Thursday, April 29, 2021

ODIA STORY (ଓଡ଼ିଆ ଗପ)-24


LOVE LETTER


       *🌹" ଅବିର ବାସ୍ନାବୋଳା ଲଫାପା "🌹*

             *· · • • • • • • ✤ • • • • • • · ·*     

      

*ତାରିଖ : ୨୯/୦୪/୨୦୨୧,ଗୁରୁବାର !!*

*ରଚନା : କ୍ଷୀରୋଦ କୁମାର ସାହୁ !!


"'ମୁଁ ତୋତେ ଭଲ ପାଏ' ବାକ୍ୟଟିକୁ ଯଦି ହଜାର ବାର ବି ଜଣକୁ ଲକ୍ଷ୍ୟ କରି କୁହାଯାଏ, ଏଥିରେ ବିଶେଷ କିଛି ଫଳାଫଳ ଆସେନା । କାରଣ ଏହି ପ୍ରିୟ ବାକ୍ୟଟି ପ୍ରକୃତରେ ମୃତବତ୍ । ସତରେ ଯଦି ଜଣେ ଜଣକୁ ଭଲ ପାଉଛି, ତେବେ ମୂଳକଥା ହେଲା, ସେ ସମ୍ବେଦନା ତ ବିନା କୌଣସି ଶବ୍ଦରେ ପହଞ୍ଚିଯାଏ ପ୍ରିୟ ମଣିଷଟି ପାଖରେ, ଏଥିରେ ଶବ୍ଦର କିବା ପ୍ରୟୋଜନ ?"


ବନ୍ଧୁ ବିଜିତ ପାଖରୁ ଏମିତି ଗୋଟିଏ ଦାର୍ଶନିକ ତତ୍ତ୍ଵ ସମ୍ବଳିତ କଥାଟିଏ ଶୁଣି କ୍ଷିତିଶ ଟିକେ ଅପ୍ରତିଭ ହୋଇ ପଡିଲା ।


"ବୁଝିଲୁ ସାଙ୍ଗ ! ତୋର ଏମିତି ଅଖାଡୁଆ କଥା ମୁଁ ବହୁତ ସମୟରେ ବୁଝି ପାରେନା । ହଠାତ୍ କଣ ହେଲା କି ତୋ'ର, ଏମିତି ବସି ବସି ସିନେମା ଡାଏଲଗ୍ ମାରୁଛୁ ?"


ଦୁଇ ବନ୍ଧୁ ଏକା ସାଙ୍ଗରେ ଫୁଲବାଣୀ ଜିଲ୍ଲାରେ ଗୋଟିଏ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥାନ୍ତି । ଗୋଟିଏ ସରକାରୀ କ୍ଵାର୍ଟରରେ ଦୁହେଁ ସାଙ୍ଗ ହୋଇ ରହୁଥାନ୍ତି । ସନ୍ଧ୍ୟାପରେ ଅନ୍ୟ କୌଣସି କାର୍ଯ୍ୟ ପ୍ରାୟ ନଥାଏ । ରାତି ଆଠ କି ନଅଟା ବେଳକୁ ଦୁହେଁ ମିଶି ରୋଷେଇ କରି ଖାଇଦେଲେ ସେଦିନର କାମଦାମ ସରିଲା ଜାଣ । ସେଦିନ ଖାଇ ସାରିବା ପରେ ଦୁହେଁ ନିଜ ନିଜ ଖଟରେ ବସି ଇଆଡୁ ସିଆଡୁ କଥାବାର୍ତ୍ତା ହେଉଥାନ୍ତି । ଦୁହିଁଙ୍କୁ ଦୁହେଁ ଥିଲେ ଅବିବାହିତ । କ୍ଷିତିଶର ବାହାଘର ବିଷୟରେ କଥାବାର୍ତ୍ତା ଚାଲିଥାଏ ତାଙ୍କ ଘରେ । ବିଜିତର ବାହାଘର କଥା ଉଠିନଥିଲା, କାରଣ ତା'ର ସାନ ଭଉଣୀର ବାହାଘର ହେବାକୁ ଥିଲା । ବିଜିତ ଥିଲା ମନୋବିଜ୍ଞାନରେ ସ୍ନାତକ ଛାତ୍ର । ତେଣୁ କଥା ଭିତରେ ସେ ବେଳେବେଳେ ଏମିତି କିଛି କହିଦିଏ ଯେ, ଯାହା କ୍ଷିତିଶ ମୁଣ୍ଡରେ ହଠାତ୍ ପଶେନା ।


କ୍ଷିତିଶ କହିଲା, "ବୁଝିଲୁ ବିନୁ  ! ମୁଁ ସତରେ ଏହି ସବୁକଥାର କିଛି ମାନେ ଥିବ ବୋଲି ବିଶ୍ବାସ କରେ ନାହିଁ । ଭଲପାଇବା ମାନେ ବୁଝେନା ଜମା । ତୁ ଭାବିପାରୁ, ମୁଁ ଗୋଟିଏ ଶୁଖିଲା କାଠ ବୋଲି । କିନ୍ତୁ ଏବେକାର ପ୍ରେମବିବାହ ମୋର ଆଦୌ ପସନ୍ଦ ହୁଏ ନାହିଁ ।"


