Sunday, April 25, 2021

ODIA STORY (ଓଡ଼ିଆ ଗପ)-21



ଏ ଗପରେ ଚାରୋଟି ଚରିତ୍ର । ଟିକେ ପରିଚୟ ହେଇଯାଉ ।


ପ୍ରଥମ ଚରିତ୍ର । ପ୍ରତାପ ଚୌଧୁରୀ ବିଶିଷ୍ଟ ବିଚାରପତି । ସହରରେ ଥିବା ସେସନ୍ କୋର୍ଟର ଜଜ୍ । ଅବସର ନେବାକୁ ଆଉ ପାଂଚ ବର୍ଷ ଅଛି । ପୁଅ ବାହା ହୋଇ ଆମେରିକାରେ । ସ୍ତ୍ରୀ ପ୍ରୀତିଧାରା ସହରର ସବୁଠୁ ବଡ଼ ଘରୋଇ କଲେଜରେ ପ୍ରିନ୍ସିପାଲ୍ । ଏମାନଙ୍କ ଆଉ ଗୋଟେ ପରିଚୟ ହେଲା ସହରର ସୀମାରେ ଥିବା ତାଙ୍କର ଭିଲ୍ଲାରେ ଆଜି ହେବାକୁ ଯାଉଏଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ।


ଦ୍ୱିତୀୟ ଚରିତ୍ର । ଅଭିରାମ ପଣ୍ଡା । ଏବେ ଏବେ ଇଞ୍ଜିନିୟର୍ ସେବାରୁ ଅବସର ନେଇଛନ୍ତି । ଦୁଇପୁଅ ବିବାହିତ । ବଡ଼ପୁଅ ଅନ୍ୟରାଜ୍ୟରେ ପୋଲିସ୍ ଅଫିସର୍ । ସାନପୁଅ ସଇ ସହରର ଗୋଟିଏ ଲୁଗା ଦୋକାନର ମାଲିକ । ସ୍ତ୍ରୀ ସଂସାର ଛାଡ଼ି ଆରପାରିରେ । 

ଆଉ ଏକ ପରିଚୟ ହେଲା ବନ୍ଧୁ ପ୍ରତାପ ଚୌଧୁରୀ ଡାକିଛନ୍ତି ଘରକୁ । କଣ ଗୋଟେ ଏମର୍‌ଜେନ୍ସି କଥା ହେବାର ଅଛି ।


ତୃତୀୟ ଚରିତ୍ର । ସତୀଶ ତ୍ରିପାଠୀ । ଏ ଯାଏଁ ଅବିବାହିତ । ବୟସ ଚଉବନରୁ ଛପନ ଭିତରେ ହୋଇପାରେ । ସହରର ମେୟର । ପିତାଙ୍କର ରାଜନୈତିକ ପ୍ରଚ୍ଛଦରେ ଇଏ ମହାଶୟ ବଳୀୟାନ୍ । ସମସ୍ତ ଭାଇ ଭଉଣୀ ନିଜ ନିଜ ବାଟରେ । କହିବାକୁ ଗଲେ ସଂପୂର୍ଣ୍ଣ ଏକା । ତେଣୁ ବିଭିନ୍ନ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତି । ଆଉ ଏକ ପରିଚୟ ହେଲା ବନ୍ଧୁ ଅଭିରାମ ପଣ୍ଡା ଡାକିଛନ୍ତି ପ୍ରତାପ ଚୌଧୁରୀଙ୍କ ଘରକୁ ଯିବାପାଇଁ ।


ଚତୁର୍ଥ ଚରିତ୍ର ।ମୋହିନୀ ମହାନ୍ତି । ଛଅମାସ ହେଲା ଏହି ସହରକୁ ଆସିଛନ୍ତି, ଯେଉଁ ସହରରେ ରହନ୍ତିି ପ୍ରତାପ ଚୌଧୁରୀ, ଅଭିରାମ ପଣ୍ଡା ଓ ସତୀଶ ତ୍ରିପାଠୀ ପରି ଚରିତ୍ରମାନେ । ସହରରେ ନୂଆ ନୂଆ ଖୋଲୁଥିବା ପଂଚତାରକା ହୋଟେଲର ସେ ମୁଖ୍ୟ ପରିଚାରିକା । ସଂସାର ମାନେ ଛାଡ଼ପତ୍ର ଦେଇ ସ୍ୱାମୀଠୁ ଅଲଗା । ଗୋଟିଏ ମାତ୍ର କନ୍ୟା ସନ୍ତାନ ମଧୁସ୍ମିତାର ବିବାହକୁ ନେଇ ଅତ୍ୟନ୍ତ ଚିନ୍ତିତ ।


ଭିଲ୍ଲାର ଛାତ ଉପରେ ଚୁପଚାପ୍ ବସିଛନ୍ତି ପ୍ରତାପ ଚୌଧୁରୀ, ଅବିରାମ ପଣ୍ଡା ଓ ସତୀଶ ତ୍ରିପାଠୀ । ସେମାନଙ୍କ ଭିତରେ ଦୀର୍ଘ ନୀରବତା । ଛାତଉପରୁ ଦିଶୁଛି ସଂପୂଣ୍‌ର୍ନ ସହର । ସହର ଉହାଡ଼ରୁ ସୂର୍ଯ୍ୟ ଅସ୍ତ ହେବାର ମନୋରମ ଦୃଶ୍ୟ ଅଛି ସେମାନଙ୍କ ନୀରବତା ମଧ୍ୟରେ । ତା ସହ ସୋଡ଼ା, ସାମ୍ପେନ୍ ଓ ଆଭିଜାତ୍ୟକୁ ପସନ୍ଦିତ କରୁଥିବା ତିନୋଟି କାଚଗ୍ଲାସ୍ ।


ସେହି ଛାତକୁ ଲାଗିଥିବା ଛୋଟ କିଚେନ୍‌ରୁ ଗରମାଗରମ ପକୋଡ଼ି, ରୋଷ୍ଟ୍ କରାହୋଇଥିବା ଚିକେନ୍ ପିସ୍ ନେଇ ମଝିରେ ମଝିରେ ଆସୁଛନ୍ତି ପ୍ରତାପ ଚୌଧୁରୀଙ୍କ ସ୍ତ୍ରୀ ପ୍ରୀତିଧାରା । କିନ୍ତୁ ସେମାନଙ୍କ ନୀରବତା ଭାଙ୍ଗିବାକୁ ନ ଅଛି ତାଙ୍କର ଇଚ୍ଛା, ନ ଅଧିକାର ।


