Thursday, April 15, 2021

Odia Story (ଓଡ଼ିଆ ଗପ)-12


    


                   " ଅକୁହା ମନ କଥା "


        ଶାଗରିକା ଜୀବନରେ ଏଇ ଫଗୁଣକୁ ନେଇ ତେଇଶିଟି ଫଗୁଣ ଅତିକ୍ରମ କରିବ। ମନ ପ୍ରାଣେ ତାର ମତୁଆଲା ମଳୟ ସିହରଣ ଖେଳାଏ। ବସନ୍ତ ଆସି ତା' ଆଖିରେ ଭରି ଦିଏ ମିଠା ମିଠା ସ୍ବପ୍ନ।


         ଶାଗରିକା ବାପା ଛେଉଣ୍ଡ ଝିଅଟି। ବୁଢୀ ମା'ତାର ଆଗରେ ପଛରେ। ସମ୍ବଳ କହିଲେ ଭିଟା ମାଟିରେ ଖଣ୍ଡିଏ ଘର ଆଉ ଦି ମାଣ ଗହୀର ଜମି। ବାପା ଅସମୟରେ ମାଆ ଝିଅ ଦି ଜଣକୁ ପର କରି ପରଲୋକକୁ ଚାଲିଗଲେ। ମାଆର ମାନସିକ, ଝିଅର ଆକୁଳ ପ୍ରାର୍ଥନା ଶୁଣି ନ ଥିଲେ ଦିଅଁ ଦେବତା।   



         ଜହ୍ନ ପରି ଛନ ଛନ ମନ ନେଇ ଅଗଣାରେ ନାଚି ଖେଳି ଦିନ କାଟୁଥିବା ଶାଗରିକା ଓଠରୁ ହସା ହଜି ଗଲା। ତା ମାଆ ଆଖି ଆଗରେ ସାରା ସଂସାରଟା ଅନ୍ଧାର ଦିଶିଲା।


        ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି। ଉଭୟ ମାଆ ଝିଅ କିଛି ଦିନ ଆଖିରୁ ଲୁହ ବୁହାଇଲେ। ସାହା ହୋଇ ଆହା ପଦେ କହିବାକୁ ପାଖରେ ନିଜର ଆଉ କେହି ନ ଥିଲେ। ଝିଅର କଅଁଳ ମୁହଁରେ ହସ ଟିକିଏ ଦେଖିବା ପାଇଁ ମାଆ ତାର ଅଣ୍ଟା ସଳଖ କଲା।

ଅନେକ ସାନ୍ତ୍ଵନା ଦେଇ ଆଗକୁ ବଢିବା ପାଇଁ ପ୍ରେରଣା ଦେଲା।


            ଏବେ ଶାଗରିକା ଗାଆଁ ପାଖ କଲେଜରୁ ବି.ଏ. ପାସ୍ କଲାଣି। ଚାକିରି କରିବାର ଆଶା ନାହିଁ। ସେ ସେମିତି ଖୁବ୍ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନାହିଁ। ଏ ବେକାରୀ ଯୁଗରେ ତା' ପରି ଝିଅଟିଏ ସରକାରୀ ଚାକିରି ପାଇବା ଆକାଶ କୁସୁମ କଳ୍ପନା। ତଥାପି ସେ ଉଦ୍ୟମ କରି ଚାଲିଛି ହୁଏତ ଭାଗ୍ୟ ସାଥୀ ହୋଇ ପାରେ।

     ମାଆ କିନ୍ତୁ ଝିଅ ଚାକିରି କରୁ ସପକ୍ଷରେ ନ ଥିଲା, ଆଜିକାଲିର ଯୁଗ ପରିସ୍ଥିତି ତଥା ଝିଅଙ୍କ ପ୍ରତି ହେଉଥିବା ନାନା ଅପ୍ରୀତିକର ଘଟଣା ଦେଖି। ତେଣୁ ସବୁବେଳେ ତାର ଚିନ୍ତା, ଭଲ ଗୁଣବାନ ପୁଅଟିଏ ଦେଖି ବାହାଘର କରିବା ପାଇଁ।


