Thursday, April 1, 2021

ODIA STORY (ଓଡ଼ିଆ ଗପ)- 6




୨୨ ବର୍ଷ ପରେ ଏମିତି ଏକ ପରିସ୍ଥିତିର ସାମ୍ନା କରିବ ବୋଲି ସାନ ମାଝୀ କେବେ କଳ୍ପନା କରିନଥିଲା।


    ଜେଲର ସୁଧାଂଶୁ ବାବୁଙ୍କ ସାମ୍ନାରେ ଚୁପଚାପ ବସିଥିଲା ସାନ ମାଝୀ।ତାକୁ ଆମୋଦିତ ଚାହାଣୀରେ ଅନାଇ ସୁଧାଂଶୁ ବାବୁ କହିଲେ,

- ଭଗବାନଙ୍କ ଲୀଳା ସତରେ ବିଚିତ୍ର ଆଉ ତୁ ହେଉଛୁ ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ।"


   ଜେଲର'ଙ୍କ ମୁହଁକୁ ଥରେ ଚାହିଁ ମୁଣ୍ଡ ତଳକୁ କଲା ସାନ ମାଝୀ।

ହାତ ଆଙ୍ଗୁଠିରେ ସେ ଗଣୁଥିଲା...ଏକ ରୁ ବାଇଶ...ଦୀର୍ଘ ଦିନର ଅନ୍ତରାଳ..ଲାଗୁଥିଲା ଯେମିତି ବାଇଶି ଯୁଗ।ଅନ୍ଧକାରମୟ ଗର୍ତ୍ତରୁ ବାହାରି ଆଲୋକ ଶିଖାକୁ ଉପଭୋଗ କରିବା ବଦଳରେ ପୁଣି ସେ ଅନ୍ଧକାର ଗର୍ତ୍ତକୁ ଫେରିଛି।


    ସୁଧାଂଶୁ ବାବୁ ଟେବୁଲ ଉପରେ ଥିବା ରିମୋଟରେ ଟିଭି ଅନ କଲେ।ଓଡ଼ିଆ ଚ୍ୟାନେଲରେ  ବ୍ରେକିଙ୍ଗ ନିଉଜ ଦେଖାଉଥିଲା,

"ଦୀର୍ଘ ବାଇଶ ବର୍ଷ ପରେ, ଫେରାର ଆସାମୀକୁ ଗିରଫ କରିବାରେ ଓଡିଶା ପୋଲିସକୁ ସଫଳତା।"


    ସହକାରୀ ଜେଲର ବିଶ୍ବମ୍ବର ବାବୁ କହିଲେ,

-ଗତ କାଲି ସଂଧ୍ୟାବେଳୁ ସବୁ ଓଡ଼ିଆ ନିଉଜ ଚ୍ୟାନେଲରେ ଏଇ ଗୋଟିଏ ବ୍ରେକିଙ୍ଗ ନିଉଜ ଚାଲିଛି ଯେ ଆଉ ବନ୍ଦ ହେବାର ନାଁ ନେଉନି।କିରେ,ପେଟ୍ରୋଲ ରେଟ ଶହେ ହେଲାଣି,ଚାଷୀମାନେ ଆନ୍ଦୋଳନ କରୁଛନ୍ତି, ଖାଇବା ତେଲ ଦାମ ଏଇ ଛ ମାସ ଭିତରେ ଶହେ ପ୍ରତିଶତ କାହିଁକି ବଢିଛି, ଆଳୁ ପିଆଜ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ରେଟ କେଉଁଠି ହେଲାଣି,ସେକଥା ଚ୍ୟାନେଲ ଵାଲା କେବେ ବ୍ରେକିଙ୍ଗ ନିଉଜ କାହିଁକି କରୁନାହାନ୍ତି ?ସରକାରୀ ବିଜ୍ଞାପନ ପାଇବେନି ବୋଲି ଅଥବା ଆମ ଏଇଠି କୁ ଆସିବେ ବୋଲି ?"


