Tuesday, April 20, 2021

ODIA STORY ( ଓଡ଼ିଆ ଗପ)-15




   ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।


                ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ନିନ୍ଦା କରନ୍ତି । ଦିନେ ସେ ଭାବିଲେ କଞ୍ଜୁସ୍ ବୋଲି ତାଙ୍କର ଯେଉଁ ବଦନାମ ଅଛି ସେଇଟା କେମିତି ପରିବର୍ତ୍ତନ ହୋଇଯାନ୍ତା! ଏପରି ଭାବି ସେ ତା’ଙ୍କର ଜଣେ ବହୁଦିନର ବିଶ୍ୱସ୍ତ ଚାକରକୁ ଏକଥା କହିଲେ ।


                ଚାକରଟି କହିଲା, “ମାଲିକ, ଲୋକମାନେ ଯେ ଆପଣଙ୍କୁ ମହାନ୍ ଦାତା ବୋଲି କହିବେ ତାହା ଅସମ୍ଭବ । କିନ୍ତ ପଡୋଶୀ ଗାଁର ଯେଉଁ ଧନୀବ୍ୟକ୍ତିଙ୍କୁ ସମସ୍ତେ ଦାତା ବୋଲି କହୁଛନ୍ତି ସେ ଯଦି କୌଣସି ମତେ ଆପଣଙ୍କୁ ଦାତା ବୋଲି କୁହନ୍ତି ତେବେ ଲୋକମାନେ ମଧ୍ୟ ଆପଣଙ୍କୁ ଦୟାଳୁ ବୋଲି ଭାବିବେ । ଆପଣ କାଲି ତାଙ୍କୁ ଆପଣଙ୍କ ଘରକୁ ଭୋଜନ ସକାଶେ ଆମନ୍ତ୍ରଣ କରନ୍ତୁ । ସେ ଯେତେ ସମୟ ଆପଣଙ୍କ ଘରେ ଥିବେ ମୁଁ ଭିନ୍ନ ଭିନ୍ନ ବେଶ ବଦଳାଇ ଆପଣଙ୍କ ପାଖକୁ ଆସିବି ଓ ଆପଣ ପ୍ରତ୍ୟେକ ଥର ମୋତେ ଶହେ ଟଙ୍କା କରି ଦେବେ । ତେବେ ଆପଣ ଦାନୀ ବୋଲି ତାଙ୍କର ବିଶ୍ୱାସ ଆସିଯିବ । ସେ ଯିବା ପରେ ଆପଣଙ୍କୁ ଆପଣଙ୍କ ଟଙ୍କା ମୁଁ ଫେରାଇ ଦେବି ।


ଏଭଳି ପ୍ରସ୍ତାବରେ କଞ୍ଜୁସ୍ ଧନୀ କହିଲେ “ବାଃ, ଇଏ ତ ବଡ ସୁନ୍ଦର କଥା ତେବେ ଆଉ ଡେରି କାହିଁକି? ଆଜି ଯାଇ ଡାକିଦେଲେ ହେବ । ତୁ ଯା ତାଙ୍କୁ ନିମନ୍ତ୍ରଣ କରିବୁ ।


 ମାଲିକର ଆଦେଶ ପାଇ ସେ ଚାକରଟି ତତକ୍ଷଣତ୍ ଯାଇ ତାଙ୍କ ଘରେ ପହଁଚି କହିଲା, “ମହାଶୟ, ଆମ ମାଲିକ କାଲି ଦ୍ୱିପ୍ରହରରେ ଆପଣଙ୍କୁ ତାଙ୍କ ଘରେ ଭୋଜନ କରିବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି, ଆପଣ ଯେପରି ନିଶ୍ଚୟ ଯିବେ ।


 ଦାନୀବ୍ୟକ୍ତି ପଚାରିଲେ, “ଆରେ ଭାଇ, ମୁଁ ତ ଶୁଣିଛି ତୁମ ମାଲିକ କୁଆଡେ ବିଲେଇକୁ ମଧ୍ୟ ଖାଇବାକୁ ଦିଅନ୍ତି ନାହିଁ, ମାତ୍ର ମୋ ଉପରେ ତାଙ୍କର ହଠାତ୍ ଏତେ ଦୟା କିପରି ହେଲା?