          ଶାଗରିକା ମାଆକୁ ଉପରେ ଉପରେ ମନା କରି ଦିଏ ସିନା, ଭିତରେ ଭିତରେ ତାର ସରଳ ମନଟା ଚହଲି ଯାଏ। ନିରୋଳାରେ ଏକା ଏକା କେତେ କଥା ଭାବେ। ଫୁଲ ବଗିଚାରେ ଫୁଲ ସାଥେ ପ୍ରଜାପତିର ଖେଳକୁ ଦେଖେ, ଜହ୍ନ ରାତିର ଜୋସ୍ନା କୁ ଦେଖେ,ମନରେ ଆଶାର ଲତା ଡଙ୍କେଇ ଡଙ୍କେଇ ଆଗକୁ ମାଡି ଯାଏ। ବିଛଣାରେ ଗଡି ଗଡି କଡ ଲେଉଟାଏ, ନିଦ ଆସେନା। ଭାବନା ଭାବନାରେ କେଉଁ ଏକ ମନର ମଣିଷକୁ ଖୋଜି ବୁଲେ। ଭାବୁ ଭାବୁ ନିଦରେ ସପନ ଦେଖୁ ଦେଖୁ ସକାଳ ଆସେ।

      ଅକୁହା ମନ କଥା, ମନରେ ସାଇତି ରଖେ। ଏହା ଭିତରେ ଦୁଇଟା ପ୍ରସ୍ତାବ ଆସିଛି। ଯଦିଓ ଶାଗରିକା ଅଶିକ୍ଷିତା କି ଅସୁନ୍ଦରୀ ନୁହେଁ, ତଥାପି ମୋଟା ଯୌତୁକ ନ ପାଇବାର ଆଶଙ୍କାରେ ପୁଅଟିଏ ଥରୁଟିଏ ଚାହିଁ ଦେଇ ଲେଉଟି ଯାଏ।

ତାର ମନଟା ବିଦ୍ରୋହ କରି ଉଠେ। ମନକୁ ମନ ପ୍ରଶ୍ନ କରେ... ଆଜି ସମାଜରେ ନାରୀ କଣ ଏତେ ଅଲୋଡା ? ପର ଘରକୁ ଯିବ... ପରକୁ ଆପଣାର କରିବା ପାଇଁ, ସେବିକା ରୂପେ... ହେଲେ ଏ ମଣିଷମାନେ କେତେ ଅବୁଝା। ସାମାନ୍ୟ କେଇଟା ଆନୁସଙ୍ଗିକ ଜିନିଷ, କିଛି ସୁନା ଗହଣା ଆଉ କେଇଟା ଟଙ୍କା ପାଖରେ ଏମାନେ ନତ ମସ୍ତକ।

କାହା ଅନୁଭବରେ ଚିନ୍ତା ଚେତନାରେ ପ୍ରତିକ୍ରିୟା ଆସେନା। ହୃଦୟ ହୃଦୟକୁ ବୁଝେନା। ଏ ପ୍ରତିଦ୍ଵନ୍ଦୀ ସମାଜରେ ପ୍ରତିଦ୍ବନ୍ଦିତା କରି ତା' ମାଆ ତାକୁ କେମିତି କାହା ହାତରେ ଛନ୍ଦି ଦେବ ?

