ଜଣେ ଫକୀର ଥିଲେ । ଥରେ ତାଙ୍କ ମନକୁ ଏକ ଅଦ୍ଭୁତ ଭାବନା ଆସିଲା ଯେ ଖୁଦା (ଈଶ୍ୱର) ମୋ ଉପରେ ବହୁତ ଖୁସୀ । ମୋ ଠାରୁ ବଳି ତାଙ୍କର ଶ୍ରେଷ୍ଠ ଭକ୍ତ କେହି ନାହାଁନ୍ତି । ସର୍ବଦା ସେ କହୁ ଥାଆନ୍ତି – “ହେ ଖୁଦା ! ଯଦି ମୋ’ ଠାରୁ ବଳି ଆପଣଙ୍କର କେହି ପ୍ରିୟ ଭକ୍ତ ଅଛନ୍ତି ତେବେ ମୋତେ କୁହନ୍ତୁ ମୁଁ ତାଙ୍କୁ ଦର୍ଶନ କରିବି ।
ଖୁଦା ଫକୀରଙ୍କର ଏଭଳି ଅହଂକାର ଦେଖି ସ୍ୱପ୍ନରେ କହିଲେ – “ହେ ଫକୀର ! ତୁମ ଠାରୁ ବଳି ଅନେକ ବଡ ବଡ ଭକ୍ତ ମୋର ଅଛନ୍ତି । ତୁମେ କାହାକୁ ଦର୍ଶନ କରିବାକୁ ଇଚ୍ଛା କରୁଛ?”
ଦୁଷ୍ଟବୁଦ୍ଧି ଫକୀର କହିଲେ – “ଯଦି ଆପଣଙ୍କର ଅନେକ ଭକ୍ତ ଅଛନ୍ତି, ତେବେ କେହି ହେଲେ ଜଣଙ୍କର ସନ୍ଧାନ ମୋତେ ଦିଅନ୍ତୁ ।”
ଖୁଦା ପୁଣି କହିଲେ – “ମଣିଷ କଥା କ’ଣ କହିବି? ମୁଁ ପକ୍ଷୀଟିର କଥା କହୁଛି । ସେ ପକ୍ଷୀଟି ଏଇ ବାଟ ଦେଇ ଆଗକୁ ଗଲେ ବାଟରେ ଯେଉଁ ଓସ୍ତ ବୃକ୍ଷ ପଡିବ ତାହାରି କୋରଡରେ ରହୁଛି । ତା’ ପାଖକୁ ଯାଅ ।”
ଖୁଦାଙ୍କର କଥା ଶୁଣି ଫକୀର କହିଲେ – “ମୁଁ ତ ମଣିଷଟାଏ, ପକ୍ଷୀଟିର ଭାଷା ମୁଁ କିପରି ବୁଝି ପାରିବି?”
ଖୁଦା କହିଲେ – “ତମେ ତା’ ପାଖକୁ ଯାଅ, ତେବେ ମୁଁ ତୁମକୁ ଏହି ବର ଦେଉଛିଯେ, ତୁମେ ତା’ର ଭାଷା ବୁଝିବାରେ ସକ୍ଷମ ହେବ ।”
ଖୁଦାଙ୍କ କଥା ଅନୁସାରେ ଫକୀର ଓସ୍ତ ବୃକ୍ଷ ନିକଟରେ ପହଁଚିଲେ । ସତକୁ ସତ ସେହି ବୃକ୍ଷ କୋରଡରେ ଥିବା ପକ୍ଷୀଟିକୁ ଦେଖି କହିଲେ – “ହେ ପକ୍ଷୀ ! ତୁମେ ଖୁଦାଙ୍କ ବାଣୀ ଶୁଣିଛ କି?”
ଏହା ଶୁଣି ପକ୍ଷୀଟି କହିଲା – “ମୋର ବର୍ତ୍ତମାନ ସମୟ ନାହିଁ । ମୁଁ କେବଳ ତୁମ ପ୍ରଶ୍ନର ଉତ୍ତର ଦେଲି ଏଇଥି ପାଇଁଯେ, ତୁମେ କଷ୍ଟକରି ଚାଲି ଚାଲି ମୋ ନିକଟକୁ ଆସିଛ ବୋଲି ।”
ଫକୀର ଟିକିଏ ଚିନ୍ତାରେ ପଡି ପୁଣି ପଚାରିଲେ – “ହେ ପକ୍ଷୀ ! ତୁମର ଏଭଳି କି କାମ ଅଛି ଯେ, ତୁମର ସମୟ ନାହିଁ?”