ସତକଥା ହେଲା ତିନିହେଁ କଲେଜ ଦିନର ଘନିଷ୍ଠ ସାଙ୍ଗ । ଗୋଟିଏ କଲେଜରେ ଗୋଟିଏ ଛାତ୍ରବାସରେ ରହି ପାଠ ପଢ଼ିଲା ବେଲି ପ୍ରତାପ ଚୌଧୁରୀ ଦ୍ୱିତୀୟ ବର୍ଷର ଛାତ୍ର, ଅବିରାମ ପଣ୍ଢା ତୃତୀୟ ବର୍ଷର ଛାତ୍ର ଓ ସତୀଶ୍ ତ୍ରିପାଠୀ ପ୍ରଥମ ବର୍ଷର ଛାତ୍ର ଥିଲେ । ଅଭିରାମ ପଣ୍ଡାଙ୍କୁ ଦୁହେଁ ଭାଇନା ବୋଲି ସମ୍ବୋଧନ କରୁଥିଲେ । ସମସ୍ତ କଲେଜ ସେମାନଙ୍କ ବନ୍ଧୁତ୍ୱକୁ ଉଦାହରଣ ରୂପେ ଗ୍ରହଣ କରୁଥିଲେ । ସବୁବେଳେ ତିନି ହେଁ ଏକାଠି ।



ସମୟକ୍ରେମ ବନ୍ଧୁତା, ବୟସ ଓ ପରିସ୍ଥିତିର ସୀମା ଡେଇଁ ଯିଏ ଯା ରାସ୍ତାରେ ଗତିକଲେ ।ଅନେକ ଦିନପରେ ଗୋଟିଏ ସହରରେ ବାସ କଲେ । କିନ୍ତୁ ଜୀବନର ବ୍ୟସ୍ତତାରେ ଭେଟ ହେଇନଥିଲା କହିଲେ ଚଳେ ।


ଅବଶ୍ୟ ଗପର ତିନୋଟି ଚରିତ୍ର କେବେ ଏମିତି ନୀରବରେ ବସିବା ତାଙ୍କ ଜାତକରେ ନାହିଁ । କିନ୍ତୁ ଯେତେବେଳେ ପ୍ରତାପ ଚୌଧୁରୀ ଘୋଷଣା କରିଛନ୍ତି, ମୋହିନୀ ମହାନ୍ତି ଏଠିକୁ ଆସିବ ଓ ସେ ହିଁ ସମସ୍ତଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଛି, ଏ କଥା ନୀରବତାକୁ ଅଧିକ ଗାଡ଼ ଅନ୍ଧାର, ଗହ୍ୱରତମ କରିଦେଇଛିଯେମିତି ଏକ ଅନ୍ଧାରୁଆ ଅଜଣା ଅଶୁଣା ଗୁମ୍ଫାରେ ପଶିରେ ହୁଏ । ଯେଉଁଠି ଆଗକୁ ଯିବାର ପଥ ମିଳୁନଥାଏ କି ପଛକୁ ଫେରିବାର ସ୍ପୃହା ନଥାଏ ।


ଅବଶ୍ୟ ସେ ନୀରବତା ସେମାନଙ୍କୁ ନେଇଯାଇଛି କଲେଜ ସମୟକୁ ଯେଉଁଠି ଦିନେ ସତୀଶ୍ ତ୍ରିପାଠୀ ନିଜ କ୍ଲାସ୍‌ମେଟ୍ ମୋହିନୀ ମହାନ୍ତିକୁ ପରିଚୟ କରେଇଥିଲା, ସେମାନଙ୍କ ବନ୍ଧୁତ୍ୱ ଭିତରେ । ତିନି ବନ୍ଧୁଙ୍କ ଗହଣରେ ପ୍ରବେଶ ହୋଇଥିଲା ଦିନେ ମୋହିନୀ ମହାନ୍ତି । ମୋହିନୀର ଅବତାର ନେଇ ଓ ତାହା ପରେ ଯାହା ସବୁ ଘଟିଥିଲା ସେମାନଙ୍କ ଜୀବନରେ ଏଠି ଆଉ କିଏ ବି କାହାକୁ କହିବାକୁ ନାହିଁ । ହତାହତ ଅତୀତକୁ ମନ ପକେଇ କିଏ ବି ଏଠି ଏ ବୟସର କ୍ଳାନ୍ତ ଆପରାହ୍ନରେ ଅଧିକ ମର୍ମାହତ ହେବାକୁ ଚାହୁଁନାହାନ୍ତି । ଅବଶ୍ୟ ହତାହତ ନ ହେବାଟା ବି ଏକପ୍ରକାର ଠିକ୍ । କାରଣ ତାରୁଣ୍ୟ ବୟସରେ ଫୁଟିଥିବା କୃଷ୍ଣଚୂଡ଼ା ଏବେ ରଙ୍ଗଛଡ଼ା । ଅର୍ଥାତ୍ ଅପ୍ରାସଙ୍ଗିକ । ଏମିତି ଏକ ସମୟରେ ସୋଡ଼ା ଓ ସାମ୍ପେନ୍ ନୀରବତାକୁ ଆହୁରି ଦୀର୍ଘସ୍ଥାୟୀ କରିବାରେ ଲାଗିଛି ।


- “ପ୍ରତାପ! କଣ ପାଇଁ ଡାକିଛି ସେ ଏତେ ଦିନ ପରେ? କି ସମ୍ପର୍କ ଆମର ତା ସହ? କଲେଜ ସରିଲା । କଥା ସରିଲା । ଆମେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ।” ନୀରବତା ଭଙ୍ଗ କରି ଅଭିରାମ ପଣ୍ଡା ପଚାରିଲେ । ଯେହେତୁ ସେ ସମସ୍ତଙ୍କଠୁ ବଡ଼ ।

-“ମୁଁ ବି ଭାଇନା ତମ ପରି ଭାବୁଥିଲି । ସିଏ ଛଅମାସ ହେଲା ଏଠିକୁ ଆସିଲାଣି । ଦିନେ ପଂଚତାରକା ହୋଟେଲରେ ଆମର ମିଟିଙ୍ଗ୍‌ ଥିଲା। ସେଇଠି ଭେଟ । ସେଇଠୁ ମୁଁ ଭାବିଲି କାହିଁକି ସେ ଆସିଲା ଏ ସହରକୁ? କଣ ବାକିଥିବା ଜୀବନକୁ ରକ୍ତାକ୍ତ କରିବାକୁ? ଏ ଭିତରେ ସେ ଦିନେ ଆମ ଘରେ ରହିଥିଲା । ମୁଁ ନଥିଲି ଏଠି । କେଜାଣି କଣ ସବୁ କହିଥବ ପ୍ରୀତିଧାରାକୁ ସେ? ଅବଶ୍ୟ ପୂର୍ବେ ମୁଂ ମୋ ଅସଫଳ ପ୍ରେମ କାହାଣୀ ସମ୍ପର୍କରେ ପ୍ରୀତିକୁ କହିଛି । ତେଣୁ ଟିକେ ବଂଚିକି ଅଛି । ନ ହେଲେ ଭାବି ଦେଖିଲ ତମେ ଦୁହେଁ । ଏ ସଂସାରରେ ଏମିତି କେଉଁ ସ୍ତ୍ରୀ ସୁଖିହେବ ଯେତେବେଳେ ସେ ଜାଣିବ ତା ସ୍ୱାମୀର ପୂର୍ବତନ ପ୍ରେମିକା ଏଠି ଅଛି, ପାଖରେ,ଅତି ନିକଟରେ ।”ଏତିକି କହି ଆଉ ଗୋଟିଏ ପେଗ୍ ପିଇଲେ ପ୍ରତାପ ଚୌଧୁରୀ । ଆମ ଏ ଗପର ପ୍ରଥମ ଚରିତ୍ର ।