ପ୍ରଶ୍ନ ପ୍ରଶ୍ନରେ ତାର ମନଟା ଛନ୍ଦି ହୋଇଯାଏ। କିଛି ଉତ୍ତର ପାଏ ନାହିଁ।


       ବେଳେବେଳେ ସମୟ ଏମିତି କିଛି ଖେଳ ଖେଳି ଦିଏ ଯାହା ଆଶାତୀତ ତାକୁ ଯୋଡି ଦିଏ।

ଶାଗରିକାର ଭାଗ୍ୟରେ ସେମିତି ଏକ ସମୟ ଆସିଲା... ବିନୀତ୍ ସାଥିରେ ତାର ଦେଖା ହେଲା।


        ସେ ଦିନ ମାଆକୁ ନେଇ ହସ୍ପିଟାଲ ଯାଇଥିଲା, ସିରିଏଲ୍ କରି ଭିତରର ଡାକରାକୁ ଅପେକ୍ଷା କରିଥାଏ। ଡାକିଲେ ମାଆକୁ ତାର ଡାକ୍ତରଙ୍କୁ ଦେଖାଇବ। ହଠାତ୍ ମାଆ ତାର ସଂଜ୍ଞାହୀନା ହୋଇ ପଡିଲା। ମାଆର ଏ ଅବସ୍ଥା ଦେଖି ହତ ଚକିତ ହୋଇ କାନ୍ଦି ପକାଇଲା। ସାହାଯ୍ଯ ପାଇଁ ଡାକ ଛାଡିଲା। ବିନୀତ୍ କେଉଁଠି ଥିଲା କେଜାଣି। ପାଖକୁ ଦୌଡି ଆସିଥିଲା। ସଙ୍ଗେ ସଙ୍ଗେ ତାର ମାଆକୁ ଏଡମିସନ୍ କରି ବେଡ୍ କୁ ନେଇ ଯାଇଥିଲା। ମାଆର ଚେତା ଫେରିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିଥିଲା। ଅଯାଚିତ ଭାବେ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲା। ହସ୍ପିଟାଲରେ ଦୁଇ ଦିନ ରହିବା ଭିତରେ ମାଆର ଢେର୍ ଦେଖାଶୁଣା ବି କରିଛି।


         ସେଇ ବିତୀତ୍... ଅତି ସାଧାସିଧା ପିଲାଟି। ବୟସ ତିରିଶି ପାଖାପାଖି। କଳା ହେଲେ ବି ମଧ୍ୟମ ସ୍ଵାସ୍ଥ୍ୟ। ଦେଖିବାକୁ ମନ ପସନ୍ଦର। ଅଳ୍ପ ଅଳ୍ପ ମଧୁର ଭାଷା ଦରଦ ମିଶା ଆପଣାର ଭାବ।ଆବଶ୍ୟକତାଠାରୁ ବେଶି କିଛି କହେ ନାହିଁ।


         ମାଆର ସେବା ଶୁଶ୍ରୁଷା ବେଳେ ବିନୀତ୍ ସହିତ ତାର କେଇ ପଦ କଥାବାର୍ତ୍ତା..ସେ ବିନୀତ୍ ସହିତ କିଛି ମୁହୂର୍ତ୍ତ ଭାବ ବିନିମୟ କରିଛି। ସତରେ ଏତେ ସୁନ୍ଦର ପିଲା ବି ଅଛନ୍ତି। ବିନା ସ୍ଵାର୍ଥରେ ଆସି ସହଯୋଗ କରୁଛନ୍ତି କେତେ ଜଣ ?


          ମାଆ ଭଲ ହୋଇ ଘରକୁ ଆସିଲା। କିଛି ଦିନ ପରେ ଶାଗରିକାକୁ ତା ମନ କଥା କହିଲା।

--ଆରେ ମାଆ ଶାଗରିକା, ତୋତେ ଗୋଟେ କଥା କହିଥାନ୍ତି...

--ହଁ, ବୋଉ କହ କଣ କହିବୁ ?

-- ସେ ବିନୀତ୍ ତୋତେ କେମିତି ଲାଗନ୍ତି...

--ବିନୀତ୍... କୋଉ ବିନୀତ୍, ନ ଜାଣିଲା ପରି ଉପର ଠାଉରିଆରେ ସେ କହିଲା।

--ଆଲୋ, ସେହି ପିଲାଟି, ମୁଁ ହସ୍ପିଟାଲରେ ଥିଲା ବେଳେ ଯିଏ ମୋର ଅନେକ ଯତ୍ନ ନେଇଛନ୍ତି।

--ହଁ ଯେ, ତୁ ତ ଭଲ ହୋଇ ଆସିଲୁ। ତାଙ୍କ କଥା ପୁଣି ଏବେ କାହିଁକି ?