ଫକୀରଙ୍କ ଏଭଳି ପ୍ରଶ୍ନରେ ପକ୍ଷୀଟି କହିଲା – “ହେ ଫକୀର ! ମୁଁ ଦିନ ରାତି ଈଶ୍ୱରଙ୍କ ନାମ ଜପ କରୁଛି । କେବଳ ଗୋଟିଏ ମାତ୍ର ସମସ୍ୟା ଅଛି । ଏଠାରୁ କିଛି ଦୂରରେ ଗୋଟିଏ ପୁଷ୍କରିଣୀ ଅଛି । ସେଠାକୁ ଯାଇ ମୋତେ ପାଣି ପିଇବାକୁ ପଡୁଛି ।
ଫକୀର କୌତୁହଳୀ ହୋଇ ପଚାରିଲା – “ସେହି ପୁଷ୍କରିଣୀଟି ଏଠାରୁ କେତେଦୂର?” ପକ୍ଷୀଟି ଉତ୍ତର ଦେଲା – “ସାମନାରେ ଏଇ ଯେଉଁ ଗହମ କ୍ଷେତ ଦେଖାଯାଉଛି ଠିକ୍ ତା’ରି ଆଗରେ ।”
ଫକୀର କହିଲେ – “ଏହାତ ବେଶିଦୂର ନୁହେଁ ।” ପକ୍ଷୀଟି କହିଲା – “ମୁଁ ତୁମକୁ କ’ଣ ବା କହିବି? ଏହା ତ ମୋ ପାଇଁ ଅତି ଜଟିଳ ସମସ୍ୟା ହୋଇଛି । କାରଣ ମୋତେ ଈଶ୍ୱରଙ୍କ ନାମ ସ୍ମରଣ ବନ୍ଦ କରି ସେଠାକୁ ଯିବାକୁ ପଡୁଛି ।”
ଫକୀର କହିଲେ – “ମୁଁ ଏ ଦିଗରେ ତୁମକୁ କିଛି ସାହାଯ୍ୟ କରିପାରିବି କି? ଯଦି ମୋ ଦ୍ୱାରା କିଛି ହୋଇ ପାରିବ ତେବେ କୁହ ମୁଁ ତୁମକୁ ମୋର ସାଧ୍ୟ ମତେ ସାହାଯ୍ୟ କରିବି ।”
ଫକୀରଙ୍କ ପ୍ରଶ୍ନରେ ପକ୍ଷୀଟି ଏକ ବିଚିତ୍ର ଉତ୍ତର ଦେଇ କହିଲା – “ହେ ଫକୀର ! ତୁମେ ପୁଷ୍କରିଣୀଟିକୁ ଏଇ ଅସ୍ତ ବୃକ୍ଷ ନିକଟକୁ ଆଣି ପାରିବ କି?”
ଫକୀର ଜଣକ ବିରକ୍ତ ହୋଇ କହିଲେ – “ଏକଥା କ’ଣ ସମ୍ଭବ?”
ପକ୍ଷୀଟି ଶାନ୍ତ ସ୍ୱରରେ ଓ ନମ୍ରଭାବରେ କହିଲା – “ହେ ଫକୀର ! ତୁମେ ଖୁଦାଙ୍କର ଜଣେ ସାଧାରଣ ଭକ୍ତ ହୋଇ ମଧ୍ୟ ନିଜକୁ ଅସାଧାରଣ ମନେ କରୁଛ? ତେଣୁ ତୁମେ ମୋତେ ଏତିକି ସାହାଯ୍ୟ କରି ପୋଖରୀଟିକୁ ଏଇ ଗଛ ପାଖକୁ ନେଇଆସ । ଏହା ବ୍ୟତୀତ ମୁଁ ଆପଣଙ୍କ ଠାରୁ ଅନ୍ୟ କିଛି ସାହାଯ୍ୟ ଚାହୁଁ ନାହିଁ ।” ଏହା କହି ସାରି ପକ୍ଷୀଟି ପୁଣି ଈଶ୍ୱରଙ୍କ ଧ୍ୟାନରେ ନିବିଷ୍ଟ ରହିଲା ।
ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ଖୁଦାଙ୍କର ଯେଉଁ ଶ୍ରେଷ୍ଠ ଭକ୍ତ ବୋଲି ମନେ କରୁଥିଲା, ତାହା ଅଚିରେ ମିଳେଇ ଗଲା । ଫକୀର ସେ ଓସ୍ତ ବୃକ୍ଷ ପାଖରୁ ନୀରବରେ ଫେରି ବୁଝିଗଲେଯେ ପକ୍ଷୀଟିର ଭକ୍ତି ମୋଠାରୁ ଅଧିକ । ସେ ପକ୍ଷୀଟି ଖୁଦାଙ୍କର ଅଧିକ ପ୍ରିୟ ।
ପକ୍ଷୀଟିର ଏକନିଷ୍ଠ ଈଶ୍ୱର ଭକ୍ତିଦେଖି ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ପକ୍ଷୀଠାରୁ ନ୍ୟୁନ ମନେକରୁଥିଲା ।
*======@============@===========*
ସମାପ୍ତ
*=======@============@==========*
No comments:
Post a Comment