Saturday, April 10, 2021

ODIA STORY (ଓଡ଼ିଆ ଗପ )-09

             



ରାଜେଶ୍ଵର ଶର୍ମାଙ୍କ ଆଖିରେ ପଲକ ପଡୁନଥିଲା, ନିର୍ନିମେଷ ନୟନରେ ସେ ସେମିତି  ଚାହିଁ ରହିଥିଲେ ଟିଭି ପରଦାକୁ । ସକାଳ ପହରୁ ବାରମ୍ବାର ସେ ଦେଖି ଚାଲିଛନ୍ତି ସେଇ ଅଭୂତପୂର୍ବ ପରିବର୍ତ୍ତନ ର ସମ୍ବାଦଟିକୁ , ବିଭିନ୍ନ ଚ୍ୟାନେଲ୍ ଘୁରେଇ ଘୁରେଇ , ତଥାପି  ସରୁନାହିଁ ଦେଖିବା, ମନ ପୁରୁନି,  ଆଖି ପୁରୁନି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସେଇ ଅଗ୍ନିବର୍ଷୀ ଭାଷଣ “ ଭାରତୀୟ ସମ୍ବିଧାନ ର ଧାରା 35(A) Section 370  କୁ ହଟାଇ ଦିଆଗଲା ଦୁଇଗୃହର ସର୍ବସମ୍ମତିକ୍ରମେ “ ଅହରହ ପ୍ରତିଧ୍ବନିତ ହେଉଛି ତାଙ୍କ କାନରେ, ହୃଦୟରେ , ମନମସ୍ତିଷ୍କ ରେ  , ସେ ଆଖି ବନ୍ଦ କରି ବସିଛନ୍ତି ସେମିତି । ପତ୍ନୀ ଧନଲକ୍ଷ୍ମୀ  ଦଶ କି କୋଡିଏ ଥର ଆସି କହିସାରିବେଣି ।

“ ଆଜି ଦୋକାନ ବଜାର କିଛି ଯିବାର ନାହିଁ କି? ଆଉ କେତେ ସମୟ ସେଇ ଟିଭି କୁ ଚାହିଁ ବସିଥିବ ଯେ ?” , ତାଙ୍କ କଥା ରାଜେଶ୍ୱର ଙ୍କ କାନରେ ପଡୁଛି କି ନା’ ଜଣାନାହିଁ କିନ୍ତୁ ସେ ସେଇ ସୋଫା ଉପରେ ବସି ରହିଛନ୍ତି ସେମିତି । ମଝିରେ ଥରେ ଜୋର୍ କରି ଡାକି ନେଇଥିଲେ ଧନଲକ୍ଷ୍ମୀ ଖାଇବା ପାଇଁ,ବାସ୍ ସେତିକି ।ସଞ୍ଜ ଗଡି ରାତି ହେଲା,ରାଗ ଗରଗର ହୋଇ ଧନଲକ୍ଷ୍ମୀ ଆସି ହଲେଇ ଦେଲେ ରାଜେଶ୍ୱର ଙ୍କୁ “  ବୁଢା ଟିଏ ହେଲଣି,  ଜାଣି ପାରୁନ ଯେ  ମୁଁ  ବି ବୁଢୀ ହେଲିଣି,  ଏ ଘରେ ତୁମ ମୋ ବ୍ୟତୀତ ଆଉ ବିଲେଇ ପିଲାଟିଏ ବି ନାହାଁନ୍ତି , ଦିନ ଯାକ କାମ କରି କରି ବେଦମ ହେଲିଣି,  ତୁମର ଟିକିଏ  ଦୟାମାୟା ହେଉନି ମୋ’ ଉପରେ? “ ।ଆହୁରି କେତେ କ’ଣ କହିଥାନ୍ତେ ସେ କିନ୍ତୁ ସ୍ୱାମୀଙ୍କର ଆଖିରୁ ଝରି ପଡୁଥିବା ଲୁହଧାର ଦେଖି ଚୁପ୍ ହୋଇଗଲେ ସେ। ନରମି ଗଲା ତାଙ୍କର କଣ୍ଠସ୍ବର, ପାଖରେ ବସି ପଡି ସ୍ୱାମୀଙ୍କର ଆଖିରୁ ଲୁହ ପୋଛି ଦେଲେ , ପଚାରିଲେ “ ବିଶାଲ କି  ଶୀତଲ୍ ର କିଛି ହୋଇଛି କି? କାହାର ଦେହ ଖରାପ ଅଛି ନା’ କ’ଣ ? କିଛି ଦୁଃସମ୍ବାଦ ପାଇଛ କି?  ନହେଲେ ଏମିତି ଚୁପ୍ ଚାପ୍ ବସି କାନ୍ଦୁଛ କିଆଁ? “ । କୌଣସି ଅନାଗତ ଆଶଙ୍କାରେ ଥରି ଉଠୁଥିଲା ଧନଲକ୍ଷ୍ମୀଙ୍କର ସ୍ୱର। ସ୍ୱାମୀଙ୍କର ଛାତି କୁ ଆଉଜି ପଡିଲେ ସିଏ। ଆଖିରୁ ଲୁହ ପୋଛି ଧନଲକ୍ଷ୍ମୀଙ୍କୁ ସାନ୍ତ୍ବନା ଦେଲେ ରାଜେଶ୍ୱର ।କହିଲେ “ ଆରେ ନାଇଁ ମ ଲକ୍ଷ୍ମୀ ! ଆମର ଦୁଇ ପିଲା ଯାକ ନିଜ ନିଜ ଘରେ ସପରିବାର ଭଲରେ ଅଛନ୍ତି , ସବୁ ଠିକ୍ ଠାକ୍ ଅଛି,  ତୁମେ ବ୍ୟସ୍ତ ହୁଅନାହିଁ “। ଆଶ୍ଚର୍ଯ୍ୟ ହେଲେ ଧନଲକ୍ଷ୍ମୀ,  ଇଏ କି କଥା?  ଯଦି ସବୁ ଠିକ୍ ଠାକ୍ ଅଛି ତେବେ ଇଏ ସକାଳ ପହରୁ ଖୁଣ୍ଟ ଟି ଭଳି ବସି ରହିଛନ୍ତି କାହିଁକି,  କାନ୍ଦୁଛନ୍ତି ବା କାହିଁକି ? ସିଏ ଜାଣି ବାରେ ରାଜେଶ୍ୱର ଙ୍କର ଏଇ ଦୁନିଆଁ ରେ ଏମିତି ଆଉ କେହି ନାହାଁନ୍ତି , ଯାହା ପାଇଁ ସେ  ଚିନ୍ତା କରିବେ କି କାନ୍ଦିବେ , ତେବେ କ’ଣ ହୋଇଛି ତାଙ୍କର?