-- ବିଚରା..ଭାରି ନିରିହ.. ଏକଦମ୍ ସାଧାସିଧା।

ତାଙ୍କର ବାପା ମାଆ ନାହାଁନ୍ତି। ବଡ ଭାଇ ଭାଉଜ ବଢେଇଛନ୍ତି। ଗୋଟେ ବେସରକାରୀ ଅନୁଷ୍ଠାନରେ ଚାକିରି କରନ୍ତି। ଘର ଚଳିବା ଭଳି ଦରମା...

--ବୋଉ.. ମୋତେ ତାଙ୍କର ଏତେ ଡାଟା ଦେବାର ମାନେ...

--ଆଲୋ ହୁଣ୍ଡି, ବୁଝି ପାରୁନୁ। ମୁଁ ମନେ ମନେ ଭାବିଛି ତାଙ୍କ ସହିତ ତୋର ବାହାଘର କରିବି।

ତାଙ୍କୁ ଜ୍ୟୋଇଁ କରିବି...

-- ଶାଗରିକା ମାଆ ପାଖରେ ହେଲେ ବି କେମିତିକା ଲାଜେଇ ଯାଇ ଇତସ୍ତତଃ ହୋଇ ପଡିଲା। ମାଆ ତାର ଅଲକ୍ଷ୍ୟରେ ତା' ଅକୁହା ମନ କଥା କେତେବେଳେ ପଢି ନେଇଛି। ସେହି ତ ମାଆର ମହନୀୟତା। ପିଲାର ମନକଥା ପଢି ପାରେ, ଜାଣି ପାରେ। ସତରେ ମାଆ ଅତୁନନୀୟା ଚିର ବନ୍ଦନୀୟା।

--ଆଲୋ କିଛି କହିଲୁ ନାହିଁ ଯେ..

--ମୁଁ ଆଉ କଣ କହିବି, ତୁ ଯା' ଭଲ ଭାବିବୁ।

-- ଶୁଣ, ସେ ବିନୀତ୍ ଆଜି ଆମ ଘରକୁ ଆସିବେ। ତାଙ୍କ ପାଇଁ କିଛି ରନ୍ଧାରନ୍ଧି କର।

ମୁଁ ଚାହୁଁଛି ତୁମେ ପରସ୍ପର ପରସ୍ପରକୁ ଜାଣ..

ପଛରେ ଯେମିତି ମୋତେ କିଛି ଦୋଷ ନ ଦେଉ।

--ବୋଉ ତୋ ଭଲ ପାଇବା ଆଶୀର୍ବାଦ ମୋ ଉପରେ ଥିବା ଯାଏଁ ମୁଁ ଭଲରେ ଅଛି, ଥିବି..

ତୋର ବିଚାରକୁ ମୁଁ କେମିତି ଅମାନ୍ୟ କରିବି...


     ସେ ଦିନ ବିନୀତ୍ ଆସିଥିଲେ। ତା' ପରି ସେ ବି ଜଣେ ବେସାହାରା। ବୋଧହୁଏ ଭଗବାନ ତାଙ୍କର ଏ ଯୋଡି ବହୁ ଆଗରୁ ଗଢି ଦେଇ ଜନ୍ମ ଦେଇଛନ୍ତି।


       ବିନୀତ୍ ତାକୁ ବହୁତ ଭଲ ଲାଗିଲେ। ନିରୋଳାରେ ଦୁହେଁ କିଛି ସମୟ ବାର୍ତ୍ତାଳାପ ମଧ୍ୟ କଲେ।

-- ଶାଗରିକା, ତୁମେ...

--ହଁ ଅଟକି ଗଲ ଯେ, କଣ କୁହ..

--ନା, ମାନେ.. ତୁମେ..

ପାଟି ଖନି ବାଜି ଯାଉଥାଏ।

-- ବାଃ ରେ.. ପୁଅଟିଏ ହୋଇ ଏତେ ଲାଜ।

ଫି କିନା ହସି ଦେଇଥିଲା ଶାଗରିକା।

--ତୁମେ ମୋତେ ଲାଇକ୍ କର...