“ତମେ ତ ବିଶିଷ୍ଟ ବିଚାରପତି । ଅପରାଧୀକୁ ଦେଖୁ ଦେଖୁ ତା ଅପରାଧକୁ ଜାଣିପାରୁଥିବା ଲୋକ, କିଛି ତ ଜାଣିଥିବା ମୋହିନୀ କହିଁକି ଡାକିଛି ଆଜି?” ଟିକେ ଉସ୍‌କେଇଲା ପରି କହିଲା ସତୀଶ୍ ତ୍ରିପାଠୀ । (ମନେ ମନେ ସତୀଶ୍ ତ୍ରିପାଠୀ ଭାବୁଥିଲା ଓଃ! ତାହାହେଲେ ଏ ସହରକୁ ଆସିବ ପରେ ମୋହିନୀ ପ୍ରତାପ ଘରେ ବି ରାତିଟିଏ କଟେଇଛି । ଭଲହେବ ସେ ତ କହିବ ନାହିଁ, ଦିନେ ମୋହିନୀ ତା ଘରେ ବି ରାତିଟିଏ କଟେଇଛି । ଯେଉଁ ରାତିରେ ସେ ବାରମ୍ବାର ପ୍ରାୟଶ୍ଚିତ କରିଛି ଯେ ପ୍ରତାପକୁ ଭଲପାଇ ତାକୁ ଛାଡ଼ି ଆଉ କାହାକୁ ବାହାହେବାର ଦଣ୍ଡ ତାକୁ ମିଳିଛି । ଯାହାଦ୍ୱାରା କେବଳ କନ୍ୟା ସନ୍ତାନଟିଏ ଧରି କେମିତି ହେଇଛିି ସେ ସମ୍ପୂର୍ଣ୍ଣ ଏକା ଓ ତା ବିବାହକୁ ନେଇ କେତେ ଚିନ୍ତିତ । ସେ ରାତିରେ ସତୀଶ୍‌, କଲେଜ ସମୟଠୁ ତାକୁ ଏକତରଫା ଭଲପାଇ ଏବେ ବି ଏକା ରହିବାର କଥା କହିପାରିଥିଲା । କାରଣ ତା ଆଗରୁ ଭାଇନା, ମାନେ ଅଭୀରାମ ପଣ୍ଡା ମୋହିନୀକୁ ହୃଦୟର ରାଣୀ କରିବାର ଆଶା ବ୍ୟକ୍ତ କରିଥିଲେ । ବନ୍ଧୁପାଇଁ ସତୀଶ୍ ମୋହିନୀକୁ ଭଲପାଇବାର କଥା ଭୁଲିବାକୁ ପଡ଼ିଥିଲା । ସତରେ ସେ ଭୁଲିପାରିଛି ମୋହିନୀକୁ?


“ସତୀଶ୍ ଠିକ୍ ପ୍ରଶ୍ନ ପଚାରିଛି ପ୍ରତାପ? ଘରେ ସ୍ତ୍ରୀକୁ ବୁଝିପାରିଲିନି, କଥା ଛଳରେ ଗୁମର ଆଦାୟ କରିପାରିଲିନି । ସ୍ତ୍ରୀର କଥା ପଛର କଥାକୁ ଜାଣିପାରିଲିନି । କଲେଜ୍ ସମୟରେ ତ ତମେ ଥିଲା ପରମ ପ୍ରେମିକ ପୁରୁଷ । ସେଥିପାଇଁ ତ ମୋହିିନୀ ତମକୁ ପସନ୍ଦ କରିଥିଲା ।” ସତୀଶ୍ କଥାକୁ ସମର୍ଥନ କରି ଆଉଟିକେ ନିଆଁରେ ଘିଅ ପକେଇଲେ ଅଭିରାମ ପଣ୍ଡା ।


(ଅଭିରାମ ପଣ୍ଡାକୁ ଲାଗିଲା ଏଇଟା ହିଁ ଉପଯୁକ୍ତ ସମୟ ପ୍ରତାପ ପ୍ରତି ଥିବା କଲେଜ ସମୟର ରାଗ ଶୁଝେଇବାକୁ । ମୋହିନୀକୁ ପାଇବା ପାଇଁ ବ୍ୟାକୁଳିତ କେତେକଣ ନ କରଛି ସତୀଶ୍ ପାଇଁ । ଯେଉଁଦିନ ସୁଯୋଗ ଉଣ୍ଡି କଲେଜ୍ କାଫେଟେରିଆର ଏକାନ୍ତ କୋଣରେ ତାଙ୍କ ହୃଦୟର କଥା ସତୀଶ୍ ନିଜ ଭାଷାରେ କହିଥିଲା, ସେଦିନ ମୋହିନୀର ରୁପଥିଲା ଭିନ୍ନ । ଅତି ସହଜରେ ସେ ହସି କହିଥିଲା “ଯିଏ ନିଜ ହୃଦୟ କଥା ଅନ୍ୟଦ୍ୱାରା କୁହେ, ତାକୁ ଏ ମୋହିନୀ କେମିତି ଭଲପାଇପାରିବ, ବରଂ ସେ ସମୟ ଯାଏଁ କେମିତି ଅପେକ୍ଷା କରାଯାଉ ।”


ଅପମାନରେ ଜୁଡ଼ୁବୁଡ଼ୁ ହୋଇଥିଲେ ଅଭିରାମ ପଣ୍ଡା । ସିନିଅର୍ ହେବାର ମାନସମ୍ମାନ ଟିକକ ଜୁନିଅର୍ ଝିଅଟିଏ ଆଗରେ ସରିଗଲା । ଏଇନେ କଲେଜ୍ ସାରା ପ୍ରଘଟ ହେଇଯିବ । ସାଙ୍ଗମାନେ ଥୁ ଥୁ କରିବେ । ଏହା ଭାବି କେତେଦିନ ଯାଏଁ ହଷ୍ଟେଲରୁ ବାହାରି ନଥିଲେ ସେ । ସତୀଶ୍‌କୁ ତ ସେ ଆଖି ଉଠେଇ ଚାହିଁପାରିନଥିଲେ । କିନ୍ତୁ ଦୁଇବନ୍ଧୁଙ୍କୁ ଚମକେଇ ଶେଷରେ ମୋହିନୀ ପ୍ରତାପ ଚୌଧୁରୀଙ୍କୁ ଭଲପାଇବସିଲା । ଦୁଇବର୍ଷ ସେମାନେ ବନ୍ଧୁ ଭିଡ଼ରେ ଭାରି ରୋମାନ୍ସ କଲେ । ମରିବା ହଜିବାର ଶପଥ କଲେ ଜୀବନ ସାରା ପାଇଁ । କିନ୍ତୁ ତାଙ୍କ ଘରେ ବି ମୋହିନୀ ରାତିଟିଏ କାଟିଛି କହିଲେନି ସେ ।