ପାଣି ଗ୍ଲାସ୍ ଟିଏ ଆଣି ରାଜେଶ୍ୱର ଙ୍କୁ ବଢାଇ ଦେଇ ତାଙ୍କ ପାଖରେ ବସି  ପିଠି ଆଉଁସି ଦେଲେ ଧନଲକ୍ଷ୍ମୀ,  ଆଉ ଅଧିକ କିଛି ପଚାରିବା ପାଇଁ ଉଚିତ୍ ମଣିଲେନି ସେ । କିଛି ସମୟ ସେମିତି ଗୁମ୍ ମାରି ବସି ରହିଲା ପରେ କଥା ଆରମ୍ଭ କଲେ ରାଜେଶ୍ୱର ......।

ବହୁଦିନ ଧରି ଛାତିରେ ଚାପି ରଖିଥିବା କଥାଟି , ଯାହା ମୋତେ ଅହରହ ଯନ୍ତ୍ରଣା ସିକ୍ତ କରୁଥିଲା, ଆଉ ମୁଁ ମୁହଁ ଖୋଲି କାହାରିକୁ ସେଇ ଯନ୍ତ୍ରଣା ର କଥା କହି ପାରୁନଥିଲି , ସେଇ କଥା ଆଜି ତମକୁ କହୁଛି ଶୁଣ । ଜାଣ ଲକ୍ଷ୍ମୀ!  ସତାବନ ବର୍ଷ ତଳେ ତମ ବାପା ମୋତେ ତୁମ ଘରକୁ ଆଣିବା ବେଳେ ମୁଁ ତାଙ୍କୁ ଗୋଟିଏ ମିଛକଥା କହିଥିଲି ଯେ ମୁଁ ଗୋଟିଏ ଅନାଥ ବୋଲି , କିନ୍ତୁ ମୁଁ କେବେ ଅନାଥ ନଥିଲି ଲକ୍ଷ୍ମୀ! ଜମ୍ମୁ ରେ ଆମର ଭରା ପରିବାର ଟିଏ ଥିଲା,  ମୋ ବାପା, ମାଆ, ମୋ ବଡ ଭଉଣୀ ନନ୍ଦିକା  ଆଉ ମୁଁ,  ଆମ ଚାରିଜଣଙ୍କୁ ନେଇ , ହସଖୁସିଆ ପରିବାର ଟିଏ । ବାପା ଙ୍କର ଛୋଟିଆ ଦୋକାନଟିଏ ଥିଲା, ଧାନକ୍ଷେତ ଥିଲା,ଆଉ ଆମର ଛୋଟ ଘରଟିଏ ଥିଲା। ଆମ ଘର ଟି ମୁସଲମାନଙ୍କୁ ମୋହଲ୍ଲା ରେ ଥିଲେ ବି ଖୁବ୍ ସୁନ୍ଦର ସମ୍ପର୍କ ଥିଲା ବାପାଙ୍କର ସମସ୍ତଙ୍କ ସହିତ। ବାପାଙ୍କ ଦୋକାନ ରୁ ସମସ୍ତେ ସଉଦାପତ୍ର  ନେଉଥିଲେ,  ସଞ୍ଜ ବେଳକୁ ସମସ୍ତେ ବସି ଗପସପ ହୋଇ ଆଖଡା ହେଉଥିଲା ସେଠି । ଆମ ଘରକୁ ଲାଗିଥିଲା ଆସଫାକ୍ ଚାଚା,ରମଜାନ୍ ଚାଚା, ରହମାନ୍ ଚାଚା ଆଉ ଫିରୋଜ୍ ଚାଚାଙ୍କର ଘର। ତାଙ୍କର ପିଲାମାନେ ଆଉ ମୁଁ,  ଦିଦି ସମସ୍ତେ ମିଳିମିଶି ଖେଳୁଥିଲୁ ଗାଁ ଦାଣ୍ଡ ରେ । ଆମର ଦୁର୍ଗା ପୂଜା, ହୋଲି,  ଦିୱାଲି କୁ ସେମାନଙ୍କ ଘରକୁ ପିଠାପଣା ନେଇ ଯାଉଥିଲା ଆମେ ଆଉ ତାଙ୍କର ରମଜାନ୍ କୁ ମା’ ଆମ ଘରୁ ରୋଷେଇ କରି ତାଙ୍କ ପାଇଁ  ଖାଦ୍ୟ ପଠାଉଥିଲା ସନ୍ଧ୍ୟା ବେଳେ ରୋଜା ଭାଙ୍ଗିବାକୁ ।