Saturday, April 17, 2021

ODIA STORY (ଓଡ଼ିଆ ଗପ)-13






କମଳିନୀ ଦୁଃଖୀ ନାରୀଟିଏ। ସେ ନିଜକୁ ସର୍ବଦା ଏମିତି ହିଁ ଭାବୁଥିଲା। ତା'ର ପାଦେ ପାଦେ ବିପଦ। ପ୍ରତୀକ୍ଷଣ ଦୁଃଖର ଝଡ଼ରେ ଗାଧୋଇବାକୁ ଈଶ୍ବର ବୋଧେ ଜନ୍ମ ଦେଇଛନ୍ତି। ସେ ସବୁକିଛି ହରେଇବା ପରେ ବି ନିଜକୁ ହରେଇ ପାରୁ ନ ଥିଲା  । ତା ଦେହ ଓ ମନ ଖିନ୍ନ ହେବାକୁ ଲାଗିଲା। ତୁହାଇ ତୁହାଇ ଭାବୁଥିଲା କମଳିନୀ । ଆଉ ଝରେଇ ଦେଉଥିଲା ଦୁଇ ଆଖିରୁ ଗଙ୍ଗା ଓ ଯମୁନା।

        


       ଦିନେ ଧୂ ଧୂ ଖରା ବେଳଟାରେ ଆମ୍ବଗଛର ଡାଳରେ ବସି କାପ୍ତାଟିଏ ରାବି କହୁଥିଲା,"ଉଠରେ ପୁତା ଉଠ୍...ଉଠ୍... ଉଠ୍...।" ଏ ଡାକ କମଳିନୀ ହୃଦୟକୁ ବିଦୀର୍ଣ୍ଣ କରି ଦେଉଥିଲା। ଏହାର ଅର୍ଥ କ'ଣ ହୋଇପାରେ ନିଜକୁ ନିଜେ ଖୋଜିବାକୁ ଶତଚେଷ୍ଟା କରୁଥିଲା ହେଲେ ସମାଧାନର ବାଟ ପାଉ ନ ଥିଲା। କମଳିନୀ ଏହାରି ଭିତରେ ରହିରହି କେତେଥର ଶୁଣିଲାଣି ଅଥଚ ନିଜ ଭାବନା ଭିତରେ ଘାଣ୍ଟି ଚକଟି ହୋଇ ଆଖିର ଲୁହକୁ ଝରାଇ ଦେଇ ଚାଲିଛି। ହଠାତ୍ ପଛପଟୁ କେହି ଜଣେ ଯୁବକ ପିଠିରେ ହାତ ଥୋଇ କହିଲେ,"କମଳିନୀ ! ତୁମେ ଏଠାରେ ବସିକି ଲୁହ ଗଡ଼ଉଛ କାହିଁକି?" ଚମକି ପଡି଼ଲା କମଳିନୀ ଭୟରେ ଥରି ଉଠିଲା ଦେହ ଆଉ ମନ। ତା'ର ସହ ଦେଖା ସାକ୍ଷାତ କେବେ ହୋଇଥିଲା ମନେ ପକେଇଲା। ସେ ବୁଝିନେଲା ଆଜିକୁ ଗୋଟିଏ ବର୍ଷ ପୂର୍ବରେ ଏହି ଯୁବକ ଜଣଙ୍କ ତାଙ୍କୁ ବିବାହ କରିବ ବୋଲି ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇଥିଲେ ହେଲେ ଜେଜେବାପା ତାଙ୍କୁ ସିଧାସିଧା ଜଣାଇ ଦେଇଥିଲେ କି କମଳିନୀର ବିବାହ ଠିକ୍ ହୋଇ ସାରିଛି। ତାଙ୍କୁ କଥା ଦେଇ ସାରିଛି ମାନେ ତୁମକୁ କିପରି କଥା ଦେବି? ଜେଜେ ବାପାଙ୍କର ଦୃଢୋ଼କ୍ତି କି ଯବାବ ଗୋଟିଏ ହୋଇଥାଏ। ଦ୍ବିତୀୟ ଯବାବ ଦେବି ତ ଅସତ୍ଯର ମଙ୍ଗ ଧରିଲି ବୋଲି ଗଣା ହେବି।


        ମୋ'ର କିନ୍ତୁ କିଛି କହିବାର ହିଁ ନାହିଁ। ଝିଅପିଲା ସ୍ବାଧୀନ ମନରେ କିଛି କହିବି ତ ଜେଜେ ବାପାଙ୍କ ପାଖରେ ନୀଚ୍ଛତା ବୋଲାଇବି। ଏହି ମର୍ମରେ ନିଜକୁ ସମ୍ଭାଳି ନେଇ ଚୁପ ରହିବା ଛଡା଼ ଅନ୍ଯ ଗତି ହିଁ ନ ଥିଲା। ମୋ'ର ମନ ଏହିପରି ଆକାଶରେ ଉଡୁଥିବା ଅବସ୍ଥାକୁ ନିରୀକ୍ଷଣ କରି ଯୁବକ ଜଣଙ୍କ କହିଲେ,"କମଳିନୀ ! କ'ଣ ଭାବୁଛ? ମୁଁ କିଛି ପଚାରୁଛି ତୁମକୁ ଶୁଭୁଛି ନା ନାହିଁ?" ଏ କଥା ଶୁଣି ହୃଦୟ କମଳିନୀ ଜୋରରେ କାନ୍ଦି ଉଠିଲା। ନିଜକୁ ସମ୍ଭାଳି ନ ପାରି ଭୋ...ଭୋ... ରଡି଼ ଛାଡିଲା। ସେ ଲୁହ ପୋଛୁ ପୋଛୁ ପୁଣି କହିଲେ,"କମଳିନୀ ! ମୁଁ ତୁମକୁ ଏବେ ବି ଭୁଲି ନାହିଁ। ଚାହିଁବ ତ ମୋ'ର ସହ ଯାଇ ପାରିବ। ମୁଁ କଥା ଦେଉଛି ତୁମକୁ କେବେ ଦୁଃଖ ଦେବି ନାହିଁ। ତୁମେ ମୋ'ର ପତ୍ନୀ ହୋଇ ସାରା ଜୀବନ ରହିବ।"