ବିଜିତ ହସିଲା ଚୁପ୍ ଚାପ୍ । ଟିକେ ପରେ କହିଲା, "ବୁଝିଲୁ କ୍ଷିତି ! ତୋତେ କିଏ ବାଧ୍ୟ କରୁଛି କି ଭଲପାଇ ବାହାହେବାକୁ । କିନ୍ତୁ ଗୋଟିଏ କଥା, ତୁ ବାହାହେବା ପରେ ତୋ ଗୃହିଣୀକୁ ଭଲ ପାଇବୁ କି ନାହିଁ ? ମାନେ, ଯାହାକୁ କୁହନ୍ତି ଦାମ୍ପତ୍ୟ ପ୍ରେମ ।"


କ୍ଷିତିଶ ହସିଲା ଜୋର୍ କରି । ହସ ଥମିଲା ପରେ କହିଲା, "ବୁଝିଲୁ, ସେତେବେଳେ ଦେଖାଯିବ !"


ବିଜିତ ଟିକେ ଗମ୍ଭୀର ହୋଇ କହିଲା, "ମୁଁ ପ୍ରାୟ ସେତେବେଳକୁ ଏଗାରବାର ବର୍ଷର ହୋଇଥିଲି, ଦିନେ ଗୋଟିଏ ଅଜବ ଚିନ୍ତା ଆସି ମୋ ମୁଣ୍ଡରେ ପଶିଗଲା । ସେତେବେଳକୁ ମୋ କଣ୍ଠସ୍ଵର ଝିଅମାନଙ୍କ ଭଳି ସରୁ ଆଉ ନିଶ ବି ଉଠିବାକୁ ଆଉ ବହୁତ ଡେରି ଥିଲା । ମୋ ମନର ନିଭୃତ କୋଣରେ ମୁଁ ଭାବିବସିଲି ମୋ ଭାବୀପତ୍ନୀ କଥା । ମାନେ, ସେ ଝିଅଟି କେତେ ବୟସର ହୋଇଥିବ ? କେଉଁ କ୍ଲାସ୍ ରେ ପଢୁଥିବ ? କେମିତି ଦେଖିବାକୁ ହୋଇଥିବ ? ତା' ନାଁ କଣ ହୋଇଥିବ ? ତା' ଘର କେଉଁଠି ହୋଇଥିବ ? ଏମିତି ସବୁ କଥା । "


ଏକଥା ଶୁଣି କ୍ଷିତିଶ ତାର ସ୍ଵଭାବସୁଲଭ ଢଙ୍ଗରେ ହୋ ହୋ ହୋଇ ହସିଉଠିଲା ଆଉ କହିଲା, "ଆରେ ହେଇ ! ତୁ ତ ବଡ ଛୁପା ରୁସ୍ତମ୍ ! ସେଇଠୁ ତୁ ନିହାତି ଖୋଜିଥିବୁ ସେଇ......

ବିଜିତ ଯଥାରୀତି ଗମ୍ଭୀର ହୋଇ କହିଲା, "ଏ କଥାକୁ କେହି ମୋ ମୁଣ୍ଡରେ ପୁରେଇ ଦେଇନଥିଲା । ମନକୁମନ ମୋ ଭିତରେ ଏହି ପ୍ରଶ୍ନ ଉଠିଥିଲା । ମୁଁ କାହାକୁ ବି ପଚାରି ନାହିଁ ଏ ବିଷୟରେ । ଆଉ ଗୋଟିଏ ମଜାର କଥା କହୁଛି ତୋତେ । ମୁଁ ସେ ଝିଅର ନାଁକୁ ବି ଅନୁମାନ କରି ମୋର ଗୋଟିଏ ଖାତାରେ ଲେଖିଦେଇଥିଲି । ମୋ ମନକୁ ଗୋଟିଏ ଅକ୍ଷର ବାରମ୍ବାର ଆସେ । ଆଉ ସେ ଅକ୍ଷର ହେଲା, 'ପ' । 'ପ' ଅକ୍ଷରରେ ଆରମ୍ଭ ଯେତେ ଝିଅ ନାଁ, ମୁଁ ଗୋଟିଏ ତାଲିକା କରିଦେଇଥିଲି । ଯେମିତି କି ପଦ୍ମା, ପଲ୍ଲବୀ, ପରିଣିତା, ପାରମିତା, ପ୍ରତୀକ୍ଷା, ପ୍ରତିମା, ପ୍ରୀତି, ପ୍ରଣତି, ପ୍ରାଚୀ, ପିଆଲି, ପୂର୍ଣ୍ଣିମା ଇତ୍ୟାଦି ଇତ୍ୟାଦି । ଏବେ ବି ଅପେକ୍ଷାରେ ଅଛି । ଦେଖାଯାଉ, ମୋ ବାହାଘର ସ୍ଥିର ହୋଇଗଲା ପରେ ମୁଁ ଦେଖିବି, ମୋ ଭିତରେ ଯେଉଁ ସବୁ କଥା ଉଠୁଥିଲା, ସେ କେତେ ଠିକ୍ !"


