିତରେ ଘର ତିଆରି କରି ଦୁଇ ବର୍ଷ ହେଲା ଆସିଛନ୍ତି...ଆଉ ସେଇ ମଲ୍ଲି ଆସି ତାଙ୍କ ଘରେ କାମ କରୁଛି...

ପ୍ରାୟ ଦିନ ମଲ୍ଲି ଘରେ କାମ କଲାବେଳେ ଯଦି ସତ୍ୟଜିତ ବାବୁ ଘରେ ଥାଆନ୍ତି ତେବେ ସେଇ ଏକା ପ୍ରଶ୍ନ ମଲ୍ଲିକୁ ପଚାରନ୍ତି ଆଉ ମଲ୍ଲିବି ସେଇ ଏକା ଉତ୍ତର ଦିଏ....

ସେଦିନ ମଲ୍ଲି କାମ କରି ଗଲା ପରେ ପରେ  ଦିବାକର ବାବୁ ଯିଏକି ସତ୍ୟ ବାବୁଙ୍କ ସ୍କୁଲ ସାଙ୍ଗ ଆଉ ଅବସର ପରେ ସେଇ ପାଖରେ ଘର କରି ଅଛନ୍ତି ଆସି ସତ୍ୟବାବୁଙ୍କ ପାଖରେ ବେଞ୍ଚ ଉପରେ ବସି ଗପସପ ଆରମ୍ଭ କଲେ.....

".....ଆଚ୍ଛା ସତ୍ୟ,ତୁଳସୀ ଦାସ ପ୍ରାୟ ଭଜନ ଆଉ ରଚନା ଗୁଡାକ ତୁ ପଢିଛୁତ.....ମୁଁ ବି କିଛିଟା ପଢ଼ିଛି....ମୁଁ କିନ୍ତୁ ବୁଝିପାରୁନି ସିଏ ସବୁ ପ୍ରାର୍ଥନା ଗୁଡାକ ରେ ଜଣାଉଛନ୍ତି ଯେ 'ତମେତ ଦିନ ବନ୍ଧୁ,ଗରିବ ପ୍ରାଣ,ଆଉ ଆରତନାସନ...ମୁଁ କଅଣ ଗରିବ ନୁହେଁ ନା ମୁଁ ତୁମ ଭକ୍ତିରେ ଆରତ ନୁହେଁ...ତେବେ ମୋ ଉପରେ କାହିଁ ଦୟା କରୁନ...'ମୁଁ ପ୍ରକୃତରେ ଯେତେଥର ପଢିଲେବି ବୁଝିପାରୁନି ପ୍ରକୃତରେ କୋଉ ଗରିବି ବିଷୟରେ ସିଏ ଜଣାଉଛନ୍ତି......"   ଦିବାକର ଙ୍କ ଏ ପ୍ରଶ୍ନ ରେ ଜୋରରେ ହସି ଉଠିଲେ ସତ୍ୟ ବାବୁ ଆଉ କହିଲେ.....

" ତୁ ଭଲ ଲୋକକୁ ପଚାରିଲୁ.....ମତେତ କିଛି ଜଣା ନାହିଁ....ଖାଲି ସନ୍ଧ୍ୟାରେ ପିଲାଦିନୁ ବାପାଙ୍କ ସାଙ୍ଗରେ ସବୁ ଭାଇ ଭଉଣୀ ମିଶି ପ୍ରାର୍ଥନା କରିବାର ଅଭ୍ୟାସ ଥିଲା ସେଇ ଅଭ୍ୟାସ ଚାଲୁ ରଖିଛି...କିଛି ପ୍ରାର୍ଥନା ବୋଲି ଦଉଛି...ସେ ବୋଲିବା ଭିତରେ ବି ନାନା ଚିନ୍ତା ମୁଣ୍ଡରେ ପଶୁଥାଉଛି...ଫେରେ ମୋବାଇଲ ବାଜିଲେ ରେସ୍ପଣ୍ଡ ବି କରା ହଉଥାଉଛି....ଆଉ ମୁଁ କଅଣ ତତେ ଏ ପ୍ରଶ୍ନର ଉତ୍ତର ଦେବି...."