         ଏ କଥା ଶୁଣି କମଳିନୀ କହିଲା,"ପ୍ରିୟଙ୍କର ! ମୁଁ ଜଣେ ଅପାଠୋଈ ପୁଣି ବିଧବା ନାରୀ। ମୋ'ର ଜନ୍ମ ସମୟରେ ମାଆଙ୍କୁ ଖାଇଲି। ମୋ'ର ପାଞ୍ଚବର୍ଷ ନ ପୂରୁଣୁ ବାପାଙ୍କୁ ଖାଇଲି। ଦଶବର୍ଷ ନ ହେଉଣୁ ଜେଜିଙ୍କୁ ଖାଇଲି। ଯେବେ ମୋ'ର ଅଠର ପୂର୍ଣ୍ଣ ହେଲା ଜେଜେ ବାପାଙ୍କ ଅପାର ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା ନେଇ ବଢି଼ଲି ତ ମୋତେ ବିବାହ କରେଇ ଦେଲେ। ମୋତେ ବିବାହ କରି ସେ ଏକୁଟିଆ ଏକୁଟିଆ ଅନୁଭବ କରି ମୋତେ ହିଁ ଝୁରିଝୁରି ଖିଆପିଆ ନ କରି ମରିଗଲେ। ଆଉ ପୁଣି ବିବାହର ତିନିମାସ ନ ହେଉଣୁ ସ୍ବାମୀଙ୍କୁ ଖାଇଲି। ଏବେ ମୁଁ ବେସାହାରା। କେଉଁ କୁଳକୁ ବି ନୁହେଁ। ଶ୍ବଶୂରଘର ଲୋକେ ମୋତେ ତଡି଼ ଦେଇଛନ୍ତି। ମୁଁ ଜେଜେ ବାପାଙ୍କ ଘରକୁ ଆସିବାକୁ ଚାହିଁଲେ ବି ସେ ଘରେ କିଏ ଅଛନ୍ତି ଯେ ଯିବି? ଏବେ ଆପଣ ମୋତେ କୋଳେଇ ନେବାକୁ ଚାହୁଁଛନ୍ତି। କିଏ ଜାଣେ ଆପଣଙ୍କୁ ବିବାହ କଲେ କି ପ୍ରକାର ବିପଦ ପୁଣି ମାଡି଼ ନ ଆସିବ? ଆପଣଙ୍କୁ ଯୋଡ଼ ହସ୍ତରେ ଅନୁରୋଧ କରୁଛି କି ଆପଣ ଫେରିଯାନ୍ତୁ। ମୋ'ର କ'ଣ କରିବାକୁ ହେବ ମୋତେ ଛାଡି଼ ଦିଅନ୍ତୁ।"


         ଏ କଥା ଶୁଣି ପ୍ରିୟଙ୍କର କହିଲେ,"କମଳିନୀ ! ମନୁଷ୍ଯ ଜୀବନରେ ଅନେକ ଦୁଃଖ,କଷ୍ଟ ଓ ଯନ୍ତ୍ରଣା ତ ଆସିବ ହେଲେ ଭାଙ୍ଗି ପଡି଼ଲେ ଚଳିବନି। ଈଶ୍ବର ମହାନ ନିଜକୁ ବେଶୀ ଅଭିମାନ କରନାହିଁ। ସେ ଆମଙ୍କୁ ଜଣେ ବଡ଼ ଅଭିନେତା/ଅଭିନେତ୍ରୀ ଭାବେ ଗଢି଼ ତୋଳିଛନ୍ତି। ଏହି ସଂସାର ରୂପକ ରଙ୍ଗମଞ୍ଚରେ ଆମକୁ କେତେ କ'ଣ ଦୁଃଖ ସୁଖ ସହ ଅଭିନୟ କରିବାକୁ ହେବ। ଏଣୁ ସବୁକୁ ଭୁଲି ମୋ'ର ହାତଧରି ଚାଲନ୍ତୁ। କମଳିନୀ ଯନ୍ତ୍ର ମାନବୀ ପରି ପ୍ରିୟଙ୍କର ହାତଧରି ଚାଲିଲେ। ଯେଉଁଠି ସେମାନଙ୍କୁ ଆହୁରି ଆହୁରି କଠିନ ଦୁଃଖ କଷ୍ଟ ନେଇ ଅଭିନୟ କରିବାକୁ ହେବ।

    


          ସେ ଦିନ କମଳିନୀ ପ୍ରିୟଙ୍କର ଛାତିରେ ଲୋଟିପଡି଼ ଭାବୁଥିଲା ହେ ଈଶ୍ବର ଏବେ ପୁଣି ପ୍ରିୟଙ୍କର ଜୀବନକୁ ଦୁଃଖ କଷ୍ଟର ମରୁବାଲିରୁ ବଞ୍ଚାଇ ଦିଅନ୍ତୁ ଓ ମୋତେ ପଛେ ଏ ସଂସାରର ଆର ପାରିକୁ ନେଇଯାନ୍ତୁ। 


*=======@===========@===========*

                                  ସମାପ୍ତ   

*=======@============@==========*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...