ଅଭିରାମ ପଣ୍ଡା ଓରଫ ଭାଇନା କଥାରେ ଯେମିତି ଛାତି ଚିରି ହୋଇଗଲା ପ୍ରତାପ ଚୌଧୁରୀଙ୍କ । ଲାଗିଗଲା ଯେମିତି ହୃଦୟରେ ନିଆଁ, ଯେମିତି ଲାଗେ ନିଜ ପ୍ରିୟତମା ଆଉ କାହାର ହୋଇଗଲେ । ସେଇଠି ସେ ଗର୍ଜି ଉଠିଲେ ।


- “ଭାଇନା କଣ ବେକାର କଥା ସବୁ କହୁଛ । ତମେ ଓ ସତୀଶ୍ କଣ ଜାଣିନ ଯେ କିମିତି ମୋହିନୀ ମୋତେ ଧୋକ୍କାଦେଇ ଅନ୍ୟକୁ ବିବାହ କଲା । ଭୁଲିଗଲ କି କଲେଜ୍ ଛାଡ଼ିବାର ଚାରିବର୍ଷ ପରେ ମୁଁ ତମମାନଙ୍କ ଆଗରେ କେମିତି ପାଗଳପ୍ରାୟ କାନ୍ଦିଥିଲି । ମରିଯିବାକୁ ଚେଷ୍ଟା କରିଥିଲି । ମୋ ହୃଦୟ, ମୋ ଭାବନା, ମୋ ଆବେଗ ସହ ଖେଳ ଖେଳି ମନ ଭରିଗଲା ପରେ ସେ ହୋଇଗଲା ଅନ୍ୟର । ମୋହିନୀ ପରି ନାରୀ କେବେ କାହାର ନୁହନ୍ତି । କାହାର କଣ ହେବେ, ସେମାନେ ନିଜର ବିି ନୁହନ୍ତି । ସବୁବେଳେ ଏ ପ୍ରକାର କେଶ୍ ମୋ କୋର୍ଟରେ ଆସିଲେ କାଠଗଡା଼ରେ ଠିଆ ସମସ୍ତ ନାରୀ ଯେମିତି ମୋତେ ମୋହିନୀ ମହାନ୍ତି ପରି ଲାଗନ୍ତି ।”ଏତିକି ବେଳକୁ ବିନା ସୋଡ଼ାରେ ଆଉ ଗୋଟିଏ ପେଗ୍ ବଢ଼େଇଦେଲା ସତୀଶ୍ ପ୍ରତାପ ଚୌଧୁରୀଙ୍କ ଆଡ଼କୁ । ଏତିକି ବେଳକୁ ତାଙ୍କ ସ୍ତ୍ରୀ ପ୍ରୀତିଧାରା ଥାଳିରେ ଆଣି କଣ ରଖିଦେଲା ଓ ଇସାରାରେ ଧୀରେ କଥାହେବା ପାଇଁ କହିଲା ।


ପେଗ୍‌ଟା ସାରିଦେଇ ପୁଣି ପ୍ରତାପ ଚୌଧୁରୀ ଆରମ୍ଭ କଲେ- “ମୁଁ ଶପଥ କରିଥିଲି ମଲାଯାଏଁ ତା ମୁହଁ ଚାହିଁବିନି । କଲେଜ୍ ଛାଡ଼ିଲା ପରେ ମୁଁ ଆଉ କେବେ ଜାଣିବାକୁ ଚେଷ୍ଟାକରିନି ସେ ମଲା କି ହଜିଲା ଜାଣିବା ପାଇଁ ।”


ପ୍ରତାପ ଚୌଧୁରୀଙ୍କ କଥାକୁ ଅଧାରେ ଅଟକାଇ ସତୀଶ୍ କହିଲା - “ତମେ ଭାଇନାଙ୍କୁ ମିଛ କହିପାର । ମୋତେ ନୁହଁ । ଯେବେଯେବେ ବି ମୋତେ ମିଶିଛ ପଚାରିଛ ମୋହିନୀ ବିଷୟରେ ।” ଅବଶ୍ୟ ମୁଁ ଚେଷ୍ଟା କରିନି । ଏତିକି କହି ସତୀଶ୍ ମୁହଁ ପୋତିଲା ।


  ସେ ଜାଣିଛି ଭାଇନା କଲେଜ ଟପର୍ । ଭାରି ଇଣ୍ଟେଲିଜେଣ୍ଟ୍‌, ତା ମିଛ ଧରା ପଡ଼ିଯିବ । ସତକଥା ହେଲା ଯେବେଠୁ ସେମାନେ କଲେଜ ଛାଡ଼ିଛନ୍ତି ସେବଠୁ ସେ ମୋହିନୀର ଖବର ରଖିବାକୁ ଚେଷ୍ଟା କରୁଛି । ମୋହିନୀ ମହାନ୍ତି ଜଣେ ହୋଟେଲ ବ୍ୟବସାୟୀକୁ ବାହାହେଲା । ସେ ହୋଟେଲ୍ ମାଲିକ ଜଣେ ରଙ୍ଗୀନ୍ ମିଜାଜ୍‌ର ଲୋକଥିଲେ । ଅନେକ ଝିଅସହ ଅବୈଧ ସମ୍ପର୍କଥିଲା । ମୋହିନୀ ଛାଡ଼ପତ୍ର ଦେଲା । କିନ୍ତୁ ନିଜ ଝିଅକୁ ଦେଲା ନାହିଁ । ପୁଣି ସେ ବିଭିନ୍ନ ହୋଟେଲରେ ମ୍ୟାନେଜର୍ କାମ କଲା । ଏ ଭିତରେ ସ୍ୱାମୀର ମୃତ୍ୟୁ ହେଲା । ପୁନଶ୍ଚ ମୋହିନୀ ମହାନ୍ତି ଆଉଥରେ ଦ୍ୱିତୀୟ ବିବାହ କଲେ । ଶୁଣିଛି ତାହା ବି ଅଧିକ ଦିନ ରହିଲା ନାହିଁ । ଏତିକି ତ ମୋହିନୀ ମହାନ୍ତି ବି କହିଥିଲା, ଯେଉଁଦିନ ରାତିରେ ସେ ତା ଘରେ ରହିଥିଲା ।