ଦୁଇ ସାଙ୍ଗ ହୋ ହୋ ହେଇ ହସି ଉଠି ଅନ୍ୟ ବିଷୟ କୁ କଥା ବୁଲେଇ ଦେଇ ମନ ଭରି ଗପିବା ଭିତରେ ଦୁଇ ଦୁଇ କପ ଚା ବି ପିଇ ସାରିଥିଲେ


ସତ୍ୟ ବାବୁଙ୍କର ଭରାପୁରା ପରିବାର....ଆଦ୍ୟ ଚାକିରୀ ଜୀବନରେ କିଛି କିଛି ସଂଘର୍ଷ କରିବାକୁ ପଡିଥିଲା ପରିବାର ପ୍ରତିପୋଷଣ କରିବାରେ କିନ୍ତୁ ଦୁଇ ପୁଅ ବଡ଼ ହେଇ ନିଜ ଦାୟିତ୍ୱ ନିଜେ ନେଇ ନିଜକୁ ଖୁବ ଭଲରେ ପ୍ରତିଷ୍ଠିତ କରିପାରିଥିଲେ.......

ଦୁହେଁ  ବାହାରେ ଚାକିରୀ କରି ନିଜ ନିଜ ପରିବାର ସହିତ ସମୟ ସହିତ ଗତିଶୀଳ ହେବାରେ ସ୍ୱାଧୀନ........ପାଠ ପଢିବା ସମୟ କୁ ଛାଡିଦେଲେ କହିବାକୁ ଗଲେ ସତ୍ୟ ବାବୁଙ୍କୁ ପିଲାମାନଙ୍କ ଆଉ କୌଣସି ଗୁରୁ ଦାୟିତ୍ୱ ନିଜେ ଉଠେଇବାକୁ ପଡିନି....

ସେମାନଙ୍କ ବାହାଘରରେ କେବଳ ଯାହା ଜାତକ ମିଳେଇବା ଓ ଜଣେ ମୁରବିର ଆସନରେ ବସିବା ଛଡ଼ା ପିଲାମାନେ ପ୍ରାୟ ନିଜେହିଁ ଖର୍ଚ୍ଚ କରି ସବୁ କାର୍ଯ୍ୟ ତୁଲେଇଥିଲେ....

ବୋହୁ ମାନଙ୍କ ଡେଲିଭରି ସେମାନଙ୍କ ବାପ ଘର ଲୋକ ତୁଲେଇ ଥିଲେ.......କିଛି ଜଞ୍ଜାଳ ନକରିବି ଏବେ କେବେ । କେମିତି ପୁଅ ମାନେ ଯଦି କିଛି ଲମ୍ବା ଛୁଟିରେ ପରିବାର ଧରି ତାଙ୍କ ପାଖକୁ ରହିବାକୁ ଆସୁଛନ୍ତି ତେବେ ସିଏ ଖୁସି ହେଲେବି ଟେନ୍ସନ ହେଇ ଯାଉଛନ୍ତି...ଗହଳି ଚହଳି.... ପିଲାମାନଙ୍କ କାନ୍ଦବୋବାଳି....ମରାପିଟା....ଦେହ ଖରାପ ଏଇ ସବୁ ଯାବତୀୟ ଜଞ୍ଜାଳକୁ ସାମ୍ନା କରୁ କରୁ.......

ଦିବାକର ବାବୁ ସେଦିନ କହୁଥିଲେ ତାଙ୍କର ବଡଝିଅର ଦ୍ୱିତୀୟ ଡେଲିଭରି ପାଇଁ ପନ୍ଦର ଦିନ ହେଲା ଆସି ଘରେ ଥିଲା,ଆଉ ଦୁଇ ମାସ ପରେ ତାର ଡେଲିଭରି ହବାର ଥିଲା.....ତାଙ୍କ ବଡ଼ ଝିଅ ନମି ର ପାଞ୍ଚ ବର୍ଷର ବଡ ପୁଅଟା ଭାରି ଚଗଲା,ତାକୁ ସମ୍ଭାଳି ବାକୁ ଘରଟା ଯାକ ଲୋକ କମ ପଡନ୍ତି.........ସେଇ ଭିତରେ ସାନ ଝିଅ ତାର ଦେଢ଼ ବର୍ଷର ପୁଅକୁ ଧରି ପୁନା ରୁ ଆସି ମାସେ ହେଲା ଶ୍ୱଶୁର ଘରେ ଥିଲା ତାକୁ ଡାକି ଆଣିଛନ୍ତି.......