ସେମାନେ ସମସ୍ତେ  ମଧ୍ୟ ଇଦ୍ ବେଳକୁ ଫଳ, ସିମେଇଁ,  ଖଜୁର୍, ମିଠା ଧରି ଆସୁଥିଲେ ଆମ ଘରକୁ, ବାପାଙ୍କୁ ସମସ୍ତେ ଭଲ ପାଉଥିଲେ,  ଶର୍ମାଜୀ,  ଶର୍ମାଜୀ  କହି ସମ୍ମାନ କରୁଥିଲେ। ଦିଦିର ସାଙ୍ଗ ଥିଲେ ରାବିୟା ଦିଦି, ସୋଫିଆ  ଦିଦି, ତବସୁମ୍ ଦିଦି ଏବଂ ଆହୁରି ଅନେକ,  ଯେଉଁମାନଙ୍କ ସହିତ ସେ ବୋହୁଚୋରୀ, ରୁମାଲଚୋରି, କଣ୍ଢେଇ ଖେଳ ଖେଳୁଥିଲା, ଆଉ ମୋର ସାଙ୍ଗ ଥିଲେ ସାଦିକ୍ , ସଫିକ୍ , ଫୈଜଲ୍,  ସୌକତ୍ ଇତ୍ୟାଦି ଅନେକ ପିଲା।ତାଙ୍କରି ସାଥିରେ କାଚଗୁଲି, ଫୁଟବଲ୍ ଖେଳି ଖେଳି କଟାଇଥିଲି ମୁଁ ଶୈଶବର ସାତ ବର୍ଷ । ସେମାନେ ଯାଆନ୍ତି ମଦ୍ରସା କୁ , ଆଉ ଦିଦି ର ମୋର ଯାଉ ଗାଁ ରେ ଥିବା ସରକାରୀ ହିନ୍ଦୀ ସ୍କୁଲ୍ କୁ। ଦିନସବୁ ଖୁବ୍ ମଜାରେ କଟୁଥିଲା । ହଠାତ୍ ଦିନେ କ’ଣ ହେଲା କେଜାଣି ସହର ଭିତରେ ଦଙ୍ଗା ଲାଗିଗଲା । ଧୀରେ ଧୀରେ  ସେଇ ଦଙ୍ଗା ର ଝିଟିକା ବସେଇ ପଶିଲା ଆମ ଗାଆଁ ଭିତରକୁ । ଆସଫାକ୍ ଚାଚା ସେଦିନ ସହରରୁ ଫେରି ମସଜିଦ୍ ରେ ସଭା କଲେ , ତା’ପରେ ଧୀରେ ଧୀରେ  ବାପାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ। ତାଙ୍କର ଝିଅ ରଜିୟା ମୋର ଖୁବ୍ ସାଙ୍ଗ। ସିଏ ଆଉ ମୋ ସହିତ ଖେଳିବାକୁ ଆମ ଘରକୁ ଆସିଲାନି । ମୁଁ ତାଙ୍କ ଘର ଆଡେ ଯିବାକୁ ବାହାରିଲା ବେଳକୁ ମା’ ମନା କଲା ମୋତେ। ମୁଁ ଜିଦ୍ କଲାରୁ ଭିଡି ଭିଡି ନେଇ ଘର ଭିତରେ ଛାଡି କବାଟ କିଳିଦେଲା । ଭେଁ ଭେଁ  ରଡି ଛାଡି କାନ୍ଦି ଉଠିଲି ମୁଁ, ଦିଦି ଖଟି ଉପରୁ ଦୌଡି ଆସି ମତେ ବୁଝେଇଲା, କହିଲା “ ଦଙ୍ଗା ହୋଇଛି ପରା, ଆଉ ସେମାନେ ଆମ ସହିତ ଖେଳିବେନି, ତୁ କାହିଁକି ଅୟଥାରେ ଜିଦ୍ କରୁଛୁ? “ ।