 ଚାକର କହିଲା “ମହାଶୟ, ଲୋକେ ଯାହା ସବୁ ଆମ ମାଲିକଙ୍କ ନାମରେ କହନ୍ତି ମନେ ହେଉଛି ଆପଣ ବି ସେସବୁ ବିଶ୍ୱାସ କରନ୍ତି । ବାସ୍ତବରେ ଆମ ମାଲିକ ମହା ଦାନୀ । କିନ୍ତୁ ସେ ଯାହା କିଛି ବି ଦାନ ଦିଅନ୍ତି ସେକଥା ବେଶି କେହି ଜାଣନ୍ତି ନାହିଁ, ମୁଁ ଆଉ ନିଜ ମାଲିକଙ୍କ ବିଷୟରେ ବେଶି ବଢାଇ କରି କ’ଣ ବା କହିବି? ଆପଣଙ୍କୁ କାଲି ଭୋଜନ ପାଇଁ ନିମନ୍ତ୍ରଣ କରିବା ଅର୍ଥ ଏପର୍ଯ୍ୟନ୍ତ ଯେତେ ଦାନ ସେ ଦେଲେଣି ସବୁ ସଂଖ୍ୟା ମିଶି କାଲି ଲକ୍ଷେ ପୂରଣ ହେଉଛି । ସେଥିପାଇଁ ମାଲିକ୍ ମନ୍ଦିରରେ ଭଗବାନଙ୍କୁ ଅଭିଷେକ କରିବେ । ସେହି ଉପଲକ୍ଷେ ଜଣେ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଖୁଆଇବା ତାଙ୍କର ଭାରି ଇଚ୍ଛା । ଆମର ଏ ଇଲାକାରେ ଦାନଧର୍ମରେ ତାଙ୍କ ସମକକ୍ଷ ତ କେବଳ ଆପଣ ।


ଦାନୀ ଭାବିଚିନ୍ତି କହିଲେ, “ଆଚ୍ଛା ବହୁତ ଭଲ କଥା । ତେବେ ମୁଁ ଅବଶ୍ୟ ଆସିବି ।


 ଚାକର ଫେରିଆସି କଞ୍ଜସଙ୍କୁ ସବୁକଥା କହିଲା । ପରଦିନ ଦାନୀ ଆସି ପହଁଚିଲେ କଞ୍ଜୁସଙ୍କ ଘରେ । କଞ୍ଜୁସ୍ ତାଙ୍କୁ ସ୍ୱାଗତ କରି ଘର ଭିତରକୁ ନେଇଗଲେ ଓ କହିଲେ “ଆପଣଙ୍କ ସହିତ କେହି ଚାକରବାକର କାହିଁକି ଆସି ନାହାଁନ୍ତି?


 ଦାନୀ ଉତ୍ତର ଦେଲେ “ଗୋଟିଏ ଛୋଟ କାମ ପାଇଁ ସେ ପଛରେ ରହିଗଲା । କାମଟି ପୁରା ହୋଇଗଲେ ଟିକିଏ ପରେ ସେ ଆସିବ ।


 କଞ୍ଜୁସ୍ କହିଲେ, “ଆଜ୍ଞା, କାଲି ତ ମୋ ଚାକର ଆପଣଙ୍କୁ ସବୁ କହିଛି । ମୁଁ ମୋ ନିଜର ଦାନ ଦେବା ବିଷୟରେ ବେଶି କିଛି ପ୍ରକାଶ କରେ ନାହିଁ । ଦାନଧର୍ମ କରିବା ତ ମୋର ଉଦ୍ଦେଶ୍ୟ , ମାତ୍ର ଯଶପ୍ରାପ୍ତି ନୁହେଁ । ଆପଣ ମଧ୍ୟ ମୋର ଏ ଗୁପ୍ତରହସ୍ୟ କେଉଁଠାରେ ପ୍ରକାଶ ନ କରିବାକୁ ବିନମ୍ର ଅନୁରୋଧ ।


 ଠିକ୍ ସେତିକିବେଳେ କଞ୍ଜୁସ୍ଙ୍କ ଚାକରଟି ଆସି କହିଲା, “ମାଲିକ୍ । ମୁଁ ମନ୍ଦିର ଯାଇ, ଭଗବାନଙ୍କର ଅଭିଷେକ କରି ଫେରି ଆସିବି ।” ତା’ପରେ ସେ ନିଜ ଘରକୁ ଯାଇ ଏକ ବୁଢା ଭିକାରୀର ବେଶ ଧରି ଆସି ପହଁଚିଲା । ଦାନୀଙ୍କ ସହିତ କଞ୍ଜୁସ୍ କଥା ହେଉଥିଲେ । ଭିକାରୀକୁ ଦେଖି ହାତ ପାଖରେ ଥିବା ଥଳୀରୁ ଶହେଟଙ୍କା କାଢି ଦେଇଦେଲେ । ବୁଢା ଭିକାରୀ ଚାଲିଯିବା ପରେ ଜଣେ ବାବାଜୀ ଆସି ପହଁଚିଲେ । କଞ୍ଜୁସ୍ ତାକୁ ମଧ୍ୟ ଶହେଟଙ୍କା ଦେଲେ ।


 ତା’ପରେ ଭୋଜନର ସମୟ ହେବା ପୂର୍ବରୁ, ଜଣେ ଘୁଙ୍ଗା, ଜଣେ ଅନ୍ଧ, ଜଣେ ଛୋଟା, ଜଣେ ତୀର୍ଥଯାତ୍ରୀ, ଏହିପରି ଦଶଜଣ ଲୋକ ପରେ ପରେ ଆସି ପହଁଚିଥା’ନ୍ତି । କଞ୍ଜୁସ୍ ସମସ୍ତିଙ୍କୁ ଶହେ ଟଙ୍କା ଲେଖାଏଁ ଦାନ ଦେଉଥା’ନ୍ତି ଆଉ ମନେ ମନେ ନିଜ ଚାକରକୁ ଖୁବ୍ ପ୍ରଶଂସା କରୁଥା’ନ୍ତି । କେତେ ଶୀଘ୍ର ଶୀଘ୍ର ସେ ବେଶ ବଦଳେଇ ଆସୁଛି!