କେତେ ବାଧ୍ୟ କରିଥିଲେ ସତ୍ୟ ବାବୁ ଟିକେ ଗପସପ ହେବା ପାଇଁ ସେଇ ବେଞ୍ଚ ଉପରେ ବସିବାକୁ....କିନ୍ତୁ ଦିବାକର ବାବୁ ବେସି ଟାଇମ ନ ବସି ସଉଦା ବ୍ୟାଗ ଟା ଧରି ତର ତର ହେଇ ଘରକୁ ପଳେଇଥିଲେ..."ଘରେ ଝିଅ ଆଉ ନାତି ମାନଙ୍କ ସାଙ୍ଗରେ ସମୟ କୁଆଡେ ଦଉଡି ପଳଉଛି, ତାକୁ ଧରିକି ରଖି ହଉନି......ମୁଁ ଯାଏଁ ଘରକୁ,ପରେ କଥା ହେବା..."

କହି କହି

ସତ୍ୟ ବାବୁ ଭାବିଚାଲିଥିଲେ.....

ଅଦ୍ଭୁତ ଲୋକ ଇଏ, ଦୁଇ ଦୁଇଟା ଝିଅକୁ ପିଲାରୁ ବଡ଼ ହେଲା ଯାଏଁ ନିଜ ଆଖି ଆଗରେ ଜଗି ଜଗି ବଡ଼ କରିବାର ଦାୟିତ୍ୱ...ସତ୍ୟ ବାବୁଙ୍କ ଝିଅ ନଥାଇବି ନିଜେ ଗୋଟେ ବାପା ହିସାବରେ ହୃଦବୋଧ କରିପାରୁଛନ୍ତି.....

ଆଜିର ଏଇ ଉଗ୍ର ଆଧୁନିକତା ଭିତରେ ନିଜର କାୟା ବିସ୍ତାର କରୁଥିବା ପୈଶାଚିକ ଶକ୍ତି ମାନଙ୍କ ଆଗରେ ଏକ ଢାଲ ସଦୃଶ ଝିଅ ମାନଙ୍କୁ ବଡ଼ କରି ଉଚ୍ଚଶିକ୍ଷା ଦେଇ ସେମାନଙ୍କ ଘର ବସେଇ ପାରିବା ସତରେ ଏକ ଦୁରୁହ ବ୍ୟାପାର......

ଏତେ ଜଞ୍ଜାଳ ମୁଣ୍ଡେଇ ମୁଣ୍ଡେଇ ଦିବାକର ବାବୁ ହାଲିଆ କେମିତି ହେଇ ପଡିନାହାନ୍ତି..ବରଂ ଏକ ଅଦ୍ଭୁତ ଅହେତୁକ ଭଲ ପାଇବା କୁଆଡୁ ତାଙ୍କ ଭିତରେ ଉଦ୍ରେକ ହଉଛି ଏ ବୟସରେ ବି ପିଲା ମାନଙ୍କ ଜଞ୍ଜାଳ କରିବାକୁ ପାଖକୁ ଡାକୁଛନ୍ତି........ତାଙ୍କର ତ ପୁଅଟେବି ନାହିଁ...ସବୁ କାମ ନିଜେହିଁ କରନ୍ତି.....ଏପଟେ ସ୍ୱାମୀ ସ୍ତ୍ରୀ ଉଭୟେ ଡାଇବେଟିସ ରୋଗୀ......ବାପ ରେ ବାଆପ....ମାନିବାକୁ ପଡିବ ଏ ଝିଅର ବାପା ଗୁଡାକୁ......

ବୋଧହୁଏ ଭଗବାନ ମଣିଷ ସୃଷ୍ଟି କରିବା ପରେ ସେଥିରୁ ବଛାବଛି କରି ଯେଉଁ ଲୋକ ଗୁଡାକୁ ଅଧିକ ଧର୍ଯ୍ୟ ଆଉ ସହନଶୀଳତା ଦେଇ ଥାଆନ୍ତି ସେଇ ମାନଙ୍କୁ କେବଳ ଝିଅ ଦେଇଥାଆନ୍ତି......


ଦିବାକର ବାବୁଙ୍କ ସଙ୍ଗେ ସେଦିନର ଭେଟ ପରେ ପାଖା ପାଖି ତିନି ମାସ ହେବ ଆଉ କେବେ ଭେଟା ଭେଟି ହେଇପାରିନଥିଲେ ଯେଉଁଦିନ ସିଏ ତାଙ୍କ ବଡ ଝିଅର ଝିଅଟେ ହେଇଛି ବୋଲି ମିଠା ନେଇ ଆସିଥିଲେ ସେଇଦିନ ଯାଏଁ....