   ହସିଦେଇ ସୁଧାଂଶୁ ବାବୁ କହିଲେ,

- ମିଡିଆବାଲା ସାଧାରଣ ଲୋକଙ୍କ ଅସୁବିଧା ଲୋକଲୋଚନକୁ ଆଣିବାକୁ ପ୍ରସ୍ତୁତ ନୁହେଁ।ବରଂ ନିଜ ମାଲିକ ଓ ମାଲିକଙ୍କ ଦାନାପାଣିକର୍ତ୍ତାଙ୍କ ନିର୍ଦ୍ଦେଶ ପାଳି,କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଖବର ଦେଖାନ୍ତି।ଆମ ଏ ସାନ ମାଝୀ ଦୁର୍ଭାଗ୍ୟକୁ ଦେଖ।"


    ସାନମାଝୀ ନିଜ ହାତରେ ଧରିଥିବା ଛୋଟିଆ ବ୍ୟାଗ ଭିତରୁ ଗାମୁଛା ବାହାର କରି ନିଜ ମୁହଁ ପୋଛୁ ପୋଛୁ ବୁଡି ଯାଉଥିଲା ଭାବନାରାଜ୍ୟରେ।ଗତ କାଲି ଭଳି ଲାଗୁଥିଲା ବାଇଶ ବର୍ଷ ତଳର ଘଟଣା।

ଗାଁରେ ସେଦିନ ଜମିବାଡ଼ି ଗଣ୍ଡଗୋଳ,ହଣାକଟା,ଗୁଳିଫୁଟା ରେ ଦୁଇଜଣଙ୍କ ମୃତ୍ୟୁ ଓ ଅନେକ ଆହାତ ହୋଇଥିଲେ।ସନ୍ଦେହରେ ଗାଁର କିଛି ଲୋକଙ୍କ ସହ ସାନ ମାଝିକୁ କୁ ବି ଆରେଷ୍ଟ କରିଥିଲା ପୋଲିସ।କେସ ଚାଲିଥିଲା କୋର୍ଟରେ।ସାନ ମାଝୀକୁ ଛାଡି ଅନ୍ୟ ସମସ୍ତେ ଜାମିନ ପାଇ ଜେଲରୁ  ମୁକୁଳି ଯାଇଥିଲେ।ହେଲେ ସାନମାଝୀକୁ ଜାମିନରେ ନେବାକୁ କେହି ଆସୁନଥିଲେ।ଅନାଥ ସାନ ମାଝୀ ନିଜ ମାମୁଁ ଘରେ ରହିଥିଲା।ସପ୍ତମ ଶ୍ରେଣୀରୁ ତାର ସ୍କୁଲ ପାଠରେ ଡୋରି ବନ୍ଧା ହୋଇଥିଲା ଓ ସେ ଛେଳି,ମେଣ୍ଢା,ଗାଈ ଗୋରୁ ଚରାଉଥିଲା।ଗରିବ ମାମୁଁ ପାଖରେ ସମ୍ବଳ ଅଭାବ ଥିଲା ବୋଲି କୋର୍ଟ ଓକିଲ ଚକ୍କରରେ ଖର୍ଚ୍ଚାନ୍ତ ହେବାକୁ ପଡିବବୋଲି ,ଅଥବା କିଏ କାହିଁକି ଗୋଟେ ଆସାମୀ ପିଠିରେ ପଡି ଥାନା ଦୌଡିବ ବୋଲି ଜାମିନ ନେବାକୁ ଆସୁନଥିଲା ତାହା ଜାଣିପାରୁନଥିଲା ସାନ ମାଝୀ।

ବିନା କାରଣ,ପ୍ରମାଣରେ ବି ଅନେକ ନିର୍ଦୋଷ ଜେଲରେ ସଢ଼ନ୍ତି।ସେମାନଙ୍କୁ କେବେ ନ୍ୟାୟ ମିଳିବ ତାହା କେହି ଜାଣନ୍ତିନି।ସମସ୍ତେ ତ ସେଲିବ୍ରିଟି ନୁହଁନ୍ତି,ଯାହାଙ୍କ ପାଇଁ ଏକ୍ସଟ୍ରାଅର୍ଡିନାରୀ ଶୁଣାଣି ଡ଼କାଇ ହାଇକୋର୍ଟକୁ ସୁପରସିଡ କରି, ସୁପ୍ରିମକୋର୍ଟ ନିଜ ଆଡୁ ଶୁଣାଣି କରି ଜାମିନ ଦିଏ।