ସତୀଶର କଥା ଶୁୁଣି ଅଭିରାମ ପଣ୍ଡା ତାଟକା ହୋଇ ଅନେଇ ରହିଲେ ତାକୁ । ତାଙ୍କ ଦେଖିବାର ଶର୍ଥତିଲା ଶଳା! ବନ୍ଧୁ ହୋଇ ଏମିତି କେମିତି କହିନାହିଁ ଆଜିଯାଏଁ ସତୀଶ୍ ତାକୁ । (ଯଦିବା ମନେ ମନେ ଅଭିରାମ ଓରଫ୍ ଭାଇନା ଜାଣିଛନ୍ତି ମୋହିନୀ ମହାନ୍ତିର ସବୁ କଥା । ଏମିତିକି ଯେଉଁଦିନ ରାତିରେ ମୋହିନୀ ତାଙ୍କ ଘରେ ରହିଥିଲା କହିଥିଲା ତା ଦ୍ୱିତୀୟ ବିବାହ ବି ସ୍ଥାୟୀ ହୋଇପାରିଲାନି । କିନ୍ତୁ ମନେ ମନେ ସେ ମୋହିନୀ ମହାନ୍ତିକୁ ଅଭିଶାପ ଦେଉଥିଲେ । କାରଣ କଲେଜ୍ ଛାଡ଼ିଲା ପରେ ଦିନେ ରାତିରେ ସତୀଶ୍ ଓ ସେ ଧୁମ୍ ପିଇଥିଲେ । ମଦ ବାଉଳାରେ ସତୀଶ୍ ମୋହିନୀ ମହାନ୍ତିକୁ ନିଜ ପ୍ରଥମ ପ୍ରେମ ବୋଲି କହିଥିଲା । ଯଦି ମୋହିନୀ ଦ୍ୱିତୀୟ ବିବାହ କଲା, ତେବେ ସତୀଶ୍‌କୁ ବାହା ହୋଇପାରିଥାନ୍ତା । ବିଚାରା ଏବେ ବି ଅପେକ୍ଷାରେ ଅଛି । ଏକଥା କିନ୍ତୁ ସେ କହିନାହାନ୍ତି ପ୍ରତାପକୁ । ନହେଲେ ସେ ଆହୁରି ଦୁଃଖି ହେ।।ଇଥାଆନ୍ତା ।)


“ହଉ ହଉ! ମୁଁ ବୋକା । ମୁଁ ମୁର୍ଖ । ତେଣୁ ତ ପାଠପଢ଼ା ଛାଡ଼ି, କଲେଜ୍ ବନ୍ଦ କରି, ତମ ଭଳି ବନ୍ଧୁଙ୍କ ବନ୍ଧୁତ୍ୱ ଛାଡ଼ି ତା ପଛରେ ପଡ଼ିଥିଲି ମୁଁ । ମୋତେ କଣ ମିଳିଲା? ଖମ୍ବଆଳୁ! ମୋତେ ମିଳିବା ଯୋଗ୍ୟ ମଧ୍ୟ ।ତଥାପି ତମେ ଯେତିକି ମୋତେ ଭାବୁଛ ବୋକା ବୋଲି ମୁଁ ସେତିକି ବୋକା ନୁହଁ ।


ସତକଥା ହେଲା ମୋହିନୀ ତା ଝିଅର ବାହାଘର ପାଇଁ ଏ ସହରକୁ ଆସିଛି । ଯେହେତୁ ସେ ଆମମାନଙ୍କୁ ଆଗରୁ ଜାଣିଛି, ତେଣୁ ସାହାଯ୍ୟ ମାଗିବାକୁ ଆସିଛି ।”


ପ୍ରତାପ ଚୌଧୁରୀଙ୍କ ଏତିକି କଥାରେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲେ । ପୁଣି କିଛି ସମୟ ନୀରବତା । “ଏଥିରେ କଣ ଅଛି? ଆମେ ସାହାଯ୍ୟ କରିଦେବା । ଆଜିକାଲି ବାହାଘର ପାଇଁ କଲ୍ୟାଣ ମଣ୍ଡପଠୁ ଆରମ୍ଭ କରି ହନିମୁନ୍ ପାଇଁ ସବୁ ସୁବିଧା ବଜାର ଯୋଗେଇ ଦେଉଛି ।ଇଏତ ଅତି ସହଜ କଥା । ମୋହିନୀ ଆମମାନଙ୍କ ପ୍ରତି ଯାହା କଲା କଲେଜ୍ ସମୟରେ ଏବେ ତାକୁ ମନ ପକାଇ ବିରୋଧ କରିବା ଠିକ୍ ନୁହଁ ।” ନୀରବତା ଭଙ୍ଗ କରି କହିଲା ସତୀଶ୍ ।


“ଏତେ ସହଜ ନୁହଁ ସତୀଶ୍ , ଝିଅ ବାହାଘର, ଯେମିତି ତମେ ଭାବୁଛ ।” ପୁରୁଣା ପରିଚିତ ସୁଲୋଳିତ ନାରୀ କଣ୍ଠରେ ଏତିକି ଶୁଣି ତିନିଜଣ ବନ୍ଧୁ ମାନେ ଏ ଗପର ତିନି ଚରିତ୍ରବୁଲିକି ଅନେଇଲେ । ପାଖ ରୁମ୍‌ରୁ ହାତରେ ଥାଳିଟି ଧରି ମୋହିନୀ ଆସୁଥିଲା ସେମାନଙ୍କ ଫାଖକୁ । ଏବେ ବି ସେହି ହରିଣୀ ଭଳି ଚାଲି । ସେହି ପୋଷାକ ପିନ୍ଦିବାର ଢ଼ଙ୍ଗ ଓ ଛଳଛଳ ଝରଣା ଢ଼ଳି କଥା କହିବାର ଆକର୍ଷଣ । ସବୁବେଳେ ସଂଧ୍ୟାରେ ଛାତ୍ରାବାସ ଆଗରେ ମୋହିନୀ ଯିବାଆସିବାର ଦେଖିବା ପରି ମୁଗ୍ଧ ନୟନରେ ଦେଖୁଥିଲେ ସେମାନେ । ସେମାନଙ୍କ ମଧ୍ୟରେ ପ୍ରବେଶ କରିଥିଲା ଏ ଗପର ଚତୁର୍ଥ ଚରିତ୍ର ମୋହିନୀ ମହାନ୍ତି । ସନ୍ଧ୍ୟା ନଇଁ ନଇଁ ଆସୁଥିଲା । କଲେଜ୍ ସମୟର ଆବେଗ ତିନି ବନ୍ଦୟଙ୍କୁ ପୁନଶ୍ଚ କବଳିତ ହେଉଥିଲା ମୋହିନୀ ମହାନ୍ତିଙ୍କ ଆଗମନରେ । ଏମିତି ପରିଣତ ବୟସରେ ବି ସେ ଲାଗୁଥିଲେ ଆପରୂପା ସୁନ୍ଦରୀ । ସସମସ୍ତଙ୍କ ହାତରୁ ଖସି ଗ୍ଳାସ୍ ରହିଯାଇଥିଲା ଟିପଟ୍ ଉପରେ । ଅକସ୍ମାତ୍ ଏମିତି ଆସିଯିବ ବୋଲି କାହାର ଅଶା ନଥିଲା ।


