Saturday, April 24, 2021

ODIA STORY (ଓଡ଼ିଆ ଗପ)-19




ରାଜୀବ ବାପା ଓ ମାଆଙ୍କର ଏକମାତ୍ର ପୁଅ ଥିଲା। ସେ ଏତେ ଗେହ୍ଲାରେ ବଢି଼ଥିଲା ଯେ କୁଟା ଖଣ୍ଡକୁ ଦି'ଖଣ୍ଡ ସୁଦ୍ଧା କରିବାକୁ ମନ ବଳାଉ ନ ଥିଲା। ତା'ର ଏହି କାମ ପାଇଁ ବାପା ଓ ମାଆ ବହୁତ ଦୁଃଖିତ। ତାକୁ ସର୍ବଦା ବୁଝାନ୍ତି କି କାମ ନ କଲେ ଖାଇବା ମିଳିବ ନାହିଁ। ବସି ଖାଇଲେ ତ ନଈବାଲି ସରିଯିବା ପରି ତମର ଅବସ୍ଥା ଭବିଷ୍ଯତରେ ହୋଇପାରେ। ଏ କଥା ରାଜୀବ ଶୁଣିଦିଏ ଓ ନ ଶୁଣିଲା ପରି ଚାଲିଯାଏ। ତା'ର କିନ୍ତୁ କାମ କରିବାକୁ ଇଛା ହିଁ ନାହିଁ।


          ଏକଦା କୁଆଡୁ କରୋନା ଆସିଲା। ଏକାବେଳକେ ବାପା ଓ ମାଆଙ୍କୁ ଧରିଲା ତ ବଞ୍ଚିବା କଷ୍ଟସାଧ୍ଯ ହେଲା। ଜିଲ୍ଲା କ୍ବାରେଣ୍ଟାଇନରେ ସେମାନଙ୍କୁ ରହିବା ହେଲା। ସେମାନେ ଆଉ କୌଣସି କାମ କରିବାକୁ ବାହାରିଲେ ନାହିଁ ତ ଖାଇବା ପିଇବା ରାଜୀବଙ୍କର ଭଲରେ ହେଲା ନାହିଁ। ଯିଏ ରାତି ପାହିଲେ ଲମ୍ଵାକଲି ଛାଡି଼ ବୁଲୁଥିଲା ଖାଇବା ବିନା ଡହଳ ବିକଳ ହେଲା। ଘରେ ବାପା ଓ ମାଆ ଯାହା ରୋଜଗାର କରି ରଖିଥିଲେ ତାକୁ ଖାଇ ରହିବାକୁ ହେଲା ଅଥଚ ଲଜ୍ଜାରେ କୁଆଡେ଼ କାମ କରିବାକୁ ସୁଦ୍ଧା ବାହାରିଲା ନାହିଁ।

      ଦେଖୁ ଦେଖୁ ତା'ର ବାପା ଆର ପାରିକୁ ଚାଲିଗଲେ। ମାଆ ବାପାଙ୍କ ଦେହରେ ମୁଣ୍ଡ ବାଡେ଼ଇ ଦେଲା। ବାପାଙ୍କ ମୃତ୍ଯୁର ଏକ ଘଣ୍ଟା ନ ଯାଉଣୁ ମାଆ ଆର ପାରିକୁ ଚାଲିଗଲା ତ ଏ କଥା ଯଦିଓ ରାଜୀବ ଜାଣିଲା ହେଲେ ବାପା କି ମାଆଙ୍କର ଶବକୁ ଦେଖିବା ସୁଦ୍ଧା ହେଲା ନାହିଁ। କିପରି ବଞ୍ଚିବ ରାଜୀବକୁ କୌଣସି ବୁଦ୍ଧିବାଟ ସୁଦ୍ଧା ଦେଖାଗଲା ନାହିଁ। ସେ କାନ୍ଦିକାନ୍ଦି ବାରଣ୍ଡାରେ ବସି ଲୁହ ଗଡେ଼ଇବା ବେଳେ ସେହି ବାଟଦେଇ ଜଣେ ସାଧୁ ମହାତ୍ମା ଯାଉଥିଲେ। ଯୁବକଟିଏ ବିକଳ ରଡି଼ଛାଡି଼ କାନ୍ଦିବାର କାରଣ କ'ଣ ଜାଣିବାକୁ ଇଛାକରି ପାଖକୁ ଯାଇ କହିଲେ,"ବାପା ! କାନ୍ଦୁଛ କାହିଁକି କ'ଣ ହୋଇଛି ତୁମର?"