 ବାଳୁତ ମୁଣ୍ଡ ମୋର ସେ ସବୁ କିଛି ବୁଝି ପାରୁ ନଥିଲା । ସହରରେ ଦଙ୍ଗା ହୋଇଛି, ଆମ ଗାଆଁ ରେ ତ ହୋଇନି ନା,  ଦିଦି ଏମିତି କାହିଁକି କହୁଛି,  ସେମାନେ ତ ମୋର ସାଙ୍ଗ,  ମୋ ସହିତ ଖେଳିବେନି କାହିଁକି? ଦିଦି ଚୁପ୍ ଚୁପ୍ କହିଲା ମୋତେ “ ଦେଖୁଛୁ ତ ଏଇ କେତେ ଦିନ ହେବ ମୁଁ ଆଉ ମୋର ସାଙ୍ଗ ମାନଙ୍କ ଘରକୁ ଖେଳିବାକୁ ଯାଉନି କି ସେମାନେ ଆମ ଘରକୁ ଆସୁ ନାହାଁନ୍ତି ବୋଲି “। ମୋର ମନେ ପଡିଲା , ସତେତ, ଏଇ କେତେ ଦିନ ହେବ ଦିଦି ବାହାରକୁ ଯାଉନି , ରାବିୟା ଦିଦି କିମ୍ୱା ସୋଫିଆ ଦିଦି ମଧ୍ୟ ଆସୁନାହାଁନ୍ତି ଆଉ ତା’ ସାଥିରେ ଖେଳିବାକୁ । ଏ କଥାଟି ତ ମୁଁ  ଧ୍ୟାନ ଦେଇନାହିଁ,  ତେବେ କ’ଣ ଗୋଟାଏ ଘଟିଛି ନିଶ୍ଚୟ । ମା’ର କଥାବାର୍ତ୍ତା ରୁ ଜାଣି ହେଉଥିଲା ତା’ର ବ୍ୟସ୍ତତା । ବାପା ଦୋକାନ ରୁ ଘରକୁ ନଫେରିବା ଯାଏଁ ସେ ଦାଣ୍ଡ ଦୁଆର ବନ୍ଦ କରି ଅଗଣାରେ ଖାଲି ଏପଟ ସେପଟେ ହେଉଥିଲେ ।

 ବାପା ଦୋକାନ ବନ୍ଦ କରି ଫେରିବା ପରେ ମା’ ସହିତ ଅନୁଚ୍ଚ ସ୍ୱାର୍ଥ କ’ଣ ସବୁ କଥାବାର୍ତ୍ତା କରୁଥିଲେ । ଦୁହିଁଙ୍କ ମୁହଁ ରେ ଅସମ୍ଭବ ଗମ୍ଭୀରତା ଛାଇ ଯାଉଥିଲା । ମା’ ଦିଦି କୁ ଆଉ ସ୍କୁଲ୍ ଛାଡୁ ନଥିଲା,  ଘର ଭିତରେ ଚୁପ୍ ଚାପ୍ ବସି ରହୁଥିଲା ଦିଦି। ମୁଁ ବି ଟିକିଏ ଡରି ଗଲି, କିଛି ଗୋଟାଏ ଅଘଟଣ ର ଆଶଙ୍କାରେ ସାରା ପରିବାର ଭୟଭୀତ ରହୁଥିଲୁ। ଦିନେ ସନ୍ଧ୍ୟା ସାତଟା ବେଳକୁ ବାପା ଧଇଁ ସଇଁ ହୋଇ ଘରେ ପହଞ୍ଚିଲେ , ମା’କୁ  କହିଲେ ଆଉ ଏଠାରେ ରହି ହେବନି,  ସେମାନେ ରକ୍ତମୁଖା ହେଲେଣି ସହର ଭିତରେ ଆଜି କେତେଜଣ ହିନ୍ଦୁମାନଙ୍କର  ମନ୍ଦିର ଭାଙ୍ଗି ଦେଇଛନ୍ତି, ହାଣକାଟ କରିଛନ୍ତି, ସେମାନଙ୍କ ଘର ଜାଳି ଦେଇଛନ୍ତି,  ସେମାନଙ୍କ ସ୍ତ୍ରୀ ଲୋକ ମାନଙ୍କୁ ବେଇଜ୍ଜତ କରିଛନ୍ତି, ସହରରୁ ହିନ୍ଦୁମାନେ ପ୍ରାଣ ବିକଳରେ ସୀମା ସେପଟକୁ ଚାଲି ଯାଉଛନ୍ତି,  ବିଶେଷ କରି ଜାମ୍ମୁ କାଶ୍ମୀର ର ପଣ୍ଡିତମାନଙ୍କ ଉପରେ ସେମାନଙ୍କର ରାଗ। ଯେଉଁ ହିନ୍ଦୁ ମାନେ ଧର୍ମ ପରିବର୍ତ୍ତନ କରି ସେମାନଙ୍କ ଶରଣ ପଶୁଛନ୍ତି , ସେଇମାନେ ରକ୍ଷା ପାଉଛନ୍ତି, ବାକି ସବୁ ଖଣ୍ଡ ଖଣ୍ଡ ହୋଇ ସହରଯାକ ପଢିଛନ୍ତି,  ବଡ ଭୟାନକ ଅବସ୍ଥା । ରତ୍ନା,  ତୁମେ ଯେତେ ଶିଘ୍ର ପାରୁଛ , ଯେତେକ ଆବଶ୍ୟକୀୟ ଜିନିଷ ପତ୍ର ସଜଡାସଜଡି ରଖ, ସୁବିଧା ସୁଯୋଗ ଦେଖି ଆମେ ଏଇ ବସ୍ତି ଛାଡି ପଳେଇବା , ନହେଲେ ପ୍ରାଣ ବଞ୍ଚାଇବା କଷ୍ଟକର ହୋଇ ପଡିବ। ମା’ର ହାତରେ ଗୋଡରେ ପଡୁନଥିଲା, ଥରଥର ହୋଇ କମ୍ପୁଥିଲା ଦିଦି, ମୁଁ ମଧ୍ୟ ଡରି ଯାଇ କବାଟ କଣକୁ ଆଉଜି କାନ୍ଦିବାକୁ ଆରମ୍ଭ କରିଥିଲି। ଦିନବେଳେ ମା’ ଯାହା ରୋଷେଇ କରିଥିଲା, ସେଥିରୁ କିଛି ବଳି ପଡିଥିଲା,  ଦିଦି କୁ ମା’ କହିଲା “ ତମେ ଭାଇଭଉଣୀ ଦୁଇଜଣ ଯାକ ଖାଇନିଅ, ମୋର କାମ ସରିଲା ଆମେ ଦି’ଜଣ ଖାଇବୁ”। ଆମର ଭୋକ ମରି ଯାଇଥିଲା, ଖାଇବାକୁ ପଡିବ ବୋଲି ଯାହା ଦୁଇଟା ଖାଇଦେଇ ଆମେ ଶୋଇବାଘରକୁ ଚାଲିଗଲୁ। 