ମୋହିନୀ ମହାନ୍ତି ସମସ୍ତଙ୍କୁ କୋଳାଗ୍ରତ କରି ଅଭିବାଦନ କଲା । ସମସ୍ତଙ୍କ ଗ୍ଲାସରେ ସୋଡ଼ା ଓ ସାମ୍ପେନ୍ ରଖି ବଢ଼େଇଦେଲା ଓ ନିଜେ ବି ପିଇଲା । ସର୍ବତ ସମସ୍ତେ ପିଉଥିଲେ କିନ୍ତୁ ନୀରବ ଥିଲେ । ଏଇ ମଝିରେ ପ୍ରୀତିଧାରା ଆସି କହିଗଲା ଆଉ ଘଣ୍ଟାଏ ପରେ ଡିନର୍‌ର ବନ୍ଦୋବସ୍ତ ହେଇଯିବ ତଳେ ଡାଇନିଙ୍ଗ୍ ହଲ୍‌ରେ ।

ଯେଉଁ ପ୍ରକାର ସେ ଖାଇବା ପାଇଁ ଡାକିଲେ ସେ ଢ଼ଙ୍ଗକୁ ତିନି ବନ୍ଧୁ ହଜମ କରିପାରୁନଥିଲେ ।


ଯଦିବା ଧମକ ନଥିଲା ତଥାପି ଏକ ଅଭିମାନ ଥିଲା ବୋଲି ସମସ୍ତେ ଅନୁରୋଧ କରୁଥିଲେ । ତିନି ବନ୍ଧୁଙ୍କ ମନ ଭିତରେ ଗୋଟିଏ ହିଁ କଥା ଚାଲୁଥିଲା ।


ବୋଧେ ସ୍ୱାମୀଙ୍କର ପୂର୍ବତନ ପ୍ରେମିକାର ଏ ପ୍ରକାର ପୁର୍ନମିଳନ ପ୍ରୀତିଧାରାଙ୍କୁ ମୋଟେ ଭଲଲାଗିନି । ସଂସାରର କୌଣସି ସ୍ତ୍ରୀକୁ ବି ଭଲଲାଗିବ ନାହିଁ । ପୁନଶ୍ଚ ସ୍ୱାମୀ ମନରେ ସ୍ତ୍ରୀ ପ୍ରତି ପ୍ରେମ ଜାଗ୍ରତ ହେବାର ଡର ଶୁଆଇ ଦେବନି ସ୍ତ୍ରୀକୁ । ସେ ମଧ୍ୟ ବୟସ ହେଉ ବା ପରିଣତ ବୟସ । ପ୍ରେମ ସବୁବେଳେ ପ୍ରେମ । (ବର୍ତ୍ତମାନ ସମସ୍ତଙ୍କ ଭାବନା ଆଉ ମୋହିନୀ ମହାନ୍ତି ପ୍ରତି ନଥିଲା । ବରଂ କେନ୍ଦ୍ରୀଭୂତ ହୋଇଥିଲା ପ୍ରୀତିଧାରାଙ୍କ ଉପରେ । ଯଦିବା ଏ ଗପରେ ପ୍ରୀତିଧାରା ଚରିତ୍ରଟିଏ ନୁହଁ)


ମୋହିନୀ ଜାଣିପାରିଛି, ତା ଜୀବନକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ । ଅନେକ ବର୍ଷର ଦୂରତା କଲେଜ୍ ଛାଡ଼ିବା ପରେ । ସେ ଜାଣିପାରୁଛି, ଜଣଙ୍କ ପାଇଁ ଛାଡ଼ି ଦେଇଥିଲା ପ୍ରତାପଙ୍କ ହାତ । ସେ ଜାଣିଛି ଅଭିରାମ ହୋଇଛନ୍ତି ତାଙ୍କଦ୍ୱାରା ପ୍ରତ୍ୟାଖ୍ୟାନ । ସେ ଠିକ୍ ଜାଣିଛିି ଏ ଯାଏଁ ବି ସତୀଶ୍ ହୃଦୟରେ ଅଛି । (ସେଥିପାଇଁ ତ ଯେତେବେଳେ କଲେଜ୍ ସମୟରେ ଅଭିରାମ ପାଇଁ ସତୀଶ୍ କହୁଥିଲା ମୋହିନୀ ତା ଭଲପାଇବାର କଥା ବୁଝିଥିଲା । ସେଥିପାଇଁ ସେ ଅଭିରାମଙ୍କୁ ମନା କରିଥିଲା । ହେଲେ ଏ କଥା କେମିତି ବୁଝେଇ ଥାଆନ୍ତା ସତୀଶ୍‌କୁ । ତା ପରେ ତା ଜୀବନରେ ଧୀରେ ଧୀରେ ପ୍ରବେଶ କରିଥିଲା ପ୍ରତାପ । ପ୍ରତ୍ୟେକଙ୍କ ଘରେ ରାତିଟିଏ ରହି ସେ ଜାଣିପାରିଥିଲା ।)


କଲେଜ୍ ଛାଡ଼ିବା ଦିନଠୁ ଆଜିଯାଏଁ ଜୀବନରେ ଘଟିଥିବା ଅନେକ ଝଡ଼, ଦୁଃଖକଷ୍ଟ, ଯନ୍ତ୍ରଣା ସବୁକୁ ଗୋଟି ଗୋଟି ଗପ ଭଳି କହୁଥିଲା ସେ । ଆଖିରେ ତାର ଅଶ୍ରୁ । ଜୀବନରେ ସବୁ ହାରିଦେବାର ଅଶ୍ରୁ । ସତୀଶ୍ ପ୍ରତି ଜାଣି ଅଜଣା ରହିବାର ଅଶ୍ରୁ । ତା ଦୁଃଖଦ ଅସଫଳ ଜୀବନକୁ ନେଇ ଏ ଗପର ତିନି ଚରିତ୍ରଙ୍କ ଆଖିରେ ବି ଅଶ୍ରୁ ।


ତିନିବନ୍ଧୁଙ୍କ ମାନ ଅଭିମାନ ଯେମିତି ଧୋଇ ହୋଇଯାଇଥିଲା ମୋହିନୀ ମହାନ୍ତିଙ୍କ ଦୁଃଖଦ କାହାଣୀରେ । ସେମାନଙ୍କ ମନରେ ନଥିଲା ଆଉ ତାହାପ୍ରତି ଶୋଚନା, ରାଗ, ଅପମାନ ।