 ଏବେ ଦାନୀ କଞ୍ଜୁସ କୁ କହିଲେ, “ଆହା, ଆପଣଙ୍କ ପରି ଦାନବୀର ମୁଁ ଏପର୍ଯ୍ୟନ୍ତ କେଉଁଠି ହେଲେ ବି ଦେଖି ନଥିଲି ବା ଶୁଣି ନଥିଲି । ଏଇ ଏତିକି ସମୟ ଭିତରେ ଆପଣ ଚାହୁଁ ଚାହୁଁ ହଜାରେ ଟଙ୍କା ଦାନ ଦେଇଦେଲେ ।


କଞ୍ଜୁସ୍ କହିଲେ, “ନାହିଁ ଆଜ୍ଞା, ମାତ୍ର ଦଶଜଣ ତ ଆସିଛନ୍ତି । ମୁଁ ତ ସବୁଦିନେ ଦଶଜଣଙ୍କୁ ଦିଏ ।


 କିଛି ସମୟ ପରେ ଚାକର ପୁଣି ବେଶ ବଦଳାଇ ହାତରେ ଥାଳୀ ଓ ପ୍ରସାଦ ଧରି ସାଧାରଣ ଚାକର ରୂପରେ ଆସି ପହଁଚିଲା ଓ କହିଲା, “ଆଜ୍ଞା, ମୋର ଟିକିଏ ଡେରି ହୋଇଗଲା । ତେଣୁ କ୍ଷମା କରିବେ । ଲକ୍ଷେ ବେଲପତ୍ର ଦେଇ ଅଭିଷେକ କରିବାରେ ସମୟ ତ ଲାଗିବ! ଏତିକି କହୁ କହୁ ଥାଳୀ ଧରି ସେ ଘରର ଭିତର ପଟକୁ ଚାଲିଗଲା । ତା’ପଛେ ପଛେ ସେ କଞ୍ଜୁସ୍ ମଧ୍ୟ ଭିତରକୁ ଉଠିଗଲେ ।


 କଞ୍ଜୁସ୍ ତାଙ୍କ ଚାକରକୁ ପଚାରିଲେ, “ବାଃ, ତୁ ବଡ ମଜାର ନାଟକ ତିଆରି କଲୁ । ଆଣ ଏବେ ମୋର ସବୁ ପଇସା । ତୁ ଆଉ କୁଆଡେ କିଛି ହଜାଇ ନାହୁଁ ତ?


 ନିଅନ୍ତୁ, ଆପଣଙ୍କ ପାଂଚଶ ଟଙ୍କା” ଏହା କହି ସେ ଚାକର ପାଂଚଶ ଟଙ୍କା ଦେଲା ।


କଞ୍ଜୁସ୍ ବ୍ୟସ୍ତ ହୋଇ କହିଲେ “ଆରେ ପାଂଚଶ କିପରି? ମୁଁ ତ ତତେ ହଜାର ଟଙ୍କା ଦେଇଛି ।


ତା’ପରେ ଚାକର କହିଲା “ଆଜ୍ଞା ନା, ମୁଁ ତ କେବଳ ପାଂଚଥରହିଁ ବେଶ ବଦଳ କରି ଆସିଛି । ଆଉ ପ୍ରତ୍ୟେକ ଥର ତ ଆପଣ ମୋତେ ଶହେ ଟଙ୍କା ହିଁ ଦେଇଛନ୍ତି ।


 ତା’କଥା ଶୁଣି କଞ୍ଜୁସ୍ ଭାରି ବ୍ୟାକୁଳ ହେଲେ “ତେବେ ସେ ଦଶଜଣ କୁଆଡୁ ଆସିଲେ? ତୁ ଯଦି ପାଂଚଥର ଆସିଲୁ ତେବେ ଅନ୍ୟ ପାଂଚଥର ଆଉ କିଏ ଆସିଲା?


 ଦାନୀ କହିଲେ “ସେ ହୁଏତ ମୋ ଚାକର ହୋଇଥିବ । ଯେତେବେଳେ ଚାକର ଓ ମାଲିକ ଟଙ୍କା ପାଇଁ କଥା ହେଉଥିଲେ ଦାନୀ ବ୍ୟକ୍ତି ସବୁ ଶୁଣି ପାରୁଥିଲେ ।


ଦାନୀ କହିଲେ “ଏବେ ମୋ ଚାକର ମଧ୍ୟ ଆସିଯିବ । ସେ ବହୁତ ବିଶ୍ୱାସୀ । ଆପଣଙ୍କ ପାଂଚଶ ଟଙ୍କା ଫେରାଇ ଦେବ ।


 ଏପରି କଥା ଶୁଣି କଞ୍ଜୁସ୍ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କଲେ ।

===≈===@=====≈==@=====≈==@======

                          =ସମାପ୍ତ=

========@========@=======@======



No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...