ରାତି ଅଧ ହେବ ପ୍ରାୟ, ଆମ ଘରର ବାଡିପଟ ଦୁଆର ଧୀରେ  ଖଡ ଖଡ କରି କେହି ଡାକିବାର ଶୁଣି ମା’ର ନିଦ ଭାଙ୍ଗିଥିଲା,  ଡରିମରି ଲଣ୍ଠନ ଟି ଧରି ସେ ବାପାଙ୍କୁ ସାଥିରେ ନେଇ ଯାଇ କବାଟ ଫାଙ୍କରେ  ଦେଖିଲା ବେଳକୁ ଫିର୍ଦୌସ୍ ଚାଚି ଆରମ ପଟୁ ଫିସ୍ ଫିସ୍ କରି କହିଲା “ ଭାଗ୍ ଯା’ ନନ୍ଦୁ କୀ ମା’ , ବଚ୍ଚୋ କୋ ଲେକର ଭାଗ୍ ଯା’ । ସହର ମୁଁ ଉଧମ୍ ମଚାନେ କେ ବାଦ୍ ଓ ଲୋଗ୍ ଗାଆଁ ମେ ଆ ରହେହେଁ, ରାବିୟା କୀ ଅବ୍ବୁ ଭି ଗୟେ ହେଁ ଉନ୍ କେ ସାଥ, ତୁ ଜଲଦି ସେ ବଚ୍ଚୋଁ କୋ ଲେ କର୍ ଭାଗ୍ ଯା ବର୍ନା ଅନର୍ଥ୍ ହୋ ଯାଏଗା,  ଓ ଲୋଗ୍ ମାର୍ ଡାଲେଙ୍ଗେ ତୁହ୍ମେ”। ଅନ୍ଧାର ଭିତରେ ଏତିକି କହି କାନ୍ଦି କାନ୍ଦି  ଫେରିଗଲା ଫିର୍ଦୌସ୍ ଚାଚି । ଅଣ୍ଡାଳି ଅଣ୍ଡାଳି ଦିଦି ଆଉ ମତେ କୁଣ୍ଢେଇ ଧରି କାନ୍ଦି ଉଠିଲା ମା’ , ବାପା ସେତେବେଳକୁ କିଛି ଜିନିଷ ପତ୍ର ବନ୍ଧାବନ୍ଧି କରି ପୁଟୁଳି ଟିଏ ଧରି ବାହାରି ଆସିଥିଲେ ଘରୁ। ସେଇ ଘନ ଅନ୍ଧକାର ଭିତରେ ଆମେ ଧାଇଁଲୁ ଗାଆଁ ବାହାରକୁ ।

 ଦୂରରେ କୋଳାହଳ ଶୁଣା ଯାଉଥିଲା,  ନିଆଁ ହୁଳା ଧରି ମୁସଲମାନମାନେ ରକ୍ତ ମୁଖା ହୋଇ ଧାଇଁ ଆସୁଥିଲେ ଗାଆଁ ଭିତରକୁ,ଆମେ ପ୍ରାଣ ବିକଳରେ ଧାଇଁଥିଲୁ ଆଗକୁ ଆଗକୁ ।

