Tuesday, April 6, 2021

Odia Story(ଓଡ଼ିଆ ଗପ)-07




ଝରକା ଫାଙ୍କ ଦେଇ ଖରା ଧାରେ ମୁହଁରେ ପଡିବାରୁ ଗରମ ଲାଗିଲା ମାଧବୀକୁ .ଚାଉଁ କିନା ନିଦ ଭାଙ୍ଗି ଗଲା.ଧଡ଼ ପଡ ଉଠି ବସି ଝରକା ଖୋଲି ଅନେଇଲା. କେତେବେଳୁ ରାତି ପାହି ସୂର୍ଯ୍ୟ ପାଦ ବଢ଼ଉଚନ୍ତି ଆକାଶ କାନ୍ଧକୁ. ଶବ୍ଦମୟ ପୃଥ୍ୱୀବୀରେ ଏକଲା ସିଏ ଶୋଇଛି । ପାଖରୁ ସାଗର କେତେବେଳୁ ଉଠି ଗଲେଣି. ସାଢ଼େ ପାଞ୍ଚରେ ନିଦ ଭାଙ୍ଗେ ତାଙ୍କର. ଶୋଇବା ଯେତେ ଡେରି ହେଉ ପଛେ. ଘଣ୍ଟାଟେ ୱାକିଙ୍ଗ ରେ ଦେବା ତାଙ୍କ ଦୈନିକ ଜୀବନ ଚାର୍ଯ୍ୟରେ ପ୍ରଥମ ପର୍ବ. ଶାଶୁ ବି କିମିତି ଏଯାଏ ସ୍ଥିର ଅଛନ୍ତି, କିଜାଣି? ସୂର୍ଯ୍ୟ କୋଉପଟୁ ଉଠିଲେ କି ଆଜି? କୁଆ କାଆ ନ କଉଣୁ ଯା'ର ଚା ଦରକାର, ବିନା ଚାଆ ରେ ବଞ୍ଚିଛନ୍ତି କିମିତି ଆଜି? ରାତିଟା ଅନିଦ୍ରା ରେ ଦେଇ ପାହାନ୍ତା ପାହାନ୍ତା ଟିକେ ପତା ଲାଗି ଯିବାରୁ ଅବସ୍ତା ଏଇଆ.

ମାଧବୀ ପାଣି ଚଳେ ମୁହଁରେ ଛାଟି ଯାଇ ପହଂଚିଲା ଶାଶୁଙ୍କ ପାଖରେ. ଦାଣ୍ଡ ଦୁଆରେ ବସି ସିଏ ନିଘା ରଖି ଥାଆନ୍ତି ଗଲା ଆଇଲାଙ୍କୁ. କାନ ଥାଏ ଘରେ. ମାଧଵୀ ପାଦ ଶବ୍ଦ ଶୁଣି ଅନେଇବାରୁ ମାଧଵୀ କହିଲା, ଟିକେ ଶୋଇ ପଡିଲି ବୋଉ. ଡେରି ହେଇ ଗଲା.

----- ମୁ ଜାଣିଚି. ତୋ ଦେହ ଖାରାପ.ସାଗର କହିଛି ନ ଉଠିବା ଯାକେ ଡାକିବୁନି. ସେଥିପାଇଁ. ନାଇଁ ତ ଭୁଆସୁଣୀ କିଏ ଶୁଏ ଏତେ ସମୟ? ମୁଁ ନ ଡାକି ରହି ଥାଆନ୍ତି?

----- ସାଗର ଆପଣଙ୍କୁ କହିଲେ ମୋ ଦେହ ଖରାପ ବୋଲି?

------ ପୁଅଟା ଗଲା ଯେତେବେଳେ କାହା ଉପରେ ଦାୟିତ୍ୱ ଦେଇ ଯାଇ ଥାଆନ୍ତା? ଆଛା ବୋହୁ, ସିଏପା' ପନ୍ଦର ଦିନ ଛୁଟି ନେଇ ଆସିଥିଲା. ଜମିଜମା କାଗଜ ପତ୍ର ଠିକ କରିବାକୁ? କାମ ହେଇନି, ଚାଲିଗଲା? ପଚାରିବାରୁ କହିଲା, ଅଫିସ ରୁ ଜରୁରୀ ଫୋନ ପାଇ ଯାଉଛି. ଆଉଥରେ ଆସିଲେ କାମ ହବ.