     ସାନ ମାଝୀ ଜେଲ ପାଚେରୀ ଭିତରୁ ଆକାଶକୁ ଅନାଏ, ଆକାଶରେ ଭାସି ଯାଉଥିବା ବାଦଲ ଓ ଉଡିଯାଉଥିବା ଚଢ଼େଇଙ୍କୁ ଦେଖେ।ଭାବେ,ସେ ଗୋଟେ ଡେଣାକଟା ଚଢେଇ ବୋଧେ।


     ଜେଲ ହିଁ ତା ଘର ବନି ଯାଇଥିଲା।

ଜେଲ ସୁପରିଟେଣ୍ଡେଣ୍ଟ,ଜେଲର, ଚିଫ ୱାର୍ଡନ, ଗାର୍ଡ, ୱାର୍ଡ ବୟ, ମେଡ଼ିକାଲ ଷ୍ଟାଫ,ରୋଷେଇ ଷ୍ଟାଫ,ଟେକନିକାଲ ଷ୍ଟାଫ ସମସ୍ତଂକ ସହ ଭଲ ପରିଚୟ ହୋଇଯାଇଥିଲା ସାନ ମାଝୀ'ର।ଏପରିକି

ଜେଲରେ ଥିବା ଅନ୍ତୋବାସୀ ସହିତ ବି।ପୁରୁଣା,ନୂଆ ଷ୍ଟାଫ ସମସ୍ତେ ଜାଣିଥିଲେ ତା କେସ ।ତେବେ ନିର୍ଦ୍ଦୋଷ ସାର୍ଟିଫିକେଟ ତ ଅଦାଲତ ଦେବ।

- ତୋ ମାମୁଁ କୁ କହି ଗୋଟେ ହିବସ କର୍ପସ ଫାଇଲ କରୁନୁ ?"ଥରେ ଜଣେ କଏଦୀ କହୁଥିଲା।

ସାନମାଝି ବୁଝି ପାରୁନଥିଲା ସେ ଶବ୍ଦର ଅର୍ଥ।ପେଟକୁ ଦୁଇ ମୁଠା ଖାଇବାକୁ ପାଉଛି ଓ ଏବେ ତା ଭଲ ବ୍ୟବହାର ଯୋଗୁଁ ନୂଆ ତିଆରି ହୋଇଥିବା ମୁକ୍ତାକାଶ ଜେଲରେ ଅଛି ସେ।


   ଥରେ ସାନ ମାଝୀ ଦେଖିଥିଲା ଜଣେ ନାମୀ ସିନେମା କଳାକାର ଜେଲକୁ ଆସିଥିଲେ କଏଦୀ ଭାବରେ।ତାଙ୍କ ସିନେମା ସେ ଟିଭିରେ ଆଗରୁ ଦେଖିଥିଲା।ତାଙ୍କୁ କାଳେ ଆଜୀବନ କାରାଦଣ୍ଡ ହୋଇଥିଲା।ଟଙ୍କା ଓ ରାଜନୈତିକ ଚାପ ଯୋଗୁଁ ସେ ଅନେକଥର ପାରୋଲରେ ଘରକୁ ଯାଇ ଫୁର୍ତ୍ତି କରୁଥିଲେ ଓ ଜେଲରେ ଥିବା ସମୟରେ ହସ୍ପିଟାଲ ନହେଲେ ସ୍ପେଶାଲ ୱାର୍ଡରେ ରହୁଥିଲେ।

ସାନ ମାଝୀ ଥରେ ଜେଲର ଙ୍କୁ ପଚାରିଥିଲା,


- ସାର, ମୁଁ ପାରୋଲରେ ଘରକୁ ଯାଇ ମାମୁଁ,ମାଇଁଙ୍କୁ ଟିକେ ଦେଖନ୍ତି।"