-"ମାନେ ତୁ ରୀତିମତ ଗୋଟିଏ ବିସ୍ତୃତ ଯୋଜନା କରିଛୁ ତା'ହେଲେ ?"


-"ନା ରେ କ୍ଷିତି ! ଠିକ୍ ସେଇଆ ନୁହେଁ । କିନ୍ତୁ ମୋ ମନରେ ଉଠିଥିବା ଏହି ଛୋଟ ଛୋଟ କଥାର ନିଶ୍ଚୟ କିଛି କାରଣ ଥିବ ବୋଲି ମୋର ଧାରଣା । ଧରି ନେ ଇଏ ଗୋଟିଏ ଏକ୍ସପେରିମେଣ୍ଟ୍ ! କିମ୍ବା ଗୋଟିଏ ହାଇପୋଥେସିସ୍ ବି । ଯଦି ଏହାର ଉତ୍ତର ଠିକ୍ ଆସିଗଲା, ଜାଣିବୁ ମୋ ଭିତରେ ଉଠିଥିବା କଥା ଠିକ୍, ନହେଲେ ଏ ସବୁ ବେକାର କଥା !"


- "ଆଚ୍ଛା କଥା କହିଲୁରେ ଭାଇ ! ଇଏ କି ପ୍ରକାର କଥା ? ନଦେଖିଲା ଓଉ ଛଅ ଫଡା ଭଳି କଥା । ମୁଁ କିନ୍ତୁ ସତରେ ଶୁଖିଲା କାଠ । ମୁଁ ଏତେ ଭାବପ୍ରବଣ ହୋଇ ପାରେନି । ଯିଏ ମୋ ଜୀବନ ଭିତରକୁ ଆସିବ ଆସୁ , ମୁଁ ସ୍ଵାଗତ କରିବି । ଆଗରୁ ସେ ବିଷୟରେ ମୁଁ ଅନ୍ୟ କିଛିକଥା ଭାବି ପାରୁନାହିଁ ।"


- "ହଁ, ସିଏ ବି ଗୋଟିଏ ରାସ୍ତା । ମୁଁ ଏବେ ବି ବେଳେବେଳେ ବିଭୋର ହୁଏ ସେ ସବୁ କଥା ଭାବି । ଦେଖାଯାଉ ଆଗକୁ କଣ ସବୁ ଅଛି ମୋ ରାସ୍ତାରେ ।"


- "ଆଚ୍ଛା ବିନୁ, ତୁ କେବେ ଖୋଜିନୁ ସେ ଝିଅକୁ ?"


- "ଆରେ ! ଖୋଜିନି କାହିଁକି ? ବହୁତ ଖୋଜିଛି । ମୋ ଭିତରେ ତିଆରି ହୋଇଥିବା ମାନଦଣ୍ଡ ଅନୁଯାୟୀ କେଉଁ ଝିଅ ବି ଖାପ ଖାଇନାହାନ୍ତି ମୋ ଆଖିରେ । ଆଚ୍ଛା ତୁ କହ ତ, ମୋ ଠାରୁ ସେ ଝିଅଟି ବୟସରେ କେତେ ସାନ ହୋଇଥିବ ?"


- "ହଁ, ନିହାତି ତ ଚାରି ପାଞ୍ଚ ବର୍ଷ ସାନ ହୋଇଥିବ କିମ୍ବା ଆଉ ଟିକେ ଅଧିକ ସାନ ହୋଇଥିବ ।"


- "ମୁଁ ଯେତେବେଳେ ଷଷ୍ଠ ସପ୍ତମ ପଢୁଥିଲି, ସେତେବେଳେ ମୁଁ ଭାବେ ସେ ଝିଅ ନିଶ୍ଚୟ ତୃତୀୟ କି ଚତୁର୍ଥରେ ପଢୁଥିବ । କେଉଁ ସ୍କୁଲ୍ ରେ କେଜାଣି !"


- "ଆମେ ସବୁ ବିଜ୍ଞାନ ଛାତ୍ରମାନେ ଗୋଟିଏ ବିଷୟ ପଢୁଥିଲୁ ଗଣିତରେ । ଯାହାକୁ କୁହନ୍ତି ପ୍ରୋବାବିଲିଟି ବା ସମ୍ଭାବନା । ଯେମିତି ଗୋଟିଏ ଲୁଡୋ ଗୋଟିକୁ ଥରେ ପକେଇ ଛଅ ଦାନ ପାଇବାର ସମ୍ଭାବନା କେତେ ବୋଲି ଯଦି ଜାଣିବାକୁ ଚାହିଁବୁ, ତାହେଲେ ଏହାର ଗାଣିତିକ ସୂତ୍ର ଦ୍ଵାରା ସମାଧାନ କରାଯାଇପାରେ । କିନ୍ତୁ ତୁ ତୋ ମନରେ ଯେଉଁ ସବୁ ସମ୍ଭାବନାର ଚିତ୍ର ଆଙ୍କିଛୁ, ସେଥିରେ ସେମିତି ଝିଅଟେ ମିଳିବାର କୌଣସି ଗାଣିତିକ ସୂତ୍ର ବୋଧେ କେଉଁ ଗଣିତଜ୍ଞ ବାହାର କରିନାହିଁ ଏ ପର୍ଯ୍ୟନ୍ତ ।"