--ଲାଇକ୍ ନୁହେଁ ମହାଶୟ... ଲବ୍ କରେ ମାନେ

ଭଲ ପାଏଁ ବହୁତ...ବହୁତ...ଆଉ ତୁମେ

--ଆରେ ତୁମକୁ ଭଲ ପାଏ ବୋଲି ତ ଏ ଯାଏ ଆସି ପାରିଛି। ତୁମେ ହାତ ବଢାଇଲେ ମୁଁ ଧରିବି।

--ଓଃ, ତୁମେ ଭାରି ରୋମାଣ୍ଟିକ୍...

--ତୁମ ପରି ସୁନ୍ଦରୀ ଭାବି ପତ୍ନୀ ପାଖରେ ଯେ କେହି ଭାବି ସ୍ଵାମୀ ରୋମାଣ୍ଟିକ୍ ହେବା ତ ସ୍ୱଭାବିକ...

-- ସତରେ ବିନୀତ୍ ତୁମକୁ ମୁଁ ସେହି ହସ୍ପିଟାଲରେ ହିଁ ମନେ ମନେ...

-- ବାଃ, ତାହେଲେ ଏତେ ବଡ କଥାଟା ଲୁଚେଇ ରଖିଥିଲ।

-- ହଁ, ଏଇଥି ପାଇଁ କି ତୁମେ ମୋ ଅକୁହା ମନ କଥା ଜାଣି ପାରୁଛ କି ନାହିଁ ପରୀକ୍ଷା କରିବା ପାଇଁ...

-- ଆଉ ସେ ପରୀକ୍ଷାରେ ମୁଁ ପାଶ୍ କରିଛି ତ...

-- ଜମାରୁ ପାଶ୍ ନୁହେଁ, ଫାଷ୍ଟ କ୍ଲାସ ଉଇଥ୍ ଡିସ୍ଟିଙ୍ଗସନ୍...

-- ବାଃ ଏତେ ଭଲ ମୂଲ୍ୟାୟନ କରି ପାରିଛ।

--ଆଉ ଏ ସୁନ୍ଦର ପରୀକ୍ଷା ଫଳ ବିନିମୟରେ ମୋତେ ତୁମେ କଣ ଦେବ...

--ଯାହା ବି ଚାହିଁବ, ତୁମକୁ କିଛି ମୋର ଅଦେୟ ନାହିଁ।


     ଏତିକି ବେଳେ ବୋଉ ଡାକ ଛାଡିଲା ଖାଇବାକୁ....


      ତା' ପରେ... ସବୁ କଥା ଛିଡିଲା। ବିନୀତ୍ ସାଥୀରେ ଶାଗରିକାର ବାହାଘର ଆସନ୍ତା ତିଥିରେ।


     ଅକୁହା ମନ କଥା ସବୁ କହି ଦେବ ଶାଗରିକା।

ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛି.. ସତରେ ବିନୀତ୍ ତା ପାଇଁ ଲକି... ଆଉ ସେ ବି ବିନୀତ୍ ପାଇଁ... ମଣି କାଞ୍ଚନର ସଂଯୋଗ। କେବଳ ତା' ବୋଉ ପାଇଁ... ବାପାଙ୍କର ଅନୁପସ୍ଥିତିକୁ ସେ ବୋଉ ଭିତରେ ଖୋଜି ପାଇଛି। ବାପା ପାଇଁ ଯାହା ଅକୁହା ମନ କଥା ଥିଲା। ସେ ସବୁ ତ ବୋଉକୁ କହି ସାରିଛି। ଆଉ ବାକି ଯାହା ଅଛି

ସବୁ କେବଳ ବିନୀତ୍ ଙ୍କ ପାଇଁ...

  ପରିଶେଷରେ ଏ ଦୁହିଙ୍କର ବନ୍ଧନ ହୋଇ ନୂଆ ସଂସାର ଆରମ୍ଭ ହୋଇଥାଏ।       

*=============================*

                      🙏   ସମାପ୍ତ   🙏

*=============================*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...