ଆଶ୍ଚର୍ଯ୍ୟ ହୋଇ ଜେଲର କହିଥିଲେ,

-ତୁ କଣ ନେତାଙ୍କ ପୁଅ ନା ସିନେମା ଷ୍ଟାର ! ପାରୋଲ ଆପ୍ଲାଇ କିଏ କରିବ ?ତା ଛଡା ତୋ କେସ'ର ଶୁଣାଣି  କାହିଁକି ହେଉନି,ତା ବି କିଏ କହୁ ନାହାନ୍ତି।ଆପଣ ମାନେ କାହାଣୀ ପଢ଼ୁଛନ୍ତି ଜୟ ଶ୍ରୀକୃଷ୍ଣ,ଛୋଟ ମୋର ଗାଁଟି ଏବଂ ମା ବୁଢ଼ୀ ଠାକୁରାଣୀ ହ୍ଵାଟ୍ସଆପ୍ ଗ୍ରୁପ୍ ରେ ।ଭଲ ଓକିଲଟିଏ ଯୋଗାଡ଼ ଟିକେ କରୁନୁ ?"

ଓକିଲ କେଉଁଠୁ ଆଣିବ ସେ !ସରକାର କାଳେ ଗରିବ ଲୋକଙ୍କୁ ମାଗଣାରେ ଓକିଲ ଯୋଗାଇ ଦିଅନ୍ତି।ହେଲେ ସେ ସିନା ଜେଲ ବାହାରକୁ ଗଲେ,ସରକାରଙ୍କୁ ଭେଟି ଗୁହାରି କରନ୍ତା।


   ସାନମାଝୀ ଦେଖିଥିଲା ସେଇ ସିନେମା ତାରକା ବହୁତ ଶୀଘ୍ର ଜେଲରୁ ଖଲାସ ହୋଇଯାଇଥିଲେ।ଏପରିକି ମୃତ୍ୟଦଣ୍ଡରେ ଅଭିଯୁକ୍ତ ଥିବା ଆସାମୀ ବି ରାଜକ୍ଷମା ପାଇ ମୁକୁଳିଛନ୍ତି।ହେଲେ ସେ ଜେଲରେ ଅଛି....କ୍ରୁର ନିୟତି।


   ଜେଲରେ ଥିବା ସବୁ ଆସାମୀ କିନ୍ତୁ ଖଲାସ ହୋଇ ଘରକୁ  ଯିବାକୁ ଚାହାନ୍ତିନି ବୋଲି ସେ ଦେଖିଛି।ଜଣେ ଭଦ୍ରବ୍ୟକ୍ତି ନିଜ ଆତ୍ମୀୟଙ୍କୁ ହତ୍ୟାକରି ଦଣ୍ଡ ପାଉଥିଲେ।ତାଙ୍କୁ ପଚାରିବାରୁ ସେ କହିଥିଲେ,


- ଏ ଦୁନିଆଟା ଏକଦମ ସ୍ୱାର୍ଥପର।ଯେତେଦିନ ଯାଏଁ ତମ ପାଖରେ ଟଙ୍କା, ପାୱାର ଅଛି, ତମେ ଅନ୍ୟର ଦାବି/ଡିମାଣ୍ଡ ପୂରଣ କରୁଛ ସେତେଦିନ ଯାଏଁ ତମେ ଭଲ ଲୋକ,ଉତ୍ତମ ସ୍ୱାମୀ,ଉତ୍ତମ ବାପା,ଭାଇ ,ବନ୍ଧୁ।ଯେଉଁଦିନ ତମ ପାଖରୁ ସେମାନଙ୍କର ପାଇବାର କିଛି ନାହିଁ,ସେଦିନ ତମେ ଅଜଣା।ଏବେ ମୁଁ ମୋ ମୃତ୍ୟୁ ଯାଏଁ ଜେଲରେ ରହିବାକୁ ଚାହେଁ, ଶାନ୍ତିରେ।"


  ସେଦିନ ସାନ ମାଝୀ ଆଶ୍ଚର୍ଯ୍ୟ ହୋଇଥିଲା, ଜେଲରେ ପୁଣି ଶାନ୍ତି !ମନେ ପକାଉଥିଲା ନିଜ କଥା।ଜେଲରେ ସେ କେମିତି ଅଛି ?କାଠ କାମ,ନଡ଼ିଆ କତା ଦଉଡି ବଳି ବିଭିନ୍ନ ହସ୍ତଶିଳ୍ପ ଜିନିଷ ତିଆରି କରିବା ,ଧୂପକାଠି ଓ କାର୍ପେଟ ତିଆରି କରିବା ଟ୍ରେନିଂ ନେଇ ସୁନ୍ଦର ଜିନିଷ ବନାଉଥିଲା।ସୁପରିଟେଣ୍ଡେଣ୍ଟ ସାର ଥରେ କହିଥିଲେ,