ମାଧଵୀ କୁ କିଛି ଅବୁଝା ରହିଲା ନାଇଁ. କେଡେ ସ୍ୱାର୍ଥପର ମଣିଷ. ଆପଣା ଛଡା କାହାରି ମାନସିକତାକୁ ବୁଝିବା ତ ଦୂର, ଧ୍ୟାନ ବି ଦିଅନ୍ତିନି. ଏତେ ଟିକେ କଥା. ଘର କରି କାହାର ନାଇଁ? ଦୋଷ ବା କଣ ତାର? ଅଥଚ, ତିଳକୁ ତାଳ କରି ରାତି ପାହିବା ଆଗରୁ ଫୁ... କଣ ପ୍ରତିଶୋଧ? ନ ନେବ କାହିଁକି?ତମେ ହେଲ ପୁରୁଷ. ପ୍ରତିଶୋଧ ନେଇ ମଜ୍ଜା ଦେଖିବ. ଆହ୍ଲାଦିତ ହେବ. ମୁ ସ୍ତ୍ରୀ. ବିନା ଅପରାଧ ରେ ଦଣ୍ଡ ମୁଣ୍ଡେଇବା ମୋ ଧର୍ମ.

କାଠଟା ପରିକା ଠିଆ ହେଇ ମାଧଵୀ ଭାବୁଥାଏ. ଶାଶୁ କହିଲେ, ବିଛଣା ଉଠେଇ ଘର ଝାଡୁ ସାରିଦେ. ଯେତିକି ପାରୁଛୁ କର. ବାକି ପରେ..

ମାଧଵୀ କାନକୁ ଶାଶୁଙ୍କ କଥା ଛୁଁ 'ନଥିଲା. ସେଠୁ ଫେରି ଆସି ବସିଲା ତା ବିଛଣାରେ. ବସି ଭାବିଲା ପରିସ୍ଥିତି ସମ୍ପର୍କରେ. ତାକୁ ନ ଜଣେଇ ପନ୍ଦର ଦିନ ପାଇଁ ଆସିଥିବା ମଣିଷ ଦିନ ଚାରିଟା ନ ଯାଉଣୁ ଚାଲିଗଲେ. କଣ ପାଇଁ? କି ଅପରାଧର ଭାରି ଦଣ୍ଡ ଇଏ? କଥା ତ ଏଇଆ..., ଖିଆପିଆ ପରେ ସମସ୍ତେ ଚାଲିଯିବେ ଆପଣା ଆପଣା ବିଛଣାକୁ. ଶୁନ ଶାନ ଘରଟା ଭିତରେ ବାସନ ସଫା ସହ ରୋଷେଇ ଘର, ଗ୍ୟାସ ଚୁଲା ସଫା କରି, କବାଟ ଝରକା ସବୁ ବନ୍ଦ କରି ଯିବ ରୁଟିନ ର ଶେଷ ପର୍ବକୁ. ବାପା ଗୋଡ଼ ଫେରେଇ ନେଇ ମନା କରିବେ ଗୋଡ଼ରେ ଦେବାକୁ.ବୋଉ ବଢ଼େଇ ଦେବେ ଗୋଡ଼ ପରେ ଗୋଡ଼. ପକ୍କା ଅଧଘଣ୍ଟା ନ ମୋଡିଲେ ତାଙ୍କ ବଥା ମରିବନି. ଝାଳ ସର ସର ହେଇ ଫେରିବା ବେଳକୁ ରାତି ଏଗାର.ସବୁଦିନର ନିର୍ଘଣ୍ଟ କର୍ମ ଇଏ. କୋଉ ନୂଆ ଆଜି? ଆସି ଦେଖିବା ବେଳକୁ ବାବୁଙ୍କ ନାକ ଡାକୁଚି.ମାଧଵୀ ହଲେଇ ଦେଇ ଗେହ୍ଲେଇ ଡାକିଲା, ଏ'ଇ, ଶୋଇ ପଡିଲକି? କେତେ ନିଦ ମ ? ମୁଁ ଆସିନି, ଶୋଇ ପଡୁଛ ଏକା ଏକା?


ସାଗର ଚୁଙ୍କିଲା ନାଇଁ. ମାଧବୀ ମନକୁ ସନ୍ଦେହ ଛୁଇଁଲା. ବୁଝି ନେଲା ତା ଡେରି ପାଇଁ ସାଗରଙ୍କ ଅଭିମାନ. ଆଉଟିକେ ଦେହକୁ ଦେହ ଲଗେଇ ମାଧବୀ କହିଲା, ସେମାନେପା' ଗୁରୁଜନ. ତାଙ୍କୁ ଭୁଲି କିମିତି ଆସିଥାଆନ୍ତି ଯେ? ସରିଲେ ତ ଆସିବି. ରାତି ତ ପଡିଛି. ପଡିଛି ଜୀବନ. କଉ ସରିଯାଉଛିକି? ଏତେ ବ୍ୟସ୍ତ ? ଟିକେ ଟିକେ କଥାରେ ରାଗ? ମୋ ମାଆଲୋ.. ମାଧବୀ ସାଗର ହାତକୁ ଭିଡି ନଉଥିଲା ତା ଛାତି ଉପରକୁ. ଛାଟି ନେଇ ସାଗର କହିଲା, ଚୁପ ଚାପ ଶୋଇପଡ. ଖାଲି ବାପା ବୋଉ ତମର. ମୁ କିଏକି? ମୋତେ ଡିଷ୍ଟର୍ବ କରନା. ତା'ପରେ ଯେତେ ଚେଷ୍ଟା କରିଛି, ଉର୍ବଶୀ ସିନା ସଫଳ ହେଇଥିଲା ବିଶ୍ୱାମିତ୍ରଙ୍କ ପାଖରେ,ସିଏ ପାରିଲାନି. ଓଲଟି ଧମକ ପାଇଲା. ସାଗର ଶୋଇଲେ, କି ନା, ସିଏ ଜାଣେନା. ଗୋଟା ରାତି ବିଛଣାରେ ବସି ବସି ପାହାଁତାକୁ କ୍ଳାନ୍ତ ଶାରୀର କେତେବେଳେ ଲୋଟିପଡିଛି. ଇଆ ଭିତରେ ଅବସ୍ଥା ଏଇଆ.