         ଲୁହ ଛଳଛଳ ହୋଇ ରାଜୀବ ସତ୍ଯତା ଜଣେଇଲା ତ ସାଧୁ ମହାତ୍ମା କହିଲେ,"ବାପା ! ଦୁଃଖ କର ନାହିଁ। ଜନ୍ମହେଲେ ମୃତ୍ଯୁ ସୁନିଶ୍ଚିନ୍ତ। ଆଜି ନ ହେଲେ କାଲି ଅବଶ୍ଯ ସଭିଏଁ ମରିବା। ଏଠି ତ ଆମେ ଜଣେ ଅଭିନେତା ଓ ଅଭିନେତ୍ରୀ ହୋଇ କର୍ମ ନିର୍ବାହ କରିବାକୁ ପଡୁଛି। ଏବେ ତୁମେ କର୍ମକରି ବଞ୍ଚିବା ଶିଖ। କର୍ମକଲେ ଭଲ ଫଳ ଅବଶ୍ଯ ପାଇବ। ଆଉ ହଁ ଗୋଟିଏ କଥା କାନ ଖୋଲି ଶୁଣ ଆଜିର ଏ ଘୋର କଳି କାଳରେ ଯେତେଦିନ ଯାଏ ବାପା ଓ ମାଆ ନାମକ ଶଦ୍ଦ ଦୁଇଟି ଥାଏ ସେତେଦିନ ଯାଏ ସର୍ବଦା କଣ୍ଟା ବି ଫୁଲ ହୋଇଥାଏ କିନ୍ତୁ ଯେବେ ଏ ଦୁହେଁ ସଂସାରରୁ ଚାଲିଯିବେ ତ ଅଳସୁଆ ହୋଇ ବସିଥିବା ସନ୍ତାନ ଅବଶ୍ଯ କଷ୍ଟ ହିଁ କଷ୍ଟ ପାଇବ।"


         ଟିକିଏ ନିରବ ହୋଇ ପୁଣି କହିଲେ,"ବାପା ! ଜାଣିଛ ବାପା ଓ ମାଆ ଚଳନ୍ତି ଠାକୁର ଅଟନ୍ତି। ସେମାନେ ବୁଢା଼ବୁଢୀ଼ ହୋଇଗଲେ ବୋଲି କେବେ ବି ହେୟ ମନେ କରିବା ଉଚିତ ନୁହଁ। ବୁଢା଼ବୁଢୀ଼ ବରଗଛ ସଦୃଶ ଅଟନ୍ତି। ସେମାନେ ଯଦିଓ ଫଳ ଦେବାକୁ ଅକ୍ଷମ ହୋଇଥିବେ ତଥାପି ପ୍ରଚଣ୍ଡ ଖରାରୁ ତ ଛାଇ ପ୍ରଦାନ କରିବାକୁ ଭୁଲିବେ ନାହିଁ।" ବାସ ! ଏହି କଥା କହି ସାଧୁ ମହାତ୍ମା ଆଗକୁ ବଢି଼ଲେ ତ ରାଜୀବ ବୁଝିଲା ତା'ର ବାପା ମାଆ କେତେ ବୁଝାଇ ଥିଲେ ଅଥଚ ସେ ଅବୁଝା ହୋଇ ରହିଲା। ଆଜି ସେ ଯଦିଓ ବୁଝି ପାରୁଛି ହେଲେ ନେଡି଼ଗୁଡ଼ କହୁଣିକୁ ବୋହି ଯାଇ ସାରିଛି। ସେ ଆଖିରୁ ଲୁହ ପୋଛିଲା। ବାପା ଓ ମାଆଙ୍କର ଶୁଦ୍ଧିକ୍ରିୟା କରି ସାରିବା ପରେ କଠିନ ଶ୍ରମ କରି ବାକିତକ ଜୀବନକୁ ଚଳେଇ ଚାଲିବା ଆରମ୍ଭ କଲା।



*=======@============@==========*

                               ସମାପ୍ତ   

*========@============@=========*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...