- ତୁ ଜେଲ ରୁ ମୁକୁଳିଲା ପରେ ଏସବୁ ଜିନିଷ ତିଆରି କରି ସ୍ୱାବଲମ୍ବୀ ହେବୁ।"

ସାନମାଝୀ ଭାବୁଥିଲା ସେ କେବେ ମୁକୁଳିବ ଜେଲ ରୁ।ଜେଲରେ କିଛି ଆସାମୀ ଚୋରାରେ ନିଶା ବେପାର କରନ୍ତି, ହପ୍ତା ପାଇଁ ଧମକଭରା ଫୋନ କଲ କରନ୍ତି।ସବୁ ଦେଖି ଚୁପ ରହେ ସାନମାଝୀ।


   ଥରେ ଜେଲରେ ଯୋଗ ଶିବିରରେ ପ୍ରବଚନ ଦେବାକୁ ଆସିଥିବା ଜଣେ ଯୋଗଗୁରୁ କହୁଥିଲେ,

-ମଣିଷର ମନ ହେଉଛି ଦୁନିଆର ସବୁଠୁ ବଡ଼ ଜେଲ।ଆମ ଚିନ୍ତା,ଭାବନାକୁ ଆମେ ବନ୍ଦ କରି ରଖୁ।ତେଣୁ ନିଜ ଚିନ୍ତାକୁ ମୁକ୍ତ କଲେ ନିଜେ ଶାନ୍ତି ପାଇବ।ପ୍ରତ୍ୟେକ ଦିନ ଯୋଗ ଓ ପ୍ରଣାୟମ କର।"


    କିଛି ମାସପରେ ସେଇ ଯୋଗଗୁରୁ ଜଣେ ବାଳିକାକୁ ଯୌନଉତ୍ପୀଡ଼ନ ଅଭିଯୋଗରେ ଜେଲକୁ ଆସିଥିଲେ,କିଛି ଅଶ୍ଳୀଳ ଭିଡିଓ ବି ଭାଇରାଲ ହୋଇଥିଲା।ଆଶ୍ଚର୍ଯ୍ୟ କଥା ଥିଲା,ଅଭିଯୋଗ ଆଣିଥିବା ଉତପୀଡିତ ଝିଅ ବ୍ଲାକମେଲ ଅଭିଯୋଗରେ ଜେଲ ଯାଇଥିଲା।ଏଇଠି ଥିଲା ବେଳେ ଯୋଗ ଶିଖାଉଥିଲେ ଯୋଗଗୁରୁ।ହେଲେ ବହୁତ ଶୀଘ୍ର ସେ କେବଳ ମୁକୁଳି ନଥିଲେ,ସରକାରଙ୍କ ଗୋଟେ ସଂସ୍ଥାର ଅଧ୍ୟକ୍ଷ ଭାବେ ବି ନିଯୁକ୍ତ ହୋଇଥିଲେ।ଯୋଗ ଯୋଗୁଁ ସେ ମୁକ୍ତ ହେଲେ କି ?


    ସୁପ୍ରିମକୋର୍ଟଙ୍କ ଆଦେଶ ଏବଂ ଗୋଟେ ଏନ.ଜି.ଓ ଙ୍କ ସହାୟତାରେ ସାନମାଝି ର କେସ ଶୁଣାଣି ହୋଇ ତାକୁ ଖଲାସ କରାଯାଇଥିଲା।ବହୁତ ଖୁସିଥିଲା ସାନ ମାଝୀ। ସବୁ ଜେଲଷ୍ଟାଫ ତାକୁ ଶୁଭେଚ୍ଛା ଜଣାଇ ଥିଲେ।ଜେଲରେ କାମ କରି ସେ ସଞ୍ଚୟ କରିଥିବା ଟଙ୍କା ସହ ନିଜ ପକେଟରୁ କିଛି ଟଙ୍କା ବଢ଼ାଇ ଦେଇ ଜେଲର କହିଥିଲେ,

- ଚେଷ୍ଟା କରିବୁ,ଏ ନର୍କକୁ ଯେମିତି ଆଉ ତୁ ନଫେରୁ।


   ସାନ ମାଝୀ, ନିଜ ମାମୁଁ ଘର ଗାଁରେପହଞ୍ଚି ଦେଖିଥିଲା ଦୁନିଆ ବଦଳି ଯାଇଛି।


- ତୁ ପୁଣି ଜେଲକୁ କାହିଁକି ଫେରି ଆସିଲୁ ?"