- "ହଁ ରେ କ୍ଷିତି, ମୁଁ ବି ଚାହୁଁନାହିଁ ଯେ ମୋ ପାଇଁ ଏ ପ୍ରହେଳିକାର ସମାଧାନ କିଏ ଆସି କରିଦେଉ । ସମୟକୁ ଅପେକ୍ଷା କରାଯାଉ । କାରଣ ମୋ ଜୀବନକୁ କେଉଁ ଝିଅଟି ଆସିବ, ସେ ସବୁ ଆଗରୁ ସ୍ଥିରିକୃତ ହୋଇସାରିଛି ଏବଂ ସେ ବିଷୟରେ ଆମେ ସଂପୂର୍ଣ୍ଣ ଭାବରେ ଅଜ୍ଞ ।"


- "ଏ ଶୁଖିଲା କାଠର ମନ ଭିତରେ ତୋ କଥା ଗୋଟିଏ ଅଲଗା ଶିହରଣ ଆଣିବା ଭଳି ମୋତେ ଲାଗୁଛି ।"


- "ମୁଁ କୌଣସି ରୋମାଣ୍ଟିକ୍ ନଭେଲ୍ ବିଷୟରେ ତୋତେ କହୁନି । ମୋର ଗୋଟିଏ ପର୍ସନାଲ୍ ଫିଲିଙ୍ଗ୍ ହିଁ କହୁଛି । ଏଥିରେ ଏମିତି କିଛି ନାହିଁ ଯେ, ତୋ' ଭିତରେ ଶିହରଣ ଆଣିବ । ମୁଁ କେବଳ ସମୟର କଥା ବିଷୟରେ ତୋତେ କହୁଛି ।"


- "ହଁ, ମୋ ବାପା ବି ଏଇ କଥା କୁହନ୍ତି । ତାଙ୍କ ମତରେ ସମୟ ହେଉଛି ସବୁ କିଛିର ଔଷଧ । ସମୟ ହିଁ ତୁମକୁ ତୁମ ଜାଗାରେ ଥୋଇବ । ନହେଲେ ତୁମକୁ ତୁମ ଜାଗାରୁ ବାହାର କରିଦେବ ।"


ବିଜିତ ଚୁପ୍ ହୋଇଯାଇଥିଲା । କ୍ଷିତିଶ ଅନେଇଲା ବିଜିତକୁ । କିଛି ସମୟ ପରେ ପଚାରିଲା, "ଏବେ ପୁଣି କେଉଁ ଭାବନାରେ ବୁଡିଗଲୁ କି ?"


ବିଜିତ ଗୋଟିଏ ଦୀର୍ଘ ନିଶ୍ଵାସ ନେଇ କହିଲା, "ହଁ ରେ କ୍ଷିତି, ସତରେ ସମୟର ମାୟା କିଏ ବୁଝିବ ? ମୋର ଗୋଟିଏ ଘନିଷ୍ଠ ବନ୍ଧୁ କଥା ମୋର ମନେ ପଡିଗଲା ତୋ କଥା ଶୁଣି । ତାହାରି କଥା ମନେ ମନେ ଭାବୁଥିଲି ।" ବିଜିତର ମୁହଁ କରୁଣ ଦେଖାଯାଉଥିଲା ।


କ୍ଷିତିଶକୁ ଏ କଥା ଅଜଣା ରହିଲା ନାହିଁ । "ଆରେ କହ କେଉଁ ସାଙ୍ଗ ?"


ବିଜିତ ଆଖି ବୁଝି ବସିଥିଲା । ବିଜିତ ଆଖି କୋଣରୁ ଲୁହ ଜକେଇ ଆସିଥିଲା । କ୍ଷିତିଶ ବି ଅସହାୟ ବୋଧ କରୁଥିଲା ନିଜକୁ ।


- "ହଉ । ତୁ ଯଦି ନ ଚାହୁଁଛୁ, ତୋତେ ମୁଁ ବାଧ୍ୟ କରୁନି ।"


ବିଜିତ ଆଖି ଖୋଲି ଅନେଇଲା କ୍ଷିତିଶକୁ ।


ଏବେ ବିଜିତ ଆରମ୍ଭ କଲା ଗୋଟିଏ ଶେଷ ହୋଇନଥିବା କଥାଟିଏ । ଯେଉଁ କଥାର ଶେଷ ଆସିବା ଆଗରୁ ଯବନିକା ପତନ ହୋଇଥିଲା ।