କିଛି ବାଟ ଧାଇଁବା ପରେ ମୋ ତଣ୍ଟି ଶୁଖି ଯାଉଥିଲା, ମୁଁ ବିକଳ ହୋଇ  ପାଣି, ପାଣି ବୋଲି କହିଲି , ମା’ର ପାଦ ଅଟକିଗଲା, ସେ ନେହୁରା ହୋଇ କହିଲା ବାପାଙ୍କୁ “ ପାଣି ଥିଲେ ଟୋପେ ଦିଅ ମୋ ପୁଅ ମୁହଁ ରେ” ବାପା ଅଟକିଗଲେ , ପୁଟୁଳି ଭିତରୁ ପାଣି ବୋତଲଟିଏ କାଢି ଦି’ଢୋକ ପିଆଇଲେ ମୋତେ , ଦିଦିକୁ ପାଣି ବୋତଲଟି ବଢାଉଛନ୍ତି,  ସେଇ ସମୟରେ କିଏ ଜଣେ ଅତର୍କିତ ଭାବେ  ଝାମ୍ପି ପଡିଲା ବାପାଙ୍କ ଉପରକୁ,  ତାଙ୍କୁ ଜାବୁଡି ଧରି ଚିତ୍କାର କରିବାକୁ ଲାଗିଲା “ ସାଲା କାଫିର୍ ହୈ, କାଫିର୍ ର୍ହୈ , ଭାଗ୍ ରହା ହୈ” । ଆମେ ଜାଣି ନଥିଲୁ ଯେ ସେଇଟା ଗୋଟାଏ ମୁସଲମାନ ପଡା ଥିଲା , ଆଉ ସେ ଲୋକ ଟି ବୋଧହୁଏ ରାତିରେ ପରିଶ୍ରା କରିବାକୁ ବାହାରକୁ ଆସି ଆମକୁ ଦେଖି ନେଇଥିଲା । ଧଡ୍ ଧାଡ୍ ହୋଇ ଖୋଲିଗଲା ଅନେକ ଦରଜା , ଶହେଖଣ୍ଡେ ହେବେ ଲୋକ ବାହାରି ଆସିଲେ ବାହାରକୁ,  ସମସ୍ତଙ୍କ ହାତରେ ଅସ୍ତ୍ର ନହେଲେ ନିଆଁ ହୁଳା, ମୋତେ ପଛ ପଟକୁ ପେଲି ଦେଲା ମା’ ମୁଁ ତଳେ ପଡି ଗଡିଗଲି ବୁଦା ତଳକୁ, ରାକ୍ଷସ ଭଳି ମାଡି ଆସୁଥାନ୍ତି ସେମାନେ, କିଛି ଲୋକ ଭିଡି ନେଇଗଲେ ମା’କୁ ଆଉ କିଛି ମୋର ସେ ବାର ବର୍ଷ ର କିଶୋରୀ ଭଉଣୀ କୁ,  ବାପା ପ୍ରତିରୋଧ  କରିବାରୁ ଖଣ୍ଡାରେ ଚୋଟ ପରେ ଚୋଟ ମାରି ସେମାନେ ଟିକି ଟିକି କରି ପକାଇଲେ ତାଙ୍କୁ, ଭୟରେ ମୂର୍ଚ୍ଛା ଗଲି ମୁଁ । ଗଛରୁ ଟୋପା ଟୋପା କାକର ବୁନ୍ଦା ପଡି ଭୋର୍ ବେଳକୁ  ଚେତା ଫେରିଲା ମୋର। ରଗଡା ବାଲିରେ ଗଡି ଗଡି କହୁଣୀ ଆଣ୍ଠୁ ଛିଡି ରକ୍ତ ଜମାଟ ବାନ୍ଧି ଯାଇଥିଲା,  ମୁହଁ ଯାକ ବାଲି ସାଲୁବାଲୁ,  ଟିକିଏ ଉଠିବାକୁ ଚେଷ୍ଟା କଲାବେଳକୁ ମନେ ପଡିଗଲା ଗତ ରାତି ର ଘଟଣା,  ଦେହ ଶୀତେଇ ଜର ଆସିଗଲା, ଚାରିଆଡ ଅନ୍ଧକାରମୟ ହୋଇ ଯାଉଥିଲା , କୁଆଡେ ଯିବି ମୁଁ?  କ’ଣ କରିବି ? ବାପା, ମାଆ, ଦିଦି କେହି ନଥିଲେ ମୋ ପାଖରେ, ସେମାନଙ୍କ ବ୍ୟତୀତ ଆଉ ମୋର କେହି ନଥିଲେ ଏ ଦୁନିଆଁ ରେ ମତେ ଟିକିଏ  ଆଶ୍ରୟ ଦେବାକୁ। କାନ୍ଦିବାକୁ ବି ଡର ଲାଗୁଥିଲା,  କାଳେ କିଏ ମୋତେ ଦେଖି ପକାଇ ହାଣିଦେବ ମୋ ବାପାଙ୍କୁ ଜାଣିଲା ଭଳି,  ଭୟରେ ଜଡସଡ ହୋଇ ମୁଁ ଉଠିଲି ଆଉ ଆଗକୁ ଆଗକୁ ଚାଲିଲି । ମୋ ଅବସ୍ଥା ଦେଖି ଲୋକେ ମୋତେ ପାଗଳ କି କ’ଣ ଭାବୁଥିଲେ କେଜାଣି କିନ୍ତୁ କେହି ମୋତେ ଅଟକାଇଲେନି କେଉଁଠି,  ମୁଁ ସେମିତି ଚାଲିଥାଏ, ଭୋକ ହେଲେ କେଉଁଠି ପାଣି ଟୋପାଏ ପିଉଥାଏ , ପୁଣି ଚାଲିଥାଏ। ଏମିତି ଚାଲୁ ଚାଲୁ ସଞ୍ଜ ହେଲା। ପାଦ ଦୁଇଟି ଥକିଗଲା , ମୁଁ କିଛି ସମୟ ସେଇ ରାସ୍ତା ଧାରରେ ବସି ପଡିଲି,  କିଛି ସମୟ ପରେ ଦେଖିଲି କିଛି ଲୋକ ଦଳବାନ୍ଧି ପୁଟୁଳିମାନ ମୁଣ୍ଡରେ ଧରି କୁଆଡେ ଚାଲିଛନ୍ତି,  ତାଙ୍କ ସହିତ ପିଲାମାନେ ମଧ୍ୟ ଅଛନ୍ତି, ମୁଁ ଧାଇଁ ଯାଇ ସେଇ ପିଲାମାନଙ୍କ ଭିତରେ ମିଶିଗଲି , ଜାଣିଲି ସେମାନେ ନିଜର ପ୍ରାଣ ବଞ୍ଚେଇ  ଟ୍ରେନ୍ ଧରି ସୀମା ଆରପଟକୁ ଯିବାକୁ ବାହାରିଛନ୍ତି , ମୁଁ ତାଙ୍କୁହିଁ ଆଶ୍ରା କରି ତାଙ୍କରି ସହିତ ଚାଲି ଚାଲି ଯାଇ ଟ୍ରେନ୍ ରେ ବସିଲି।  ଦୁଇ ଦିନ ପରେ ଟ୍ରେନ୍ ରୁ ଓହ୍ଲାଇ ସେମାନଙ୍କ ସହିତ ଶରଣାର୍ଥୀ ଶିବିରରେ ପହଞ୍ଚିଲି।ସେଠାରେ ଆମକୁ ଖାଦ୍ୟ ପ୍ୟାକେଟ୍ ଦେଇ ଥଇଥାନ କରାଗଲା ତମ୍ବୁ ମାନଙ୍କରେ।ସେଠାରେ ରହିଲି ସେମାନଙ୍କ ସହିତ।