- “ସବୁ ଠିକ୍ ଅଛି ଯେ, ହେଲେ ତମେ ଏମିତି ବିନା କାରଣରେ ଭେଟିବାକୁ ଆସିଛ, ନା କିଛି ଉଦ୍ଦେଶ୍ୟ ଅଛି?” ପଚାରି ବସିଲା ସତୀଶ୍ । ( ଜାଣି ଜାଣି ସେ ମୋହିନୀ ଝିଅର ବାହାଘର କଥାରେ ଅଜଣା ହେଲା ।)


- “ତମମାନଙ୍କୁ ଭେଟିଗଲି ସେଇଟା ସବୁଠୁ ବଡ଼ କଥା । କଲେଜରେ ଯାହା ସବୁ ଘଟିଗଲା ଏବେ ତାହା ଅପ୍ରସଙ୍ଗିକ । ମୋ ଝିଅକୁ ବାହାକରେଇ ଦେଲେନି ମୋ ବର୍ତ୍ତମାନ ସ୍ୱାମୀର ସ୍ତ୍ରୀଘର । ଶେଷରେ ମୁଂ ଏ ସହରକୁ ଆସିଲି । ମୁଁ ଜାଣିଥିଲି ତମେ ତିନିଜଣ ଏଇଠି ଅଛ । ମୋ ଝିଅ ପ୍ରେମ ବିବାହ କରୁଛି । ସବୁଠୁ ବଡ଼ କଥା ହେଲା ପୁଅଟା ଅନାଥ । ଭଲକାମଟିଏ କଲା ମୋ ଝିଅ । ସେମାନେ ଏ ସହରରେ ମୋ ହୋଟେଲରେ ବିବାହ କରିବାକୁ ରାଜି । ସବୁ ସୁବିଧା ଅଛି ।” କହିଲା ମୋହିନୀ ।


- “ତେବେ ଅସୁବିଧା କଣ ?” ପଚାରିଲେ ଅଭିରାମ ।

- “ମୁଁ ଚାହୁଁଛି ତମମାନଙ୍କ ଭିତରୁ କିଏ ଜଣେ ବାପପଣରେ ମୋ ଝିଅକୁ କନ୍ୟାଦାନ କର ।”


ଏତିକି କଥାରେ ଅଭିରାମ ପଣ୍ଡା ଓ ସତୀଶ୍ ତ୍ରିପାଠୀ ଅନାଇ ରହିଲେ ପ୍ରତାପ ଚୌଧୁରୀଙ୍କୁ । ସେମାନେ ଭାବୁଥିଲେ ଯାହା ତାହା ଏପ୍ରକାର । (ଶଳେ ବୁଢ଼ାବୁଢ଼ୀ ହେଲେଣି । ଆହୁରି ପ୍ରେମ ଯାଇନି । ଏତେ ନାଟ କାହିଁକି କରୁଛି ମୋହିନୀ? ସିଧାସିଧା କରିବ ପ୍ରତାପ କନ୍ୟାଦାନ କରିବ, ଯାହାଦ୍ୱାରା ପ୍ରତାପକୁ ଯେଉଁ ଧୋକ୍କା ସେ ଦେଇଥିଲା, ତା ରାଗ ଟିକେ କମ୍ ହେବ । ଇଆଡ଼େ ପ୍ରତାପ ଶଳା ଭଲଲୋକ ଦେଖେଇ ହେଉଛି । କନ୍ୟାଦାନ କରିବାକୁ ମନ ହେଉଥିବ ଛନଛନ । କିନ୍ତୁ ସ୍ତ୍ରୀ ପ୍ରୀତିଧାରାକୁ କହିବ କଣ?) ନିଜ ଭାଗ୍ୟ ଯେମିତି କଲେଜରେ ରହିଥିଲା, ସେମିତି ରହିବ ।


ମୋହିନୀର ପ୍ରଶ୍ନର ଉତ୍ତର କିଏହେଲେ ଦେଲେନି । ଏଇ ସମୟରେ ତଳେ ଡାଇନିଙ୍ଗ୍‌କୁ ଡିନରର୍ ପାଇଁ ଡକାଗଲା । ସମସ୍ତେ ତଳକୁ ଗଲେ । ଖାଇବାକୁ ବସିଲେ ।

ସତୀଶ୍ ତ୍ରିପାଠୀ ଭାବୁଥିଲେ, ଯେଉଁ ଝିଅ ମୋ ହୃଦୟର କଥା ବୁଝିପାରିଲା ନାହିଁ, କଣ ପାଇଁ ଏ ଦୟୀତ୍ୱ ନେବି?


ଅଭିରାମ ପଣ୍ଡା ଭାବୁଥିଲେ, ଯେଉଁ ଝିଅ ନିର୍ମମ ଭାବରେ ତା ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲା, କଣ ପାଇଁ ସେ ଉଦାର ହେବ ଓ କନ୍ୟାଦାନ କରିବ?


ପ୍ରତାପ ଚୌଧୁରୀ ପଡ଼ିଥିଲେ ମଝି ଦରିଆରେ । ଯେତେହେଲେ ସେ ଭଲପାଉଥିଲେ କେବେ ମୋହିନୀକୁ । ଗଲା କଥା ଗଲା । କିନ୍ତୁ ସ୍ତ୍ରୀ ପ୍ରୀତିଧାରା ଆଗରେ ସେ ଦୋଷୀ ହୋଇଯିବେ ।

ତିନିବନ୍ଧୁଙ୍କ ମନରେ ଗୋଟିଏ ଭାବନା, କିନ୍ତୁ ଏକପ୍ରକାର ନଥିଲା । ତାହାହେଲେ ସମାଜକୁ କଣ କଣ ବୁଝେଇବେ? ମୋହିନୀ ମହାନ୍ତି କିଏ? ସେମାନେ କିଏ?


ଖିଆ ସରିବାକୁ ବସିଥାଏ । ସମସ୍ତେ ଜାଣିଛନ୍ତି ମୋହିନୀ ଉତ୍ତରର ଆଶାରେ । ଖାଇବ ସରୁ ସରୁ ଯେମିତି ହେଲେ ଗୋଟିଏ ନିର୍ଣ୍ଣୟ ହେବ । ପୁଣି ଯଦି ଜଣେ ସାହାଯ୍ୟ ମାଗୁଛି, ସାହାଯ୍ୟଟିଏ ନକରି ଫେରେଇ ଦେବାର ଚରିତ୍ର କିଏ କରିବାକୁ ଚାହୁଁ ନାହାନ୍ତି । ପୁଣି ଏ ପରିଣତ ବୟସରେ ଯେଉଁଠି ସମସ୍ତଙ୍କ ସାମାଜିକ ସ୍ଥିତି ଠିକ୍‌ଠାକ୍ ଅଛି ।