"ଆମେ ଦୁହେଁ ଥିଲୁ ଏକା ଗାଁର ଦୁଇ ହାଇସ୍କୁଲ ସାଙ୍ଗ । ସାଙ୍ଗ କହିଲେ ଏମିତି ସେମିତି ନୁହେଁ । ଯାହାକୁ କୁହନ୍ତି ଅନ୍ତରଙ୍ଗ ସାଙ୍ଗ । ଏକ ଥାଳିରେ ଖାଇବା, ଗୋଟିଏ ଗାମୁଛାରେ ଦୁହେଁ ଗାଧୋଇବା, ଗୋଟିଏ ସାବୁନ ଦୁହେଁ ବ୍ୟବହାର କରିବା ଭଳି ସାଙ୍ଗ । ସେ ସାଙ୍ଗ ନାଁ ଥିଲା ବିଭୁପ୍ରସାଦ । ଜାତିରେ ଗୁଡିଆ । ମୁଁ  ଯଦିଓ କରଣଘର ପୁଅ ଥିଲି, ଆମ ଭିତରେ ଯାହା କୁହନ୍ତି ପାଣି ଗଳୁନଥିଲା । ମୁଁ ତାଙ୍କ ଘରକୁ ଯାଏ । ତା' ବାପାବୋଉ ମୋତେ ନିଜ ପୁଅ ଭଳି ଆଦର କରୁଥିଲେ । ସେ ବି ଆମ ଘରକୁ ଆସିଲେ, ମୋ ବାପାବୋଉ ତାକୁ ନିଜ ପୁଅ ଭଳି ଆଦର କରୁଥିଲେ । ମୋର ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ ଭଲ ହେଉଥିଲା, ବିଭୁର ବିଜ୍ଞାନ ଆଉ ଗଣିତ । କିନ୍ତୁ ଆମ ଭିତରେ ପାଠ ଦିଆନିଆ ଏମିତି ହେଉଥିଲା ଯେ, ଦୁହେଁ ଆମ ଶ୍ରେଣୀରେ ସବୁଠାରୁ ଭଲ ଛାତ୍ର ଥିଲୁ । ସେଭଳି ସାଙ୍ଗଟିଏ ପାଇ ମୁଁ ନିଜକୁ ଧନ୍ୟ ମନେକରୁଥିଲି ନିଜକୁ । ଖାଲି ପାଠ ନୁହେଁ, ଗୁଡିଆ ଘର କାରିଗରୀ ବି ତାକୁ ବେଶ ମାଲୁମ୍ ଥିଲା । ଆମେ ଯଦି ଭୋଜି କରୁ, ସେ ଆମପାଇଁ  ନିଶ୍ଚୟ ରୋଷେଇ କରିଦେବ । ବେଳେବେଳେ ଆମର ତେଲଭାଜି ଖାଇବାକୁ ଇଚ୍ଛା ହେଲେ, ନିଜେ ସାଙ୍ଗେ ସାଙ୍ଗେ ସବୁ ଜିନିଷ ଯୋଗାଡ କରି ଆମକୁ ଖୁଆଇବ । ଆମେ ଦୁହେଁ ମାଟ୍ରିକ୍ ପାସ୍ କରି ଗୋଟିଏ କଳେଜ୍ ରେ ନାମ ଲେଖାଇଲୁ । ସେ ବିଜ୍ଞାନ ନେଇ ପଢିଲା ଏବଂ ମୁଁ କଳା ନେଇ ପଢିଲି । ଗୋଟିଏ ମେସ୍ ରେ ଦୁହେଁ ରହୁଥିଲୁ । ଦିନେ ବିଭୁ ମୋତେ ଗୋଟିଏ ଅପୂର୍ବ କଥାଟିଏ କହିଲା । ସେ କୁଆଡେ ଆମ ଗାଁର ଗୋଟିଏ ଝିଅକୁ ଭଲ ପାଉଛି । ରୀତିମତ ଚିଠି ଦିଆନିଆ ଚାଲିଛି ସେ ଝିଅ ସହ । ମୁଁ ଡରିଗଲି ସେ ସବୁ କଥା ଶୁଣି । ସେଦିନ ବିଭୁ ମୋତେ ଗୋଟିଏ ଅଲଗା ଜାଗାକୁ ଡାକି ନେଇ ସେ ଭଲ ପାଉଥିବା ଝିଅ ପାଖରୁ ଆସିଥିବା ଖଣ୍ଡେ ଚିଠି ପଢେଇଲା । ମୋତେ ଯଦିଓ ଭାରି ଲାଜ ଲାଗୁଥିଲା, କିନ୍ତୁ ମନରେ ମୋର ମଧ୍ୟ ଖୁବ୍ ଉତ୍ସୁକତା ଥିଲା ସେମିତି ଚିଠି ଖଣ୍ଡେ ପଢିବାକୁ । ଝିଅଟି ସେତେବେଳକୁ ଅଷ୍ଟମ ପଢୁଥିଲା । ଗାଁ ଝିଅ ହିସାବରେ ନିଜର ଭଲ ପାଇବାକୁ ସେ ଚିଠିରେ ପ୍ରକାଶ କରିବାକୁ ସେ ଯେମିତି ଭାଷା ପାଉନଥିଲା, ମୋତେ ସେମିତି ଲାଗିଲା । ମୋର ସେ ଝିଅ ନାଁ ବି ମନେ ଅଛି । ତା ନାଁ ଥିଲା ନମିତା । ମୁଁ ଯେତିକି ରୋମାଞ୍ଚିତ ହୋଇଥିଲି ସେ ଚିଠି ପଢି, ସେତିକି ଭୟଭୀତ ବି ହୋଇଥିଲି । ମୁଁ ବିଭୁକୁ ବହୁତ ବୁଝାଇଲି ସେଦିନ । ଭଲ ପାଠ ପଢି ଭଲ ଚାକିରୀ ଖଣ୍ଡେ କରିବା ବଦଳରେ ଏ ସବୁ ଶସ୍ତା ଧନ୍ଦାରେ କାହିଁକି ମୁଣ୍ଡ ପୁରୋଉଛୁ ବୋଲି ତାକୁ କହିଲି । ସେ ମୋତେ କଣ କହିଲା ଜାଣିଛୁ ?"