ସେଠାରେ ରହିବାର କିଛି ଦିନ ମଧ୍ୟରେ କେତେ କିଏ କାହାର ପରିଚିତ ଲୋକ କି ବନ୍ଧୁବାନ୍ଧବଙ୍କ ଜରିଆରେ ଚାଲିଗଲେ, ଆମ ଭଳି ଯେଉଁମାନଙ୍କର କେହି ଆଶା ଭରସା ନଥିଲେ ସେମାନଙ୍କୁ ଅନାଥାଶ୍ରମ ରେ ଛାଡି ଦିଆଗଲା। ସେଇଠି ପାଠଶାଠ ପଢି ମୁଁ ମାଟ୍ରିକ୍ ପାଶ୍ କଲି। ତା’ପରର କଥା ତ ତମେ ସବୁ ଜାଣିଛ,  କେମିତି ଅନାଥାଶ୍ରମର ସଞ୍ଚାଳକଙ୍କର  ଅନୁରୋଧ ରକ୍ଷାକରି  ତମ ବାପା ମୋତେ ସେଠାରୁ ଆଣି ତାଙ୍କ ବ୍ୟବସାୟ ରେ ସହାୟତା କରିବାକୁ ରଖିଲେ ଆଉ ଅନେକ ଦିନଧରି ତାଙ୍କ ପାଖରେ ରହିବା ଭିତରେ ସେ ମୋତେ ଏତେ ଭଲ ପାଇଲେ, ଏତେ ବିଶ୍ଵାସ କଲେ ଯେ ତାଙ୍କର ଏକ ମାତ୍ର କନ୍ୟା ଅର୍ଥାତ୍ ତୁମକୁ ମୋ ହାତରେ ଟେକି ଦେଲେ । ତାଙ୍କର ସ୍ନେହ ଶ୍ରଦ୍ଧା ରେ ମୁଁ ଏମିତି ବାନ୍ଧି ହୋଇ ପଡିଲି ଯେ ମୋର ଅତୀତ କୁ ସଂପୂର୍ଣ୍ଣ ପାଶୋରି ଦେଇ ନୂଆ ଜୀବନ ଆରମ୍ଭ କରିଥିଲି। ପରବର୍ତ୍ତୀ ସମୟରେ ତୁମର ଅନାବିଳ ପ୍ରେମ, ଆମ ପୁଅ ଝିଅଙ୍କର ଦାୟିତ୍ଵ ଏଇ ସବୁ ଜଞାଳ ମଧ୍ୟରେ ସଂପୂର୍ଣ୍ଣ ଆତ୍ମବିସ୍ମୃତ ହୋଇ ଯାଇଥିଲି ମୁଁ । 