ମାଧବୀ କଣ କରିବ, କିଛି ଚିନ୍ତା କରି ପାରୁ ନ ଥାଏ. କୂଳରେ ବନ୍ଧା ଯାଇଥିବା ନୌକାଟିଏ ଯେମିତି ଶୃଙ୍ଖଳ ମୁକ୍ତ ହେଇ ଭାସି ଚାଲିଛି ଗଭୀର ସମୁଦ୍ର ମୁହାଁ. କେହି ନାଇଁ ଅଟକେଇବାକୁ. ଅବସ୍ଥା ଜଳ ଜଳ ଆଖିକୁ. ସାଗର ପୁରୁଷ. ସ୍ୱାମୀ. ସିଏ ତାଙ୍କର ସ୍ତ୍ରୀ. ଜଣେ ନାରୀ. ପୁରୁଷାଶ୍ରିତ .ଘୃଣା ଆସିଲା ଆପଣା ଉପରେ.କଲେଜ ସେମିନାର, ଡିଵେଟରେ ନାରୀ ସ୍ବାଧୀନତା ଉପରେ ଦେଇଥିବା ଭାଷଣ ଏବେ ଚୁଲିରେ ଅଙ୍ଗାର. ନା ଜଳୁଛି, ନା ଜଳେଇବାର କ୍ଷମତା ଅଛି. କ୍ଷେତ୍ର ଅନୁଭୂତି ଏବେ ୠମେ ୠମେ. ଭାବିଥିଲା ସବୁ କିଛିକୁ ଚଳୁ କରି ହେବ ଭଲ ବୋହୁ. ବୋହୁ, ନା ଚୋପା. ନା ଭଲ ହଉଚି, ନା ଖରାପ. କିଛି ବି ହେଇ ପାରୁନି. ଏକୂଳ ବାନ୍ଧିଲେ ସେ କୂଳ ଖାଉଛି. କଣ କରିବ? କିମିତି ବଞ୍ଚିବ? ଅଜାଗା ଘାଆ ର ଯନ୍ତ୍ରଣା ଭୋଗିବା ତା ଭାଗ୍ୟରେ ଲେଖା ବୋଲି ଏବେ ଆଉ ବାକି ନାଇଁ ବୁଝିବାକୁ. ଏସବୁ କଥା କହି ହୁଏନା. ଖାଲି ସହିବାକୁ ହୁଏ. ସହିଲା ତ ବଞ୍ଚିଲା. ନାଇଁ ତ ଗଲା ଅଧା ରାସ୍ତାରୁ.


ମାଧବୀ ମନ ଦୃଢ଼ କଲା. ସ୍ମରଣ କଲା ମାତା ଅହଲ୍ୟାଙ୍କୁ. ପଥରରୁ ମୁକ୍ତି ପାଇଁ ଅପେକ୍ଷା କରିବାକୁ ହେଇଥିଲା ତାଙ୍କୁ ଯୁଗଟିଏ ବିନା ଦୋଷରେ. ସିଏ ବି ଅପେକ୍ଷା କରିବ ସମୟ ଅବତାରୀ ଶ୍ରୀରାମ ଙ୍କୁ. ଦିନେ ନିଶ୍ଚୟ ସ୍ପର୍ଶ ପାଇବ ଏବଂ ମୁକ୍ତି ପାଇବ ଅନ୍ୟାୟ ର କଠୋରତାରୁ.

-------- କୁଆଡେ ଗଲୁକି? ଚାଆ ଟିକେ ଦିଏ.ଖରା ଫୁଟିଲାଣି. ଆଉ କଣ ଦ୍ୱିପହରେ ଦବୁ?


ମାଧବୀ ହୋସ୍ କୁ ଫେରି ତରବରରେ ଧାଇଁଲା ରୋଷେଇ ଘରକୁ.

ତା ପରେ ଆରମ୍ଭ ହୋଇ ଯାଉଥାଏ ନିତିଦିନିଆ ଜୀବନ। 


*======@=======@=========@=======*

                      🙏   ସମାପ୍ତ   🙏

*======@========@=========@======*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...