କ୍ଷିତିଶ ମନଧ୍ୟାନ ଦେଇ ଶୁଣୁଥିଲା ବିଜିତର କଥା । "କଣ କହିଲା ତୋ ସାଙ୍ଗ ?"


- "ଆରେ ସେ କହିଲା ଯେ ନମିତାର ଭଲ ପାଇବା ତା'କୁ ନିଶ୍ଚୟ ଭଲ ରାସ୍ତାରେ ନେବ । ତେଣୁ ମୋର ବ୍ୟସ୍ତ ହେବା ଉଚିତ ନୁହେଁ । ମୁଁ ଅଗତ୍ୟା ଚୁପ୍ ରହିଲି । ଆମର ବନ୍ଧୁତା ସେମିତି ଅତୁଟ ରହିଥିଲା । ନମିତାର ପ୍ରତ୍ଯେକ ଚିଠି ଆସିଲା ପରେ ମୋ ଉପସ୍ଥିତିରେ ହିଁ ଖୋଲାଯିବ ଏବଂ ସେ ପଢି ମୋତେ ଶୁଣେଇବ । ଆଉ ଗୋଟିଏ ଦିନ କଥା କହୁଛି । ସେଦିନ ଥାଏ ହୋଲି । ଆମେ ଘରକୁ ଯାଇଥାଉ l ହଠାତ ସେଦିନ ରାତିରେ ମୋ ପାଖକୁ ବିଭୁ ଆସି ପହଞ୍ଚିଲା ଏବଂ ମୋତେ ତା' ସହ ଯିବାକୁ କହିଲା । ଆମେ ଦୁହେଁ ସାଇକେଲ ମାରି ଆମ ଗାଁ ଠାରୁ କିଛି ଦୂରରେ ଥିବା ଗୋଟିଏ ବ୍ରିଟିଶ ଅମଳର ପଥର ଫେନ୍ଦଦିଆ କୂଅ ପାଖରେ ପହଞ୍ଚିଲୁ । କୂଅଟିର ଫେନ୍ଦ ବେଶ୍ ଚଉଡା ।  ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ବିଭୁକୁ ପଚାରିଲି, "କେଉଁ କାରଣ ପାଇଁ ଏଠାକୁ ଡାକିଲୁ ମୋତେ  ?"


ବିଭୁ ମୋତେ ମୁରୁକି ହସି କହିଲା, "ଆଜି ସକାଳେ ନମିତା ଆମ ଘରକୁ ଆସିଥିଲା । ମୁଠାଏ ଅବିର ମୋ ମୁହଁରେ ବୋଳି ମୋ ହାତରେ ଲଫାପାଟିଏ ଧରେଇ ଦେଇ ଦୌଡି ଚାଲିଗଲା । ମୁହଁରୁ ଅବିର ତ ମୁଁ ଧୋଇଦେଇଛି । ହେଲେ ଲଫାପା ଖୋଲିନି ଏ ପର୍ଯ୍ୟନ୍ତ । ତୋ ସାଙ୍ଗରେ ପଢିବାକୁ ଏଠାକୁ ଡ଼ାକିଥିଲି ।"


ଦୋଳ ପୂର୍ଣ୍ଣିମା ପର ଦିନ । ଆକାଶରେ ଜହ୍ନ ତୋଫା ହୋଇ ଦିଶୁଥାଏ । ସେହି ଆଲୁଅରେ ସେ ଚିଠିଟିକୁ ପଢିବା ଥିଲା ବିଭୁର ଲକ୍ଷ୍ୟ ।


ମୁଁ ପଚାରିଲି, "ଆରେ ଚିଠି କାହିଁ ?"