ହେଲେ ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଐତିହାସିକ ପଦକ୍ଷେପ ମୋର ଅତୀତ କୁ ପୁଣି ଉଜାଗର କରିଦେଇଛି ମୋ ଆଖିରେ । ଦିନେ ଯେଉଁ ସମ୍ବିଧାନର ଧାରା ଲାଗୁ ହୋଇ ମୋର ପରିବାରକୁ ଛଡେଇ ନେଇଥିଲା ମୋ ଠାରୁ,  ଆଜି ସେଇ ସମ୍ବିଧାନରେ ସଂଶୋଧନ ଆଣି ଧାରା 35(A) ଉପଧାରା 370 କୁ ଉଚ୍ଛେଦ କରିଛନ୍ତି ସରକାର, ମୋ ରାଜ୍ୟ ଜମ୍ମୁ ଆଉ କାଶ୍ମୀର କୁ ଅଖଣ୍ଡ ଭାରତ କରିଛନ୍ତି,  ମୋ ଭଳି ବିତାଡିତ,  ଉତ୍ପୀଡିତ ହିନ୍ଦୁମାନଙ୍କୁ ଆଜି ପୁଣି ମଣିଷ ଭଳି ବଞ୍ଚି ରହିବାର ଅଧିକାର ମିଳିଛି,  ନିଜ ରାଜ୍ୟ ରେ ଘର କରି ରହିବାର ଅଧିକାର ମିଳିଛି । ଆଜି ସେଠାରୁ କୌଣସି ହିନ୍ଦୁ କୁ କେହି ଛେଳି ମେଣ୍ଢା ଭଳି ହାଣିକାଟି ଟୁକୁଡା ଟୁକୁଡା କରିପାରିବନି,  କେହି ନିଜର ଭିଟାମାଟି ରୁ କୁକୁର ଭଳିଆ ଘଉଡେଇ ଦେଇ  ପାରିବନି, କାହା ମାଆ ଭଉଣୀଙ୍କୁ ବେଇଜ୍ଜତ କରି ଡାହାଳ କୁକୁର ପରି ଗୁଣିଆ ପକାଇ ପାରିବନି , ହଁ ହଁ, ଆମ ରାଜ୍ୟରେ ନିର୍ଦ୍ୱନ୍ଦ ରେ, ନିର୍ଭୟରେ ବସବାସ କରି ପାରିବେ ଆମ ହିନ୍ଦୁ ଭାଇମାନେ। ଆଉ କେହି ମୋ ଭଳି ଅନାଥ ହେବନି, କେହି ଅନାଥ ହେବେନି ହଁ ହଁ। ଉର୍ଦ୍ଧ୍ବ ନିଶ୍ବାସ ଉଠି ଯାଉଥିଲା ରାଜେଶ୍ୱରଙ୍କର। ମୁକ୍ତି ର ଆନନ୍ଦ ରେ ଆତ୍ମହରା ହୋଇ ପଡୁଥିଲେ ସେ । ଧାର ଧାର ହୋଇ ଆନନ୍ଦାଶ୍ରୁ ବହି ଯାଉଥିଲା ତାଙ୍କ ଚକ୍ଷୁ ଯୁଗଳରୁ । ସେଇ ଲୁହ ସଂକ୍ରମିତ ହୋଇ ଆସିଥିଲା ଧନଲକ୍ଷ୍ମୀ ଙ୍କ ଚକ୍ଷୁକୁ ।

ସ୍ୱାମୀ ଙ୍କ ଆଖିରୁ ଲୁହ ପୋଛି ଦେଇ ଆଉଁସି ପକାଇଲେ। ନିଜେ ସେ ହତଭମ୍ବ ହୋଇ ବସି ରହିଥିଲେ ଆଉ ଭାବୁଥିଲେ କେତେ ବଡ ଦୁଃଖ କୁ ଛାତି ତଳେ ଚାପି ରଖି ସ୍ୱାମୀ ତାଙ୍କର  କେତେ ବର୍ଷ ଧରି କେମିତି ସାଧାରଣ ଜୀବନ କାଟିବାକୁ ବାଧ୍ୟ ହୋଇଥିଲେ ଆହା ! କେତେ କଷ୍ଟ ହୋଇନଥିବ ସତେ ! ନିଜ ଆଖି ଆଗରେ ନିଜର ବାପାଙ୍କୁ ଏମିତି ମରିବାର ଦେଖି , ନିଜ ମାଆ ଭଉଣୀଙ୍କୁ ଶତ୍ରୁଙ୍କ ହାତରେ ବେଇଜ୍ଜତ ହେବାର ଦେଖି ସାତ ବର୍ଷ ର ପିଲାଟିଏ କେମିତି ସହିଥିବ ? କେମିତି ଜୀବନ ଧରି ପଳେଇ ଆସି ନିଜକୁ ରକ୍ଷା କରିଥିବା ? ଓଃ ଆଉ ଆଗକୁ ଭାବି ପାରୁ ନଥିଲେ ଧନଲକ୍ଷ୍ମୀ । ଦୁଇ ହାତ ଜୋଡି ସେ ଈଶ୍ବର ଙ୍କୁ ପ୍ରଣାମ ଜଣାଇଲେ , ମନେ ମନେ ସ୍ଥିର କଲେ ଏବେ ଅବଶ୍ୟ ସେ ଜମ୍ମୁ ରେ ଘରଟିଏ କିଣିବେ ଆଉ ରାଜେଶ୍ୱର ଙ୍କୁ ନିଶ୍ଚୟ ଉପହାର ଦେବେ ସେଇ ଘରଟି ।।


*======@=============@==========*

     🙏      ସମାପ୍ତ   🙏

*=======@===============@=======*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...