   ଜେଲର ସୁଧାଂଶୁ ବାବୁଙ୍କ ପ୍ରଶ୍ନରେ ଚମକି ପଡିଲା ସାନ ମାଝୀ।ଭାବିଲା, କଣ କହିବ ?ତା ନିଜ ଲୋକମାନେ ତାକୁ ଜେଲ ଫେରନ୍ତା ଆସାମୀ ଭାବି ଦୂରଦୂର ମାରମାର କରି ଘରୁ ତଡିଦେଲେ।ଆପଣ ମାନେ କାହାଣୀ ପଢ଼ୁଛନ୍ତି ଜୟ ଶ୍ରୀକୃଷ୍ଣ,ଛୋଟ ମୋର ଗାଁଟି ଏବଂ ମା ବୁଢ଼ୀ ଠାକୁରାଣୀ ହ୍ଵାଟ୍ସଆପ୍ ଗ୍ରୁପ୍ ରେ ।ଯେଉଁଠି ସେ କାମ କରିବାକୁ ଚାହିଁଲା ସେଠି ଲୋକେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖି ବିଦା କରିଦେଲେ।


   ଧୀର ସ୍ୱରରେ ସାନ ମାଝୀ କହିଲା,

-ସାର, ନିଜ ଦେହରୁ ଏଇ ବାଇଶବର୍ଷର ଜେଲ ଷ୍ଟାମ୍ପ ଦୂର କରିବା ଅସମ୍ଭବ।ସମସ୍ତଙ୍କ ଆଖିରେ ମୁଁ ଅଲୋଡା ମଣିଷ।ମୋ କଷ୍ଟ ଅର୍ଜିତ ଟଙ୍କାକୁ ଚୋରୀଟଙ୍କା କହି ଛଡ଼ାଇନେଲେ।ମୋତେ ଏଇ ଜେଲରେ ରହିବାକୁ ଦିଅନ୍ତୁ।ଯେ କୌଣସି କାମ ଏଇଠି ମୁଁ କରିବି।ଏଇଟା ମୋ ଘର,ଦୁନିଆ।ବାହାରେ ଅନାହାରରେ ମରିବା ଅପେକ୍ଷା ଏଇଠି ଦୁଇମୁଠା ଖାଇବାକୁ ତ ମିଳିବ।"


     ଟିଭି ନିଉଜକୁ ଦେଖି ସୁଧାଂଶୁ ବାବୁ ଦୀର୍ଘନିଶ୍ବାସ ଛାଡି କହିଲେ,

- ବାଇଶବର୍ଷ ପରେ ଧର୍ଷଣ ଅଭିଯୁକ୍ତ ପୋଲିସ ଦ୍ୱାରା ଧରାପଡି ଜେଲକୁ ଆସୁଛି ବୋଲି ଚାରିଆଡେ ଡିଣ୍ଡିମ ବାଜୁଛି, ହେଲେ ସାନମାଝୀ ଭଳି ନିର୍ଦୋଷ ବାଇଶ ବର୍ଷ ଅଯଥାରେ ଜେଲରେ କାହିଁକି ସଢ଼ୁଥିଲା ଓ ମୁକ୍ତି ପରେ ପୁଣି ଜେଲକୁ କାହିଁକି ଫେରିଛି,ସେକଥା କୌଣସି ମିଡିଆ ଦେଖାଏନା।"


   ସାନମାଝୀ ମନକୁ ମନ ନିଜ ହାତ ଆଙ୍ଗୁଠିରେ ଗଣୁଥିଲା ଏକ ରୁ ବାଇଶ.....ସତରେ ବାଇଶ ବର୍ଷରେ ଦୁନିଆ l ♥🎶❤

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...