ବିଭୁ ତରତରରେ ତା' ପ୍ଯାଣ୍ଟ ପକେଟରୁ ଲଫାପାଟିକୁ ବାହାର କରୁ କରୁ ଗୋଟିଏ ଅଘଟଣ ଘଟିଗଲା । ବିଭୁ ହାତରୁ ଲଫାପାଟି ଖସି ଯାଇ ସିଧା ପଡିଲା କୂଅ ଭିତରେ । ଆମେ ଦୁହେଁ କିଂକର୍ତ୍ତବ୍ୟବିମୁଢ ହୋଇ ପରସ୍ପରକୁ କେବଳ ଅନେଇ ରହିଲୁ । ହଠାତ୍ ବିଭୁ ସାଇକେଲ ମାରି ପାଖ  ବଜାରକୁ ଚାଲିଗଲା ଏବଂ ଖୁବ୍ କମ୍ ସମୟ ଭିତରେ ଗୋଟିଏ ଟର୍ଚ୍ଚ ଧରି ପହଞ୍ଚିଲା ସେଠାରେ । ମୋତେ କୂଅ ଭିତରକୁ ଟର୍ଚ୍ଚ ମାରିବାକୁ କହିଲା ଏବଂ ନିଜେ ବୀରଦର୍ପରେ କୂଅ ଭିତରେ ଥିବା ଲୁହା କଡାକୁ ଧରି ତଳକୁ ଓହ୍ଲାଇଲା । ମୋ ପିଣ୍ଡରେ ସତେ ଯେମିତି ପ୍ରାଣ ନଥାଏ । ମୁଁ ବିଭୁ ପାଇଁ ଭଗବାନଙ୍କୁ ଡାକୁଥାଏ କେବଳ । ସେ କିନ୍ତୁ ବିନା କୌଣସି ଅସୁବିଧାରେ ପାଣି ପର୍ଯ୍ୟନ୍ତ ଓହ୍ଲାଇ ଭାସୁଥିବା ସେ ଲଫାପାଟିକୁ ଉଦ୍ଧାର କରି ଉଠି ଆସିଲା ଉପରକୁ । ମୁଁ କୁଣ୍ଢେଇ ପକେଇଲି ବିଭୁକୁ । ମନେ ମନେ ଭାବୁଥିଲି, ସତରେ ଭଲ ପାଇବା ଭିତରେ ବି ଗୋଟିଏ ଅପୂର୍ବ ଶକ୍ତି ଅଛି । ନହେଲେ ଏ ନହନହକା ଟୋକା ଏମିତି ରାତିଟାରେ କୂଅ ଭିତରେ ପଶି କେମିତି ଗୋଟିଏ ଚିଠି ଉଦ୍ଧାର କରିଥାନ୍ତା ।


ଏବେ ସେହି ଟର୍ଚ୍ଚ ଆଲୁଅରେ ସେ ଲଫାପାଟିକୁ ଖୋଲାଗଲା । ନମିତାର ସେହି ଅବିର ବୋଳା ଚିଠିଟିକୁ ବଡ ପାଟିରେ ବିଭୁ ପଢିଲା ଆଉ ମୁଁ ଶୁଣିଲି । ହୋଲିରଙ୍ଗରେ ଆମେ ଦୁହେଁ ଯେମିତି ଗାଧୋଇଥିଲୁ ସେ ଜହ୍ନରାତିରେ । ବିଭୁ ଓ ମୁଁ ସେହି କୂଅର ବାଡ ଉପରେ ବସିଥାଉ ବହୁତ ସମୟ । ନମିତାର ଅବିରବୋଳା ଚିଠିର ବାସ୍ନା ଯେମିତି ଆମକୁ ଜ୍ୟୋତ୍ସ୍ନାମଗ୍ନ କରି ରଖିଥିଲା ।


ମୋତେ ବୋଧେ ସେଇଦିନ ଅନୁଭବ ହୋଇଥିଲା ପ୍ରେମର ଶକ୍ତି । ମୁଁ ବିଭୁ ପାଇଁ ବହୁତ ଖୁସି ହୋଇଥିଲି ସେଦିନ । ବିଭୁ ବି ମୋତେ ନିରାଶ କରି ନଥିଲା । ବିଜ୍ଞାନ ଇଣ୍ଟରମିଡିଏଟ୍ ଭଲ ମାର୍କରେ ପାସ କଲାପରେ ଏଣ୍ଟ୍ରାନ୍ସ ଦେଇ ଇଞ୍ଜିନିୟରିଂ ପଢିବାକୁ ଯାଏ ରାଉରକେଲା । ମୁଁ ରେଭେନ୍ସାରେ ବି.ଏ. ସାରି ଉତ୍କଳ ୟୁନିଭରସିଟିରୁ ଏମ.ଏ. ପାସ କଲା ବେଳକୁ ସିଏ ନାଲକୋରେ ଟ୍ରେନି ଇଞ୍ଜିନିୟର ହିସାବରେ ଯୋଗ ଦିଏ । ଆମ ଭିତରେ ଯୋଗାଯୋଗ ସବୁବେଳେ ରହିଥାଏ । କେବଳ ଗୋଟିଏ କଥା ବାକି ଥିଲା । ବିଭୁ ଆଉ ନମିତାର ବାହାଘର ।"


ଏତିକି କହି ଚୁପ୍ ହୋଇଯାଇଥିଲା ବିଜିତ । କ୍ଷିତିଶ ଅନେଇଲା ବିଜିତକୁ । "ସେଇଠୁ କଣ ହେଲା କହୁନୁ ?" କ୍ଷିତିଶ କଣ୍ଠରେ ଥିଲା ଉଦଗ୍ରୀବ ଭାବ ।"


ବିଜିତ ତଥାପି କିଛି କହୁ ନଥିଲା । ତା' ଆଖିରେ ଏବେ କରୁଣ ଭାବ ସ୍ପଷ୍ଟ ଭାବରେ ଦେଖି ପାରୁଥିଲା କ୍ଷିତିଶ । "ଆରେ କଣ ହେଲା ତା'ପରେ ?"