ମଲ୍ଲି ବି ଦୁଇଦିନ ପରେ ଖୁସିରେ ତାର ଅଧେ ଦାନ୍ତ ନଥିବା ପାଟିରେ ହସି ହସି ଆସି ସତ୍ୟ ବାବୁଙ୍କ ଗୋଡ଼ ତଳେ ବସିପଡ଼ିଲା ଆଉ କହିଲା...

"...ଭାଇନା ମୋ ପୁଅକୁ ଚାକିରୀ ମିଳିଗଲା....ସେଇ ଯୋଉ ଘରେ ଘରେ ଜିନିଷ ସବୁ ଦେଉଛନ୍ତି କୋଉ କମ୍ପାନୀ ର ସେଇଥିରେ...."

ସତ୍ୟ ବାବୁଙ୍କ ସ୍ତ୍ରୀ ପାଖରେ ବସିଥିଲେ କହିଲେ..."ଓହୋ..ଫ୍ଲିପକାର୍ଟ ରେ କିଲୋ...."

."..ହଁ... ହଁ...ସେଇ କଣ ଗୋଟେ..... ତା ବାପା ରଖିଥିବା ଟଙ୍କା ମିଶେଇ ପୁରୁଣା ମଟର ସାଇକେଲ ଟେ କିଣି ଥିଲା...ଏବେ କାମରେ ଆସିଲା...ଖାଲି ସେ ଘରଟା ଟିକେ ବାଗେଇଦେଇ ତାର ଗୋଟେ ବଖରା ବାହାର କରିଦେଲେ...ବାହାଘର ଟା କରିଦେବି...."କହି କହି ଖୁସିରେ ତାଳିଟେ ମାରିଦେଲା...

"ସବୁ ଠିକ ଟାଇମରେ ତୋର କାମ ଗୁଡାକ ହେଇଯିବ......ସମସ୍ତେ ତତେ ଭଲ ପାଉଛନ୍ତି ତୋର ସବୁ ଭଲ ହବ....'"ସତ୍ୟ ବାବୁ ବି ଖୁସିରେ ତାକୁ କହିଥିଲେ....


କିଛି ଦିନ ପରେ ମଲ୍ଲି ତା ପୁଅର ବାହାଘର ସାରିଦେଲା....ତାକୁ ଭଲ ପାଉଥିବା ସବୁ ବାବୁ ଘରୁ ତାକୁ ସାହାଯ୍ୟ ମିଲଥିଲା.......କିନ୍ତୁ ବାହାଘରର ମାତ୍ର ଦୁଇ ମାସ ପରେ ନିଜ ବୋହୂକୁ ପ୍ରଶଂସା କରି ବୁଲଥିବା ମଲ୍ଲି ହଠାତ ସମସ୍ତଙ୍କୁ ଛାଡି ଚାଲିଗଲା.....

ଖବର ପାଇ ସତ୍ୟ ବାବୁ ଓ ତାଙ୍କ ସ୍ତ୍ରୀ ଦଉଡି ଯାଇଥିଲେ ବସ୍ତି ଭିତରେ ତା ଘରକୁ....

ଶମ୍ଭୁ,ମଲ୍ଲୀର ସ୍ୱାମୀ କତରା ଲଗା ହେଇ ପଡିକି ଭୋ ଭୋ କାନ୍ଦୁଥିଲା....

ସତ୍ୟ ବାବୁଙ୍କୁ ଦେଖି ଆଉରି ଜୋରରେ କାନ୍ଦି ଉଠି କହିଲା...."ବାବୁ, ଆଉ କେତେ କରିଥାଆନ୍ତା...ମୋର ଏ ଦର ପୋଡା ମୁଁହ କୁ ଦେଖିଲେ ଲୋକ ଡରୁଥିଲେ କିନ୍ତୁ ସିଏ ମୋର ହାତ ଧରିଥିଲା.....ଅଧା ବାଟରୁ ଅଟୋ ମାଡ କରି ଅଣ୍ଟା ତଳୁ ଅକର୍ମଣ୍ୟ ହେଇଗଲି,ତା ଉପରେ ଶ୍ବାଶ .....ପୁଅ ର ଦଶ ବର୍ଷ ବୟସରୁ ଆମ ଦୁଇ ଜଣଙ୍କୁ ସମ୍ଭାଳି ସମ୍ଭାଳି ହାଲିଆ ହେଇଗଲା,...ଶୋଇପଡ଼ିଲା ବାବୁ ସବୁ ଦିନ ପାଇଁ.....ସବୁ କାମ ସାରିଦେଇ...କେବେ ବିରକ୍ତ ହେଇନି କି କିଛି ଅଭିଯୋଗ କରିନି....ମୁଁ ବଡ଼ ଅଭାଗା ବାବୁ ତା ପାଇଁ କିଛି କରିପାରିଲିନି...."କହି କାନ୍ଦିବାରେ ଲାଗିଲା....