“ତମେମାନେ ସମସ୍ତେ ଏକାଠି ହୋଇଛ । କିଏ କଣ ଭାବୁଛ ଭାବ । ମୁଁ ରୋକ୍‌ଠୋକ୍ ଲୋକ । ମୋର ଗୋଟିଏ କଥା କହିବାର ଅଛି । କଥା କଣ ନିର୍ଣ୍ଣୟ ମୋର ।” ସମସ୍ତଙ୍କୁ ମିଠା ଦେଉଦେଉ ପ୍ରୀତିଧାରା ଟାଣସ୍ୱରରେ କହିଲେ ।


ସମସ୍ତେ ସ୍ତବ୍ଧ । ଏମାନେ ତ ସମସ୍ତେ ମୋହିନୀ ମହାନ୍ତି, ତା କନ୍ୟାର ବିବାହ ଓ କଲେଜ୍ ଦିନର ଘଟଣା ନେଇ ବ୍ୟସ୍ତ । ପୁଣି ପ୍ରୀତିଧାର କେଉଁ କଥା କହିବ? ତିନିବନ୍ଧୁ ନିଜ ଅପାରଗ ପଣରେ ଥିଲେ ଭାରାକ୍ରାନ୍ତ । ମୋହିନୀ ମହାନ୍ତି ମୁହଁରେ ନିରାଶାର କଳାମେଘ ।


“ସମସ୍ତେ କଣ ଅନଉଛ ମୋତେ ତମମାନଙ୍କ ଜୀବନ ମାଗିନେଲା ଭଳି । ମୋହିନୀଙ୍କ ଝିଅ ବାହାଘର । ଭଉଣୀଟା ମୋର କେତେ ଦୁଃଖ ପାଇଛି । ତା କନ୍ୟାଦାନ କଥା ସେ ମୋତେ କହିଛି ଅନେକ ଥର, ଯେବେ ବି ମୋ ଘରେ ରାତି ରହିଛି । ଆମମାନଙ୍କ ଭାଗ୍ୟଦେଖ! ସତୀଶ୍ ବାହା ହୋଇନାହାନ୍ତି । ଅଭିରାମବାବୁ ଓ ଆମର ସବୁ ପୁଅ । ବୋଧେ ଆମେମାନେ ସବୁ ପାପୀ । ସେଥିପାଇଁ ଭଗବାନ ଝିଅଟିଏ ଆମ କୋଳରେ ନଦେଇ, କନ୍ୟାଦାନ ଭଳି ମହାପୁଣ୍ୟଠୁ ଦୂରେଇ ରଖିଛନ୍ତି । ତେଣୁ ମୁଁ ଅନେକ ଭାବିବା ପରେ ନିର୍ଣ୍ଣୟ ନେଇଛି ପ୍ରତାପ କନ୍ୟାଦାନ କରିବେ । ଆଶା ସେ ମୋତେ ଭୁଲ ଭାବିବେନି ।”

ପ୍ରୀତିଧାରାଙ୍କ କଥା ଶୁଣି ଚାରି ଚରିତ୍ରଙ୍କର ଅବରୁଦ୍ଧ ଶ୍ୱାସ ଯେମିତି ଫିଟିବାର ବାଟ ପାଇଲା । ପ୍ରତାପ ବି ନିଜ କୋହକୁ ଆକଟି ପାରିଲେ ନାହିଁ ।


- “କିନ୍ତୁ! ପ୍ରୀତି...!”


- “କିନ୍ତୁ ଫିନ୍ତୁ କିଛି ନାହିଁ । ମୁଁ ଯାହା କହିଲି ତାହା ହେବ । ବଡ଼ ଧୁମ୍‌ଧାମ୍‌ରେ ବାହାଘର ହେବ । ଅବଶ୍ୟ ଏହା କରିବା ପଛରେ ମୋର ଆଉ ଗୋଟିଏ କାରଣ ଅଛି । ତାହାହେଲା ମୋହିନୀର ପ୍ରଥମ ସ୍ୱାମୀମୋତେ ଛାଡ଼ି ବାହା ହୋଇଥିଲେ ମୋହିନୀକୁ । ଦୁର୍ଭାଗ୍ୟ ଭାବ କି ସୌଭାଗ୍ୟ, ମୁଁ ସେଇ ବ୍ୟକ୍ତିକୁ ବାହାହେଲି ଯାହାକୁ ମୋହିନୀ ଛାଡ଼ିଥିଲା । ତେଣୁ ମୁଁ ଏତେ ଛୋଟ ମନୋବୃତ୍ତିର ମଣିଷ ନୁହଁ ଯେ, ଅତୀତକୁ ନେଇ ବର୍ତ୍ତମାନ ଖରାପ କରିବି । ବରଂ ଜଣେ ନାରୀ ହିସାବରେ ମୋହିନୀ ପ୍ରତି ମୋର ସହୃଦୟତା ଓ ସମବେଦନା ଅଛି । ତେଣୁ କାଲିଠୁ ସମସ୍ତେ ଏ କାମରେ ସମସ୍ତେ ଲାଗିଯାଅ । କଲେଜ୍‌ର ବନ୍ଧୁତ୍ୱକୁ ଆହୁରି ମଜ୍‌ବୁତ୍ କର । କଣ କହୁଛ ପ୍ରତାପ? ମୁଁ ଠିକ୍ କହିଲି ନା?”


ପ୍ରୀତିଧାରାଙ୍କ ଏତିକି କଥାରେ ମୋହିନୀ କାନ୍ଦି କାନ୍ଦି ତାଙ୍କୁ ଭିଡ଼ି ଧାରିଲେ । ପ୍ରତାପଙ୍କ ପାଖରେ କିଛି କହିବାର ନଥିଲା । ଅଭିରାମ ଓ ସତୀଶ୍‌ଙ୍କ ପାଟିରୁ କଥା ବାହାରୁନଥିଲା ।


ଏମାନେ ଭାବୁଥିଲେ ମୋହିନୀର ଏ ସହରକୁ ଆସିବା, ତା ଝିଅର କନ୍ୟାଦାନ ଉପାଖ୍ୟାନରେ କେବଳ ଚାରୋଟି ଚରିତ୍ର । କିନ୍ତୁ ପ୍ରୀତିଧାର ନାମକ ପଂଚମ ଚରିତ୍ର ଯେ ଅନେକ ଦିନ ତଳେ, ସେମାନଙ୍କ ବନ୍ଧୁତ୍ୱ ଜୀବନରେ ପ୍ରବେଶ କରିଥିଲା । ତାହା ଜାଣି ହଠାତ୍ ସେମାନେ ହଜମ କରିପାରୁନଥିଲେ ।


ଚାରିବନ୍ଧୁ ଭାବୁଥିଲେ, ସତରେ ଦୁନିଆଟା କେତେ ଛୋଟ!

         ----XXX--------XXXX------


       (ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି.......ଅପେକ୍ଷା କରିଥାଅ ସମସ୍ତେ !)


*========@============@=========*

                          ସମାପ୍ତ 

*=========@============@========*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...