ବିଜିତ ଏଥର ପାଟି ଖୋଲିଲା, " ଆଉ କଣ ହେବ ? ସମୟ କିନ୍ତୁ ଆମେ ଚାହୁଁଥିବା ଘଟଣାଟିକୁ ସଂପୂର୍ଣ୍ଣ ଭାବରେ ବଦଳେଇ ଦେଇଥିଲା ଗୋଟିଏ ମୁହୂର୍ତ୍ତରେ । ମୋର ସେ ପ୍ରିୟ ସାଙ୍ଗ ଗୋଟିଏ ରାସ୍ତା ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଆରପାରିକୁ । ଘରକୁ ଆସୁଥିଲା ରଜ ଛୁଟିରେ । ଜୁଲାଇ ମାସରେ ହିଁ ସେ ନମିତାକୁ ବାହା ହୋଇଥାଆନ୍ତା ।ଆପଣ ମାନେ କାହାଣୀ ପଢ଼ୁଛନ୍ତି l କିନ୍ତୁ ସମୟ ସବୁ କିଛି ଓଲଟପାଲଟ କରିଦେଲା । ମୋ ଭିତରେ ଯେମିତି ମୁଁ ମରିଗଲି ସେଦିନ, ଏମିତି ଲାଗିଥିଲା ମୋତେ ।" ଏତିକିରେ କଥା ସାରି ବିଜିତ କାନ୍ଦୁଥିଲା ଏବଂ ପ୍ରଥମ ଥର ପାଇଁ ଗୋଟିଏ ଅଠେଇଶି ବର୍ଷର ଯୁବକକୁ ଏମିତି କାନ୍ଦିବାର ଦେଖିଥିଲା କ୍ଷିତିଶ ।


କ୍ଷିତିଶ ଉଠି ଆସିଲା ନିଜ ଖଟ ଉପରୁ ଆଉ ବିଜିତ ପାଖରେ ବସି ତା' କାନ୍ଧରେ ହାତ ପକେଇଲା । ବିଜିତ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଉଥିଲା । ଦୁହେଁ କିଛି ସମୟ ଚୁପଚାପ୍ ବସିଥିଲେ ନୀରବ ହୋଇ ।


ରାତି ବାରଟା ଟପି ସାରିଥିଲା ସେତେବେଳକୁ । ଦୁହେଁ ଏଥର ନିଜ ନିଜ ଖଟରେ ଶୋଇବା ପାଇଁ ବାହାରିଲେ । କ୍ଷିତିଶ ଏଥର ତା' ମଶାରୀ ଭିତରେ ଥାଇ କହିଲା, "ବୁଝିଲୁ ବିନୁ, ତୋ ସାଙ୍ଗ ବିଭୁ କଥା ଶୁଣି ଏବେ କାହିଁକି ମୋର ମନେ ହେଉଛି, ଏମିତି ଭଲପାଇ ବାହା ହୋଇଥିଲେ ବୋଧେ ଖୁବ୍ ଭଲ ହୋଇଥାନ୍ତା ?"


ବିଜିତ ଟିକେ ହସିଲା କ୍ଷିତିଶ କଥା ଶୁଣି ।


ଏହାର ତିନିବର୍ଷ ପରର କଥା । ସେତେବେଳକୁ କ୍ଷିତିଶ ଆଉ ବିଜିତ ଦୁହେଁ ଭିନ୍ନ ସ୍ଥାନରେ ଅବସ୍ଥାପିତ ଥିଲେ । କ୍ଷିତିଶ ଘର ସଂସାର ଆରମ୍ଭ କରି ସାରିଥିଲା । ତା' ଦାମ୍ପତ୍ୟ ଜୀବନ ଖୁବ୍ ସୁନ୍ଦର ଥିଲା । ଦିନେ ବନ୍ଧୁ ବିଜିତ ଠାରୁ ସେ ପାଇଲା ଗୋଟିଏ ନିମନ୍ତ୍ରଣ ପତ୍ର  । ଉପରେ ଲେଖାଥିଲା "ବିଜିତ ୱେଡ୍ସ୍ ପଦ୍ମଜା" । କ୍ଷିତିଶ ପାଟିରୁ ବାହାରିପଡିଲା ହଠାତ୍ "ହ୍ଵାଟ୍ ଏ ମାଗ୍ନିଫିସିଏଣ୍ଟ୍ ସରପ୍ରାଇଜ୍ ୟାର୍ ! ୟୁ ଆର୍ ରିଏଲି ପରଫେକ୍ଟ ୱିଥ୍ ୟୋର୍ ହାଇପୋଥେସିସ୍ !"


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...