ଅଳ୍ପ ଦିନର ବୋହୁ ଟା ବି ବାୟାଣୀଙ୍କ ଭଳି କାନ୍ଦୁଥିଲା...ତା ଶାଶୁଙ୍କୁ ଝୁରି ଝୁରି....

କୋକେଇ ରେ ବନ୍ଧା ସରିଥିଲା ସାଇ ଭାଇଙ୍କ ଦ୍ୱାରା... ମଲ୍ଲି ଶୋଇଛି ଚିର ନିଦ୍ରାରେ....ତାର ଶୁଭଚିନ୍ତକ ଚାରି ପାଞ୍ଚ ଜଣ ବାବୁ ମାନେ ମଧ୍ୟ ଅଛନ୍ତି.....ହଠାତ ସତ୍ୟ ବାବୁ ଆଣ୍ଠୁ ମାଡି ବସିପଡି ସେଇ ବସ୍ତି ରାସ୍ତାଟା ଉପରେ ହାତ ଯୋଡ଼ି ଲମ୍ବା ମୁଣ୍ଡିଆଟେ ମାରି ଉଠିଲେ.....

ତାଙ୍କ ସ୍ତ୍ରୀ ଆଉ ଦିବାକର ବାବୁ ତଥା ସବୁ ଲୋକ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲେ...ଏତେ ବୟସ୍କ ସତ୍ୟବାବୁ ବ୍ରାହ୍ମଣ ଲୋକ ଜଣେ କାହିଁକି ମୁଣ୍ଡିଆ ମାରିଲେ.....

"ସତ୍ୟ ବାବୁ,ଆପଣ କାହିଁକି ମୁଣ୍ଡିଆ ମାରିଲେ...."ଦିବାକର ବାବୁ ଆଉ କିଛି କହୁଥିଲେ କିନ୍ତୁ ସତ୍ୟ ବାବୁ  ପ୍ରସନ୍ନ ମୁଁହରେ ତାଙ୍କ କାନ୍ଧ ଉପରେ ହାତ ରଖି କହିଲେ......."ଆରେ ଦିବାକର,ତୁ ପଚାରୁଥିଲୁନା ଠାକୁରଙ୍କ ପାଖରେ ଗରିବ କିଏ....ମୁଁ ବି ସେଇ ପ୍ରଶ୍ନର ଉତ୍ତର ଖୋଜୁଥିଲି...ବୋଧହୁଏ ଆଜି କିଛିଟା ପାଇଛି.....ଏଇ ଦେଖେ ମଲ୍ଲୀର ମୁଁହକୁ....କି ଉଜ୍ଜ୍ୱଳ ଆଉ ତେଜୋଦୀପ୍ତ ଦେଖାଯାଉଛି....ସିଏହିଁ ଗରିବ ଆଉ ଠାକୁରଙ୍କ ପାଖରେ ଏବେ ଅଛି....ସିଏ ଗରିବ ଥିଲା.....ମୁଁ କରିଦେଲି କି ମୋ ଦ୍ୱାରା ହେଇଗଲା ସିଏ କେବେ କହେନି... ତେଣୁ ମୁଁ ଭାବୁଛି...ଯିଏ ଅହଂ ଶୂନ୍ୟ ସିଏହିଁ ଅହଂ ରୂପକ ଧନରେ ଗରିବ....ଅର୍ଥରେ ଗରିବ ଗରିବ ନୁହେଁ......"

ଦିବାକର ବାବୁ ସମ୍ମତି ସୂଚକ ଆତ୍ମତୃପ୍ତିର ହସ ହସୁଥିଲେ ଆଉ ସିଏବି ମଲ୍ଲିକୁ ନମାସ୍କର କରି ମୁଣ୍ଡିଆ ମାରିଥିଲେ....


*========@==========@===========* 

                        🙏   ସମାପ୍ତ   🙏

*=========@==========@==========*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...